ଉତ୍ତର ପ୍ରଦେଶ ୨୦୨୫ ମସିହା ପାଇଁ ଚଳଚଂଚଳ ହୋଇ ଉଠିଛି | କାହିଁକିନା ଦୀର୍ଘ ୧୪୪ ବର୍ଷପରେ ବିରଳ ମହାକୁମ୍ଭ ସ୍ନାନଯୋଗ ପଡିଛି ତ୍ରିବେଣୀ ସଙ୍ଗମ ପ୍ରୟାଗରେ | ୧୨ଟି ପୂର୍ଣ୍ଣକୁମ୍ଭ ପରେ ଗୋଟିଏ ମହାକୁମ୍ଭ | ସମସ୍ତେ ତେଣୁ କୁମ୍ଭ ସ୍ନାନ ପାଇଁ ବ୍ୟଗ୍ର | ଜୀବନରେ ଆଉ ଥରେ ଏ ସୁଯୋଗ ଆସିବନି କେବେ |
ଉତ୍ତରପ୍ରଦେଶର ଏକ ଛୋଟ ଗାଁରେ ରୁହନ୍ତି ରତ୍ନାଦେବୀ | ସ୍ୱାମୀ ତାଙ୍କର ବଡ ଚାଷୀ ଥିଲେ | ଚାରି ଚାରିଜଣ ପୁଅ ଉଚ୍ଚଶିକ୍ଷିତ | ସମସ୍ତେ ଭଲ ଚାକିରୀ ବି କରୁଛନ୍ତି | ଦଶ ବର୍ଷ ହେଲା ସ୍ୱାମୀ ତାଙ୍କର ହୃଦରୋଗରେ ସେପାରିକୁ ଚାଲି ଯାଇଛନ୍ତି | ସ୍ୱଚ୍ଛଳ ପରିବାର ତାଙ୍କର | ଏବେ ରତ୍ନାଦେବୀ ଠାକୁରପୂଜା, ଧର୍ମଗ୍ରନ୍ଥ ପଠନରେ ସମୟ କାଟୁଛନ୍ତି |
ଯେହେତୁ ଏଥର ବିରଳ ମହାକୁମ୍ଭ ସ୍ନାନଯୋଗ ପଡିଛି ତ୍ରିବେଣୀ ସଙ୍ଗମ ପ୍ରୟାଗରେ, ଚାରି ପୁଅଙ୍କୁ କହିଛନ୍ତି ଯେମିତି ହେଉ ମୋତେ ତୁମେମାନେ ପ୍ରୟାଗ ନେଇଯିବ କୁମ୍ଭ ସ୍ନାନପାଇଁ |
ସ୍ୱାମୀ ଥିବାବେଳେ ତାଙ୍କସହ ତୀର୍ଥସ୍ଥାନକୁ ଯାଉଥିଲେ | ଆଉ ସ୍ୱାମୀ ଗଲାପରେ ଏବେ ପୁଅମାନଙ୍କୁ କହୁଛନ୍ତି ନେବା ପାଇଁ | କିନ୍ତୁ ଦେହ ତାଙ୍କର ଭଲ ରହୁନି ବୋଲି ସେ ଆଉ ବେଶୀ ତୀର୍ଥ କରୁନାହାନ୍ତି | ସବୁବେଳେ ତାଙ୍କର କିଛି ନା କିଛି ରୋଗ ବାହାରୁଛି | ବୟସ ଥିବାବେଳେ ସେ ସବୁ ସହି ଯାଉଥିଲେ | ହେଲେ, ଏବେ ସେ ପାରୁ ନାହାନ୍ତି | ଭାରାକ୍ରାନ୍ତ ବୟସ ସାଙ୍ଗକୁ ଦେହ କି ମନ କେହି ତାଙ୍କର ବୋଲ ମାନୁ ନାହାନ୍ତି | ତେଣୁ ସବୁକଥାରେ ପୁଅବୋହୂମାନଙ୍କ ଉପରେ ନିର୍ଭର କରିବାକୁ ପଡୁଛି, ହେଲେ ସେ କଣ ବା କରି ପାରିବେ!
ବାହାହୋଇ ଆସିଲାପରେ, ଶାଶୁ ଶ୍ୱଶୁର , ଘର ଦ୍ୱାର, ଗାଈ ଗୋରୁ, ଜମି ବାଡ଼ି ସବୁର ଦେଖାଶୁଣା କରୁଥିଲେ | କେବେ କାହାରିକୁ ନିଜ କଷ୍ଟ କଥା କହି ନାହାନ୍ତି, ସବୁ ଜଂଜାଳ ସହ ଚାରି ଚାରିଟା ପିଲାଙ୍କୁ ବଡ କରିଛନ୍ତି | ହେଲେ, ଏବେ ତାଙ୍କର ଉପାୟ କିଛି ନାହିଁ | ଅଶି ବୟସରେ ବି ସେ ଚଳ ଚଂଚଳ ଅଛନ୍ତି | କିନ୍ତୁ ଦେହ ତ ତାଙ୍କର ବୋଲ ମାନୁନି | ଗୋଟାକ ପରେ ଗୋଟାକ ରୋଗ ମାଡି ବସୁଛି | ଆଜିକାଲିକା ବୋହୂମାନେ ଶାଶୁ ଶ୍ଵଶୁରଙ୍କ ସେବା କରିବା ତ ଦୂରର କଥା, କାମରେ ଟିକେ ସାହାର୍ଯ୍ୟ କରୁଛନ୍ତି ବୋଲି ବାରକଥା କହୁଛନ୍ତି | ଆଉ ପୁଅମାନେ ବି ସ୍ତ୍ରୀମାନଙ୍କ କଥାରେ ଚାଲୁଛନ୍ତି | କାହାକୁ କହିବେ ଏ କଥା ଯେ? ଯାହା ହାତ ଧରି ବାହା ହୋଇଥିଲେ ସେ ତ ସେ ପାରିରେ | ଜୀବନଟା ତାଙ୍କ ପାଇଁ ବୋଝ ହେଇ ଯାଉଛି |
ହେଲେ, ଏ ବିରଳ କୁମ୍ଭ ସ୍ନାନ ସେ ଯେମିତି ହେଲେ କରିବାକୁ ଯିବେ | ଜୀବନରେ ଆଉ କେବେ ଏ ସୁଯୋଗ ଆସିବନି | ତେଣୁ ଚାରିପୁଅଙ୍କୁ କହିଛନ୍ତି ମୋତେ ତୁମେ ଚାରିଜଣ କୁମ୍ଭ ସ୍ନାନ ପାଇଁ ପ୍ରୟାଗ ନେବ | ମୁଁ ଆଉ କେଉଁ ଜାଗାକୁ ନେବା ପାଇଁ କହିବିନି | ଖାଲି ଏ କୁମ୍ଭ ସ୍ନାନ ମୋତେ ଯେମିତି ହେଲେ କରେଇବ |
ପୁଅମାନେ ରାଜି ହୋଇଛନ୍ତି | ତାଙ୍କୁ ନେଇ ସମସ୍ତେ କୁମ୍ଭ ସ୍ନାନ କରିବାକୁ ପ୍ରୟାଗ ଯିବେ | ରତ୍ନା ଦେବୀ ଖୁସି ହୋଇଛନ୍ତି ପୁଅମାନଙ୍କ ଉପରେ | ସମସ୍ତେ କହୁଛନ୍ତି ଏ ମହାସ୍ନାନ କଲେ କୋଟି ପୂଣ୍ୟଫଳ ମିଳିବ | ସ୍ୱାମୀଥିଲେ ତାଙ୍କ ସହ ଯାଇଥାନ୍ତେ | ହେଲେ ସମୟ ତ ତାଙ୍କୁ ଆଗରୁ ଅଲଗା କରିଦେଇଛି | ବୁଡ଼ ପକାଇଲାବେଳେ ତାଙ୍କ ପାଇଁ ପ୍ରାଥନା କରିବେ |
ନିର୍ଧାରିତ ଦିନ ଆଗରୁ ନିଜର ଔଷଧ ଆଉ ଲୁଗାପଟା ରଖିଦେଲେ ରତ୍ନାଦେବୀ | ସମସ୍ତେ ଏଥର ପ୍ରୟାଗ ପାଇଁ ଟ୍ରେନରେ ବସିଲେ | ରତ୍ନାଦେବୀ ପୁଅମାନଙ୍କ ଉପରେ ଭାରି ଖୁସି ଯେ ଯାହାହେଉ ସେମାନେ ତାଙ୍କୁ କୁମ୍ଭ ସ୍ନାନ କରାଇବେ | ତାଙ୍କ ମନସ୍କାମନା ପୂର୍ଣ୍ଣ ହେବ | ଏଥର ଘରକୁ ଫେରିଲେ ଆଉ କୁଆଡ଼କୁ ତୀର୍ଥ ପାଇଁ ଯିବେନି | ଏଇ କୁମ୍ଭ ସ୍ନାନ ତାଙ୍କ ଶେଷ ତୀର୍ଥ | ଆଉ ଯଦି ଈଶ୍ୱର ତାଙ୍କ ପାଖକୁ ନେଇଗଲେ ଆହୁରି ଭଲ | ସବୁ କଷ୍ଟ ଯନ୍ତ୍ରଣାରୁ ତାଙ୍କୁ ମୁକ୍ତି ମିଳିଯିବ ସବୁଦିନ ପାଇଁ |
ରତ୍ନା ଦେବୀ କାଶୀ, ମଥୁରା, ବୃନ୍ଦାବନ, ହରିଦ୍ୱାର, ଋଷିକେଶ ଯାଇଛନ୍ତି | ହେଲେ ପ୍ରୟାଗ କେବେ ଯାଇନାହାନ୍ତି | ସ୍ୱାମୀଙ୍କ ଅସ୍ଥି ଵିସର୍ଜନବେଳେ ସମସ୍ତେ ପ୍ରୟାଗ ଯାଇଥିଲେ ହେଲେ ତାଙ୍କ ଗୋଡ ସେତେବେଳେ ଭାଙ୍ଗିଯାଇଥିବାରୁ ଯାଇପାରିନଥିଲେ | ଏ ମହାକୁମ୍ଭ ତାଙ୍କୁ ମୋକ୍ଷ ଦେବା ନିଶ୍ଚୟ | ମନରେ ଅନେକ ଆଶା ନେଇ ରତ୍ନାଦେବୀ ଟ୍ରେନରେ ଯାଉଥିଲେ |
ଠିକଣା ସମୟରେ ଟ୍ରେନ ପ୍ରୟାଗରେ ପହଂଚିଗଲା | ସମସ୍ତେ ଟ୍ରେନ୍ରୁ ଓଲ୍ହାଇଲେ |
ମହାକୁମ୍ଭ ପାଇଁ ସାରା ପ୍ରୟାଗ ସହର ଚଳ ଚଂଚଳ ହୋଇ ଉଠିଛି | ଦେଶ ବିଦେଶରୁ ସାଧୁ ସନ୍ଥ, ଲୋକମାନଙ୍କର ଗହଳି ଲାଗି ରହିଛି | ଯେଉଁ ଆଡେ ଦେଖିବ ଲୋକ ଭିଡ |
ରତ୍ନାଦେବୀ ଜୀବନରେ ଏମିତିକା ଭିଡ ଆଗରୁ ଦେଖି ନଥିଲେ କେବେ | ଯାହାହେଉ, ପୁଅମାନେ ଆଗରୁ ଠିକ କରି ରଖିଥିବା ଧର୍ମଶାଳାରେ ପହଂଚିଗଲେ ସମସ୍ତେ | କାଲି ବଡ଼ି ଭୋରରୁ ସମସ୍ତେ କୁମ୍ଭ ସ୍ନାନ ପାଇଁ ଯିବେ | ରତ୍ନାଦେବୀ ରାତିସାରା ଶୋଇପାରି ନାହାନ୍ତି | କେମିତି ତ୍ରିବେଣୀ ସଂଗମରେ ବୁଡ଼ ପକାଇବେ ସେ ନେଇ ବ୍ୟସ୍ତ ହେଉଥିଲେ | ଏତେ ଗହଳି ଯେ ଖାଲି ଭିଡ ଆଉ ଭିଡ | ନିଜ ସ୍ୱାମୀଙ୍କୁ ମନେ ପକାଉଥିଲେ | ବଂଚିଥିଲେ ସେ ବି ତାଙ୍କ ସହ ଆସିଥାନ୍ତେ | ତାଙ୍କ ଆତ୍ମା ବି ମୋକ୍ଷ ଲଭିଥାଆନ୍ତା | ସ୍ୱାମୀଙ୍କ କଥା ଭାବି ଆଖିରୁ ଲୁହ ଦୁଇଧାର ବୋହିଗଲା | ପଣତକାନିରେ ଆଖି ଲୁହ ପୋଛି ଦେଲେ | ତାଙ୍କ ଛଡା ସ୍ୱାମୀଙ୍କ କଥା କିଏ କାଇଁ ମନେ ପକାଇବ ଯେ ! ବାହାସାହା ହୋଇଗଲାପରେ ଆଉ ପୁଅମାନଙ୍କର ବାପାମା’ଙ୍କ ପାଖରେ କି କାମ ଯେ ! ଏ ଦୁନିଆଟା ଏମିତି |
ଟିକେ ଶୋଇବାକୁ ଚେଷ୍ଟା କଲେ | ହେଲେ ନିଦ ଆସିଲାନି ଆଖିକୁ | ରାତି ତିନିଟାରେ ସମସ୍ତେ ଉଠିପଡ଼ିଲେ | ଭାରି ଭିଡ ଘାଟମାନଙ୍କରେ | ଶୀଘ୍ର ନଗଲେ ବୁଡ଼ ପକାଇ ପାରିବେନି | ସମସ୍ତେ ବାହାରିଗଲେ ତ୍ରିବେଣୀ ସଂଗମକୁ | କିଛି ବାଟ ଚାଲିବାକୁ ପଡିବ | ପୁଅମାନଂକ ସାହାରାରେ ବଡ କଷ୍ଟରେ ଘାଟରେ ପହଂଚିଗଲେ | ସମସ୍ତେ ବୁଡ଼ ପକାଇଲେ ସୁରୁଖୁରୁରେ | ନିଜ ସ୍ୱାମୀଙ୍କ ପାଇଁ ପ୍ରାଥନା କଲେ ରତ୍ନାଦେବୀ | କୁମ୍ଭ ସ୍ନାନ କରି ତାଙ୍କୁ ଯେମିତି ଲାଗିଲା ସେ ସବୁ କିଛି ପାଇ ଯାଇଛନ୍ତି | ଈଶ୍ୱରଙ୍କ କୃପାରୁ ଯାହାହେଉ ବୁଡ ପକାଇ ପାରିଲେ ସଙ୍ଗମରେ | ନହେଲେ ଏ କୁମ୍ଭ ସ୍ନାନ ତାଙ୍କ ଭାଗ୍ୟରେ ଜୁଟି ନଥାନ୍ତା | ନିଜ ପୁଅମାନଙ୍କୁ କଲ୍ୟାଣ କଲେ ବହୁତ | ଯାହା ହେଉ ତାଙ୍କ ଇଛା ସାକାର ହେଲା |
ବୁଡ଼ ପକେଇସାରି ସମସ୍ତେ ରହୁଥିବା ଧର୍ମଶାଳାକୁ ଫେରି ବିଶ୍ରାମ କଲେ | ରତ୍ନାଦେବୀ ପୁଅମାନଙ୍କୁ କହିଲେ, ତୁମେମାନେ ମୋ କଥା ରଖିଲ | ମୁଁ ମହାକୁମ୍ଭ ସ୍ନାନ କରିପାରିଲି | ଯାହାହେଉ ମା’ ମନକଥା ତୁମେ ବୁଝିପାରିଲ | ମୁଁ ତୁମମାନଙ୍କ ଉପରେ ବହୁତ ଖୁସି ଯେ ମୋ ଇଛା ତୁମେ ପୁରଣ କଲ | ଖାଲି ତୁମେମାନେ ମୋତେ ଥରେ ଅଯୋଧ୍ୟା ନେଇଯିବ | ଆମେ ସମସ୍ତେ ରାମ ଜନ୍ମଭୂମି ମନ୍ଦିର ଦର୍ଶନ କରିବା | ପୁଅମାନେ କହିଲେ, ଠିକ ଅଛି ପ୍ରଥମେ ପ୍ରୟାଗରେ ଥିବା ମନ୍ଦିରସବୁ ଦର୍ଶନ କରିବା ଆଉ ତାପରେ ଆମେ ଅଯୋଧ୍ୟା ଯିବା | ରତ୍ନାଦେବୀ ବହୁତ ଖୁସି ହୋଇଗଲେ | ଯାହାହେଉ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଭୂମି ଦେଖି ଜୀବନ ଧନ୍ୟ କରିବେ |
ତା ପରଦିନ ସମସ୍ତେ ଗଲେ ବେଣି ମାଧବ ମନ୍ଦିର ଦର୍ଶନ କରିବାକୁ | ପଦ୍ମ ପୁରାଣରେ ଲେଖା ଅଛି ଯେ ପ୍ରଜାପତି ବ୍ରହ୍ମ| ଏ ମନ୍ଦିର ପ୍ରତିଷ୍ଠା କରିଥିଲେ | ପ୍ରଭୁ ମାଧବଙ୍କୁ ଦର୍ଶନ କରି ଫେରିଲେ ପ୍ରୟାଗ ଷ୍ଟେସନକୁ |
ପୁଅମାନେ ସମସ୍ତେ ମା’ଙ୍କୁ ଷ୍ଟେସନରେ ଗୋଟେ ଜାଗାରେ ବସାଇ ଦେଇ କହିଲେ, ମା’, ତୁ ଏଠି ବସିଥା, ଆମେ ଟିକେଟ କରିବାକୁ ଯାଉଛୁ| ଆସିଲେ ଅଯୋଧ୍ୟା ଯିବା | ରତ୍ନାଦେବୀ ଖୁସି ହୋଇଗଲେ | ତୁମେମାନେ ଯାଅ | ମୁଁ ଏଠି ଅପେକ୍ଷା କରୁଛି |
ପୁଅମାନେ ଟିକେଟ କରିବାକୁ ଚାଲିଗଲେ | ରତ୍ନାଦେବୀ ଅଯୋଧ୍ୟା ରାମ ମନ୍ଦିର କଥା ଭାବିବାକୁ ଲାଗିଲେ | ସ୍ୱାମୀଥିଲେ ସେ ବି ସାଙ୍ଗରେ ଯାଇଥାନ୍ତେ | ହେଲେ ସେ ତ ନାହାନ୍ତି ଏବେ | ସ୍ୱାମୀଙ୍କ କଥା ମନେ ପଡିବାରୁ ଆଖିରୁ ଲୁହ ଝରିଗଲା |
କାନ୍ଥକୁ ଆଉଜି ବସିଲେ ରତ୍ନାଦେବୀ | କେତେବେଳେ ଆଖି ଲାଗି ଯାଇଛି ତାଙ୍କୁ, ଟିକେ ଢ଼ୋଳେଇ ପଡିଛନ୍ତି |
ଷ୍ଟେସନରେ ଏତେ ଗହଳି ଭିତରେ କେମିତି ଆଖି ଲାଗି ଯାଇଛି ଜଣା ନାଇଁ | ହଠାତ କିଏ ଜଣେ ଡାକୁଥିବାର ଶୁଣିପାରିଲେ | ନିଦ ଭାଙ୍ଗିଗଲା ତାଙ୍କର |
ଦେଖିଲେ ତାଙ୍କ ବଡ ପୁଅ ବୟସର ଜଣେ ଲୋକ ତାଙ୍କୁ ପଚାରୁଛି , ତୁମେ କୁଆଡେ ଯିବ ମା ?
ଆମେ ଅଯୋଧ୍ୟା ଯିବୁ, ରତ୍ନାଦେବୀ ଉତ୍ତର ଦେଲେ |
ହେଲେ ଆପଣ ତ ଦୁଇଘଣ୍ଟା ହେଲା ଶୋଇଥିଲେ, ଲୋକ ଜଣକ ଉତ୍ତର ଦେଲା |
ମୋ ପୁଅମାନେ ଟିକେଟ କରିବାକୁ ଯାଇଥିଲେ ଆଉ ମୁ ଏଇଠି ବସିଥିଲି | କେତେବେଳେ ନିଦ ଲାଗି ଯାଇଛି ଜାଣି ପାରିନି | ରତ୍ନା ଦେବୀ ଉତ୍ତର ଦେଲେ |
ଲୋକ ଜଣକ କହିଲେ, ମା’ ଆପଣଙ୍କ ପୁଅମାନେ କଣ ଦୁଇଘଣ୍ଟା ହେଲା ଟିକେଟ କରିବାକୁ ଯାଇଛନ୍ତି?
ରତ୍ନାଦେବୀ କଣ କହିବେ ଜାଣି ପାରୁ ନଥିଲେ | ଘରୁ ଆସିଲାବେଳେ ତରତରରେ ଘଣ୍ଟା ବି ଆଣି ନାହାନ୍ତି କି ମୋବାଇଲ ଫୋନ ଆଣି ନାହାନ୍ତି |
କଣ ଟିକେ ଅସୁବିଧା ହୋଇଥିବ, ସେମାନେ ଏଇନେ ଆସିଯିବେ | ତୁମେ ମୋ ପାଇଁ ବ୍ୟସ୍ତ ହୁଅନି , ରତ୍ନାଦେବୀ ଉତ୍ତର ଦେଲେ |
ଲୋକ ଜଣକ କହିଲେ, ଠିକ ଅଛି ମା’, ବୋଧହୁଏ ଆପଣଙ୍କ ପୁଅମାନେ ଆସୁଥିବେ ଏବେ| ମା’ ମୋ ନାଁ ମାଧବ, ମୁଁ ଓଡିଶା ଯିବି ବୋଲି ଏ ପଟରେ ମୋ ଟ୍ରେନ ପାଇଁ ଅପେକ୍ଷା କରିଛି| ଦରକାର ହେଲେ ମୋତେ କହିବ |
କେତେସମୟ ବିତିଗଲା , ହେଲେ ପୁଅମାନେ ଆସୁନାହାନ୍ତି | ରତ୍ନାଦେବୀ ବ୍ୟସ୍ତ ହୋଇ ପଡିଲେ |
ଦେଖିଲେ ସେ ପାଖରେ ମାଧବଅଛି | ରତ୍ନାଦେବୀ କହିଲେ, ମାଧବ, ତୁମେ ତ ମୋ ପୁଅ ପରିକା | ଏ ପର୍ଯ୍ୟନ୍ତ ମୋ ପୁଅମାନେ ଆସୁନାହାନ୍ତି | ମୁଁ ତ ଏଠି କାହାରିକୁ ଜାଣିନି | ଭାରି ବ୍ୟସ୍ତ ଲାଗୁଚି ମୋତେ | କଣ କରିବି ଜାଣି ପାରୁନି |
ମାଧବ କହିଲା, ତୁମେ ବ୍ୟସ୍ତ ହୁଅନି ମା | ତୁମ ପୁଅମାନଙ୍କ ଫୋନ ନମ୍ବର ଦିଅ | ମୁଁ ତାଙ୍କୁ ଫୋନ କରିବି |
ରତ୍ନାଦେବୀ କହିଲେ, ପୁଅରେ, ସେମାନଙ୍କ ଫୋନ ନମ୍ବର ତ ମୁଁ ମନେରଖିନି | ମୋ ମୋବାଇଲ ଫୋନ ବି ଆଣିନି | କଣ କରିବି ଜାଣିପାରୁନି |
ହଠାତ ତାଙ୍କର ମନେପଡ଼ିଗଲା | ତାଙ୍କ ପର୍ସରେ ଗୋଟେ ଛୋଟ କାଗଜରେ କିଛି ଫୋନ ନମ୍ବର ଲେଖାଥିଲା | ତୁମେ ଟିକେ ଅପେକ୍ଷା କର କହି ରତ୍ନାଦେବୀ ପର୍ସ ଭିତର ଖୋଜିଲେ | ତାଙ୍କୁ କାଗଜ ମିଳିଗଲା | ପୁଅ, ଏଇ ନିଅ ଆଉ ଟିକେ ମୋ ପୁଅମାନଙ୍କୁ ଫୋନ କର |
ମାଧବ ପ୍ରଥମେ ବଡ ପୁଅକୁ ଫୋନ କଲା | ସେ ଫୋନ ଉଠାଇଲେନି | ପୁଣି ଆର ପୁଅକୁ ଲଗାଇଲା | ସେ ବି ଉଠାଇଲେନି | ଏମିତି ଚାରିପୁଅ କେହି ଜଣେ ବି ଫୋନ ଉଠାଇଲେନି | ମାଧବ ବି ରତ୍ନାଦେବୀଙ୍କ ପାଇଁ ବ୍ୟସ୍ତ ହୋଇପଡିଲା | ଏପଟେ ତା ଟ୍ରେନ ଆସିବାର ସମୟ ହୋଇଗଲାଣି |
ରତ୍ନାଦେବୀଙ୍କ ବ୍ୟସ୍ତତା ବି ତାକୁ କଷ୍ଟ ଦେଉଥିଲା |
ମାଧବ କହିଲା, ମା ବ୍ୟସ୍ତ ହୁଅନା | ଏଇଠି ପୋଲିସ ଅଛନ୍ତି | ଚାଲ ତାଙ୍କ ପାଖକୁ ଯିବା |
ରତ୍ନାଦେବୀଙ୍କୁ ଧରି ମାଧବ ପାଖରେ ଥିବା ପୋଲିସ କର୍ମଚାରୀଙ୍କ ପାଖକୁ ଗଲା |
ପୋଲିସ ବାବୁ, ଏଇ ମା’ଙ୍କ କଥା ଟିକେ ବୁଝନ୍ତୁ |
ମା, ତୁମେ ବ୍ୟସ୍ତ ହୁଅନା | ପୋଲିସବାବୁ ତୁମ ପୁଅମାନଙ୍କୁ ଭେଟ କରାଇଦେବେ | ମୁଁ ଯାଉଛି , ମୋ ଟ୍ରେନ ଆସିଲାଣି | ରତ୍ନାଦେବୀ ଆଶୀର୍ବାଦ କଲେ ମାଧବକୁ | କେହି ପରିଚିତ ନହୋଇ ବି କେତେ ସାହାର୍ଯ୍ୟ କଲା ନିଜ ପୁଅ ଭଳି | ଆଖିରେ ଲୁହ ଜକେଇ ଆସିଲା ତାଙ୍କର | ମାଧବ ନିଜ ଟ୍ରେନ ପାଖକୁ ଚାଲିଗଲା |
ପୋଲିସବାବୁଙ୍କୁ ରତ୍ନାଦେବୀ ସବୁକଥା କହିଲେ ଆଉ ସେଇ କାଗଜକୁ ବଢ଼ାଇଦେଲେ | ମୋ ବଡ ପୁଅ ଅଜିତ ବ୍ୟାଙ୍କ ମ୍ୟାନେଜର ଅଛି , ତା ତଳକୁ ସୁଜିତ ଅଧ୍ୟାପକ ଅଛି, ତା ତଳ ଭିଜିତ ସ୍କୁଲ ଶିକ୍ଷକ ଅଛି ଆଉ ସବା ସାନ ପୁଅ ମନଜିତ ବ୍ୟବସାୟ କରୁଛି | ପୋଲିସବାବୁ କହିଲେ, ମା’ ଜମାରୁ ବ୍ୟସ୍ତ ହୁଅନା | ତୁମେ ଏଇଠି ଚେୟାରରେ ବସ | ମୁଁ ଫୋନ କରୁଛି |
ପ୍ରଥମେ ବଡ଼ପୁଅକୁ ଫୋନ ଲଗାଇଲେ | ପ୍ରଥମେ ଅଜିତ ଫୋନ କାଟିଦେଲା | ପୁଣି ଥରେ ଫୋନ ଲଗାଇଲେ ପୋଲିସ ବାବୁ |
ଆପଣ ଅଜିତବାବୁ କହୁଛନ୍ତି, ପୋଲିସବାବୁ ପଚାରିଲେ ଫୋନରେ |
ଅଜିତ ଉତ୍ତର ଦେଲା ହଁ ମୁ ଅଜିତ କହୁଛି|
ପୋଲିସବାବୁ କହିଲେ, ଆପଣଙ୍କ ମା ରତ୍ନାଦେବୀ ପ୍ରୟାଗ ଟ୍ରେନ ଷ୍ଟେସନରେ ବସିଛନ୍ତି | ଆପଣ ଆସି ତାଙ୍କୁ ନେଇଯାଆନ୍ତୁ | ଅଜିତ ସେପଟରୁ ଫୋନ କାଟିଦେଲା |
ରତ୍ନାଦେବୀଙ୍କ ପାଖରୁ ଟିକେ ଦୁରକୁ ଯାଇ ପୁଣି ଫୋନ କଲେ ପୋଲିସବାବୁ |
ଅଜିତ ଫୋନ ଉଠାଇ କହିଲା, କାହିଁକି ମୋତେ ହଇରାଣ କରୁଛନ୍ତି ଆପଣ! ମୋ ମା ଆମକୁ ବହୁତ ହଇରାଣ କରୁଛି | କିଏ ତାର ଦେଖାଶୁଣା କରିବ | ସେଇଥିପାଇଁ ଆମେ ତାଙ୍କୁ ମହାକୁମ୍ଭ ସ୍ନାନ ବାହାନାରେ ଛାଡି ଦେଇ ଆସିଛୁ | ବହୁତ ସଂସ୍ଥା ଅଛନ୍ତି | ଯେଉଁଠି ହେଲେ ଆଶ୍ରା ପାଇଯିବ | ଏହା କହି ଫୋନ କାଟିଦେଲା ଅଜିତ | ପୋଲିସବାବୁ ଅବାକ ହୋଇଗଲେ ଅଜିତ କଥାରେ |
ଏଥର ତା ତଳ ସୁଜିତକୁ ଫୋନ କରି ମା’କୁ ନେଇଯିବାକୁ କହିଲେ | ହେଲେ ସେ ବି ବଡଭାଇର ଅବିକଳ ଉତ୍ତର ଦେଲା ଆମେ ମା’କୁ ଜାଣିକି ପ୍ରୟାଗରେ ଛାଡିକି ଆସିଛୁ |
ଆର ଦୁଇ ଭାଇ ବି ସେଇ କଥା କହିଲେ | ପୋଲିସବାବୁ ରତ୍ନାଦେବୀଙ୍କୁ କଣ କହିବେ ଭାବି ପାରୁନଥିଲେ | ବିଚରା ମା’ ନିଜ ପୁଅମାନଙ୍କୁ ଅନାଇ ବସିଛି ଆଉ ସେପଟେ ସେମାନେ ତାକୁ ଛାଡି ଚାଲି ଯାଇଛନ୍ତି | ପୋଲିସବାବୁ ଭାବୁଥିଲେ ଛି ଏ ପୁଅମାନଙ୍କୁ | ଧିକ ଏମାନଙ୍କ ଜୀବନ | ନିଜେ ଦେଖାଶୁଣା କରିବେନି ବୋଲି ଅଶି ବର୍ଷର ବୁଢ଼ୀ ମା’କୁ ଅଚିହ୍ନ| ଜାଗାରେ ଛାଡି ଚାଲିଗଲେ | ବ୍ୟତିବ୍ୟସ୍ତ ହୋଇ ପୋଲିସବାବୁ ଆସିଲେ ରତ୍ନାଦେବୀଙ୍କ ପାଖକୁ |
ରତ୍ନାଦେବୀ ବ୍ୟସ୍ତ ହୋଇ କହିଲେ, ବାବୁ ମୋ ପୁଅମାନେ ମୋତେ ନେବାକୁ ଆସୁଛନ୍ତି ତ ଏବେ ? କଣ କହିଲେ ସେମାନେ ? କୁଆଡେ ଯାଇଥିଲେ ସମସ୍ତେ ଏତେବେଳ ଯାଏଁ ? ଆମେ ପୁଣି ଅଯୋଧ୍ୟା କେତେବେଳେ ଯିବୁ ?
ପୋଲିସବାବୁ ଚୁପଚାପ ହୋଇ ଠିଆହୋଇଥିଲେ | କଣ ଉତ୍ତର ଦେବେ ମା’କୁ ଯିଏ ତା ପୁଅମାନଙ୍କୁ ଅନାଇ ବସିଛି ବିକଳରେ! ରତ୍ନାଦେବୀ କହିଲେ, ବାବୁ ତୁମେ କିଛି କହୁନ କାହିଁକି ?
ପୋଲିସବାବୁ ବିଚରା ମା’ର ମନକୁ ଆଉ ଦୁଃଖ ଦେବାକୁ ଚାହୁଁ ନଥିଲେ |
ନାଇଁ ମା, ଫୋନ କାହା ପାଖକୁ ଲାଗିଲାନି | ତୁମେ ବ୍ୟସ୍ତ ହୁଅନା | ମୋ ସହ ଆମ ଘରକୁ ଚାଲ | ଆଜି ରହିବ | ତାପରେ ମୁଁ ପୁଣି ତୁମ ପୁଅମାନଙ୍କୁ ଫୋନ କରିବି, ପୋଲିସବାବୁ ରତ୍ନାଦେବୀଙ୍କୁ କହିଲେ |
ନିଜ ଅନିଚ୍ଛା ସତ୍ତ୍ୱେ ରତ୍ନାଦେବୀ ପୋଲିସବାବୁଙ୍କ ଘରକୁ ଗଲେ |
ପୋଲିସବାବୁଙ୍କ ସ୍ତ୍ରୀ ଆଉ ପୁଅ ରତ୍ନାଦେବୀଙ୍କୁ ଦେଖି ଖୁସି ହୋଇଗଲେ |
ରତ୍ନାଦେବୀ ପୋଲିସବାବୁଙ୍କ ସ୍ତ୍ରୀକୁ କହିଲେ, ପୋଲିସବାବୁ ଭାରି ଭଲ ଲୋକ | ମୋତେ ସାହାର୍ଯ୍ୟ କଲେ | ହେଲେ ତୁମେ ବ୍ୟସ୍ତ ହେବନି | ପୋଲିସବାବୁ କହିଛନ୍ତି, ମୋ ପୁଅମାନକୁ ଫୋନ କରିବେ ଆଉ ସେମାନେ ମୋତେ ନେଇଯିବେ |
ପୋଲିସବାବୁ ଭାବୁଥିଲେ, ବିଚରା ରତ୍ନାଦେବୀ, ସେ ଭାବୁଛନ୍ତି ପୁଅମାନେ ଆସି ତାଙ୍କୁ ଘରକୁ ନେବେ | ହେଲେ ସେ କଣ ଜାଣୁଛନ୍ତି ଯେ, ସେମାନେ ଆଉ କେବେ ତାଙ୍କୁ ନେବାକୁ ଆସିବେନି |
ପୋଲିସବାବୁ ଭାବୁଥିଲେ, ଏମିତି ପୁଅମାନଙ୍କୁ ଭଗବାନ ପଛରେ, ସରକାର ଆଗେ ଜେଲ ଦଣ୍ଡ ଦେବା ଦରକାର | ଯେଉଁ ପୁଅମାନେ ବୁଢୀମାକୁ ମହାକୁମ୍ଭ ସ୍ନାନ ବାହାନାରେ ଏମିତି ଅଲଗା ଜାଗାରେ ଛାଡି ଚାଲି ଯାଉଛନ୍ତି ତାଙ୍କୁ ଭଗବାନ କେବେ କ୍ଷମା କରିବେନି |
ରତ୍ନାଦେବୀ ବସିଥିଲେ ପୋଲିସବାବୁଙ୍କ ପୁଅ ପାଖରେ | ତାଙ୍କୁ ଯେମିତି ଲାଗିଲା ଏ ତାଙ୍କରି ନାତି | କୁନି ପୁଅ ବି ତାଙ୍କୁ ଆଦର କରିବାରେ ଲାଗିଥିଲା |
ପୋଲିସବାବୁ କହିଲେ, ମା ଆମେ ସମସ୍ତେ କାଲି ଅଯୋଧ୍ୟା ଯିବା | ମୁଁ କଣ ତୁମ ପୁଅ ନୁହେଁ ! ତୁମ ଇଛା ମୁଁ ପୁରା କରିବି |ରତ୍ନାଦେବୀ ପୋଲିସବାବୁଙ୍କୁ କୁଣ୍ଢାଇ ପକାଇ କହିଲେ, ତୁ ମୋର ଆଉ ଗୋଟେ ପୁଅ |
ପୋଲିସବାବୁଙ୍କ ଆଖିରୁ ଲୁହ ଝରୁଥିଲା ଆବେଗରେ ଆଉ ଏପଟେ ରତ୍ନାଦେବୀଙ୍କ ଆଖିରୁ ଲୁହ ଝରୁଥିଲା ଆଉ ଗୋଟେ ପୁଅ ପାଇବାର ଆନନ୍ଦରେ |
