ସ୍ୱଚ୍ଛ ସମ୍ପର୍କ: ମନ୍ଦାକିନୀ ଧାରାପରି

କାହା ସହ ସମ୍ପର୍କ ବାନ୍ଧିବା
ହୁଏତ ସହଜ ହୋଇପାରେ,
ହେଲେ ସମ୍ପର୍କକୁ ଦୃଢ ଭାବେ
ବାନ୍ଧିରଖିବା କେବେବି ଏତେ
ସହଜ ନୁହେଁ ……

ପାରସ୍ପରିକ ଭାବର ଆଦାନ ପ୍ରଦାନ
ଯେତେବେଳେ ଏକ ସଠିକ
ବୁଝାମଣାରେ ପହଞ୍ଚେ,
ସେତେବେଳେ ଯାଇ ମଣିଷ ମଣିଷ
ଭିତରେ ସୃଷ୍ଟି ହୁଏ ସମ୍ପର୍କର ଭାବଧାରା…

ସଚ୍ଚା ସମ୍ପର୍କ ଏକ ସ୍ନେହର ଫଲ୍ଗୁ ଧାରା,
ଯାହା ଚିରପ୍ରବହମାନ
ହୃଦୟ କନ୍ଦରରେ,
ଯାହାର କେବେ ଅବକ୍ଷୟ ନାହିଁ,
ସେ ଚିରସ୍ରୋତା ମନ୍ଦାକିନୀ
ଗଙ୍ଗୋତ୍ରୀର ଧାରା ପରି…..

ଗଙ୍ଗୋତ୍ରୀର ଗଙ୍ଗା କେବେବି
ଅପବିତ୍ର ହୋଇପାରେନା
କାହିଁକିନା ସେ ଜଳରାଶି
ସେତେ ପାବନ, ସେତେ ସ୍ୱଚ୍ଛ,
ସେତେ ପୁଣ୍ୟମୟ,
ଯେଉଁଥିପାଇଁ ଯୁଗ ଯୁଗରୁ
ଗଙ୍ଗାର ସ୍ଥାନ ସର୍ବାଗେ…..

ସେମିତି ଯେଉଁ ସମ୍ପର୍କ
ଗଙ୍ଗାର ଭାବଧାରାପରି
ସ୍ୱଚ୍ଛ ଆଉ ପବିତ୍ର ,
ସେ ସମ୍ପର୍କ କେବେବି
ଅମଳିନ ହୋଇପାରେନା,
କେବେବି ଅପବିତ୍ର ହୋଇପାରେନା,
କେବେବି ଅବକ୍ଷୟ ହୋଇପାରେନା,
ହେଲେ ସମ୍ପର୍କକୁ ସେତିକି
ପ୍ରଯତ୍ନ ନକଲେ ,
ସେତିକି ଭାବ ନଦେଲେ
କି ସେତିକି ସମ୍ମାନ ନଦେଲେ ,
ସମୟର ଅବୁଝାମଣାର ଘୁର୍ଣ୍ଣିଝଡ଼ରେ
ତାହା ଧ୍ବସ୍ତବିଧ୍ୱସ୍ତ ହୋଇ ଯାଏ
ସବୁଦିନପାଇଁ,
ଯାହାକୁ ଆଉ ଯେତେ
ଚାହିଁଲେ ବି ଗଢି ହୁଏନା,
ଯେତେ ଚେଷ୍ଟାକଲେବି
ସେ ସମ୍ପର୍କ ଆଉ ସମ୍ପର୍କର
ନାଁ ନେଇ ପାରେନା…..

Leave a Reply

Your email address will not be published. Required fields are marked *