ଅନ୍ଧାର ଭିତରେ ଥିବା ଯାଏଁ
ଜଣାପଡେ ନାହିଁ
ଅନ୍ଧାରର ବର୍ଣ୍ଣ କଣ ?
ଜଣାପଡେ ନାହିଁ
ଅନ୍ଧାରର ରଙ୍ଗ କଣ ?
ଜଣାପଡେ ନାହିଁ
ଅନ୍ଧାରର ଭାଷା କଣ ?
ହେଲେ; ସିନ୍ଦୁରା ଫାଟିଗଲାପରେ
ଅନ୍ଧାର ନିଜେ ହିଁ
ବିବର୍ଣ୍ଣା ହୋଇଯାଏ
ଆଲୁଅର ଗୋହିରି ରଙ୍ଗରେ ,
ବିବସନା ହୋଇଯାଏ
ଶୁଭ୍ରତାର ମୁକ୍ତା ଆଲୁଅରେ |
ତେବେ ଅଟେ ମାନ/ଅଭିମାନର
ଦାମ୍ଭିକତାକୁ ନେଇ ଗର୍ବ କରେ
କାହିଁକି ଏ କାଳିମାର ଅନ୍ଧାର ?
କାହିଁକି ଭେଳିକି ଦେଖାଏ
ନିଜ ଅନ୍ତର କାଳିମା ରେଖାର ?
ବରଂ ଆହୁରି ଛୋଟ ହୋଇଯାଏ
ସତ୍ୟତାର ପରିପ୍ରକାଶରେ ;
ହୀନମନ୍ୟତାର ଶିକାର ହୋଇଯାଏ
ସ୍ୱଚ୍ଛ ହୃଦୟରେ |
ତେବେ କଣ ନିଜକୁ ଛୋଟ କରିବାର
ଦୁର୍ବାର ଅଭିପ୍ସା
ଅନ୍ଧାରି ମନରେ ସୃଷ୍ଟି କରେ
କେବଳ ଆତ୍ମପ୍ରବଂଚନା ?
ବର୍ଣ କଳା ଥିଲେ;
କାଇଁ ମନରେ କଳାଦାଗ ଲାଗେ ନାଇଁ,
କଦ|କାର ହୋଇଥିଲେ ବି
କାଇଁ ଆତ୍ମାର ଭାବ ତ
କଳୁଷିତ ହୁଏ ନାହିଁ !
ରୂପ/ରଙ୍ଗରେ କିଛି ତ ହୁଏ ନାହିଁ ,
ସବୁଥାଏ, ମନ ଭିତରର /ଦେହାତୀତର
ସୂକ୍ଷ୍ମ ଆତ୍ମଅନୁଶୀଳନର
ଗୋପନ ଫରୁଆ ଭିତରେ,
କସ୍ତୁରୀ ପରି ମହକୁଥାଏ
ମୃଗର ନିଜ ନାଭୀମଣ୍ଡଳରେ |
ଅଥଚ; ସେଥିପାଇଁ ଏତେଟାର
ରୂପ ପରିପାଟୀ/ଏତେଟା ଥାଟବାଟର
କୌଣସି ଆବଶ୍ୟକତା ନାହିଁ ;
ଦରକାର ନାହିଁ
ରୋଷଣୀ ଆଲୁଅର,
କେବଳ ଦରକାର ଏଠି
ନିଚ୍ଛକ ଭାବେ ନିଜ ମନକୁ ଖୋଲିବାର
ଆକାଶ ପରି ଅନନ୍ତ ଉଦାର ପଣିଆର,
ଗଭୀରତା ଦରକାର ଏଠି ସାଗର ମନର ,
ତେବେ ଯାଇ ଆଲୁଅ ପରି
ଅନ୍ଧାର ବି ପାଇପାରେ
ସ୍ବଚ୍ଛତାର ଶୁଭ୍ର ଆବରଣ |
ଅନ୍ଧାରର ରଙ୍ଗ କଣ ?
