ବୁଝି ପାରୁଥିବା ମଣିଷକୁ
ବୁଝାଇଲେ ସିନା ସେ
ବୁଝିଯିବ; ହେଲେ
ଯେଉଁ ମଣିଷ ବୁଝିବାକୁ କେବେ
ପ୍ରସ୍ତୁତ ନଥିବ,
ତାକୁ ଯେତେ ବୁଝାଇଲେ ବି ସେ
ଅବୁଝା ହିଁ ରହିବ |
ଯେତେବେଳେ କାହାପାଇଁ
ମନରେ ଭାବ ଉଦ୍ରେକ ହୁଏ,
ସେଠି ଆବେଗ ଆପେ ଆପେ ଆସିଯାଏ ,
ଆଉ ସେଇ ଆବେଗରୁ ସୃଷ୍ଟି ହୁଏ
ବନ୍ଧୁତ୍ୱ….
ବନ୍ଧୁତ୍ୱ ସମ୍ପର୍କର ଏକ
ଅନବଦ୍ୟ ଉପହାର,
ଯାହାକୁ ପାଇବା ପରମ ସୌଭାଗ୍ୟ,
ହେଲେ ସେ ସୌଭାଗ୍ୟ ସମସ୍ତଙ୍କୁ
ମିଳି ପାରେନା……
ମନରେ ବନ୍ଧୁତ୍ୱର ରଙ୍ଗ ଲାଗିଗଲେ,
ବିବର୍ଣ୍ଣା ଆକାଶ ମନେହୁଏ ,
ଯେମିତି ଶତ ରଙ୍ଗର ସମାହାର,
ହୃଦୟ ବଗିଚାରେ ଶୁଣାଯାଏ ,
ସମର୍ପଣର କୁହୁତାନ,
ସବୁ ଯେମିତି ମନେ ହୁଏ
ନିଜର ନିଜର ଅତି ଆପଣାର….
କାହା ସହ ବନ୍ଧୁତ୍ୱର
ସମ୍ପର୍କ ଯୋଡି ହୋଇଗଲେ,
ସେ ବନ୍ଧୁର ମଙ୍ଗଳ ପାଇଁ
ଏ ବନ୍ଧୁ ତତ୍ପର ହୋଇ ଉଠେ ,
ସେ ଚାହେଁ ତା’ ବନ୍ଧୁ ପୃଥିବୀର
ସର୍ବଶ୍ରେଷ୍ଠ ବନ୍ଧୁ ହେଉ,
ତା ଦେହରେ କେବେ କାଳିମାରେ
ଛିଟା ନପଡ଼ୁ…
ତା’ କର୍ମରେ କୌଣସି
ଭୂଲ ହିଁ ନରହୁ,
ସେ ଭାବଭରା ବନ୍ଧୁଟିଏ ହେଉ…..
ଵିଵେକଥିବା ମଣିଷଟିଏ ହେଉ …
ଆଉ ହୃଦୟକୁ ଚିନ୍ହି ପାରିଥାଉ….
କିନ୍ତୁ ଯାହାକୁ ବନ୍ଧୁ ବୋଲି,
ମନ ସ୍ଵୀକାର କରୁଥିବ,
ସେ ଯଦି ବନ୍ଧୁତ୍ୱକୁ ସମ୍ମାନ ନଦେଇ
ତୁମକୁ ଅପମାନ ଦେବ,
ତୁମକୁ ଆଘାତ ଦେବ,
ଆଉ ତୁମ ଉପଦେଶ,
ତା ପାଇଁ ଗ୍ରହଣୀୟ ନୁହେଁ
ବୋଲି ଆଦେଶ ଦେବ,
ସେଠି ବନ୍ଧୁ ପାଇଁ ଆତୁର ହେଉଥିବା
ମଣିଷର ସରଳ ମନଟା
ଯନ୍ତ୍ରଣାରେ ଲହୁଲୁହାଣ ହୋଇଯିବ,
ତା’ ସବୁ ସ୍ବପ୍ନ ଚୁରମାର ହୋଇଯିବ,
ସେ ଆଉ କେବେ ବନ୍ଧୁତ୍ୱ ପାଇଁ
ବନ୍ଧୁ ଖୋଜିବନି,
ସେ ସବୁଦିନ ପାଇଁ ନିଜ ଭାବକୁ
ସମାଧି ଦେଇଦେବ
ଅବ୍ୟକ୍ତ ଭାବନାରେ……
ବନ୍ଧୁତ୍ୱର ଭାବ
