ମୁଁ ଚାହେଁ ଯାହା/ କାହିଁ ପାଇଁ ପାଏ ନାହିଁ ତାହା ?

କେହି ଜଣେ
କହି କେ ପାରିବ?
ମୁ ଚାହିଁଲେ ବି ମୋ ମନଟା କାହିଁ ପାଇଁ
ପାଲଟି ଯାଏନି
ଶ୍ରାବଣ ଋତୁର ସବୁଜିମାଭରା ଘନ ଆବରଣ!
କାହିଁପାଇଁ ଶ୍ରାବଣର ଦୁଇଧାର
ମୋ ଛାତିରେ ବହିଯାଏନି
ଅପୂର୍ବ ଉଲ୍ଲାସରେ/ଅବା ଅମାନିଆ
ଶିଶୁର ଚପଳତା ରଙ୍ଗରେ ଖିଲଖୀଲ ହୋଇ |
ମୁଁ  ଚାହେଁ……
ଟିକି ଟିକି ମନ ସବୁ
କୁନି କୁନି ସାଧବବୋହୁ ହୋଇ
ଥାପି ଥାପି ଚାଲିଯାଆନ୍ତେ
ସବୁଜିମାର ବହଳ ଗହଳରେ ,
ଛୁଇଁ ଦେଲେ ଆହୁରି ନିବିଡ
ହୋଇଯାଆନ୍ତେ
ଗୋପନତାର ସମ୍ଭ୍ରମତାରେ |
ମୁ ଚାହେଁ ….
କଳ୍ପନାର ଖିଆଲୀ ରଙ୍ଗସବୁ
ଆହୁରି ଗଭୀର ହୋଇ
ଡେଇଁ ପଡନ୍ତେ
ମୋ ମନ ଆକାଶର
ବିସ୍ତୀର୍ଣ୍ଣ ଇଲାକା ଦେହରେ,
କେବେବି ଅନ୍ତର୍ଧ୍ୟାନ
ନହୋଇ ଯାଉଥିବା ଇନ୍ଦ୍ରଧନୁର
ନବ କଳେବରରେ |
ମୁଁ  ଚାହେଁ……
ଦୁଃଖର ଗାଲିଚା ଦେହରେ
ସୁଖର ଫୁଲ ହୋଇ ଫୁଟିଉଥନ୍ତା
ଅନ୍ତରଙ୍ଗତାର ଭାବସବୁ,
ଯେଉଁ ଫୁଲ ସବୁବେଳେ
ସତେଜ ରହନ୍ତା
ଶ୍ରାବଣର ଆଦ୍ୟ ପରଶରେ |
ମୁଁ ଚାହେଁ…… ଚିରହରିତର ସଂଜ୍ଞା ନେଇ
ସବୁରି ଭିତରେ ବୁଣି ଚାଲନ୍ତି
ସ୍ନେହର ବୀଜ ସବୁ,
ଯାହା ସଂଗେ ସଂଗେ
ଅଙ୍କୁରୋଦଗମ ହୋଇଯାଆନ୍ତା
ହୃଦୟର ଉଷ୍ମ ମୃତ୍ତିକା ଦେହରେ |
ହେଲେ; ମୁଁ ଯାହା ଚାହେଁ
ତାହା ପାଏନି,
ଯାହା ପାଏ ; ଯେମିତି ଚାହେଁ
ସେମିତି ପାଏନି,
ତେବେ କେହି କଣ
କେବେ ନିଜ ଚାହିଁବା ମୁତାବକ
 କିଛି ପାଇପାରେନି
ଏ ଦୁନିଆଁ ଦେହରେ?

Leave a Reply

Your email address will not be published. Required fields are marked *