ରାଗ ଥିଲେ
ରୁଷା ଥାଏ ,
ଆଉ ରୁଷାରେ ଅଭିମାନ
ହିଁ ଝଲସୁ ଥାଏ |
ମିଠା ରାଗ
ଆଡ ରୁଷା ଆଉ
ସାଧବବୋହୂର
ସଂକୋଚନଭରା ଅଭିମାନକୁ
ନେଇ ଭଲପାଇବାର
ପୁନିଆଦି ଗଢା ହୋଇ ଥାଏ |
ଭଲ ପାଇବାରେ
ଅଭିମାନର ଖାଦି ନଥିଲେ ,
ଭଲ ପାଇବାଟା
ଭଲ ପାଇବା ହୁଏ ନା,
ଠିକ ଯେମିତି ସୁନାରେ
ଖାଦି ନମିଶିଲେ
ଗହଣା ତିଆରି ହୋଇ ପାରେନା |
ମା ପୁଅର ଭଲପାଇବାରେ
ସ୍ୱାମୀ ସ୍ତ୍ରୀର ଭଲପାଇବାରେ
ବନ୍ଧୁ ବନ୍ଧୁର ଭଲପାଇବାରେ
ପ୍ରେମିକ ପ୍ରେମିକାର ଭଲପାଇବାରେ
ସଂସାରର ସବୁ ଭଲପାଇବାରେ
ଊଣା ହେଉ କି ବେଶୀ ହେଉ
ଅଭିମାନ କିନ୍ତୁ ରହିବାଟା
ରହି ଥାଏ |
ଯେତେ ନିଚ୍ଛକ ଭଲପାଇଲେ ବି
ସମୟାନ୍ତରେ ସେଥିରେ
ଅଭିମାନର ଝୁଲ ହିଁ
ଝଲସୁ ଥାଏ |
ଆଉ ଅଭିମାନ ହିଁ
ପରୀକ୍ଷା କରେ,
ତୁମ ଭଲ ପାଇବାରେ
ଗଭୀରତା କେତେ,
ତୁମ ଭଲ ପାଇବାରେ
ଭାବର ଆବେଗତା କେତେ,
ତୁମ ଭଲ ପାଇବାରେ
ତ୍ୟାଗର ଆଦ୍ରତା କେତେ,
ତୁମ ଭଲ ପାଇବାରେ
ସହିବାର ସୀମାରେଖା କେତେ,
ଆଉ ଅଭିମାନର ଏ ସମସ୍ତ
ପରୀକ୍ଷାରେ ଯିଏ
ସଫଳ ଉତ୍ତୀର୍ଣ୍ଣ ହୁଏ ,
ତା ଭଲପାଇବା
ସମୟ ଆକାଶରେ
ସୂର୍ଯ୍ୟ ପରି ସର୍ବଦା
ଦେଦ୍ଵୀପମାନ ହୋଇ ରହିଥାଏ |
