ପୁଅ ବଡ ହେଲାପରେ

ଛୋଟ ଛୁଆ ହୋଇଥିବାବେଳେ,
ଯେଉଁ ପିଲାଟି ମା’ର ପଣତକାନିକୁ
ଦିନରାତି ଜାବୁଡି ଧରିଥାଏ,
ମା’ ପାଖରେ ଅଳିଅରଦଳି କରୁଥାଏ,
ସେଇ ପିଲାଟି,
ମୁଣ୍ଡକୁ ହାତ ପାଇଗଲାପରେ
ମା’ର ପଣତକାନିକୁ ଆଉ
ଏତେ ଖୋଜିବୁଲେନି…
ଛୋଟ ଛୁଆ ହୋଇଥିବାବେଳେ,
ଯେଉଁ ପିଲାଟି ବାପାର
ହାତଧରି ସବୁଆଡେ ବୁଲୁଥାଏ,
ବାପା କାନ୍ଧରେ ବସି
ଜହ୍ନକୁ ତା’ ହାତରେ ପାଇବାର
ସ୍ବପ୍ନ ଦେଖୁଥାଏ,
ସେ ପିଲାଟି
ମୁଣ୍ଡକୁ ହାତ ପାଇଗଲାପରେ,
ଆଉ ବାପାର ହାତଧରା କଥା
କି କାନ୍ଧରେ ବସି ଜହ୍ନକୁ ପାଇବାର
ସ୍ୱପ୍ନକୁ କେବେ ମନେ ପକାଏନି…..
ସଂସାରକୁ ନୂଆକରି
ଆସିଲାବେଳେ,
ଯେତେବେଳେ ତାର କିଛି
ହେତୁ ହୋଇନଥାଏ,
ଦୁନିଆଁକୁ ନାଁ ଚିନ୍ହିଥାଏ
ନାଁ ଜାଣିଥାଏ,
ନାଁ ନିଜେ ଠିଆ ହୋଇପାରୁଥାଏ
ନାଁ କଥା କହି ଶିଖିଥାଏ ,
ସେତେବେଳେ ଏଇ ମା’
ତାକୁ ପଣତକାନିରେ
ଢାଙ୍କି ରଖିଥାଏ,
ସେତେବେଳେ ଏଇ ବାପା
କାନ୍ଧରେ ବସାଇ ତାକୁ
ଦୁନିଆ ଦେଖଉଥାଏ,
ଆଜି ବଡ ହୋଇଗଲାପରେ
ସେ ସେସବୁକୁ ଆଉ ମନେ
ପକାଇବାକୁ ଆବଶ୍ୟକ
ମନେ କରେନି,
ମା’ ବାପା ଯେଉଁ ପୁଅ ପାଇଁ
ରାତି ରାତି ଉଜାଗର ହୋଇ
ନିଜକଥା ଭାବନ୍ତିନି,
ଖାଲି ଦିନରାତି ଭାବୁଥାନ୍ତି
ତାଙ୍କ ପୁଅ କେମିତି
ବଡ ହୋଇଯାଉ,
ସେଇ ପୁଅ ଆଜି
ବଡହେଲାପରେ କେବେ
ଉଜାଗର ରହେନି ତା’
ମା’ ବାପା ପାଇଁ
କାହିଁକି ନା ଆଜି
ତା ପାଇଁ ତା’ ମା’ର
ଉଷୁମପରଶ ଦରକାର ନାଇଁ ,
କି ତା’ ବାପାର କାନ୍ଧରେ
ବସିବା ଦରକାର ନାଇଁ……
ସେ ଏବେ ସ୍ୱୟଂସମ୍ପୂର୍ଣ୍ଣ……

Leave a Reply

Your email address will not be published. Required fields are marked *