ସମୟର ଏପଟେ/ସେପଟେ

ସେପଟେ ଗରିବ ମଣିଷଟା
ବେଲାଏ ପଖାଳ ଆଉ ଦୁଇ ପାଖୁଡା
ପିଆଜକୁ ପାଟି ଭିତରକୁ
ଏମିତି ଖେପୁଥିଲା,
ଯେମିତି ସେ ଦୁନିଆର
ସବୁଠୁ ବେଶି ମହାର୍ଘ୍ୟ
ଖାଦ୍ୟ ଖାଉଛି |
ବିଚାର ନିରୀହ ମଣିଷଟା,
ମୁଲ ଲାଗିଲେ
ତା’ ଚୁଲି ଜଳେ,
ଘରେ ବୁଢା ବାପାମା
ସ୍ତ୍ରୀ ପିଲା ସାତ ପ୍ରାଣୀର କୁଟୁମ୍ବ,
ସରକାରୀ ଚାଉଳ ତା ଜୀବନ
ରଖିଦେଉଚି,
ନହେଲେ ବଜାର ଦରଦାମ
ଯାହା ହେଲାଣି,
ମୁଠେ ଭଲ ଖାଇବା
ତା’ ପାଇଁ ସାତ ସ୍ବପ୍ନ ….
ପେଟକୁ ଗଣ୍ଡାଏ ଭାତ ଚାଲିଗଲେ
ତା ଭୋଖ ମେଣ୍ଟୀ ଯାଏ,
ତେଣୁ ଦୁଇ ପାଖୁଡା ପିଆଜ
ଆଉ ଲୁଣ ତା’ ପାଇଁ ସବୁକିଛି…
ଆଉ ଏପଟେ
ପ୍ରାଚୁଯ୍ୟର ସାମର୍ଥ୍ୟରେ
ବଂଚୁଥିବା ମଣିଷଟି,
ଦାମୀ ହୋଟେଲ୍ରୁ
ମଗାଉଛି ଦାମୀ ଦାମୀ ଖାଦ୍ୟସବୁ
ତା ନିଜ ପାଇଁ, ତା ପରିବାର ପାଇଁ ,
ତାକୁ ଖାଉଛନ୍ତି, ପିଙ୍ଗୁଛନ୍ତି ତା’ ଘର ଲୋକେ
ପସନ୍ଦ ନହେଲେ…..
ଗୋଟେ ପଟେ ପେଟ ଭୋଖ ପାଇଁ
ମୁଠାଏ ପଖାଳ
 ଆଉ ଦୁଇ ପାଖୁଡା ପିଆଜ , ଲୁଣ
ଆଉ ସେ ପଟେ,
ପ୍ରାଚୁଯ୍ୟର ଅହମିକାରେ
ଉବୁଟୁବୁ ହେଉଥିବା ମଣିଷ
ପାଖରେ ଦାମୀ ଖାଦ୍ୟର ପସରା,
ସବୁ ଏଠି ତଫାତ,
ଗରିବ ଆଉ ଧନୀ
ମଧ୍ୟରେ ଆକାଶ ପାତାଳ ପ୍ରଭେଦ,
ଆଉ ସମୟ ନିଜେ ବି
ଅସହାୟ ଏଠି,
କରିବାକୁ ସେ ବି ଅସମର୍ଥ
ଗରିବ ଆଉ ଧନୀକୁ
ଏକାଠି କରିବାରେ….

Leave a Reply

Your email address will not be published. Required fields are marked *