ଏମିତି କିଛି ବି ଯନ୍ତ୍ରଣା ଅଛି
ଯାହା ଆଖିର ଲୁହ ହୋଇ
ବହି ପାରେନା,
ବରଂ ତାହା ଆଣ୍ଟାର୍କଟିକାର
ବରଫସ୍ତର ପରି ଜମାଟ ବାନ୍ଧି ଯାଏ……
ମନର କଷ୍ଟ
ଆଉ ହୃଦୟର କୋହ,
ଯେତେବେଳେ ସହିବାର ସୀମା ଟପି ଯାଏ
ସେତେବେଳେ ଆଖିରୁ ଲୁହର
ପ୍ଲାବନ ସୃଷ୍ଟି ହୁଏ,
ଲୁହ ହିଁ ସାନ୍ତ୍ୱନା ଦିଏ ଯେ
ସେ ହିଁ ସାଥି ତା ଯନ୍ତ୍ରଣାର
ତା କଷ୍ଟର……
କିଛିଇ ମଣିଷ କଷ୍ଟ ଆଉ ଯନ୍ତ୍ରଣାକୁ
ନିଜ ବୁକୁ ଭିତରେ ଏମିତି ଚାପି ରଖନ୍ତି ଯେ
ତାହା ଲୁହ ହୋଇ ବହି ପାରେନି
ବରଂ ଗ୍ଳାସିଅର ପରି କଠିନ
ଜମାଟ ବାନ୍ଧି ଯାଏ,
ଆଉ ମଣିଷମାନେ କହନ୍ତି
ସେ ମଣିଷ ଆଖିରେ ବୋଧହୁଏ
ଲୁହ ନାହିଁ..
ସେ ଗୋଟେ ପଥର
ନହେଲେ ତା ଆଖିରୁ
ଲୁହ କାହିଁ ଝରୁନି!
ହେଲେ ସମସ୍ତେ ଜାଣିପାରନ୍ତିନି
ସମସ୍ତେ ବୁଝି ପାରନ୍ତିନି ଯେ
ସେ ବି ଗୋଟେ ମଣିଷ,
ତା ଭିତରେ କଷ୍ଟ ଅଛି
ତା ଭିତରେ ଯନ୍ତ୍ରଣା ଅଛି,
ତା ଆଖିରେ ବି ସାଗର ପରି
ଅସରନ୍ତି ଲୁହ ଧାରା ଅଛି…
ଆଉ ହଠାତ ଦିନେ
ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି ଯେ
କେବେ ଆଖିରୁ ଲୁହ ଝରଉ ନଥିବା ମଣିଷ
ଆଖିରେ ଶ୍ରାବଣର ବନ୍ୟାର ପ୍ଲାବନଧାରା…..
ହେଲେ ସମସ୍ତେ ବୁଝି ପାରନ୍ତିନି ଯେ
ପାହାଡ ଭଳି ଜମାଟ ବାନ୍ଧିଥିବା,
କେବେ ତରଳୁ ନଥିବା
ଆଣ୍ଟାର୍କଟିକାର ବରଫ ପାହାଡ ବି
ତରଳି ଯାଉଛି
ଋତୁଚକ୍ରର ବିବର୍ତ୍ତନରେ…..