ଗୁରେଇ ଗୁମୁରି ଗୁମୁରି କାନ୍ଦୁଥିଲା ଘର ପଛପଟ ଆମ୍ବଗଛ ମୂଳରେ ଏକୁଟିଆ ବସି | କାଲି ରାତିରେ ତା ଗେରସ୍ତ ଗୋଇଠା ବିଧା ଚାପୁଡ଼ା ଯାହା ପାରିଲା, ତା ଉପରେ ଥୋଇ ଦେଇଗଲା | ମଦ ନିଶାରେ ତାର କିଛି କାଣ୍ଡ ଜ୍ଞାନ ହିଁ ରହେନା କେବେ | ଏତେ ବଡ ମରଦ ଲୋକଟାକୁ ଯୁଝିବାକୁ ତା ପାଖରେ ଶକ୍ତି ବା କାଇଁ !
ସବୁଦିନ ରାତିରେ ମଦ ପିଇ ଘରକୁ ଫେରେ | ଆଉ ଗୁରେଇ ଯଦି କାଇଁ ମଦ ପିଇ ଆସୁଛ ବୋଲି ପାଟି କରେ ସେଇଠୁ ଆରମ୍ଭ ହୁଏ ମହାଭାରତ |
ଆବେ ବଜାତ ମାଇକିନା, ତୋ ବୋପାର ମୁଁ ପିଉଚି ବେ | ମୋତେ କହିବାକୁ ତୁ କିଏ ବେ | ଗର୍ଜି ଉଠେ ଗୁରେଇର ଗେରସ୍ତ ସରଜୁ | ତାପରେ ଗୋଇଠା ବିଧା ଚାପୁଡ଼ା ଅଜାଡି ଦିଏ ସରଜୁ ଗୁରେଇ ଉପରେ | ଗୁରେଇ ଯନ୍ତ୍ରଣାରେ ଶିହରି ଉଠେ | ଘରେ ଶୋଇଥିବା ତା ତିନିଟା ପିଲା ଡରରେ ମାକୁ ଜାବୁଡି ଧରନ୍ତି | ପାଖ ପଡିଶା ଆସି ବୁଝାନ୍ତି | ତାପରେ ଶାନ୍ତ ହୁଏ ସରଜୁ |
ଏ କଥା ଥରେ ଅଧେ ନୁହେଁ ପ୍ରତି ଦିନର |
ଗୁରେଇ କାଲି ରାତିର କଥା ଭୁଲି ପାରୁନଥିଲା | କାଲି ସରଜୁ ପୁରା ଯେମିତି ପଶୁ ପାଲଟି ଯାଇଥିଲା | ମଦ ନିଶାରେ ଚୁର ହୋଇ ଆସିଥିଲା |
ଗୁରେଇ ଖାଲି ଏତିକି କହିଥିଲା ଯେ , ତୁମେ ସବୁଦିନ ମଦପିଇ ଆସୁଛ | ପୁଅ ଝିଅ ପାଠ ପଢୁଛନ୍ତି | ତାଙ୍କ କଥା ତୁମେ ବୁଝୁନା କାହିଁକି ?
ଏତିକି କଥା କହିଛି ନା ନାହିଁ, ବାଡ଼ିରେ ପଡିଥିବା ଗୋଟେ ବାଉଁଶ ବାଡ଼ିରେ ଗୁରେଇକୁ ପିଟି ପକାଇଲା ସରଜୁ |
ସରଜୁ ଖାଲି ଗରଜୁ ଥିଲା ଆଉ କହୁଥିଲା, ଆଜି ତୋତେ ପିଟି ପିଟି ମାରିଦେବି ବଜାତ ମାଇକିନା | ତା ଝିଅ ଡାକି ଆଣିଥିଲା ଯାଇ ପଡୋଶୀ ସୁମନ ଦାଦାଙ୍କୁ | ସେ ହିଁ ବାଡ଼ି ଛଡାଇ ନେଇଥିଲେ ସରଜୁ ହାତରୁ ଆଉ ରାଗ ତମ ତମ ହୋଇ ସରଜୁ ଘର ବାରଣ୍ଡାରେ ଶୋଇପଡିଥିଲା
ପଛ କଥାକୁ ଗୁରେଇ ମନେ ପକାଉଥିଲା |
ତାକୁ ଯେତେବେଳେ ସତର କି ଅଠର ବର୍ଷ ହୋଇଥିଲା, ଦିନେ ଆର ଗାଁ ହାଟରୁ ଫେରୁଥିଲା ଗୁରେଇ | ସଞ୍ଜ ନଇଁ ଆସୁଥିଲା | ଆକାଶରେ କଳାହାଣ୍ଡିଆ ମେଘ ବି ଢାଙ୍କିଥିଲା | ତେଣୁ ବେଗି ବେଗି ପାଦ ପକାଉଥିଲା କେମିତି ସଅଳ ପହଞ୍ଚିଯିବ ନିଜ ଗାଁ ରେ | ହେଲେ ମାଡି ଆସିଲା ଜୋରରେ ବର୍ଷା ପବନ | କିଛି ଉପାୟ ନପାଇ ଗୁରେଇ ପାଖରେ ଥିବା ଗୋଟେ ଭଙ୍ଗା ଘରେ ଆଶ୍ରୟ ନେଲା |
ବର୍ଷା ପବନ ଜୋରରେ ଚାଲିଛି | ଥମିବାର ନାଁ ନେଉନି | ତେଣେ ରାତି ମାଡି ଆସିଲାଣି | କିଛି ବୁଦ୍ଧିବାଟ ତାକୁ ଦିଶୁ ନଥିଲା | ଘରେ ବାପା ତାର ବ୍ୟସ୍ତ ହେଉଥିବ | ମା କୁ ଛୋଟବେଳୁ ହରେଇ ଦେଇଛି ଗୁରେଇ | ହଠାତ ସେ ଭଙ୍ଗା ଘର ପଛପଟୁ ଚାରିଟା ଲୋକ ମାଡି ଆସିଲେ ତା ପାଖକୁ | ଗୁରେଇ ଡରିଗଲା | ସେମାନେ ତାକୁ ଟଣା ଓଟରା କରିବାରେ ଲାଗିଲେ | ବିକଳରେ ଚିତ୍କାର କରିବାକୁ ଲାଗିଲା ଗୁରେଇ | ଆଉ ଠିକ ସେତିକିବେଳେ ତା ପାଖରେ ପହଂଚି ଯାଇଥିଲା ସରଜୁ | ଏକୁଟିଆ ଚାରି ଚାରିଜଣଙ୍କୁ ମାରି ରକ୍ଷା କରିଥିଲା ଗୁରେଇକୁ | ତାପରେ ତା ଘରେ ନେଇ ପହଞ୍ଚେଇ ଦେଇଥିଲା ଗୁରେଇକୁ | ସେଇ ଦିନଠୁ ସରଜୁ ପ୍ରତି ଗୁରେଇର ମନ ଢଳିଥିଲା |
ସରଜୁ ବି ଗୁରେଇକୁ ଭଲ ପାଇବାରେ ଲାଗିଥିଲା | ଦିନେ ସରଜୁ ଆସି ଗୁରେଇକୁ ବାହା ହେବ ବୋଲି ପ୍ରସ୍ତାବ ଦେଇଥିଲା ତା ବାପାକୁ | ଶେଷରେ ଗୁରେଇ ସରଜୁକୁ ବାହା ହୋଇ ସରଜୁ ଘରକୁ ବୋହୁ ସାଜି ଆସିଥିଲା |
କିଛି ଦିନ ବେଶ ଭଲରେ ଚାଲିଲା ଗୁରେଇର ସଂସାର |
ସରଜୁ ଗାଁ ହାଟରେ ଦେଶୀ ମଦ ବିକୁଥିଲା | ଭଲ ଦି ପଇସା ବି ହାତକୁ ଆସୁଥିଲା | ସେମାନଙ୍କ ସଂସାରରେ ପ୍ରଥମେ ଝିଅ ଆଉ ତା ପରେ ପରେ ଦୁଇଟା ପୁଅ ଆସିଥିଲେ | ଘର ଠିକ ଠାକ ଚାଲିଥିଲା | ହେଲେ ଆସ୍ତେ ଆସ୍ତେ ସରଜୁ ମଦ ପିଇବାରେ ଲାଗିଲା | ଆଉ ତାପରେ ନିତିଦିନିଆ ଅଭ୍ୟାସରେ ପଡିଗଲା ସରଜୁର | ଯାହା ଦି ପଇସା ରୋଜଗାର କରୁଥିଲା ତାକୁ ନିଶାପାଣିରେ ଖର୍ଚ୍ଚ କରିଦେଉଥିଲା | ଗୁରେଇ କହିଲେ ସରଜୁ ତାକୁ ପିଟୁଥିଲା ପଶୁପରି |
ନିଜ ଛୁଆଙ୍କ ଭବିଷ୍ୟତ ପାଇଁ ପରଘର ପାଇଟି କଲା ଗୁରେଇ | ଛୁଆମାନେ ଭଲ ପାଠ ପଢୁଛନ୍ତି | ସେମାନେ ମଣିଷ ହେଲେ ତା ଦୁଃଖ ଯିବ, ଏଇ କଥା ଭାବି ଦିନ କାଟୁଥିଲା ଗୁରେଇ |
ସରଜୁ ଦିନରାତି ମଦ ପିଇ ମାତାଲ ହେବାରେ ଲାଗିଲା | ଆଉ ଗାଁ ହାଟରେ ମଦ ବିକି ପାରିଲାନି | ତାପରେ ଗୁରେଇ ରୋଜଗାର କରୁଥିବା ଟଙ୍କା ଉପରେ ଆଖି ପକେଇଲା |
ନିଜ ଛୁଆଙ୍କ ମୁହଁରେ ଆହାର ଦେବାପାଇଁ ଗୁରେଇ କଷ୍ଟରେ ଅନ୍ୟ ଦୁଆରେ ପାଇଟି କରୁଥିଲା | ଶେଷରେ ସେ ପଇସା ଉପରେ ସରଜୁର ଆଖି ପକାଇବାକୁ ଗୁରେଇ ଜମା ସହି ପାରୁ ନଥିଲା |
ସେଇଥିପାଇଁ ସବୁଦିନ ରାତିରେ ସରଜୁ ସହ ପାଟିଗୋଳ ଲାଗୁଥିଲା | ସାହି ପଡିଶା ହସୁଥିଲେ ସେମାନଙ୍କ ଉପରେ | କଣ କରିବ କିଛି ବୁଝି ପାରୁନଥିଲା ଗୁରେଇ |
ଯାହାକୁ ଦେବତା ଭାବି ହାତ ଧରିଥିଲା ସେ ଯେ ଏତେ ଅମଣିଷ ହୋଇଯିବ ଗୁରେଇ କେବେ ଭାବି ନଥିଲା | ତା ଜୀବନ ମାଟି ହୋଇଗଲା | ସେଦିନ ତା ଜୀବନ ରକ୍ଷା କରିଥିଲା ବୋଲି ଗୁରେଇ ସରଜୁକୁ ଦେବତା ଆସନରେ ବସେଇଥିଲା | ହେଲେ ସେଇ ସରଜୁ ଯେ ଦିନେ ତା ପାଇଁ କଂସେଇ ପାଲଟିଯିବ ସେଇଟା ତାକୁ ଭାରି କଷ୍ଟ ଲାଗୁଥିଲା |
ସବୁ ବିଶ୍ୱାସ ତାର ଭାଙ୍ଗି ଯାଇଥିଲା | କେମିତି ତା ଛୁଆ ଚଳିବେ, କେମିତି ବଡ ହେବେ ସେ କଥା ଗୁରେଇକୁ ଘାରୁଥିଲା | କିଏ ତାକୁ ସାହା ହେବ, କେମିତି ସେ ଦିନ କାଟିବ ଏମିତି ଚିନ୍ତା ଚିନ୍ତା କରି କରି ଗୁରେଇ ବି ପାଗଳୀ ହେବାରେ ଲାଗିଥିଲା |
ହଠାତ ତା ଭାବନା ଭାଙ୍ଗିଗଲା |
ସରଜୁ ଆସି ତା ପାଖରେ ଠିଆ ହୋଇଛି | ରାତିସାରା ମାଡ ଖାଇ ଗୁରେଇ ଦେହରେ ଅସମ୍ଭବ ଯନ୍ତ୍ରଣା |
ସରଜୁ ଗରଜୁ ଥିଲା, ମୋତେ ଟଙ୍କା ଦେ | ମୁଁ ପିଇବାକୁ ଯିବି |
ଗୁରେଇ କହିଲା, ସବୁ ଟଙ୍କା ନେଇ ତ ମଦ ପିଉଛୁ | ମୋ ପାଖରେ ଆଉ ଟଙ୍କା ନାହିଁ |
କଣ କହିଲୁବେ ବଜାତ ମାଇକିନା , ଟଙ୍କା ଦେ ମୋତେ ସରଜୁ ପୁଣି ଗରଜି ଉଠିଲା ଗୁରେଇ ଉପରେ |
ମୁଁ ତୋ ଭଳି ମଦୁଆକୁ ଆଉ ପୋଷି ପାରିବିନି , ମୋ ଛୁଆ ଚଳିବେ କେମିତି ଗୁରେଇ ପାଟି କରି କହିଲା ସରଯୁକୁ | ମୋ ଜୀବନକୁ ତୁ ନଷ୍ଟ କରିଦେଲୁ | ଏମିତି ଗେରସ୍ତ ବଂଚିବା ଅପେକ୍ଷା ମରିଯିବା ଭଲ |
ସରଜୁ ମୁଣ୍ଡକୁ ପିତ୍ତ ଚଢ଼ିଗଲା | କଣ କହିଲୁବେ, ମୁଁ ମରିବି ଆଉ ତୁ ପୁଣି ବାହା ହୋଇ ରାଣୀ ହେବୁ | ଏହା କହି ପାଖରେ ପଡିଥିବା ବାଉଁଶ ବାଡ଼ିରେ ଗୋଟେ ପାହାର ଦେଲା ଗୁରେଇ ମୁଣ୍ଡକୁ |
ମୋ ବୋଉଲୋ, ମାରିଦେଲା ଏ ମୋତେ ଚିତ୍କାର କରି ଟଳି ପଡିଲା ଗୁରେଇ ମାଟି ଉପରେ | ଧାର ଧାର ହୋଇ ମୁଣ୍ଡ ଫାଟି ରକ୍ତ ବହିବାରେ ଲାଗିଛି | ପାଖ ପଡୋଶୀ ରୁଣ୍ଡ ହୋଇଗଲେ | ସରଜୁ ବସିଛି ଗୁରେଇ ପାଖରେ |
ସମସ୍ତେ ଆସି ଦେଖିଲେ ଗୁରେଇକୁ | ତା ଜୀବନ ଚାଲି ଯାଇଛି | ଛୁଆମାନେ ସ୍କୁଲରୁ ଫେରି ଦେଖିଲେ ମା ମରି ପଡିଛି | ମାକୁ ଧରି ବିକଳରେ କାନ୍ଦୁଥିଲେ ଛୁଆମାନେ |
ପୋଲିସ ଆସି ବାନ୍ଧିନେଲା ସରଜୁକୁ | ଛୁଆମାନଙ୍କୁ ପାଖରେ କୁଣ୍ଢାଇ ଧରିଥିଲେ ସୁମନଦାଦା
ଲୋକେ କୁହାକୁହି ହେଉଥିଲେ ବିଚାରୀ ଗୁରେଇ ସବୁଦିନ ପାଇଁ ମୁକ୍ତି ପାଇଗଲା…
ଗୁରେଇ
