ଆଜି ଆମ୍ବଡ଼ିହା ଗାଁଟା ଖୁବ ଚଳଚଂଚଳ ହୋଇପଡିଛି | ଏ ଗାଁ ଛୋଟ ଗୋଟେ ଆଦିବାସୀ ଗାଁ | ଲୋକେ ଚାଷବାସ ଆଉ ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ଗୁଜୁରାଣ ମେଣ୍ଟାନ୍ତି | ଭଲ ରାସ୍ତା ବି ନାହିଁ ଯିବା ଆସିବା କରିବ ପାଇଁ |
ଦଶମ ପରୀକ୍ଷା ଫଳ ବାହାରିଛି |ଏଇ ଗାଁର ଝିଅ କାବେରୀ ନାହାକ ସାରା ଓଡିଶାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି | ଗୋଟେ ଛୋଟ ଆଦିବାସୀ ଗାଁ ର ଗରିବ ଝିଅ କାବେରୀର ଏ ସଫଳତା କିଛି କାମ ନୁହେଁ | ତେଣୁ ସାମ୍ବାଦିକମାନେ ଆଜି ଛୁଟିଛନ୍ତି ଆମ୍ବଡ଼ିହା ଗାଁକୁ | ସେମାନେ ଜାଣିବାକୁ ଚାହୁଁଛନ୍ତି କାବେରୀ କିପରି ଏତେ ବଡ ସଫଳତା ପାଇଲା ବୋଲି | ଯେଉଁଠି ସହରରେ ସବୁ ପ୍ରାଚୁର୍ଯ୍ୟରେ ଥାଇ ମଧ୍ୟ ପିଲାମାନେ ସଫଳତା ପାଇପାରୁନାହାନ୍ତି, ସେଇଠି ଏ ଅପନ୍ତରା ଆଦିବାସୀ ଗାଁ ଝିଅ କେମିତି ଏତେବଡ ସଫଳତା ପାଇଲା, ସେଇ କଥା ଜାଣିବା ପାଇଁ ସାମ୍ବାଦିକମାନେ ଆସୁଛନ୍ତି ଆମ୍ବଡ଼ିହା ଗାଁକୁ |
ଆଉ କାବେରୀ ବି ଭାରି ଖୁସି ଅଛି | ଖୁସି ନହେବ କେମିତି ଯେ! ଛୋଟ ବେଳୁ କେତେ କଷ୍ଟରେ ପାଠ ପଢିଛି କାବେରୀ |
ଗାଁ ସାରା ସବୁ ଲୋକ ତାଙ୍କ ଘରକୁ ଆସୁଛନ୍ତି | ତାକୁ ଆଶୀର୍ବାଦ କରୁଛନ୍ତି | ଏତେ ଖୁସି ଜୀବନରେ କେବେ ପାଇ ନଥିଲା ସେ |
ତେବେ କାବେରୀ କାହିଁକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ସମସ୍ତଙ୍କ ପାଇଁ ?
କାବେରୀ ରହୁଛି ନିଜ ଜେଜେବାପା ଆଉ ଜେଜେମାସହ ଛୋଟ ଖପରା ଘରେ | ବୁଢା ବୁଢ଼ୀଙ୍କର ନିଜର ଜମିବାଡ଼ି ନାହିଁ | ତଥାପି ସେମାନେ କାବେରୀର ପାଠପଢା ପାଇଁ ସବୁ ଚେଷ୍ଟା କରିଛନ୍ତି |
କାବେରୀ ବାପାମା ଛେଉଣ୍ଡ ନୁହେଁ | ତା ବାପାମା ବଞ୍ଚିଛନ୍ତି | ହେଲେ କାବେରୀ ତାଙ୍କ ପାଖରେ ରହୁନି | କାବେରୀର ଜୀବନ ଯେମିତି ଗୋଟେ କାହାଣୀ |
କାବେରୀର ବାପା ଘନ ନାହାକ ଘରର ଏକମାତ୍ର ସନ୍ତାନ | ଅନ୍ୟଜମିରେ ଚାଷକାମ କରି ଗୁଜୁରାଣ ମେଣ୍ଟାଏ | ପାଖ ଗାଁର ଝିଅ ସୁଲମୀକୁ ରାଜି ହୋଇ ବାହା ହୋଇଥିଲା | ବାହା ହେବାର ପାଞ୍ଚ ବର୍ଷ ଭିତରେ ତିନିଟି ଝିଅ ଜନ୍ମ ହୋଇଥିଲେ ହେଲେ ଗୋଟାକ ପରେ ଗୋଟାକ ଝିଅ ସବୁ ମରି ଯାଇଥିଲେ | ଲଗାତାର ତିନି ତିନିଟା ଝିଅ ଜନ୍ମହେବାରୁ ଘନ ରାଗି ଯାଇଥିଲା ସୁଲମୀ ଉପରେ | ଘରେ ସବୁବେଳେ ପାଟିଗୋଳ ଲାଗି ରହୁଥିଲା | ଘନ ସୁଲମୀକୁ କହିଥିଲା ଆଉ ଯଦି ପୁଣି ଝିଅ ଜନ୍ମ କରିବୁ, ମୁଁ ତାକୁ ପାଖରେ ରଖିବିନି |
ତାପରେ ଜନ୍ମହେଲା କାବେରୀ | କାବେରୀ କଳା ହେଲେ ବି ଦେଖିବାକୁ ସୁନ୍ଦର ଥିଲା | ହେଲେ ଯେତେବେଳେ ଘନ ଜାଣିଲା ସୁଲମୀର ପୁଣି ଝିଅ ହୋଇଛି, ତା ରାଗ ପଂଚମକୁ ଉଠିଗଲା | ସୁଲମୀକୁ ବହେ ବାଡିଆ ପିଟା କଲା କାହିଁକି ପୁଣି ଝିଅ ଜନ୍ମ କରିଛୁ ବୋଲି | କାବେରୀ ଜନ୍ମ ହେବାର ପନ୍ଦର ଦିନ ପରେ, ତାଙ୍କ ଗାଁର ମାନୁ ନାହାକ ସୁରତରେ କାମ କରିଯିବାକୁ ପ୍ରସ୍ତାବ ଦେଲା | ଘନ ସଂଗେ ସଂଗେ ରାଜି ହୋଇଗଲା ଆଉ ସୁଲମୀକୁ ତା ସହ ଯିବାପାଇଁ କହିଲା | ସୁଲମୀ ପ୍ରଥମେ ଯିବା ପାଇଁ ରାଜି ହେଉ ନଥିଲା | ପନ୍ଦର ଦିନର ଛୋଟ ଛୁଆ କାବେରୀକୁ ଏତେ ଦୂର ଜାଗାକୁ କେମିତି ନେଇ ଯିବ ବୋଲି ରାଜି ହେଉ ନଥିଲା | ଘନ କହିଲା ଯଦି ତୁ ମୋ ସହ ରହିବାକୁ ଚାହୁଁ ମୋ ସହ ସୁରତ ଯିବାକୁ ବାହାର | ହେଲେ ମୁଁ ଏ କାବେରୀକୁ ନେବିନି ସାଙ୍ଗରେ | ସୁଲମୀ ନେହୁରା ହୋଇଥିଲା ଘନ ପାଖରେ | ହେଲେ ଘନ କିଛି ଶୁଣି ହିଁ ନଥିଲା |
ସୁଲମୀ ଯେତେବେଳେ କାବେରୀକୁ ସାଙ୍ଗରେ ନେବାପାଇଁ ଜିଦ କଲା ଘନ କହିଲା ଯଦି ତୁ ମୋ ସହ ରହିବୁ ଝିଅକୁ ଏଠି ଛାଡି ମୋ ସହ ଚାଲ ନହେଲେ ମୁଁ ଆଉ ଗୋଟେ ଝିଅକୁ ବାହା ହେଇ ତାକୁ ସୁରତ ନେଇଯିବି |
ସୁଲମୀ ବାଧ୍ୟ ହୋଇ କାବେରୀକୁ ସେଇ ଘରେ ଛାଡି ଘନ ସାଙ୍ଗରେ ସୁରତ ଚାଲିଗଲା |
ଘନ ଆଉ ସୁଲମୀ ସିନା କାବେରୀକୁ ଛାଡି ଦେଇ ସୁରତ ଚାଲିଗଲେ ହେଲେ କାବେରୀର ଜେଜେବାପା ଆଉ ଜେଜେମା ଉପରେ ଆକାଶଟା ଯେମିତି ଛିଡି ପଡିଲା | ପନ୍ଦର ଦିନର ଛୁଆ କାବେରୀକୁ କେମିତି ପାଳିବେ ସେ ନେଇ ତାଙ୍କୁ କିଛି ବୁଦ୍ଧି ବାଟ ଦିଶୁ ନଥିଲା | ସାହି ପଡିଶା ଆହା ଆହା କରୁଥିଲେ | ସମସ୍ତେ ଘନ ଆଉ ସୁଲମୀକୁ ଛି ଛାକର କରୁଥିଲେ | ଝିଅ ଜନ୍ମ ହେଲା ବୋଲି ନିଜ ଜନ୍ମ କଲା ବାପା ମା କେମିତି ଛୋଟ ଛୁଆଟାକୁ ପର କରି ଦେଇ ସୁରତ ଚାଲିଗଲେ, ସେ କଥାକୁ ଭାବି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ |
ହେଲେ କାବେରୀର ଜେଜେବାପା ଆଉ ଜେଜେମା ମନକୁ ଦମ୍ଭ କଲେ | ଯାହାହେଲେ କାବେରୀ ତାଙ୍କରି ରକ୍ତର ସନ୍ତାନ | ତାକୁ ସେମାନେ ଯେମିତି ହେଲେ ପାଳି ପୋଷି ମଣିଷ କରିବେ | ଦୁଇଜଣଯାକ ଅନ୍ୟ ଜମିରେ ମୁଲ ଲାଗିଲେ | ପଡୋଶୀ ଘରୁ ଗାଈ କ୍ଷୀର କିଣି କାବେରୀର ଜୀବନ ବଞ୍ଚାଇଲେ | ଜେଜେବାପା ଆଉ ଜେଜେମା ଦୁହିଁଙ୍କ ସ୍ନେହ ଶ୍ରଦ୍ଧାରେ କାବେରୀ ଧୀରେ ଧୀରେ ବଡ ହେବାରେ ଲାଗିଲା |
କାବେରୀ ଗୁରୁଣ୍ଡିଲା | ଠୁକୁ ଠୁକୁ କରି ପାଦ ପକାଇଲା | ପାଞ୍ଚ ବର୍ଷର ହୋଇଗଲାରୁ କାବେରୀର ନାଁ ଗାଁ ସ୍କୁଲରେ ଲେଖାଇଦେଲେ ଜେଜେବାପା | କାବେରୀ ପାଠ ପଢାକୁ ଶୀଘ୍ର ଶୀଘ୍ର ଧରି ନେଉଥିଲା | ସମସ୍ତେ ବାହା ବାହା କରୁଥିଲେ କାବେରୀକୁ |
କାବେରୀ ଆସ୍ତେ ଆସ୍ତେ ଯାଣି ଯାଇଥିଲା ଯେ ତା ବାପା ମା ତାକୁ ଛାଡି ସୁରତ ଚାଲି ଯାଇଛନ୍ତି ଆଉ ତା ଜେଜେବାପା ଆଉ ଜେଜେମା କଷ୍ଟ କରି ତାକୁ ମଣିଷ କରୁଛନ୍ତି |
ପଞ୍ଚମ ଶ୍ରେଣୀ ପାସ କଲାପରେ କାବେରୀର ପଢିବା ନେଇ ସମସ୍ୟା ଦେଖା ଦେଲା | ତାଙ୍କ ଗାଁରେ ପ୍ରାଇମେରୀ ସ୍କୁଲ ଥିଲା | ସମସ୍ତେ କହିଲେ କାବେରୀ ସେତିକି ପଢୁ | ଝିଅ ଛୁଆଟା, ପାଠ ପଢି କରିବ କଅଣ ଯେ!
କାବେରୀ କିନ୍ତୁ ଜେଜେବାପାଙ୍କୁ କହୁଥିଲା, ଜେଜେ ମୁଁ ଆହୁରି ପାଠ ପଢ଼ିବି | ଜେଜେବାପା ବି କାବେରୀ ମନରେ ଦୁଃଖ ଦେବାକୁ ଚାହୁଁ ନଥିଲେ | ତେଣୁ ସେ କହିଲେ, କାବେରୀ ତୁ ପାଠ ପଢ଼ିବୁ | ମୁଁ ପାଖ ଗାଁ ସ୍କୁଲରେ ତୋତେ ପଢ଼େଇବି
ଜେଜେବାପା ପାଖ ଗାଁ ସ୍କୁଲରେ କାବେରୀର ନାଁ ଷଷ୍ଠ ଶ୍ରେଣୀରେ ଲେଖାଇଦେଲେ | କାବେରୀ ପୁଣି ସ୍କୁଲ ଗଲା | ଷଷ୍ଠ ଶ୍ରେଣୀରେ ପ୍ରଥମ ହେଲା ଆଉ ନୂଆ ସ୍କୁଲର ଶିକ୍ଷକ ମାନେ କାବେରୀକୁ ଭଲ ପାଇବାରେ ଲାଗିଲେ | କାବେରୀ ସପ୍ତମ ଶ୍ରେଣୀକୁ ଗଲା |
ଜେଜେବାପା ଆଉ ଜେଜେମା କାବେରୀ ପାଇଁ ବହୁତ ପରିଶ୍ରମ କରୁଥିଲେ | ନିଜ ଜନମକଲା ପୁଅ ବୋହୁ ସିନା ଛୁଆଟାକୁ ଫିଙ୍ଗି ଦେଇ ଚାଲିଗଲେ, ହେଲେ ସେମାନେ କାବେରୀକୁ ନିଜ ଜୀବନ ଦେଇ ବଡ କରିବାରେ ଲାଗିଥିଲେ | ଘନ ଆଉ ସୁଲମୀ କେବେ ଆଉ ଗାଁକୁ ଫେରି ନଥିଲେ କି କାବେରୀର ଖୋଜ ଖବର ରଖି ନଥିଲେ
ଦିନ ସବୁଦିନ ସମାନ ରହେନି | କାବେରୀର ଜେଜେମାକୁ ଆଂଠୁ ଗଣ୍ଠି ବେମାରୀ ଦେଖା ଦେଲା | ଘର କାମ ଠିକ ଠାକ କରି ପାରୁ ନଥିଲା ଜେଜେମା ଆଉ | କାବେରୀ କିନ୍ତୁ ଭାରି ଭଲ ପାଉଥିଲା ତା ଜେଜେବାପା ଆଉ ଜେଜେମାକୁ | ଜନମ କଲା ବାପମାକୁ ଦେଖିନି କି ଜାଣିନି, ଏଇ ଜେଜେବାପା ଆଉ ଜେଜେମା ତାର ସବୁକିଛି |
କାବେରୀ ଜେଜେମାକୁ କହିଲା, ତୁ ଜମା ବ୍ୟସ୍ତ ହେବୁନି | ମୁଁ ଘର କାମ କରି ସ୍କୁଲ ଯିବି | ଜେଜେମା କାବେରୀକୁ ଧରି କାନ୍ଦି ପକେଇଥିଲା | ତୁ ଏଡିକି ଛୋଟ ଛୁଆଟା, ଘର କାମ କେମିତି କରିବୁ ଯେ !
କାବେରୀ କହିଲା, ଜେଜେମା, ମୁଁ ତ ମୋ ବାପାମାକୁ ଦେଖିନି | ତୁମେ ଦୁହେଁ ମୋ ମାବାପା, ମୋ ଭଗବାନ | ତୁମ ଯୋଗୁ ମୁଁ ଆଜି ବଂଚିଛି | ଆଉ ତୋ କଷ୍ଟରେ ମୁଁ ସାହାର୍ଯ୍ୟ ନକରିବି କେମିତି ଯେ |
ଜେଜେମା ଭାବୁଥିଲା, କାବେରୀ ଗୋଟେ ଦେବୀ ଯେମିତି | ସତକୁ ସତ କାବେରୀ ଘରକାମ ସାରି ସ୍କୁଲ ଯାଉଥିଲା | ସମସ୍ତେ କହୁଥିଲେ, ଏ ଭଳି ଝିଅଟାକୁ ଛାଡି ବାପାମା କେମିତି ପଳେଇଗଲେ ! ଧିକ ତାଙ୍କ ମଣିଷ ଜନ୍ମ |
ସପ୍ତମ ପରେ ଅଷ୍ଟମ ଆଉ ତାପରେ ନବମ ଶ୍ରେଣୀ ପାସ କରି ଦଶମ ଶ୍ରେଣୀରେ ପହଂଚିଲାଣି କାବେରୀ | ସ୍କୁଲ ସାରା ସମସ୍ତେ କାବେରୀକୁ ପ୍ରଶଂସା କରୁଛନ୍ତି | ସବୁ ଶ୍ରେଣୀରେ ପ୍ରଥମ ହେଉଛି କାବେରୀ | ନିଜେ ନିଜେ ସବୁ ପଢି ପାରିଖରେ ଭଲ କରୁଛି କାବେରୀ | ନିଜେ ପଢିବା ସହ ସାଙ୍ଗ ସାଥୀଙ୍କୁ ବି ପାଠ ପଢ଼ାରେ ସାହାର୍ଯ୍ୟ କରୁଛି କାବେରୀ | ସାଙ୍ଗ ସାଥି ସମସ୍ତେ ଭଲ ପାଉଛନ୍ତି କାବେରୀକୁ |
ଏଥର ଦଶମ ପରୀକ୍ଷା | କାବେରୀ ଘରକାମ କୁ ଘରକାମ ଆଉ ତା ସହିତ ଦଶମ ପାଠ ପଢା କେଉଁଥିରେ ହେଳା କରୁନି | ମନଦେଇ ପରୀକ୍ଷା ପାଇଁ ପାଠ ପଢୁଛି କାବେରୀ |
ଭଲରେ ଭଲରେ ଦଶମ ପରୀକ୍ଷା ଦେଲା କାବେରୀ | ଆଉ ସ୍କୁଲ ଶିକ୍ଷକମାନେ ପ୍ରଥମେ ତାକୁ ଶୁଭେଚ୍ଛା ଜଣାଇଥିଲେ ଯେ ସେ ସାରା ଓଡ଼ିଶାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଦଶମ ପରୀକ୍ଷାରେ | କାବେରୀ ତାକୁ ପାଠ ପଢ଼ାଇଥିବା ସବୁ ଶିକ୍ଷକମାନଙ୍କୁ କୃତଜ୍ଞତା ଜଣାଇଥିଲା | ଆଉ ତା ଜେଜେବାପା ଆଉ ଜେଜେମାକୁ ଧରି ବହେ କାନ୍ଦିଥିଲା ଖୁସିରେ | ଜେଜେବାପା ଆଉ ଜେଜେମା ବି କାବେରୀର ଖୁସିରେ କୁଣ୍ଢାଇ ଧରିଥିଲେ ନିଜ ନାତୁଣୀକୁ | ଗାଁ ସାରା ସମସ୍ତେ କାବେରୀକୁ ପ୍ରଶଂସା କରୁଥିଲେ | ତାଙ୍କ ଛୋଟ ଆଦିବାସୀ ଗାଁ ର ନାଁ ଉଜ୍ବଳ କରିଛି କାବେରୀ |
ସାମ୍ବାଦିକମାନଙ୍କୁ କାବେରୀର ଜୀବନ କାହାଣୀ ଶୁଣାଇଥିଲେ ଜେଜେବାପା ଆଉ ଜେଜେମା | ସାମ୍ବାଦିକମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାବେରୀର ସଫଳତା ପଛର ଦୁଃଖ କାହାଣୀ ଶୁଣି |
ସାମ୍ବାଦିକମାନଙ୍କୁ ଜେଜେବାପା ଆଉ ଜେଜେମା ଗୁହାରି କରୁଥିଲେ ଯେ, ତାଙ୍କ କାବେରୀ ଆଗକୁ ଆହୁରି କେମିତି ପଢିବ, ମୁଖ୍ୟମନ୍ତ୍ରୀଙ୍କୁ କହି ସାହାର୍ଯ୍ୟ କରିବା ପାଇଁ | ସାମ୍ବାଦିକମାନେ ତାଙ୍କୁ କଥା ଦେଉଥିଲେଯେ, ହଁ ମୁଖ୍ୟମନ୍ତ୍ରୀଙ୍କୁ ସବୁକଥା କହିବେ ଆଉ ସରକାର ସବୁ ସାହାର୍ଯ୍ୟ କରିବେ |
ଶେଷରେ ସାମ୍ବାଦିକମାନେ ଯେତେବେଳେ କାବେରୀକୁ ପଚାରିଲେ, ଆଛା କାବେରୀ, ତୁମେ ତୁମର ଏ ସଫଳତା ପାଇଁ କାହାକୁ ଦାୟୀ କରିବ?
କାବେରୀ କହିଲା, ସାରମାନେ, ମୋ ଜେଜେବାପା ଆଉ ଜେଜେମାଙ୍କ ପରିଶ୍ରମର ଫଳ ମୁଁ ପାଇଛି | ସେମାନେ ମୋ ପାଇଁ ଭଗବାନ | ନିଜେ କଷ୍ଟ ସହି ମୋତେ ମଣିଷ କରିଛନ୍ତି | ମୁଁ ତାଙ୍କ ପାଇଁ ଏ ସଫଳତା ପାଇଛି | ମୋ ସ୍କୁଲ ଶିକ୍ଷକମାନେ ମୋତେ ପାଠ ପଢ଼ାରେ ସବୁ ସାହାର୍ଯ୍ୟ କରିଛନ୍ତି | ମୁଁ ତାଙ୍କ ପାଖରେ ଚିରଋଣୀ |
ମୁଁ ଭଲ ପାଠ ପଢି ଡାକ୍ତର ହେବାକୁ ଚାହୁଁଚି | ମୋ ଜେଜେବାପାମା ଗରିବ | ତେଣୁ ସରକାରଙ୍କୁ କହି ମୋ ପାଠ ପଢା ଖର୍ଚ୍ଚ ପାଇଁ ବ୍ୟବସ୍ଥା କଲେ ମୁଁ ଡାକ୍ତର ହୋଇ ସମସ୍ତଙ୍କର ସେବା କରିବି |
ସାମ୍ବାଦିକମାନେ ସମସ୍ତେ ପ୍ରତିଶୃତି ଦେଲେ, କାବେରୀ ତୁମ ପାଠପଢା କଥା ଆମେ ମୁଖ୍ୟମନ୍ତ୍ରୀଙ୍କୁ କହିବୁ ଆଉ ସେ ତୁମକୁ ସବୁ ସାହାର୍ଯ୍ୟ କରିବେ | ତୁମେ ନିଶ୍ଚୟ ଡାକ୍ତର ହେବ | କାବେରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲା |
ଶେଷରେ ଜଣେ ସାମ୍ବାଦିକ ପ୍ରଶ୍ନ କଲେ, କାବେରୀ! ତୁମେ ତୁମ ବାପାମାଙ୍କୁ ଏ କଥା ଜଣାଇବାକୁ ଚାହୁଁଛ କି?
କାବେରୀ ଉତ୍ତର ଦେଲା, ହଁ ସାର, ମୁଁ ଚାହେଁ ସେମାନେ ଜାଣନ୍ତୁ ଯେ ଯେଉଁ ଝିଅକୁ ସେମାନେ ଝିଅ ବୋଲି ଘୃଣା କରି ଛାଡି ଚାଲି ଯାଇଥିଲେ, ଆଜି ସେଇ ଝିଅ ତା ଜେଜେବାପା ଆଉ ଜେଜେମାଙ୍କ ଯୋଗୁ ସଫଳ ହୋଇପାରିଛି | ଝିଅ ଛୁଆ ବି ପୁଅଛୁଆ ଠାରୁ ବେଶୀ ନାଁ କରିପାରେ ଏହା ସମସ୍ତେ ଜାଣନ୍ତୁ|
ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାବେରୀର କଥା ଶୁଣି | ସମସ୍ତେ କହୁଥିଲେ କାବେରୀ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛି |
