ଭଲପାଇବାର ରଙ୍ଗ

ଯେମିତି ପାଣିର କିଛି
ରଙ୍ଗ ହିଁ ନଥାଏ,
ସେମିତି ଭଲପାଇବାର କିଛି
ରଙ୍ଗ ହିଁ ନଥାଏ,
ପାଣିରେ ଯେଉଁ ରଙ୍ଗ
ଗୋଳିଦେଲେ, ତା ରଙ୍ଗ
ସେମିତି ହୋଇଯାଏ,
ଠିକ ସେମିତି,
ଭଲପାଇବାରେ ଯେଉଁ ଭାବ
ମିଶାଇଦେଲେ,
ସେ ଭଲପାଇବା ସେମିତି
ହୋଇଯାଏ |
ପାଣି ତ ବର୍ଣ୍ଣହୀନ,
ତେଣୁ ସେ ସ୍ୱଚ୍ଛ,
ଏଇ ଯେମିତି କାକର ବିନ୍ଦୁ ପରି,
ଯେଉଁଥିରେ ଦର୍ପଣ ଭଳି
ନିଜ ପ୍ରତିଛବି, ଯେ କେହି
ନିଜେ ଦେଖି ପାରେ …..
ଠିକ ସେମିତି
ଶାଶ୍ୱତ ଭଲପାଇବା,
ନା ସେଥିରେ ଛନ୍ଦ ଥାଏ,
ନା କପଟ ଥାଏ,
ନା ସେଥିରେ ଛଳନା ଥାଏ,
ନା ସ୍ୱାର୍ଥପରତା ଥାଏ,
ସେ ତ ସ୍ବର୍ଗୀୟ,
ସେ ଆଦ୍ୟ ସକାଳର
ସୂର୍ଯ୍ୟସ୍ନାତ ରଶ୍ମିରେଖା ପରି
ଚିର ଦେଦିପ୍ୟମାନ…….
ଆଉ ସେଥିରେ ଯଦି
ଛଳନାର ରଙ୍ଗ ଗୋଳି ଦିଆଯାଏ
ତେବେ ତାହା ଆଉ
ନିଷ୍ପାପ ଭଲ ପାଇବା ହୋଇ ରହେନାହିଁ,
ତାହା କଳୁଷିତ ହୋଇଯାଏ
ଠିକ ସ୍ୱଚ୍ଛ ଝରଣା ଜଳରେ
କାଦୁଅ ମିଶିଯାଇ
ଯେପରି ଅପରିଷ୍କାର ଜଳରାଶିରେ,
ପରିଣତ ହୋଇଯାଏ,
ଯାହା ଦେହରେ
ଯେତେ ଚେଷ୍ଟା କଲେ ବି
ସ୍ୱଚ୍ଛ ପ୍ରତିବିମ୍ବ
ଦୃଷ୍ଟିଗୋଚର ହୁଏନି …….

Leave a Reply

Your email address will not be published. Required fields are marked *