ମା କୁ କଣ କେବେ ଭୁଲି ହୁଏ!

ଛୋଟ ବେଳେ,
ଯେତେବେଳେ ଗୁରୁଣ୍ଡିବାବେଳେ ମୁଁ ପଡି ଯାଉଥିଲି.
ମୋ ମା ତା ହାତରେ ମୋତେ କୋଳେଇ ନେଉଥିଲା
ଯେତେବେଳେ, ମୋ ଦେହରେ ଧୂଳି ଲାଗି ଯାଉଥିଲା
ମୋ ମା ତା ପଣତ କାନିରେ ମୋତେ ପୋଛି ଦେଉଥିଲା
ଆଉ ଯେତେବେଳେ, ମୁଁ ଅଝଟ ହେଉଥିଲି
ମା ମୋତେ ଚାପୁଡ଼ାଟିଏ ମାରୁଥିଲା ସିନା
ହେଲେ ତାପରେ ମୋତେ ବୋକ ଦେଇ କୋଳେଇ ନେଉଥିଲା,
ସେ ମା କୁ କଣ କେବେ ଭୁଲି ହୁଏ!

ଶୈଶବରୁ ଯୌବନରେ ପାଦ ଦେବାପରେ
ନିଜେ ନିଜେ ଆତ୍ମନିର୍ଭର ହେବାପରେ ବି
ଯେତେବେଳେ ମୋ ଦେହ ଖରାପ ହେଉଥିଲା,
ମୋ ମା ମୋ ପାଖରେ ବସି ସବୁ ଯତ୍ନ ନେଉଥିଲା
ରାତି ଦିନ ଅନିଦ୍ରା ରହି ମୋ ସେବା କରୁଥିଲା
ଠାକୁରଙ୍କ ପାଖେ ମୋ ପାଇଁ ମାନସିକ କରୁଥିଲା
ଆଉ ତା ସ୍ନେହର ପରଶରେ ମୋ ଦେହ ଭଲ ହେଇଯାଉଥିଲା
ସେ ମା କୁ କଣ କେବେ ଭୁଲି ହୁଏ!

ଆଜି ଅତିକ୍ରାନ୍ତ ବୟସର ଅପରାହ୍ନରେ
ମୋ ମନ ଭାରାକ୍ରାନ୍ତ ହୋଇଗଲେ
ମୋ ଦେହ ଖରାପ ହେଲେ
କି କିଛି ଦୁଃଖର ଆଘାତରେ
ମୋ ଆଖିରୁ ଲୁହଟୋପା ବହି ଯାଉଥିଲେ,
ମୁଁ ଖୋଜୁଛି ମୋ ମା ର ସେଇ ସ୍ନେହବୋଳା ପଣତ କାନିକୁ
ଖୋଜୁଛି ମୋ ମା ର ସେଇ ଦୁଇ ହାତ କୁ,
ମୋତେ ସେ ଛୋଟ ପିଲାବେଳ ଭଳି
ପୁଣି ତୋଳି ନେବାକୁ ତା କୋଳକୁ,
ହେଲେ ମୁଁ ଆଉ ମୋ ମା କୁ ପାଖରେ ପାଉନି,
ଯେତେ ଡାକିଲେ ମୋ ମା ମୋ ପାଖକୁ ଆଉ ଧାଇଁ ଆସୁନି
ମୋ ମା ମୋ ଠୁ ଆଜି ଅନେକ ଦୂରରେ
ନା ମୋ ପାଖକୁ ସେ ଆସି ପାରୁଛି
ନା ମୁଁ ତା ପାଖକୁ ଯାଇପାରୁଛି
ସବୁଦିନ ପାଇଁ ସେ ମୋତେ ଛାଡି
ସେ ଅଫେରା ରାଇଜକୁ ଚାଲି ଯାଇଛି……
ସେ ମା କୁ କଣ କେବେ ଭୁଲି ହୁଏ!

Leave a Reply

Your email address will not be published. Required fields are marked *