ନିରବ ମଣିଷ

ତୁମେ ଏ କଥା ଭାବନି ଯେ
ଯେଉଁ ମଣିଷଟା ତୁମ ଆକ୍ଷେପରେ
ସେମିତି ଚୁପଚାପ ରହୁଛି
କିଛି ପ୍ରତିବାଦ କରୁନି,
ସେ ଗୋଟେ ନିହାତି ବୋକା ମଣିଷ
ଆଉ ସେ ଗୋଟେ ଜଘନ୍ୟ ଅପରାଧୀ ବୋଲି……

ଗୋଟେ ସମ୍ପର୍କକୁ ଗଢିଥିବା ମଣିଷ
କେବେ ବି ଚାହେଁ ନା ତା ସମ୍ପର୍କର ନୀଡ ଭାଙ୍ଗିଯାଉ ବୋଲି,
ସେ ଜାଣିଚି ସମ୍ପର୍କର ମୂଲ୍ୟ କଅଣ ,
ସେ ଜାଣିଚି ଥରେ ସମ୍ପର୍କ ଭାଙ୍ଗିଗଲେ
ତାକୁ ପୁଣି ଗଢିବା କେତେ କଷ୍ଟକର
କେତେ ଅସମ୍ଭବ ……

ସମ୍ପର୍କକୁ ବୁଝୁନଥିବା ମଣିଷମାନେ ସିନା
ସମ୍ପର୍କର ସ୍ଥାୟୀତ୍ୱକୁ ଗୁରୁତ୍ୱ ଦିଅନ୍ତିନି,
କାହିଁକି ନା ତାଙ୍କପାଇଁ
ସମ୍ପର୍କ ଗୋଟେ ମାମୁଲି ଖେଳଘର,
ଗୋଟେ ଭାଙ୍ଗିଗଲେ
ଆଉ ଗୋଟେ ଗଢି ହେବ….

ହେଲେ ଗୋଟେ ସଚ୍ଚା ମଣିଷ
ସବୁବେଳେ ଚେଷ୍ଟା କରୁଥାଏ
ତା ହାତରେ ଗଢ଼ିଥିବା ସୁନ୍ଦର
ସମ୍ପର୍କ ସବୁବେଳେ ସେମିତି
ଅତୁଟ ରହିଥାଉ ବୋଲି,
ତେଣୁ ସମୟର ଅବୁଝାମଣାରେ
ସେ ପ୍ରଥମେ ବୁଝାଇବାକୁ
ଚେଷ୍ଟା କରେ ଯେ ସେ ନିର୍ଦୋଷ ବୋଲି,
ପାରୁପର୍ଯ୍ୟନ୍ତ ସେ ସମ୍ପର୍କକୁ ସେମିତି
ଅତୁଟ ରଖିବାକୁ ପ୍ରଯତ୍ନ କରୁଥାଏ….

ତା ଭିତରେ ଯନ୍ତ୍ରଣାର ନିଆଁ
ହୁତୁହୁତୁ ହୋଇ ଜଳୁଥାଏ,
ସେ ଲାଞ୍ଚନା ଆଉ ଅପମାନସବୁକୁ
ନୀଳକଣ୍ଠ ପରି ପିଇଯାଏ
ଏଇଥିପାଇଁ ଯେ ,
ଅନ୍ତତଃପକ୍ଷେ ତା ହାତରେ
ତିଆରି କରିଥିବା ସମ୍ପର୍କଟା
ସେମିତି ଅତୁଟ ରହିଥାଉ ବୋଲି….

ଆଉ ଯେତେବେଳେ ସେ
ଦେଖେ ଯେ ସେ ଅପରାଧ ନକରି ବି
ଅପରାଧୀ ହୋଇଯାଇଛି,
ସେ ନିଜକୁ କଇଁଛ ଖୋଳପା ଦେହରେ
ନିରବ କରି ରଖି ଦିଏ,
ନିଜ କଷ୍ଟ ନିଜେ ସହି,
ନିଜ ଲୁହ ନିଜେ ପିଇ ,
ସେ ସମୟ ଆଗରେ
ବୋକା ହେବାର ଆଖ୍ୟା ନିଏ ……..

Leave a Reply

Your email address will not be published. Required fields are marked *