ପ୍ରତିଶୃତି !
ଯାହା, ଅନେକଟି ଆଶା
ଆଉ ଆକାଂକ୍ଷାର
ମିଳିତ ସମାହାର,
ଯାହାକୁ ନେଇ ଗୋଟେ ମଣିଷ
ଭାବର କୁଡ଼ିଆଟିଏ
ତିଆରି କରେ,
ସମୟର ଆବଦ୍ଧ ପଡିଆ ଦେହରେ,
ସେ ସ୍ବପ୍ନ ଦେଖେ,
ତାକୁ ପ୍ରତିଶୃତି ଦେଇଥିବା
ମଣିଷଟି ପାଇଁ,
ବର୍ତ୍ତମାନ ଆଉ ଭବିଷ୍ୟତ ପାଇଁ,
ସେ ତା ଭାବନାର ଆକାଶରେ
ସମ୍ଭାବନାର ତାରା ଗଣେ,
ତାକୁ ଅନେକ ନିର୍ଭର ପ୍ରତିଶୃତି
ଦେଇଥିବା ମଣିଷ ପାଇଁ
ଅଶାର ଦୀପାଳି ଜାଳେ,
ହୃଦୟର ମନ୍ଦିର ଦେହରେ,
ତା ମନର ପୋଖରୀରେ
ଫୁଟିଉଠେ ଖୁସିର
କଇଁଫୁଲସବୁ,
ସେ ଦିନ ଗଣେ,
ତାକୁ ନିଜର କରିବାକୁ ପ୍ରତିଶୃତି
ଦେଇଥିବା ମଣିଷଟି,
କେବେ ତା କୁଡ଼ିଆରେ ସବୁଦିନ ପାଇଁ
ରହିବାକୁ ଆସିବ ବୋଲି,
ସେ ପାଷାଣୀ ଅହଲ୍ୟା ପରି
ଅପେକ୍ଷ୍ୟାକରେ ଶ୍ରୀରାମଚନ୍ଦ୍ର କେବେ
ତାକୁ ଛୁଇଁ ତା ଦେହରେ
ନୂତନ ପଲକ ଭରିଦେବେ,
ଆଉ ଯଦି ତାକୁ
କଥା ଦେଇଥିବା ମଣିଷଟି
ସତରେ ତା ପାଖକୁ ଆସେ,
ସେ ଆତ୍ମବିଭୋର ହୋଇଯାଏ
ଅସୁମାରୀ ଆନନ୍ଦରେ,
ଆଉ ଯଦି ପ୍ରତିଶୃତି ଦେଇଥିବା
ମଣିଷଟି ତାକୁ ଭୁଲିଯାଏ,
ସେ ଭାଂଗିପଡେ ଅବ୍ୟକ୍ତ
ଯନ୍ତ୍ରଣାରେ,
ତା ଭାବର କୁଡ଼ିଆଟି
ଭାଙ୍ଗିରୁଜି ମାଟିରେ
ମିଶିଯାଏ …..
ପ୍ରତିଶୃତି !
