ମିଛର ଚୋରାବାଲି

କିଛି ମଣିଷ ମିଛକୁ
ଆପଣାଇବାକୁ ଏତେ ବ୍ୟଗ୍ର
ହୁଅନ୍ତି କାହିଁକି?
ଦେଖିବାକୁଗଲେ,
ମିଛ ହେଉଛି ସତକୁ ଢାଙ୍କିବାର
ଏକ ବହଳ ଆସ୍ତରଣ,
ଯାହା ପ୍ରତୀୟମାନ କରାଏ
ମିଛକୁ ସତବୋଲି |

ମିଛ ସବୁବେଳେ ମିଛ,
ଆଜି ନହେଲେ କାଲି
ଦିନେ ନା ଦିନେ
ସେ ଛଳନାର ଆସ୍ତରଣ
ଅପସରି ଯିବ
ସତ୍ୟର ଉନ୍ମୋଚନରେ ,

ସତ ସବୁବେଳେ ସତ,
ବାଦଲର ଘନ ଆସ୍ତରଣ
ଆକାଶକୁ ଯେତେ ଢାଙ୍କିଲେବି
କିଛି ସମୟ ହେଉ କି
କିଛି ମୁହୂର୍ତ୍ତ ହେଉ କି
କିଛି ଦିନର ଅବଧି ହେଉ,
ବାଦଲ ଆକାଶରୁ ଅପସରି ଯିବ
ଆଉ ଦେଦୀପ୍ୟମାନ ସୂର୍ଯ୍ୟ
ଆକାଶରେ ଜ୍ୟୋତିର
ମେଖଳା ଖେଳାଇବ,
ତେଣୁ ବାଦଲ ଯେ
ସୂର୍ଯ୍ୟକୁ ଢାଙ୍କି ଦେବ ଅନ୍ଧାରରେ,
ସବୁଦିନ ପାଇଁ
ଏହା ଭାବିବା
ନିହାତି ନିର୍ବୋଧତା!

ହଁ, ଅନ୍ୟର କିଛି ମଙ୍ଗଳପାଇଁ
କହୁଥିବା ମିଠା ମିଛର
ହୁଏତ କିଛି କ୍ଷମା ଅଛି
ଯାହା ଅନ୍ୟର ଏତେ
କ୍ଷତି କରାଏ ନାହିଁ,
ହେଲେ ଯେଉଁ ମିଛ
ଅନ୍ୟ ପାଇଁ ମାନସିକ
କଷ୍ଟ ସୃଷ୍ଟି କରାଏ,
ଯେଉଁ ମିଛ ଅନ୍ୟର
ହୃଦୟ/ମନରେ
ଗଭୀର ଯନ୍ତ୍ରଣା ସୃଷ୍ଟି କରେ
ତାହା ଅକ୍ଷମଣୀୟ …..

ମଣିଷମାନେ ବୁଝି ପାରନ୍ତିନି ଯେ
ମିଛ ସବୁବେଳେ
ଚୋରାବାଲି ପରି ,
ଯାହା ଉପରେ ଥରେ
ପାଦ ପଡି ଯାଏ,
ସେ ଭିତରୁ ଭିତରକୁ
ଆହୁରି ଟାଣି ହୋଇଯାଏ ,
ମିଛର ପରିଧି ଏତେ ବ୍ୟାପକ ଯେ
ଗୋଟେ ମିଛ ଆଉ ଗୋଟେ ମିଛକୁ
ସାଥିରେ ନେଇ ଆସେ,
ସେ ମିଛ ଆଉ ଗୋଟେ ନୂଆ ମିଛକୁ
ସାଥି କରି ନିଏ,

ଯେମିତି ଚୋରାବାଲି ଜୀବନର
ସର୍ବନାଶ କରାଏ,
ସେମିତି ଛଳନାର ମିଛ
ଏକ ସ୍ୱଚ୍ଛ ସମ୍ପର୍କର
ସର୍ବନାଶ କରିବସେ ,
ତେଣୁ ଛଳନାର ମିଛକୁ
ଆପଣେଇବାଠାରୁ,
ସତକୁ ସତ ବୋଲି
ଆପଣେଇବା
ଶତଗୁଣେ ଭଲ,
ଯାହା ଭଲ ସମ୍ପର୍କକୁ
ଆହୁରି ଦୀର୍ଘସ୍ଥାୟୀ କରିଥାଏ |

Leave a Reply

Your email address will not be published. Required fields are marked *