ପଥର ଏମିତି ନିଥର
ନିର୍ବାକ ଆଉ ମୂଲ୍ୟହୀନ ବୋଧହୁଏ
ସାମଗ୍ରିକ ଦ୍ରୁଷ୍ଟିକୋଣରେ,
ହେଲେ ସେଇ ପଥର ଦେହରେ
ଯେତେବେଳେ ଶିଳ୍ପୀଟିଏ ,
ନିଜ ନିହାଣ ମୁନରେ ଖୋଦେଇ କରେ
ସୁନ୍ଦର ମୂର୍ତ୍ତିଟିଏ ,
ସେତେବେଳେ ସେ ମୂର୍ତ୍ତିଟି
ଜୀବନ୍ତ ହୋଇଯାଏ,
ସେତେବେଳେ ମନେହୁଏ
ଏ ଯେମିତି ବାସ୍ତବର ମଣିଷଟିଏ,
ଏମିତି ବି ଲାଗେ
ପଥର ଦେହରେ ଜୀବନ ଭରିଲା କିଏ!
ଯେଉଁ ପଥର କାଲି ପର୍ଯ୍ୟନ୍ତ
ଅଖୋଜା ଅଲୋଡ଼ା ହୋଇ ରହିଥିଲା,
ମୂକ ପରି ପ୍ରତୀୟମାନ ହେଉଥିଲା,
ତା ଦେହରେ କାରିଗର ନିହାଣ ମୁନରେ
ଏମିତି ଜୀବନ୍ତ ପ୍ରତିକୃତି ଗଢିଲା କିପରି?
ଯେଉଁ ପଥର କାଲି ପର୍ଯ୍ୟନ୍ତ
କାହାର ପସନ୍ଦଯୋଗ୍ୟ ନଥିଲା,
ଆଜି
ସେ କିପରି ଜୀବନ୍ୟାସ ପାଇ
ସବାକ ହୋଇଗଲା !
ଜୀବନ ଏମିତି ବୈଚିତ୍ରମୟ,
କିଛି ମଣିଷ ସାଧାରଣ ଆଖିରେ
ମୂଲ୍ୟହୀନ ବୋଧ ହୁଅନ୍ତି,
ଆଉ ସମୟର କେଉଁ ପାରଙ୍ଗମ ଶିଳ୍ପୀ
ବେଳ ପଡିଲେ ସେମିତି ମଣିଷଙ୍କୁ
ମୂଲ୍ୟବାନଭାବେ ତିଆରି କରିଦିଅନ୍ତି ,
ଆଉ କାଲି ପର୍ଯ୍ୟନ୍ତ
ଅଖୋଜା ଅଲୋଡ଼ା ଥିବା ମଣିଷଟି,
ହଠାତ ସମସ୍ତଙ୍କ ପାଖେ
ବହୁତ ମହାର୍ଘ୍ୟ ଭାବେ
ପରିଗଣିତ ହୋଇ ଯାଏ |
ପଥର
