ସତରେ ମୁଁ କେତେ ଅସହାୟ!
ଯେଉଁଠି ମୁଁ ନିଜ ମନକୁ
ବୁଝାଇ ପାରୁନି
ଯାହା ମୋ ନିଜର,
ଅତି ଆପଣାର,
ସେଠି ମୁଁ ଆଉ କାହାକୁ
ବୁଝାଇ ପାରିବାର ଆଶା
ରଖିବା ନିହାତି ନିର୍ବୋଧତା |
ଗୋଟେ ମଣିଷ,
ତାର ହୃଦୟ ଅଲଗା
ତା’ ମନ ଅଲଗା
ତା ଭାବନା ଅଲଗା,
ସେ ସବୁକୁ ଏକାଠି କରି
ଯେତେବେଳେ ସେ ସମ୍ପର୍କର
ଘର ତୋଳିବାକୁ ଚେଷ୍ଟା କରେ,
କିଏ ତାକୁ ପାଗଳ କହେ
କିଏ ତାକୁ ନିର୍ବୋଧ କହେ
ଆଉ କିଏ ତାକୁ ଉପହାସ ବି କରେ,
ସେ କିନ୍ତୁ ଚେଷ୍ଟା କରି ଚାଲିଥାଏ,
ସ୍ନେହ ଆଉ ଭାବର ଉପକରଣରେ
କେମିତି ସେ ଗୋଟେ ନିବିଡ
ସମ୍ପର୍କର ଘର ତିଆରି କରିବ……
ସେଇଥିପାଇଁ ସେ ପ୍ରଥମେ
ନିଜ ମନକୁ ବୁଝାଏ,
ମନ ସହ ସାଲିଶ କରେ,
ତାପରେ ସେ ଯେଉଁ ମଣିଷପାଇଁ
ସମ୍ପର୍କର ଘର ତୋଳୁଥାଏ,
ତାକୁ ତା ମନକଥା ବୁଝାଇବାକୁ
ଚେଷ୍ଟା କରେ,
ହେଲେ ସେ ହାରିଯାଏ
ଯେତେବେଳେ ସେ ଦେଖେ
ତା ମନକଥା ବୁଝିବାକୁ
ସେ ମଣିଷ ପଛଘୁଞ୍ଚା ଦେଉଛି,
ତା’ଠୁ ଦୂରେଇଯିବାକୁ ବାହାନା ଖୋଜୁଛି,
ସେ ନା ସମ୍ପର୍କର ଘର ତିଆରି କରିପାରେ,
ନା ପଛକୁ ଫେରିପାରେ,
ସାରା ଜୀବନ ସେ
ନିଜ ଭିତରେ ଅବ୍ୟକ୍ତ ଯନ୍ତଣାକୁ
ଚାପି ଧରି ମରିଯାଇ ବି
ବଂଚିବାର ମିଛ ଅଭିନୟ କରେ …….
