ହାତ ବଢ଼ାଇ ଦେଲେ
ଜହ୍ନକୁ ଯଦି ଛୁଇଁ ହୁଅନ୍ତା
ତାହାଲେ ସମସ୍ତଙ୍କ ହାତରେ
ଜହ୍ନ ଧରା ଦିଅନ୍ତା..
ମନ ଚାହିଁଲେ
ଯଦି ନିଜ ଇଛାସବୁ
ସାକାର ହୋଇଯାଉଥାନ୍ତା,
ତାହାଲେ ମଣିଷ ମନରେ
କେବେ କିଛି
ଅବଶୋଷ ରହନ୍ତା ନାହିଁ….
ସବୁ ଆଶା କରୁଥିବା
ଜିନିଷ ଯଦି
ସହଜରେ ମିଳି ଯାଉଥାନ୍ତା,
ତାହାଲେ, ମଣିଷ କେବେ
ଦୁଃଖି ହିଁ ହୁଅନ୍ତା ନାହିଁ…..
ସବୁ ଲୁହକୁ ଯଦି
ହାତ ପାପୁଲିରେ ସହଜରେ
ପୋଛି ଦେଇ ହେଉଥାନ୍ତା,
ତାହାଲେ ବୋଧହୁଏ
ନିଜ ଚିବୁକ ଉପରେ
ଲୁହର ଧାର ଚିହ୍ନ ହୋଇ
ରହି ଯାଉନଥାନ୍ତା……..
ସବୁ ଭୁଲର
ଯଦି କ୍ଷମା ଥାନ୍ତା,
ତାହାଲେ ଭୁଲ କରୁଥିବା
ମଣିଷମାନେ, ଜୀବନସାରା
କ୍ଷମା ନ ପାଇବାର ଗ୍ଳାନିରେ
ଦହଗଞ୍ଜ ହେଉନଥାନ୍ତେ…….
ସବୁ ଭାବନାକୁ
ଯଦି ପରିପ୍ରକାଶ
କରିବାର ଅବକାଶ
ମିଳିପାରୁଥାନ୍ତା,
ତାହାଲେ ଅଭିମାନୀ ମଣିଷ
ପ୍ରତି ମୁହୁର୍ତ୍ତରେ
ଆତ୍ମଦହନରେ
ଯନ୍ତ୍ରଣା ପାଉନଥାନ୍ତା……