ଏ ସୁଇଁ ଘର ଝୁଅ, ମୋ ପାନଡ଼ାଲା ଟିକେ ଆଣବା | ସକାଳ ଆସି ଏତେବେଳ ହେଲାଣି , ମୁହଁରେ ପାନ ଖଣ୍ଡେ ଦେଇନି | କଣ କରୁଛୁ କିଲୋ! ଗୋସେଇଁ ଶାଶୁ ଚିଲେଇ କହୁଥିଲା ନାତୁଣୀ ବୋହୁ ଅରୁକୁ |
ତଳ ଖଞ୍ଜାରେ ସକାଳ ଜଳଖିଆ ପାଇଁ ଚାଉଳ ବାଟୁଥିଲା ନାତୁଣୀ ବୋହୁ ଅରୁ | ଗୋସେଇଁ ଶାଶୁ କଥା ଶୁଣି ତଳ ଖଞ୍ଜାରୁ ଅରୁ କହିଉଠିଲା, ଆଈ ଟିକେ ଅପେକ୍ଷା କର | ମୁଁ ଏଇ ସଂଗେ ସଂଗେ ପାନ ନେଇ ଯାଉଛି |
ଶିଳ ଉପରେ ପିଠଉ ବଟା ସେମିତି ରଖି ଦେଇ ହାତ ଧୋଇ ପକାଇଲା ଅରୁ | ହାତରେ ପାନଡାଲା ଧରି ଧାଇଁଗଲା ଦାଣ୍ଡ ପିଣ୍ଡ| କୁ ଅରୁ |
ଏଇ ନିଅ ଆଈମା ତୁମ ପାନଡାଲା, ଅରୁ ବଢ଼ାଇ ଦେଲା ପାନଡାଲାଟିକୁ ଆଈ ହାତକୁ |
ଆଲୋ ସୁଇଁ ଘର ଝୁଅ ! ତୋତେ କେତେ ଥର କହିଛି ଯେ ସକାଳୁ ସକାଳୁ ପାନଖଣ୍ଡେ କଳରେ ନ ଜାକିଲେ, ମୋ ମୁଣ୍ଡ ଜମାରୁ କାମ କରେନି ବୋଲି ! ବେଳ ଆସି କେତେ ହେଲାଣି | ମୋତେ ପାନଡାଲା ନ ଧରେଇ ତୁ କି କାମ କରୁଥିଲୁ ବା !
କଥା କଣ କି ଆଈ, ଆଜି ଟିକେ ଉଠିବା ଡେରି ହୋଇ ଗଲା ତ, ତେଣେ ସବୁକାମ ବାକି ପଡିଛି | ଚାଉଳ ବାଟୁଥିଲି ପିଠା କରିବି ବୋଲି | ସେପଟେ ଗାଈ ବଳଦଙ୍କ କୁଣ୍ଡା ତୋରାଣି ଦେଇନି | ପିଠା କଲେ ମୁଲିଆମାନେ ଖାଇ ବିଲକୁ ଯିବେ | ତେଣୁ ତୁମ ପାନ କଥା ଟିକେ ଭୁଲି ଯାଇଥିଲି |
ଯାଲୋ ଝୁଅ ଯା ତୋ କାମ ତେଣେ ଡେରି ହୋଇଯିବ |
ଅରୁ ଏଥର ତଳଖଞ୍ଜାକୁ ଚାଲିଗଲା ପିଠଉ ବାଟିବାକୁ | ଆଉ ଏପଟେ ଆଈ ପାନଡାଲାକୁ ଧରି ବସିଗଲା ପାନ ଭାଙ୍ଗିବାକୁ |
ଆଈ ବୁଢୀକୁ ଆଉ କାହାର ପାନ ଭଙ୍ଗା ଭଲ ଲାଗେନା | ପାନ ଖଣ୍ଡେ ନେଇ ଆଙ୍ଗୁଳିରେ ଚୁନ ଲଗାଇଲା ଆଈ | ପାନଡାଲାରେ ଭଳିକି ଭଳି ଛୋଟ ଛୋଟ ପାନ ମସଲା ଡ଼ବା ଅଛି | ଗୁଆ ଡ଼ବାକୁ ଖୋଲି ପାନରେ ଗୁଆ ଦେବ ବୋଲି ଭାବିଲା ବେଳକୁ ଡ଼ବାରେ ଗୁଆ ନାହିଁ |
ପୁଣି ଏଥର ଡାକ ଛାଡିଲା ଆଈ ବୁଢ଼ୀ |
ଏ ସୁଇଁ ଘର ଝୁଅ , କୁଆଡେ ଗଲୁ ବା ! ପାନଡାଲାରେ ଗୁଆ ନାହିଁ | ମୁଁ ପାନ ଭାଙ୍ଗିବି କେମିତି ଲୋ !
ଅରୁ ପୁଣି ଧାଇଁ ଆସିଲା ଆଈ ପାଖକୁ |
ଅରୁ ପଚାରିଲା ଆଈକୁ, ପୁଣି କଣ ହେଲା ଆଈ |
ଆଲୋ ! ତୋତେ କେତେ ଥର କହିଛି ଯେ ପାନଡାଲାରେ ସବୁବେଳେ ପାନ ସଜ ରଖିଥିବୁ ବୋଲି | ଏଇ ଦେଖ ଗୁଆଡ଼ବାରେ ଜମାରୁ ଗୁଆ ନାହିଁ | ଏତିକି ଟିକେ କଥାକୁ ନିଘା କରିପାରୁନୁ | ପୁଣି ଏତେ ବଡ ଘର ଚଳାଇବୁ କେମିତି ଲୋ !
ହେଲା ଆଈ, ତୁମେ ଆଉ ରାଗନି ମୋ ଉପରେ | ମୁଁ ତୁମ ପାଇଁ ଗୁଆ ନେଇକି ଆସୁଛି |
ଘର ଭିତରୁ ଗୁଆ ନେଇ ଆସିଲା ଅରୁ ଆଈ ପାଇଁ | ଏଥର ଆଈ ଖୁସି ହୋଇଗଲା | ଖିଲିକାତିରେ ଗୁଆ ଖଣ୍ଡେ କାଟି ଦେଇ ପାନରେ ସଜେଇ ଦେଲା | ଧୂଳି ଗୁଣ୍ଡି ଆଉ ଅଳେଇଚ ପକାଇ ପାନ ଖଣ୍ଡେ ମୋଡି ଦେଇ କଳରେ ଜାକି ଦେଲା ଆଈ ବୁଢୀ |
ଯାଲୋ ଝୁଅ ଯା | ମୋ ଉପରେ ତୁ ରାଗିବୁନି ଜମା | କଥା କଣ କି , ଏଇ ପାନ ଖଣ୍ଡେ କଳରେ ନ ଜାକିଲେ, ମୋ ମିଜାଜ କେମିତି ଟିକେ ବଦଳି ଯାଆଲୋ ଝୁଅ | ସେଇଥିପାଇଁ ତୋ ଉପରେ ଟିକେ ରାଗିଗଲି |
ତୁ ଏଥର ଯା ତୋ କାମ କରିବୁ | ତୋ ହାତକୁ ପରା ସମସ୍ତେ ଅନେଇଥିବେ | ଅରୁ ଆଈ ପାଖରୁ ତଳ ଖଞ୍ଜାକୁ ଚାଲିଗଲା |
ଆଉ ଟିକେ ପିଠଉ ବାଟିବାକୁ ଅଛି | ବେଇଗି ବେଇଗି ବାଟି ପକେଇଲା ଚାଉଳ ବିରିକୁ |
ସେଆଡେ଼ ଗାଈ ବଳଦ ଡାକ ଛାଡିଲେଣି କୁଣ୍ଡା ତୋରାଣି ପାଇଁ | ପୁଣି ଏପଟେ ମୂଲିଆମାନେ ବ୍ୟସ୍ତ କଲେଣି ଖାଇବାକୁ ଦେବାକୁ | ଖାଇଦେଇ ସେମାନେ ବିଲକୁ ଯିବେ | ରୋଷେଇ ଘରୁ ଯାଇ ଚୁଲି ଲଗାଇଲା ଅରୁ | ତାୱାରେ ପିଠା ପକାଇଲା ଅରୁ | ଦୁଇଟା ଥାଳିଆରେ ପିଠା ଆଉ ଗୁଡ ଥୋଇ ଡାକ ଛାଡିଲା ସନା ଆଉ ପୁନାକୁ | ସନା ଆଉ ପୁନା ମୁଲିଆ କାମ କଲେବି ଠିକ ଘରର ପୁଅ ପରି ଚଳନ୍ତି |
ଅରୁ ଡାକ ଶୁଣି ସନା ଆଉ ପୁନା ପହଂଚିଗଲେ ତା’ ପାଖରେ | ପାଣି ଗିଲାସ ଆଉ ପିଠା ଥାଳିଆକୁ ତାଙ୍କ ପାଖରେ ଥୋଇ ଦେଇ ଗୁହାଳ ଘରକୁ ଚାଲିଗଲା ଅରୁ |
ଅରୁକୁ ଗାଈ ବଳଦମାନେ ବି ଭାରି ଭଲ ପାଆନ୍ତି | କୁଣ୍ଡା ତୋରାଣି ଖାଇବାର ବେଳ ହେଲେ ହମା ରଡ଼ି କରି ଗୁହାଳ ଫଟାଇ ଦିଅନ୍ତି | ଅରୁକୁ ଦେଖିଲେ ଗାଈ ବଳଦମାନେ ଖୁସିରେ ଲାଞ୍ଜ ହଲାନ୍ତି | ସତେ ଯେମିତି ଅରୁ ସହ ତାଙ୍କର ଆଗରୁ ସମ୍ପର୍କ ଅଛି | ଅରୁ ବି ଗାଈ ବଳଦଙ୍କୁ ଭାରି ଭଲ ପାଏ, ସ୍ନେହ କରେ | ତାକୁ ଲାଗେ ଏ ଗାଈ ବଳଦମାନେ ତା ନିଜର ସନ୍ତାନ ପରି |
ଗାଈ ବଳଦଙ୍କୁ କୁଣ୍ଡା ତୋରାଣି ଦେଇ ପୁଣି ରୋଷେଇ ଘରକୁ ଫେରି ଆସିଲା ଅରୁ | ସ୍ୱାମୀ ମାଧବ ପାଇଁ ପରିବା ଯୋଗାଡ଼ କଲା ଟିକେ ଭଜା ଭାଜିବା ବୋଲି | ପୋଖରୀକୁ ଯାଇଛନ୍ତି ମାଧବ ଗାଧୋଇବା ପାଇଁ | ଆସିଲେ ଜଳଖିଆ ଖାଇ ବିଲକୁ ବାହାରିଯିବେ | ସ୍ୱାମୀଙ୍କୁ ବିଲକୁ ପଠାଇଲାପରେ ଯାଇ ସେ ଠାକୁର ପୂଜା କରିବା | ବାଡ଼ି ସକାଳୁ ଯାହା ଗାଧୋଇ ସାରିଛି | ସକାଳ କାମ ସାରିବା ପରେ ଯାଇ ଠାକୁର ପୂଜା କରେ | ପୂଜା ସାରିଲେ ଆଈକୁ ଦାନ୍ତକାଠି ଦିଏ ଘଷିବା ପାଇଁ | ତାପରେ ଦୁହେଁ ସାଙ୍ଗ ହୋଇ ଖାଆନ୍ତି |
ଅରୁ ଅରୁ ଡାକ ଛାଡିଲା ମାଧବ | ଚୁଲିରେ ଭଜା କଡେଇ ବସେଇ ଶୋଇବା ଘରକୁ ଗଲା ଅରୁ |
ମାଧବ କହିଲା, ତୁମେ ମୋ ଗଞ୍ଜି କୋଉଠି ରଖିଛ ? ମୁଁ ଜମାରୁ ପାଉ ନାହିଁ | କେତେଥର କହିଲି ଯେ ସବୁବେଳେ ମୋ ଲୁଙ୍ଗି ପାଖରେ ଗଞ୍ଜି ରଖିଥିବ ବୋଲି!
ଅରୁ ଆଲଣ|ରୁ ଗଞ୍ଜି ଖୋଜି ବଢ଼ାଇ ଦେଇ କହିଲା ଏଇ ଆଲଣ| ପଛ ଥାକରେ ତ ଗଞ୍ଜି ଅଛି | ଟିକେ ଖୋଜିଥିଲେ କଣ ପାଇନଥାନ୍ତ!
ଏଥର ମାଧବ ମୁହଁରେ ଟିକେ ହସ ଖେଳିଗଲା | ମୁଁ ଯଦି ନିଜେ ଖୋଜିଥାନ୍ତି, ତାହାଲେ ତୁମ ଉପରେ ହାକିମାତି କେମିତି କରିଥାନ୍ତି ଯେ!
ଅରୁ ମୁରୁକି ହସି ଦେଲା | ହଁ, ହଁ ବେଳ ଉଛୁର ହେଉଛି | ରୋଷେଇ ଘର ପିଣ୍ଡାକୁ ଆସ | ସେପଟେ ଚୁଲିରେ ଭଜା ବସେଇ ଆସିଛି | ଲାଗିଯିବଣି କି କଣ | ତରତର ହୋଇ ରୋଷେଇ ଘରକୁ ଧାଇଁଗଲା ଅରୁ |
ଭଜା କଡେ଼ଇରୁ ଢାଙ୍କୁଣୀ ବାହାର କରିଦେଇ ଓଲଟପାଲଟ କରିଦେଲା ଖଡି଼କାରେ | ଯାହା ହେଉ ଭଜା ଲାଗି ଯାଇନି | ଥାଳିଆରେ ପିଠା ଆଉ ଭଜା ବାଢ଼ିଦେଲା ମାଧବ ପାଇଁ | ଖାଇସାରି ମାଧବ ବାରିପଟେ ବାହାରିଗଲା ବିଲକୁ |
ଅରୁ ବାରି କବାଟ ଆଉଜାଇ ଠାକୁର ଘରକୁ ଗଲା | ତା ଠାକୁର ଘରେ ଗାୟତ୍ରୀ, କୃଷ୍ଣ, ଶିବ, ସରସ୍ବତୀ, ଲକ୍ଷ୍ମୀ, ଗଣେଶ, ଦୁର୍ଗା ସବୁ ଠାକୁରଙ୍କ ଫୋଟୋ ରଖିଛି | ଠାକୁରଙ୍କୁ ଫୁଲ, ଧୂପ, ଭୋଗ ଦେଇ ଗୀତାରୁ ଗୋଟେ ଅଧ୍ୟାୟ ପଢିଲା ଅରୁ |
ଝିଅଟିବେଳୁ ସେ ପୂଜାକଲାବେଳେ ଗୀତା ପଢେ | ବାହାହୋଇ ଆସିଲାପରେ ସନ୍ଧ୍ୟାବେଳେ ଆଈକୁ ରାମାୟଣ, ମହାଭାରତ ପଢି ଶୁଣାଏ | ପୂଜା ପାଠରେ ତାର ଭାରି ଆଗ୍ରହ |
ତା ମା’ବାପା ବହୁତ ପୂଜାପାଠ କରୁଥିଲେ ଆଉ ତାରି ପ୍ରଭାବ ଅରୁ ଉପରେ ପଡିଛି | ଠାକୁର ପୂଜା ନକଲେ ତାକୁ କିଛି ଶାନ୍ତି ମିଳେନା ଯେମିତି | ସେଥିପାଇଁ, ଝିଅବେଳେ ତା ସାଙ୍ଗସାଥି ଚିଡେଇ କହୁଥିଲେ, ଆମ ଅରୁ ଗୋଟେ ବଡ ତପସ୍ୱିନୀ ହେବ , ତାକୁ ସମସ୍ତେ ପୂଜା କରିବେ | ହେଲେ ସାଙ୍ଗସାଥୀଙ୍କ କଥାରେ ଅରୁ ଚିଡୁ ନଥିଲା | ଆଉ ବୋହୁ ହୋଇଆସିବାପରେ ସେମିତି ପୂଜାରେ ତା ଧ୍ୟାନ ରହୁଥିଲା |
ପୂଜାସାରି ଆଈକୁ ଜଳଖିଆ ଖାଇବାକୁ ଡାକିଲା ଅରୁ | ଆଈ ନାତୁଣୀବୋହୁ ଦୁହେଁ ସବୁଦିନ ଏକାଠି ଖାଇବସନ୍ତି | ଅରୁ ସାଙ୍ଗରେ ଖାଇବାକୁ ନବସିଲେ ଆଈକୁ ଜମାରୁ ଭଲ ଲାଗେନା ଖାଇବାକୁ | ଦିନେ ଦିନେ କାମଥିଲେ ଅରୁ ଆଈକୁ ଏକୁଟିଆ ଖାଇବାକୁ କୁହେ ହେଲେ, ଆଈ ଏକା ଖାଇବାକୁ ଜମାରୁ ମଙ୍ଗେନି | ବରଂ ପାଟି କରି କହେ, କାହିଁକିଲୋ ସୁଇଁ ଘର ଝୁଅ! ମୋ ସାଙ୍ଗରେ ଖାଇବାକୁ ତୋତେ କଣ ଭଲ ଲାଗୁନି | ହଁ, ଏ ବୁଢ଼ୀଟା କୋଉ ତୋ ନିଜର ଯେ !
ଆଈର ଦୁଃଖ ଦେଖିପାରେନା ଅରୁ | ଓଲଟି କହେ, ନାଇଁ ଆଈ, ମୋର କାମ ସରୁ ସରୁ ଡେରି ହୋଇ ଯିବ ତ| ସେତେବେଳ ଯାଏଁ ତୁମେ କେମିତି ଅଖିଆ ରହିବ | ସେଇଥିପାଇଁ ତୁମକୁ ଏକା ଖାଇବାକୁ କହୁଛି |
ଅରୁର ଉତ୍ତରରେ ଆଈ ରାଗି ଯାଏ | କହେ ଆଲୋ ଝୁଅ! ତୋ କଅଁଳ ଦେହଟା ଯଦି ଏତେବେଳ ଯାଏଁ ନଖାଇ ରହିପାରିବ ମୋର ଏ ବୁଢ଼ୀ ଦେହଟା କଣ ରହିପାରିବନି ! ଆଈ କଥାରେ ଅଭିମାନମିଶା ରାଗ ଥାଏ | ତେଣୁ ସବୁବେଳେ ଦୁହେଁ ଏକାଠି ଖାଆଣ୍ଟି |
ଜଳଖିଆ ସରିବାପରେ ଆଈ ଯାଏ ବାରିପଟକୁ ଜାଳକୁଟା ଆଣିବା ପାଇଁ | ରାନ୍ଧିବାପାଇଁ ଜାଳସଜ କାମ ଆଈର |
ଏପଟେ ଅରୁ ବାକିଥିବା କାମ ଆରମ୍ଭ କରେ | ଗଉଡ଼ କ୍ଷୀର ଦୁହିଁ ରଖି ଦେଇଥାଏ ଦାଣ୍ଡ ଘରେ | କ୍ଷୀର ଗରମ କରିବା, ଦହିଛେନା କରିବା, ଘିଅ ମାରିବା ସବୁ କାମ ସାରି ପୁଣି ଖାରବେଳ ପାଇଁ ରାନ୍ଧିବାକୁ ଯୋଗାଡ଼ କରେ ଅରୁ | ଖରାବେଳକୁ ବିଲରୁ ମାଧବ ଫେରିବେ | ସନା ଆଉ ପୁନା ବି ଫେରିବେ | ସମସ୍ତେ ଫେରିଲାପରେ ଖାଇବାକୁ ବାଢି ଦିଏ ଅରୁ | ଆଉ ଶେଷରେ ଆଈ ସହ ମିଶି ଅରୁ ଖାଏ |
ଖାଇସାରି ବାସନକୁସନ ସବୁ ମାଜି ସରିବାପରେ ଟିକେ ବୁଣାବୁଣି କାମ କରେ ଅରୁ | ବାପଘରେ ଥିଲାବେଳେ ଭଳିକି ଭଳି ସୂତାକମରେ ବୁଣାବୁଣି ଶିଖି ଥିଲା | ରଙ୍ଗବେରଙ୍ଗର ସୂତାରେ ବିଭିନ୍ନ ଦେବଦେବୀ, ସିନେରୀ, ବୁଣାକାମ କରି ତାକୁ ବନ୍ଧେଇ ଝୁଲେଇଛି ଦାଣ୍ଡ ଘରେ ଆଉ ଶୋଇବା ଘରେ | ଯିଏ ଘରକୁ ଆସନ୍ତି ତା ବୁଣା କାମର ଭାରି ପ୍ରଶଂସା କରନ୍ତି |
ଖରାବେଳେ ଖାଇସାରିବାପରେ ସ୍ୱାମୀ ମାଧବ ଟିକେ ବିଛଣାରେ ଗଡ଼ାପଡ଼ ହୁଅନ୍ତି | ଖରା ନଇଁଲେ ସାଙ୍ଗସାଥି ସହ ଖେଳିବାକ ଚାଲି ଯାଏ ମାଧବ |
ଘରଦ୍ୱାର ଝାଡୁ କରି ସଞ୍ଜ ବଳିତା ଯୋଗାଡ଼ କରି ଅରୁ କାମ ସାରେ | ସନ୍ଧ୍ୟାହେଲେ ବୃନ୍ଦାବତୀଙ୍କ ପାଖରେ ସଞ୍ଜ ଦୀପ ଜଳେ | ସମସ୍ତଙ୍କ ପାଇଁ ମଙ୍ଗଳ ମନାସେ |
ଅରୁ କଥାରେ ଆଇ ପ୍ରକୃତିସ୍ଥ ହୁଏ | କହେ, ହଁ ଲୋ ସୁଇଁ ଘର ଝୁଅ , ମାଧବ ଆଉ ତୁ ଦୁହେଁ ମୋ ଜୀବନ | ତୁମକୁ ଦେଖି ମୋ ଯିବା ଚାଲିଯାଉ |
ବୋହୁ ହୋଇ ଆସିବା ପରେ, ଅରୁ ବି ଆଈ ସହ ନିବିଡ ଭାବେ ବଢି ହୋଇ ଯାଇଥିଲା | ଆଈ ବି ମାଧବ ପରି ଅରୁକୁ ଭଲ ପାଉଥିଲା |
ମାଧବର ପାଠ ପଢ଼ାରେ ଏତେ ମନ ଲାଗୁ ନଥିଲା | କଷ୍ଟେମଷ୍ଟେ ଯେତେବେଳେ ସପ୍ତମ ଶ୍ରେଣୀ ଡେଇଁଲା, ଆଉ ସ୍କୁଲକୁ ଯାଇ ନଥିଲା ମାଧବ | ଆଈ ବି ତା ପଢା ନେଇ ଆଉ ଜୋର ଦେଇ ନଥିଲା |
ପାଖ ପଡୋଶୀ ଆଈକୁ କହିଥିଲେ, ତୁମେ ପିଲାଟାକୁ ଆଗକୁ ପଢ଼ାଉନା କାହିଁକି?
ଆଈ ସେମାନଙ୍କୁ ଉତ୍ତର ଦେଇଥିଲା, ମୋ ନାତିର ପାଠପଢା ଆଉ ଦରକାର ନାଇଁ | ଏତେ ଜମିବାଡ଼ି ଅଛି | ଚାଷବାଷ କଲେ ଭଲରେ ଚଳିବ | ଏ ପାଠ ପଢ଼ାରୁ ଆଉ କଣ ମିଳିବ ଯେ ! ସେଇ ଦିନଠୁ ମାଧବର ପାଠରେ ଡୋରି ବନ୍ଧା ହୋଇଥିଲା |
ଆଉ ସେଇ ମାଧବ ଏବେ ଜଣେ ବଡ ଚାଷୀ ପାଲଟି ଯାଇଛି | କୋଡିଏ ଏକର ଜମିରେ ସୁନା ପରି ଫସଲ ଫଳୁଛି |
ସତେ ଯେମିତି ମାଧବ ହାତରେ କିମିଆ ଅଛି | ସେଇଥିପାଇଁ ଦଶଖଣ୍ଡ ଗାଁରେ ବଡ ଚାଷୀ ବୋଲି ମାଧବର ବଡ ନାଁ |
ସେଇଥିପାଇଁ ଅରୁର ବାପା ମାଧବ ସହ ତା ବାହାଘର କରିବାକୁ ରାଜି ହୋଇଥିଲେ | ଗୋଟେ ବୋଲି ଝିଅ ତାଙ୍କର | ଚାହିଁଥିଲେ, ଭଲ ଚାକିରୀ କରିଥିବା ପିଲସହ ବାହାଘର କରି ପାରିଥାନ୍ତେ | ହେଲେ ମାଧବକୁ ଦେଖିଲା ପରେ ତାଙ୍କୁ ଲାଗିଥିଲା ପିଲାଟା ଭଲ | ଘରେ କେହି ନାହାନ୍ତି | ଜମିବାଡ଼ି ବହୁତ ଅଛି | ଅରୁ ତା ସହ ବେଶ ଭଲରେ ଚଳି ପାରିବ | ଆଉ ବେଶ ଜାକଜମକରେ ଅରୁର ବାହାଘର କରିଥିଲେ ବାପା ତାର | ଅରୁ ବି ମାଧବ ସହ ଭଲରେ ଅଛି |
ମାଧବ ଖାଲି ଯେ ଜମିରେ ଚାଷବାଷ କରେ ତା ନୁହେଁ, ଘର ପଛପଟ ଘେରରେ ନଡ଼ିଆ, ଆମ୍ବ ପଣସ ଲିଚୁ , ସପେଟା କେତେ କଣ ଭଳିକି ଭଳି ଫଳଗଛ ବି ଲଗେଇଛି |ଯେଉଁ ଗଛରେ ହାତ ଦେବ ମାଧବ ସେ ଗଛରେ ସତେ ଯେମିତି ସୁନା ଫଳେ | ସେଇଥିପାଇଁ ଗାଁ ଲୋକେ କୁହନ୍ତି ମାଧବ ହାତରେ କିମିଆ ଅଛି | ଆଉ କେହି କେହି କୁହନ୍ତି ଆମେ ଏତେ ଖତ ସାର ଦେଇ ପରିଶ୍ରମ କରୁଛୁ, ହେଲେ ଆମ ଗଛ ସେମିତି ଫଳୁନି କାଇଁ ! ଆଉ ମାଧବର ଗଛସବୁ ଏତେ ଫଳୁଛନ୍ତି କେମିତି !
ସେ ନିଶ୍ଚୟ କଣ କିମିଆ ଜାଣିଚି, ସେଇଥିପାଇଁ ଯେଉଁ ଗଛରେ ହାତ ଦେଉଛି, ସେ ଗଛ ସୁନା ପରି ଫଳୁଛି |
ମାଧବ ଗାଁ ଲୋକଙ୍କ କଥା ଶୁଣି ହସେ ମନେ ମନେ | ସେ ଭଲ କରି ଜାଣେ ଯେ ସେ କିଛି କିମିଆ ଜାଣିନି | ତା ହାତର ପରିଶ୍ରମ ଏବଂ ଏକାଗ୍ରତା ହିଁ ତା ସଫଳତାର ଚାବିକାଠି |
ଚାରିବର୍ଷତଳେ ଗୋଟେ ଭଲ କଲମୀ ଆମ୍ବଗଛ କୂଅମୁଳ ପାଖରେ ଲଗାଇଥିଲା ମାଧବ | କୃଷି ବିଭାଗର କର୍ମଚାରୀ କହିଥିଲେ ଯେ ବର୍ଷକରେ ଏ ଗଛରେ ଆମ୍ବ ବୋଝେଇ ହୋଇଯିବ | ହଜାରେ ଟଙ୍କା ଦେଇ ସେ ଆମ୍ବଗଛଟିକୁ କିଣିଥିଲା | ଆଈ ପାଟି କରିଥିଲା ତା ଉପରେ | ଏତେ ଆମ୍ବ ଗଛ ଅଛି , ତୁ କଣ ପାଗଳ ହୋଇଗଲୁ ଯେ ହଜାରେ ଟଙ୍କା ଦେଇ ଆମ୍ବଗଛ କିଣିବୁ ! ଏମିତି ଏ ଆମ୍ବଗଛରେ କି ଘନଗୁଣ ଅଛି ବା! ହେଲେ ମାଧବ ଆମ୍ବଗଛ କିଣି ଲଗାଇଥିଲା |
ମାଧବ କହିଥିଲା, ତୁ ଦେଖିବୁନି କି ଆଈ ! ବର୍ଷେ ଭିତରେ ଯେତେବେଳେ ଏ ଆମ୍ବଗଛରେ ଆମ୍ବ ବୋଝେଇ ହୋଇଯିବ, ସେତେବେଳେ ତୁ କହିବୁ ମାଧବ ତୁ ଠିକ କହୁଥିଲୁ | ଆଉ ସମସ୍ତେ ମୋ ଆମ୍ବଗଛ ଦେଖିବାକୁ ଧାଇଁ ଆସିବେ | ଏ ଆମ୍ବ ଭାରି ମିଠା | ଏମିତି ଆମ୍ବ ଏଠି କଉଠି ଦେଖିବାକୁ ପାଇବୁନି | ତୁ ସେତେବେଳେ କହିବୁ ତୋ ମାଧବ ହଜାରେ ଟଙ୍କା ଦେଇ ଯେଉଁ ଆମ୍ବଗଛ କିଣିଥିଲା , ସେ ଠିକ କରିଥିଲା | ମାଧବ ଆଈକୁ ସେଦିନ ବୁଝାଇ ଦେଇଥିଲା ଆଉ ଆଈ କହିଥିଲା, ହଉ ଦେଖ ବର୍ଷକରେ ଆମ୍ବ ଫଳୁଛି ନା ନାଇଁ |
ହେଲେ ଏ ଭିତରେ ଚାରିବର୍ଷ ହୋଇଗଲାଣି | ମାଧବ ଖୁବ ଯତ୍ନରେ ଏ ଆମ୍ବଗଛକୁ ବଢ଼ାଉଛି | କିନ୍ତୁ ଏ ଗଛରେ ନା ବଉଳ ଆସୁଛି ନା ଆମ୍ବ ଫଳୁଛି ! ବୁଝିପାରୁନଥିଲା ମାଧବ, କାହିଁକି ବର୍ଷକରେ ଫଳିବାକୁ ଥିବା ଆମ୍ବଗଛରେ ଆମ୍ବ ଫଳୁନି | କିନ୍ତୁ ଆମ୍ବଗଛଟି ବେଶ ଭଲଭାବରେ ବଢ଼ିବାରେ ଲାଗିଥିଲା |
ବର୍ଷକରେ ଯେତେବେଳେ ଆମ୍ବଗଛରେ ବଉଳ ଆସିନଥିଲା, ଆଈ ମାଧବକୁ କହିଥିଲା, ତୋତେ ସେ ଲୋକ ହଜାରେ ଟଙ୍କା ନେଇ ଠକି ଦେଲା | ଆମ୍ବ ଫଳିବା ତ ଦୂରର କଥା, ଗଛରେ ବଉଳ ବି ହେଲାନି | ତୋ ଭଳି ପିଲାକୁ ସମସ୍ତେ ଏମିତି ବୋକା ବନେଇ ଠକି ନେବେ |
ଆଈ ସହ ଯୁକ୍ତି କରିଥିଲା ମାଧବ | ଏ ମାଟିରେ କିଛି ଗୋଟାଏ ଅସୁବିଧା ଥିବ | ଦେଖିବୁ ଆର ବର୍ଷକୁ ଏ ଗଛରେ ପେନ୍ଥା ପେନ୍ଥା ଆମ୍ବ ଝୁଲୁଥିବ | ଆଈ କହୁଥିଲା ହେଉ ଦେଖ ଆର ବର୍ଷକୁ ଫଳୁଛି ନା ନାଇଁ ! ଏମିତି ଚାରିବର୍ଷ ହୋଇଗଲାଣି | ହେଲେ ଆମ୍ବ ଗଛରେ ବଉଳ ବି ହେଉନାହିଁ |
ଏ ବର୍ଷ ପୁଣି ବଉଳ ହେବାର ସମୟ ହୋଇଗଲା | ମାଧବ ଆମ୍ବଗଛକୁ ନିରେଖି ଦେଖୁଥିଲା | ନିଶ୍ଚୟ ଏ ଗଛରେ ବଉଳ ଆସିବ, ପେନ୍ଥା ପେନ୍ଥା ଆମ୍ବ ଫଳିବ | ହେଲେ ଏଥର ବି ସେ ଆମ୍ବଗଛରେ ବଉଳ ହେଲାନି |
ଏମିତି ଆଉ କିଛି ବର୍ଷ ଗଡ଼ିଗଲା | ଆଉ ସବୁ ଆମ୍ବଗଛରେ ବଉଳ ହେଉଛି, ହେଲେ ଏ ଆମ୍ବଗଛ ଭଲ ବଢୁଛି | କିନ୍ତୁ ନା ବଉଳ ଆସୁଛି ନା ଆମ୍ବ ଫଳୁଛି |
ବାହାଘରପରେ ଥରେ ଅରୁକୁ ସେ ଆମ୍ବଗଛଟିକୁ ଦେଖାଇଥିଲା ମାଧବ |
କହିଥିଲା, ଅରୁ, ଏ ଗଛରେ ଯେଉଁ ଆମ୍ବ ଫଳିବ , ସେ ଭାରି ମିଠା | ଏମିତିକା ଆମ୍ବ ଏ ଖଣ୍ଡମଣ୍ଡଳରେ କାହା ବାଡ଼ିରେ ନଥିବ | ଆଉ ଥରେ ସେ ଆମ୍ବ ଫଳିଲେ ସମସ୍ତେ ଆମ ଘରକୁ ଧାଇଁବେ ନେବାପାଇଁ | ତୁମେ ବି ଯତ୍ନ ନେବ ଏ ଗଛର |
ଅରୁର ବି ଗୋଟେ ପ୍ରକାର ମମତା ଲାଗିଯାଇଥିଲା ସେ ଆମ୍ବ ଗଛସହ | ବଉଳ ଅମାବାସ୍ୟାରେ ସେ ଗଛମୂଳ ପରିଷ୍କାରକରି ଲିପାପୋଛା କରିଦିଏ ଅରୁ | ସଂଧ୍ୟାବେଳେ ଗଇଁଠା ପିଠା ବଗ କରି ସେ ଆମ୍ବ ଗଛରେ ବଉଳ ଆସୁ ବୋଲି ପ୍ରାଥନା କରେ |
ସେ ବାହା ହୋଇ ଆସିବାର ଦେଢ଼ବର୍ଷ ହୋଇଗଲାଣି | ତଥାପି ଏ ପର୍ଯ୍ୟନ୍ତ ସେ ଆମ୍ବଗଛରେ ବଉଳ ଆସୁନି |
ଆଈ ଏବେ ମଝିରେ ମଝିରେ ମାଧବାକୁ କହୁଛି, ମାଧବ ତୁ ସେ ଆମ୍ବଗଛକୁ ହାଣି ଦେ | କଲମୀ ଗଛଟା ତ ଫଳିଲାନି | ତା ପାଖକୁ ଲାଗି ଆଉ ଗୋଟେ ନୂଆ ଆମ୍ବଗଛ ଲଗା |
ହେଲେ ମାଧବ ଆଈକୁ କହୁଛି ତୁ ଟିକେ ଧୈର୍ଯ୍ୟ ରଖ | ଦେଖିବୁ ଆର ବର୍ଷକୁ ଆମ୍ବ ଫଳିବ | ଏତେ ଯତ୍ନରେ ମୁଁ ଲଗେଇଛି, ତାକୁ ହାଣି ପାରିବିନି |
ଆଈ କିନ୍ତୁ ରାଗରେ ଗରଗର ହୁଏ ତା ଉପରେ |
କହେ, ରଖିଥା ଏ ବାଂଝ ଗଛଟାକୁ | କେବେ ବି ଫଳିବନି ଆମ୍ବ ଏ ଗଛରେ | ସେଇ ଆମ୍ବ ଗଛକୁ ନେଇ ଆଈ ନାତି ଭିତରେ ଟଣାଓଟରା ଚାଲିଛି | ମାଧବର ଜିଦ, ମୁଁ ଏ ଗଛ କେବେ ବି ହାଣି ପାରିବିନି | ଆଉ ଆଈ କହୁଛି ଯେଉଁ ଗଛ ଫଳୁନି ତାକୁ ରଖି ଲାଭ କଣ ? ଦୁହେଁ ଦୁହିଁଙ୍କ ଜିଦରେ ଅଟଳ | କିଛିର ସମାଧାନ ହୋଇ ପାରୁନି ଏ ପର୍ଯ୍ୟନ୍ତ |
ଏ ଘରେ ବୋହୁ ହୋଇ ଆସିବାର ତିନି ବର୍ଷ ହୋଇଗଲାଣି ଅରୁର | ଅରୁ ଉପରେ ଆଈ ଭାରି ଖୁସି | ଅରୁର ସବୁ କାମ ତାକୁ ଭଲ ଲାଗେ | ମାଧବ ବି ଅରୁକୁ ଖୁବ ଭଲପାଏ | ଅରୁ ଗାଁ ଲୋକଙ୍କ ଦୁଃଖସୁଖରେ ବି ଭାଗିଦାର ହୁଏ | ତେଣୁ ସମସ୍ତେ ଅରୁକୁ ଭଲ ପାଆନ୍ତି |
ଦୁଇଦିନତଳେ ମାଧବର ଜଣେ ସମ୍ପର୍କୀୟ ମାଳତୀ ଖୁଡି ଆସିଥିଲେ ତାଙ୍କ ଘରକୁ ବୁଲିବାକୁ | ଅରୁ ତାଙ୍କର ଭଲ ଚର୍ଚା ବି କଲା |
ଭିତର ଘରକୁ ଡାକି ନେଇ ମାଳତୀ ଖୁଡି ଆଈକୁ କହିଲେ, ଭଲ ନାତୁଣୀବୋହୂଟେ ପାଇଛ ତୁମେ | ଏ ଘରକୁ ପୁରା କରିଦେଇଛି | ସବୁକଥା ଭଲ ଯେ, ହେଲେ ମାଧବର ବାହାଘରକୁ ତ ତିନି ବର୍ଷ ପୂରିଗଲାଣି | କାଇଁ ଏ ପର୍ଯ୍ୟନ୍ତ ତୁମଘରେ କୁଆଁ କୁଆଁ ଡାକ ଶୁଭୁନି!
ଆଈ କହିଲା, ହଁ ଲୋ ମାଳତୀ, ତୁ ସତ କହୁଚୁ | ମୋର ତ ଭାରି ଇଛା ହେଉଛି ଅରୁ କୋଳରେ ଛୁଆଟିଏ ଦେଖିବା ପାଇଁ | ଆଉ ତା କୋଳରେ ପୁଅଟିଏ ଦେଖିଲେ ମୋ ଆତ୍ମା ଶାନ୍ତି ପାଇବ | ହେଲେ! ଅରିକୁ ଏ କଥା କେମିତି କହିବି ଯେ!
ମାଳତୀ ଖୁଡି କହିଲେ, କି କଥା କହୁଚ ବା! ବାହା ହେଲେ ଛୁଆ ପିଲା ଜନ୍ମ କରିବାଟା କଣ ନୂଆ କଥା! ତୁମେ ତାକୁ ସିଧା ସିଧା ତୁମ ମନ କଥା କହି ଦିଅ | ଆଉ ତାର ଯଦି କିଛି ଅସୁବିଧା ଥାଏ, ମାଧବ ଡାକ୍ତରଙ୍କୁ ଦେଖେଇବ |
ଏଇ ଦେଖୁନା! ମୋ ପୁଅ ଗୋବିନ୍ଦ ଆରବର୍ଷ ମଗୁଶିରରେ ବାହା ହୋଇଥିଲା, ଆଉ ଏ ଫଗୁଣରେ ମୋ ବୋହୁ କୋଳରେ ମାସକର ନାତି ଟୋକା ଖେଳୁଛି | ତେଣୁ ତୁମ ଘରେ ବି ଆର ବର୍ଷକୁ ନାତି ଛୁଆ ଖେଳୁଥିବ | ଆଉ ତିନି ଚାରିବର୍ଷ ପରେ ପୁଣି ତା ସାଙ୍ଗରେ ଖେଳିବାକୁ ଭଉଣୀଟିଏ ବି ଆସିଯାଇଥିବ |
ମାଳତୀ ଖୁଡି ତାଙ୍କ ଘରକୁ ଚାଲି ଯାଇଥିଲେ |
ଆଈ ମନ ଭିତରେ ତା ନିଜ ଅଗଣାରେ ନାତି ଖେଳୁଥିବାର ସ୍ବପ୍ନ ବସା ବାନ୍ଧିବାରେ ଲାଗିଥିଲା | ସେଦିନ ରାତିରେ ଅରୁ ଯେତେବେଳେ ଖାଇସାରି ଆଈକୁ ମୋଡ଼ି ଦେବାକୁ ଆସିଲା, ଆଈ କହିଲା, ତୁ ଯା ମୁଁ ଆଜି ମୋଡା ଖାଇବିନି |
ଅରୁକୁ ଆଈ କଥା କେମିତି ଅଲଗା ମନେହେଲା | କେବେ ଦିନେ ମୋଡା ଖାଇବାକୁ ଆଈ ମନ କରିନାହାନ୍ତି, ତାହାଲେ ଆଜି କାଇଁ ମନା କରୁଛନ୍ତି!
ଅରୁ ପଚାରିଲା, ତୁମକୁ ଭଲ ଲାଗୁନି କି ଆଈ ? ପେଟ କାଟୁଚି କି ? ତଥାପି ଆଈ କିଛି ଉତ୍ତର ଦେଉନାହାନ୍ତି |
ଅରୁର ମନେ ପଡିଲା ବେଳେ ବେଳେ ଆଈର ପେଟ କାଟେ ଆଉ ସେ ତାଙ୍କୁ ଟିକିଏ ପିପରମେଣ୍ଟ ଖାଇବାକୁ ଦିଏ | ଆଈ ତାପରେ ପାଣି ପିଇ ଦେଲେ ପେଟ କାଟିବା ବନ୍ଦ ହୋଇ ଯାଏ |
ବୋଧ ହୁଏ ଆଈଙ୍କର ପେଟ କାଟୁଛି | ଆଈ ମୁ ତୁମ ପାଇଁ ପିପରମେଣ୍ଟ ଆଣୁଛି , ତୁମେ ଖାଇ ପାଣି ପିଇ ଦେବ | ତୁମ ପେଟ କାଟିବା ବନ୍ଦ ହୋଇଯିବ |
ଅରୁ କଥା ଶୁଣି ଆଈ କହିଲା, ନାଇଁ ନାଇଁ ମୋ ପେଟ କାଟୁନି କି ତୋର ପିପରମେଣ୍ଟ ଆଣିବା ଦରକାର ନାଇଁ | ତୁ ଯା ମୋ ପାଖରୁ |
ଅରୁକୁ ଆଈ କଥା ଶୁଣି ଭାରି କଷ୍ଟ ହେଲା | ଆଈ ବୋଧେ ତା ଉପରେ ରାଗିଛନ୍ତି | ହେଲେ ସେ ତ ଆଈକୁ ରାଗିଲା ଭଳି କିଛି କାମ କରିନି | ତେବେ ଆଈ ରାଗିଛି କାଇଁ ତା ଉପରେ |
ଅରୁ ଆଈର ପାଦ ଧରି କାନ୍ଦିଲା | କହିଲା, ସତ କରି କୁହ, ମୁଁ ତୁମର କଣ ଦୋଷ କରିଛି ଆଈ ? ତୁମେ ମୋ ଉପରେ କାଇଁ ରାଗିଛ ? ତୁମେ କିଛି ନକହିଲେ ମୁଁ କାନ୍ଥରେ ମୁଣ୍ଡ ପିଟି ଦେବି | ଅରୁ କାନ୍ଦୁଥିଲା |
ଅରୁର କାନ୍ଦ ଆଉ କଥାରେ ଆଈର ମନ ତରଳି ଗଲା |
ଏଥର ବିଛଣାରୁ ଉଠି ବସିଲା ଆଈ | ଆଲୋ ପାଗଳୀ, ତୋ ଉପରେ ମୁଁ କାଇଁ ରାଗିବି ଯେ ? ତୁ ତ ମୋ ସୁନାନାକୀ ବୋହୁ | କେତେ ପୁଣ୍ୟ ବଳରେ ମୁଁ ତୋ ପରି ଝିଅକୁ ବୋହୁ ରୂପେ ପାଇଛି | ତୁ ଜମାରୁ ଆଉ କାନ୍ଦନା |
ଆଈ କଥାରେ କାନ୍ଦ ବନ୍ଦ କଲା ଅରୁ |
ଅରୁ ଏଥର ଆଇକୁ କହିଲା, ଆଈ ଏ ଘରେ ତୁମେ ତ ମୋ ମା ପରି ମୋ ଯତ୍ନ ନେଉଛ | ତୁମେ ଏମିତି ଅଭିମାନ କଲେ ମୋତେ ଭାରି କଷ୍ଟ ହେବ ଆଈ | ମୋତେ ମୁହଁ ଖୋଲି କୁହ ଆଈ, ତୁମର କଣ ହୋଇଛି ?
ଆଈ କହିଲା, ନାଇଁ ଲୋ ସୁଇଁ ଝୁଅ! ଆଜି ଯେଉଁ ତୋ ଖୁଡି ଶାଶୁ ମାଳତୀ ଆସିଥିଲା, ସେ ଭାରି ଖୁସି ଯେ ତା ପୁଅ ବାହାହେବାର ବର୍ଷକ ଭିତରେ ତା ବୋହୁ କୋଳରେ ପୁଅଟିଏ ଖେଲିଲାଣି | ଘରଟା ତାର ପୁରିଲା ପୁରିଲା ଲାଗୁଚି | ହେଲେ, ଆମ ଘରଟା ଖାଲି ଫାଙ୍କା ଫାଙ୍କା ଲାଗୁଚି | ଛୁଆଟିଏ ଥିଲେ ଘର ଗୋଟାକ ପୁରି ଉଥନ୍ତା | ମୁଁ ତା ସାଙ୍ଗରେ ଟିକେ ଖେଳନ୍ତି |
ମୋର ବା ଆଉ କେତେଦିନ ଆଇଶ! ଶୁଖିଲା ପତର ହେଲିଣି | କେତେବେଳେ ଝଡିପଡ଼ିବି ଠିକଣା ନାଇଁ | ତୋ କୋଳରେ ପିଲାଟିଏ ଦେଖିବାକୁ ମୋର ଭାରି ଇଛା ହେଉଛି | ମୋ ଆତ୍ମା ଶାନ୍ତି ପାଇବ |
ଆଈ କଥା ଶୁଣି ଲାଜେଇ ଗଲା ଅରୁ |
ଆଈ ତୁମେ ବ୍ୟସ୍ତ ହୁଅନା | ଭଗବାନ ଚାହିଁଲେ ହୁଏତ ଆର ବର୍ଷକୁ ତୁମ ଘରେ ବି ନାତି ନାତୁଣୀ ଖେଳିବେ | ଛୁଆପିଲା ତ ଈଶ୍ୱରଙ୍କ ଦାନ | ଆମେ ଚାହିଁଲେ କଣ ବା କରିପାରିବା ଯେ?
ଏଇ ଛୋଟ କଥାକୁ ନେଇ ଅଭିମାନ କରିଛ ! ଗୋଡ ଲମ୍ବେଇ ଦେଲ ଟିକେ | ଆଈ ଗୋଡ ଦୁଇଟାକୁ ଲମ୍ବାଇ ଦେଲା | ଅରୁର ମୋଡା ଘଷା ଖାଇ ଆଈ ଶୋଇ ପଡିଲା | ତାପରେ ଅରୁ ନିଜ ଶୋଇବା ଘରକୁ ଚାଲି ଆସିଲା |
ଶୋଇବାଘରେ ମାଧବ ସେତେବେଳକୁ ଶୋଇ ପଡ଼ିଲାଣି | ଆଈ କଥାରେ ଅରୁର ମନଟା କେମିତି ଘାଣ୍ଟି ଗୋଳେଇ ହେଉଥିଲା | ସେ ଠିକ କଲା, ମାଧବାକୁ ଆଈ କଥା କହିବା ଯେମିତିହେଲେ |
ଅରୁ ଆସ୍ତେ ଆସ୍ତେ ହଲାଇଲା ମାଧବକୁ | କଡ ଲେଉଟାଇଲା ମାଧବ |
ଅରୁ କହିଲା, ଆରେ ଶୁଣୁଛ! ଆଜି ଆଈ ଭାରି ମନଦୁଃଖ କରୁଥିଲେ |
ମାଧବ କହିଲା, କଣ ପାଇଁ ମନ ଦୁଃଖ କରୁଥିଲା ଆଈ ? ତୁମେ ତାକୁ କିଛି କହିଲ କି ?
ନାଇଁ ନାଇଁ କଥା କଣ କି, ଆଜି ତୁମ ମାଳତୀ ଖୁଡୀ ଆମ ଘରକୁ ଆସିଥିଲେ | ତାଙ୍କ ଘରେ ନାତି ଖେଳିଲାଣି | ଆଈ ବି ଚାହୁଁଛନ୍ତି ଆମଘରେ ବି ଗୋଟେ ନାତି ଖେଳୁ ବୋଲି |
ମାଧବ କହିଲା, ହଁ ପିଲାଛୁଆଗୁଡାକ ତ ମେସିନରୁ ବାହାରୁଛନ୍ତି, ଏଇନେ କହିଲେ ଏଇନେ ଜନ୍ମ ହୋଇ ପଡିବେ!
ଅରୁ କହିଲା, ତୁମେ ଯାହା କୁହ ପଛେ, ମୁଁ ଆଉ ଆଈଙ୍କ ଦୁଃଖ ଦେଖି ପାରିବିନି | ବୟସ ହେଲାଣି | ଶୁଖିଲା ପତର ପରି କେଉଁଦିନ ଝଡିପଡିବେ ଠିକଣା ନାଇଁ | ଯଦି ଗୋଟେ ନାତି କି ନାତୁଣୀ ଦେଖିଲେ ତାଙ୍କ ମନ ଖୁସି ହୋଇଯିବ, ଆମେ ସେଥିପାଇଁ ଭଗବାନଙ୍କୁ କାହିଁକି ଗୁହାରି ନ କରିବା | ଅରୁ ମାଧବାକୁ ବୁଝାଉଥିଲା |
ମାଧବ କହିଲା ସକାଳ ହେଲେ ଆଈକୁ କହିଦେବ, ଆରବର୍ଷ ବେଳକୁ ତା ଘରେ ବି ନାତି କି ନାତୁଣୀ ଆସି ଯାଇଥିବେ | ମାଧବ କଥାରେ ଅରୁକୁ ଟିକେ ଆଶ୍ବସ୍ତି ଲାଗିଲା |
ରାତି ପାହି ସକାଳ ହେଲା | ଅରୁ, ଆଈ ଆଉ ମାଧବ ନିଜ ନିଜ କାମରେ ମଜ୍ଜିଗଲେ |
ଆଈ ଏବେ ଦିନ ଗଣୁଛି | ତା ଘରକୁ କେବେ ନାତି କି ନାତୁଣୀ ଆସିବେ!
ଆଈ ମନେ ମନେ ହିସାବ କରୁଛି, ଆଗେ କିଏ ଆସିବ! ନାତି ନା ନାତୁଣୀ ? ତା ମନ କହୁଛି ନାତି ଆସିବ | ତା କୁଳ ଆଗକୁ ବଢିବ | ଆଉ ନାତୁଣୀ ହେଲେ ବାହା ହୋଇ ପରଗୋତ୍ରୀ ହୋଇଯିବ | ନାଇଁ ନାଇଁ ତା ମାଧବର ପୁଅ ହିଁ ହେବ |
ଏମିତି ଦିନ ପରେ ଦିନ ଗଡି ଚାଲିଛି | ଆଈ ମଝିରେ ମଝିରେ ଅରୁକୁ ନିରେଖି ଦେଖୁଛି | ଖୋଜୁଛି ଅରୁ ଦେହରେ ତା ବଂଶର କୁଳ ପ୍ରଦୀପର ଚିହ୍ନ ଉଙ୍କି ମାରିଲାଣି ନା ନାଇଁ |
ତିନି ମାସ ଗଲା, ଛ ମାସ ଗଲା, ବର୍ଷେ ହୋଇଗଲା | ହେଲେ ତା ଅରୁର ମା ହେବାର କୌଣସି ଲକ୍ଷଣ ଦେଖିପାରିଲାନି ଆଈ |
ଆଈର ମୁଣ୍ଡ ଝାଇଁ ଝାଇଁ ହୋଇ ଯାଉଛି | ତାହାଲେ ସେ କଣ ମରିବା ଆଗରୁ ତା ବଂଶ ପ୍ରଦୀପକୁ ଦେଖି ପାରିବନି ଆଉ?
ଆଈ ଠିକ କଲା ଆଜି ମାଧବକୁ କହିବ, କାଲି ଅରୁକୁ ନେଇ ଡାକ୍ତର ପାଖକୁ ଯିବ | ଯଦି ତା’ର କିଛି ଅସୁବିଧା ଥିବ, ଡାକ୍ତର ବ୍ୟବସ୍ଥା କରିବେ |
ବିଲରୁ ମାଧବ ଫେରିଲାପରେ ଆଈ କହିଲା, ତୁ କାଲି ବିଲକୁ ଯିବୁନି |
ମାଧବ ଚିହିଁକି ଉଠିଲା | କଣ ହେଲାକି ଆଈ ? ମୋର କାଲି ବିଲରେ ବହୁତ କାମ ଅଛି ତୁ ମନା କଲେ ବି ମୁଁ ଯିବି ଯେମିତି ହେଲେ | ତୋର କିଛି ଅସୁବିଧା ଅଛି କି ?
ଆଈ କହିଲା, ହଁ ହଁ ମୋର ଅସୁବିଧା ଅଛି | ବାହାଘରକୁ ତିନିବର୍ଷ ହୋଇଗଲାଣି | ଏ ପର୍ଯ୍ୟନ୍ତ ମୋ ବୋହୁ କୋଳରେ ପିଲାଟିଏ ଦେଖି ପାରିଲିନି | ମୋତେ କଥା ଦେ ଯେ କାଲି ତୂ ସୁଇଁ ଝୁଅକୁ ନେଇ ଡାକ୍ତର ପାଖକୁ ଯିବୁ | ଆଉ ତୁ ଯଦି ମନା କରିବୁ, ମୁ ନଖାଇ ନପିଇ ଏଇ ଘରେ ମରିଯିବି |
ଆଈର ଅଭିମାନମିଶା ରାଗଦେଖି ମାଧବ ଦୁଃଖ କଲା |
ନାଇଁ ଆଈ, ତୁ ମନଦୁଃଖ କରନା | ମୁଁ କାଲି ଅରୁକୁ ନେଇ ଡାକ୍ତର ପାଖକୁ ଯିବି | ଦେଖିବୁ ଆମ ଘରେ ବି ଆରବର୍ଷକୁ ତୋ ନାତି କି ନାତୁଣୀ ଖେଳୁଥିବେ |
ତା ପରଦିନ ମାଧବ ଅରୁକୁ ନେଇ ଡାକ୍ତରଙ୍କ ପାଖକୁ ଗଲା | ସବୁ ପରୀକ୍ଷା କଲାପରେ କହିଲେ, ତୁମ ସ୍ତ୍ରୀର ମା ହେବା ପାଇଁ କିଛି ଅସୁବିଧା ନାହିଁ |
କାଲି ତୁମେ ଆସ, ମୁଁ ତୁମର ପରୀକ୍ଷା କରିବି |
ମାଧବ ଡାକ୍ତରଙ୍କୁ ଆସିବ ବୋଲି କଥା ଦେଇ ଘରକୁ ଫେରିଲା |
ଘରକୁ ଫେରିବା ପରେ ଆଈ ପଚାରିଲା ମାଧବକୁ, ଆରେ ଡାକ୍ତର କଣ କହିଲେ ଅରୁକୁ ?
ଡାକ୍ତର କହିଲେ ଅରୁର କିଛି ଅସୁବିଧା ନାହିଁ, ମାଧବ ଆଈକୁ ବୁଝାଇଦେଲା |
ଆଈର ମୁହଁ ଟିକେ ଉଜ୍ଜ୍ୱଳ ଦିଶିଲା ଏଥର | ଯାହାହେଉ, ତା ଘରେ ଏଥର କୁଆଁ କୁଆଁ ଡାକ ଶୁଭିବ | ତା ବଂଶ ଆଗକୁ ବଢିବ |
ମାଧବର ଅତି ଘନିଷ୍ଠ ସାଙ୍ଗ ହେଉଛି ସୁଦାମ | ଦୁହେଁ ପିଲାଟି ଦିନରୁ ଭାରି ସାଙ୍ଗ | ସବୁ ସୁଖଦୁଃଖରେ ଭାଗିଦାରୀ ହୁଅନ୍ତି | ଡାକ୍ତରଖାନାରୁ ଫେରିବାପରେ ମାଧବ ସୁଦାମକୁ ସବୁକଥା କହିଲା |
ସୁଦାମ କହିଲା , ଆରେ ଆମ ପୁଅମାନଙ୍କର କିଛି ଅସୁବିଧା ନଥାଏ | ଯାହା ଅସୁବିଧା ଥାଏ, ସବୁ ସେଇ ସ୍ତ୍ରୀଲୋକମାନଙ୍କ ପାଖରେ ଥାଏ | ତୁଛାଟାରେ ତୁ କାଇଁ ତୋର ଡାକ୍ତରୀ ପରୀକ୍ଷା କରିବୁ ବା !
ସୁଦାମ କଥାକୁ କେବେବି ଏଡାଇ ପାରେନି ମାଧବ |
ମାଧବ ମନେ ମନେ ଭାବିଲା, ସତ କଥା ତ ! ପୁଅମାନଙ୍କର କାଇଁ କିଛି ଅସୁବିଧା ହେବ ଯେ ! ଡାକ୍ତରବାବୁ ତ କହିଲେ ଅରୁର କିଛି ଅସୁବିଧା ନାହିଁ | ଏଥର ଅରୁ ନିଶ୍ଚେ ମା ହେବ | ତେଣୁ ସେ କାହିଁକି ଅଯଥାରେ ଡାକ୍ତରଙ୍କ ପାଖକୁ ଆଉ ଯିବ ଯେ !
ଏପଟେ ମାଧବ ଲଗାଇଥିବା ସେ କଲମୀ ଆମ୍ବ ଗଛ ଛଅ/ସାତ ବର୍ଷ ପରେ ବି ଫଳ ଧରୁନି | ଆଈ ସବୁବେଳେ ମାଧବକୁ କହୁଛି, ସେ ଗଛକୁ ହାଣି ଦେଇ ଆଉ ଗୋଟେ ଗଛ ଲଗାଇବା ପାଇଁ | ହେଲେ ମାଧବ ଜମାରୁ ରାଜି ହେଉନି |
ଆଈ କହୁଛି, ଏ ଅଫଳନ୍ତି ଗଛ ତ କେଉଁ କାମରେ ଆସିବନି | ତାକୁ ରଖି ଲାଭ କଣ |
ହେଲେ ମାଧବ ଆଈସହ ୟୁକ୍ତି କରୁଛି, ଦେଖିବୁ ଆଈ ଏ ଆମ୍ବ ଗଛରେ ଦିନେ ନିଶ୍ଚୟ ହେବ |
ଡାକ୍ତରକୁ ଦେଖାଇ ଆସିବାପରେ ବି ଆଈ ଅରୁ ଦେହରେ ମା ହେବାର କୌଣସି ଲକ୍ଷଣ ଦେଖି ପାରୁନି | ପୁଣି ବର୍ଷେ ବିତିଗଲା | ଆଈ ମନକୁ ପାପ ଛୁଇଁଲା | ବୋଧେ ଏ ସୁଇଁ ଝିଅର ପିଲାଛୁଆ ହେଵନି ଆଉ | ତା ବଂଶ ବୁଡିଯିବ ନିଶ୍ଚେ | ଆଈକୁ କିଛି ବୁଦ୍ଧିବାଟ ଦିଶୁ ନଥିଲା | କଣ କରିବ ଭାବି ପାରୁନଥିଲା |
ଆଜି ପୁଣିଥରେ ମାଳତୀ ଖୁଡୀ ମାଧବ ଘରକୁ ଆସିଥିଲା | ଆଈକୁ ବାଡ଼ିପଟକୁ ଡାକି ନେଇ କହିଲା, ମା ମୋ କଥାକୁ ଭୂଲ ବୁଝିବନି | ତୁମ ଘରେ ତ ଏପର୍ଯ୍ୟନ୍ତ କୁଆଁ କୁଆଁ ଡାକ ଶୁଭିଲାନି |
ମୋତେ ଲାଗୁଛି ତୁମ ଅରୁ ଟା ବାଂଝ | ତାର ଆଉ ପିଲାଛୁଆ ହେବନି | ନହେଲେ ଏତେଦିନ ହେଲା ସେ ତ ମା ହୋଇପାରୁନି!
ତୁମେ ଗୋଟେ କାମ କର | ତାକୁ ତା ବାପଘରକୁ ପଠେଇ ଦିଅ |
ଆମେ ଆମ ମାଧବକୁ ଆଉ ଗୋଟେ ଝିଅ ଦେଖି ବାହା କରାଇଦେବା | ଅରୁତ ବଂଶ ରକ୍ଷା କରିପାରିବନି | ଆମେ କାହିଁକି ତା ପାଇଁ କଷ୍ଟ ପାଇବା ଯେ! ତୁମେ ଯଦି କହିବ, ମୁଁ ମାଧବ ପାଇଁ ଆଉ ଗୋଟେ ଝିଅ ଦେଖିବି | ମୋ କଥାକୁ ଟିକେ ଭାବିବ | ଏତେ ବଡ ଘର | ଆଗକୁ ପୁଣି ତୁମ ବଂଶ କେମିତି ବଢିବ ! ତୁମ ଭଲ ପାଇଁ ମୁଁ କହୁଛି, ନହେଲେ ମୁଁ କାଇଁ ତୁମ ଘର କଥାରେ ମୁଣ୍ଡ ଖେଳାଇଥାନ୍ତି !
ଆଜି ପୁଣିଥରେ ମାଳତୀ ଖୁଡୀ ମାଧବ ଘରକୁ ଆସିଥିଲା | ଆଈକୁ ବାଡ଼ିପଟକୁ ଡାକି ନେଇ କହିଲା, ମା ମୋ କଥାକୁ ଭୂଲ ବୁଝିବନି | ତୁମ ଘରେ ତ ଏପର୍ଯ୍ୟନ୍ତ କୁଆଁ କୁଆଁ ଡାକ ଶୁଭିଲାନି |
ମୋତେ ଲାଗୁଛି ତୁମ ଅରୁ ଟା ବାଂଝ | ତାର ଆଉ ପିଲାଛୁଆ ହେବନି | ନହେଲେ ଏତେଦିନ ହେଲା ସେ ତ ମା ହୋଇପାରୁନି!
ତୁମେ ଗୋଟେ କାମ କର | ତାକୁ ତା ବାପଘରକୁ ପଠେଇ ଦିଅ |
ଆମେ ଆମ ମାଧବକୁ ଆଉ ଗୋଟେ ଝିଅ ଦେଖି ବାହା କରାଇଦେବା | ଅରୁତ ବଂଶ ରକ୍ଷା କରିପାରିବନି | ଆମେ କାହିଁକି ତା ପାଇଁ କଷ୍ଟ ପାଇବା ଯେ! ତୁମେ ଯଦି କହିବ, ମୁଁ ମାଧବ ପାଇଁ ଆଉ ଗୋଟେ ଝିଅ ଦେଖିବି | ମୋ କଥାକୁ ଟିକେ ଭାବିବ | ଏତେ ବଡ ଘର | ଆଗକୁ ପୁଣି ତୁମ ବଂଶ କେମିତି ବଢିବ ! ତୁମ ଭଲ ପାଇଁ ମୁଁ କହୁଛି, ନହେଲେ ମୁଁ କାଇଁ ତୁମ ଘର କଥାରେ ମୁଣ୍ଡ ଖେଳାଇଥାନ୍ତି !
ମାଳତୀ ଖୁଡୀ ଚାଲିଯାଇଥିଲା ନିଜ ଘରକୁ |
ଏପଟେ ଆଈ ମୁଣ୍ଡରେ ଚିନ୍ତାର ପାହାଡ | ସତରେ କଣ ସୁଇଁ ଝୁଅ ବାଂଝ ! ତା କୋଳରେ କଣ ପୁଅ କି ଝିଅ ଲେଖା ନାହିଁ !
ବିଚାରି ଝୁଅଟା ଘରର ସବୁ ବୋଝ ମୁଣ୍ଡେଇଛି | ମୋର କେତେ ସେବା ଯତ୍ନ କରୁଛି | ତାକୁ ମୁ କେମିତି ବାପଘରକୁ ପଠେଇ ଦେବି ? ସେ ଥାଉଁ ଥାଉଁ ମାଧବାକୁ ପୁଣି ଥରେ କେମିତି ବାହା କରେଇବି ଯେ ! ମୁଁ ଏମିତି କାମ କରି ପାରିବିନି | ଆଈ ମୁଣ୍ଡରେ ଚିନ୍ତା ଖାଲି ଘାରୁଥିଲା |
ଆଜିକାଲି ଅରୁ ଭାରି ଉଦାସ ହୋଇ ପଡୁଛି | ସତରେ କଣ ଭଗବାନ ତାକୁ ଦୟା କରିବେନି ! ତା କୋଳରେ ମାଧବର ସନ୍ତକ କଣ ଉଙ୍କି ମାରିବନି ! ସେ କଣ ଆଈର କୂଳ ରକ୍ଷା କରିପାରିବନି! ହେଲେ ସେ କଣ କରିବ ? ତାର ଭୂଲ କେଉଁଠି ରହିଲା ? ଅରୁ କୁ କିଛି ଭଲ ହିଁ ଲାଗୁ ନଥିଲା |
ଶୀତ ସକାଳରେ ଆଈ ଦାଣ୍ଡ ପଟରେ ନିଆଁ ସେକି ହେଉଥିଲା | ମାଧବ ଧାଇଁ ଆସି କହିଲା, ବୁଝିଲୁ ଆଈ! ସେ ଆମ୍ବଗଛ ଆଉ ଫଳିବନି | ମୁଁ ତାକୁ ହାନି ଦେଲି ଏବେ | ଆଉ ଗୋଟେ ନୂଆ କଲମୀ ଗଛ ଆଣିବି | ଦେଖିବୁ ଛଅ ମାସରେ ସେଥିରେ ଆମ୍ବ ଫଳିବ |
ଆଈ ଚମକି ପଡିଲା ମାଧବର କଥା ଶୁଣି | କେତେଥର ମାଧବକୁ କହିଛି ଯେ ସେ ଆମ୍ବ ଗଛଟାକୁ ହାଣି ଆଉ ଗୋଟେ ନୂଆ ଗଛ ତା ପାଖରେ ଲଗାଇବା ପାଇଁ | ହେଲେ ସେତେବେଳେ ମାଧବ ଜମାରୁ ରାଜି ହେଉ ନଥିଲା | ଆଉ ଆଜି ନିଜେ ନିଜେ ହାଣି ଦେଇଛି ସେ ଆମ୍ବ ଗଛକୁ | ଯାହା ହେଉ ସେ ବୁଝି ପାରିଛି ସେ ଆମ୍ବଗଛରେ ଆଉ ଆମ୍ବ ଫଳିବନି | ତେଣୁ ଅଯଥା ଅଫଳନ୍ତି ଗଛଟା ରଖି ଲାଭ କଣ ! ଭଲ ହେଲା , ହାଣି ଦେଇଛି ସେ ଆମ୍ବ ଗଛକୁ, ଆଉ ଗୋଟେ ନୂଆ ଗଛ ଲଗେଇବ |
ସେଦିନ ରାତିରେ ଆଈକୁ ଜମାରୁ ନିଦ ହେଲାନି | ତା ବଂଶ କେମିତି ରକ୍ଷା ହେବ! ସୁଇଁ ଝୁଅର ତ ପୁଅ କି ଝୁଅ ହେଉ ନାହାନ୍ତି | ତେବେ ତା ବଂଶ କଣ ବୁଡିଯିବା!
ମାଳତୀ କହିଥିବା କଥା ମନରେ ଗୁଡେଇ ତୁଡେଇ ହେଲା | ସେ ସୁଇଁ ଝୁଅକୁ ତା ବାପଘରକୁ ପଠେଇ ଦେବ | ଆଉ ମାଧବକୁ ପୁଣି ଠାରେ ବାହା କରେଇବ | ହେଲେ ମାଧବ କଣ ତା କଥାରେ ରାଜି ହେବ ? ଏମିତି ଭାବି ଭାବି ଆଈ ନିଦରେ ଶୋଇ ପଡିଲା |
ସକାଳ ହେଲା | ଆଈ ଦାଣ୍ଡପିଣ୍ଡାରେ ବସିଛି | ଅରୁ ଆସି କହିଲା, ଆଈ ତୁମକୁ ଗୋଟେ କଥା କହିବି ବୋଲି ଭାବୁଥିଲି | ଆଉ ପନ୍ଦର ଦିନ ପରେ ବାରୁଣୀ ସ୍ନାନ ପଡୁଛି | ମୋ ମନ କହୁଛି, ସେଠି ବୁଡ଼ ପକାଇଲେ ଭଗବାନ ମୋ ଡାକ ନିଶ୍ଚେ ଶୁଣିବେ | ତୁମେ ହଁ କଲେ, ଆମେ ଦୁହେଁ ବୁଡ଼ ପକାଇବାକୁ ଯାଆନ୍ତେ |
ଆଈ ମୁଣ୍ଡକୁ ଗୋଟେ ବୁଦ୍ଧି ଜୁଟିଲା | ହଁ ଲୋ ସୁଇଁ ଝୁଅ , ଆମେ ବୁଡ଼ ପକାଇବାକୁ ଯିବା | ତାପରେ ତୋ ଭାଗ୍ୟ ଖୋଲିପାରେ | ତୁ ଜମାରୁ ଚିନ୍ତା କରନା | ଆମେ ଦୁହେଁ ନିଶ୍ଚୟ ଯିବା , ଆଈ ଭରସା ଦେଲା ଅରୁକୁ |
ବାରୁଣୀ ସ୍ନାନ ପାଇଁ ତାଙ୍କ ଗାଁ ଠାରୁ ଚାରି କୋଶ ଯିବାକୁ ହେବ | ଗାଁର ଆଉ ଲୋକମାନେ ଯିବେ | ରାତିରୁ ଯିବାକୁ ପଡିବ | ଅରୁ ମାଧବକୁ ତାଙ୍କ ବୁଡ଼ ପକାଇବାକୁ ଯିବାପାଇଁ କହିଲା | ହେଲେ ମାଧବ ମନା କଲା | ଜମିରେ ବହୁତ କାମ ଅଛି | ତେଣୁ ଅରୁକୁ ଆଈ ସହ ଯିବାପାଇଁ କହିଲା ମାଧବ |
ରାତିସାରା ଚାଲି ଚାଲି ଆଇ ଆଉ ଅରୁ ପହଂଚିଗଲେ ବୁଡ଼ ପକେଇବା ପାଇଁ | ଚାରିଆଡେ ଲୋକ ଜମା ହୋଇଛନ୍ତି |
ଅରୁ ଏଇ ପ୍ରଥମ ଥର ବୁଡ଼ ପକେଇବାକୁ ଆସିଛି | ତା ମନରେ ଅନେକ ଆଶା | ବୁଡ଼ ପକେଇ ସେ ଭଗବାନଙ୍କୁ ଗୁହାରି କରିବ, ତା କୋଳରେ ବଂଶ ରକ୍ଷା ପାଇଁ ସନ୍ତକଟିଏ | ଆଉ ଭଗବାନ ତା କଥା ନିଶ୍ଚୟ ଶୁଣିବେ |
ଅରୁ ଆଈ ସହ ଲୋକ ଗହଳି କମ ଥିବା ଜାଗାରେ ପାଣିକୁ ଓଲ୍ହାଇଲା | ଅରୁ ଆଈକୁ ତାଗିଦା କଲା, ବେଶି ପାଣିକୁ ନଯିବା ପାଇଁ |
ହଠାତ ନଦୀ କୂଳରେ ଚିତ୍କାର ଶୁଭିଲା | ଆଈ ଜୋରରେ କହୁଥିଲା, ଏଇ ମୋ ସୁଇଁ ଝୁଅ ପାଣିରେ ଭାସିଗଲା | ତାକୁ କିଏ ଉଦ୍ଧାର କର |
ଆଈର ପାଟି ଶୁଣି ଲୋକ ଧାଇଁ ଆସିଲେ | ନଦୀରେ ପ୍ରବଳ ସୁଅ | ତଥାପି କେଇ ଜଣ ପାଣିକୁ ଡେଇଁଲେ | ପାଣି ସୁଅ ଠେଲି ଦେଉଛି | ଏପଟେ ଆଈ ବାହୁନି ବାହୁନି କାନ୍ଦୁଚି | ଅରୁକୁ ଲୋକେ ଉଦ୍ଧାର କଲେ ପାଣିରୁ | ହେଲେ ସେତେବେଳକୁ, ଅରୁ ଆର ପାରିକୁ ଚାଲି ଯାଇଥିଲା |
ଆଈର କାନ୍ଦରେ ନଦୀକୂଳ ଫାଟି ପଡୁଥିଲା | ସେ ଜମାରୁ ଥୟ ଧରି ରହି ପାରୁନଥିଲା | ବହୁତ କଷ୍ଟରେ ଆଈକୁ ବୁଝା ସୁଝା କରି ଗାଁକୁ ଫେରିଲେ ଲୋକେ ଆଉ ସାଙ୍ଗରେ ଆଣିଥିଲେ ଅରୁର ଜୀବନ ନଥିବା ଶରୀରକୁ |
ମାଧବ ସ୍ତବ୍ଧ ହୋଇଗଲା ଅରୁର ଏ ଆକସ୍ମିକ ଦୁର୍ଦଶା ଦେଖି | ତା ଛାତି, ମନ କୋହରେ ଫାଟି ପଡୁଥିଲା | ବହୁତ କଷ୍ଟରେ ଅରୁର ଚିତା ଜଳେଇଲା ମାଧବ |
ଅରୁ ଚାଲି ଗଲାପରେ ଏତେ ବଡ ଘରଟା ଖାଲି ଖାଁ ଖାଁ ଗୋଡ଼େଇଲା | ମାଧବର କୌଣସି କାମରେ ମନ ଲାଗିଲାନି | ଆଈ ବୁଝାଉଥିଲା, ମାଳତୀ ଖୁଡି ବୁଝାଉଥିଲେ ମାଧବକୁ | ବଂଶରକ୍ଷା ପାଇଁ ବହୁତ କଷ୍ଟରେ ମାଧବ ରାଜି ହେଲା ମାଳତୀ ଖୁଡି ଠିକ କରିଥିବା ଝିଅ ସହ ପୁଣି ଥରେ ବାହା ହେବା ପାଇଁ | ମାଧବ ଜୀବନକୁ ଆସିଲା ନୂଆ ଝିଅ ମାଧବୀ | ହେଲେ ମାଧବ କିନ୍ତୁ ଅରୁକୁ ମନେ ମନେ ଖୁବ ଝୁରୁଥିଲା |
ଆଈ ପୁଣି ଥରେ ସ୍ବପ୍ନ ଦେଖିଲା ଯେ ଏଥର ନିଶ୍ଚୟ ତା କୁଳ ପ୍ରଦୀପ ଆସିବ ମାଧବୀ କୋଳରେ | ତା ଘରେ କୁଆଁ କୁଆଁ ରାବ ଶୁଭିବ |
ମାଧବ ପୁଣି ଥରେ ଯେଉଁ କଲମୀ ଆମ୍ବଗଛ ଲଗାଇଥିଲା, ଛଅମାସ କଣ ବର୍ଷେପରେ ବି ଆମ୍ବ ଫଳିଲାନି ସେ ଗଛରେ | ମାଧବକୁ ଲାଗିଲା ଏଥର ବି ବୋଧେ ସେ ଠକି ଗଲା |
ମାଧବୀ ଏ ଘରକୁ ଆସିବାର ବର୍ଷେ ହୋଇଗଲାଣି | ଆଈ ମାଧବୀ ଦେହରେ ତା କୁଳ ପ୍ରଦୀପ ଆସିବାର କୌଣସି ଲକ୍ଷଣ ଦେଖି ପାରୁନି ଏ ପର୍ଯ୍ୟନ୍ତ |
ଦିନେ ବ୍ୟସ୍ତ ହୋଇ ଆଇ କହିଲା ମାଧବକୁ, ତୁ ନୂଆ ବୋହୂକୁ ଡାକ୍ତର ପାଖକୁ ନେଇ ଯା | ମାଧବ ମାଧବୀକୁ ନେଇ ଡାକ୍ତରଙ୍କୁ ଦେଖାଇଲା | ଏଥର ବି ଡାକ୍ତର ସେଇ କଥା କହିଲେ | ମାଧବୀ ମା ହେବାର କୌଣସି ଅସୁବିଧା ନାହିଁ | ଡାକ୍ତର କହିଲେ ମାଧବ ମୁଁ ତୁମର ପରୀକ୍ଷା କରିବାକୁ ଚାହେଁ |
ଏଥର ମାଧବ ମନରେ ପାପ ଛୁଇଁଲା | ନାଇଁ ସେ କାଲିକୁ ଆସି ଡାକ୍ତରଙ୍କ ପାଖେ ପରୀକ୍ଷା କରିବ ତା ନିଜର |
ତା ପରଦିନ ମାଧବ ଏକା ଗଲା ଡାକ୍ତରଙ୍କ ପାଖକୁ | ଡାକ୍ତର ମାଧବର ସବୁ ପରୀକ୍ଷା ନିରୀକ୍ଷା କଲା ପରେ କହିଲେ ଯେ ମାଧବ, ତୁମେ ଜୀବନରେ କେବେ ବାପା ହୋଇପାରିବନି | ସେଥିପାଇଁ କୌଣସି ଉପଚାର ବି ନାହିଁ |
ମାଧବ ମୁଣ୍ଡରେ ଚଡକ ପଡିଲା | ସେଥର ଡାକ୍ତର କହିଥିଲେ ଅରୁର କୌଣସି ଅସୁବିଧା ନାହିଁ | ମାଧବୀ ବି ମା ହେବା ପାଇଁ ଠିକ ଅଛି | ତାହାଲେ, ସେ ହିଁ ଅଫଳନ୍ତି ଗଛ |
ଘରକୁ ଫେରି ମାଧବ ସବୁ କଥା କହିଲା ଆଈକୁ | ସେ ଏ ବଂଶ ରକ୍ଷା କରିବାକୁ ଅସମର୍ଥ |
ମାଧବ କଥାରେ ସ୍ଥାଣୁ ପାଲଟିଗଲା ଆଈ | କାହାକୁ କିଛି କହିଲାନି | ତା ମନଟା ଖାଲି ଘାଣ୍ଟି ଗୋଳେଇ ହେଉଥିଲା | ଦିନରେ କିଛି ଖିଆପିଆ କଲାନି |
ତାକୁ ମନେହେଲା ସେ ଜୀବନରେ ବହୁତ ବଡ ପାପ କରି ଦେଇଛି | ସୁଇଁ ଝୁଅକୁ ବାଂଝ ଭାବି ସେଦିନ ବୁଡ଼ ପକାଇଲାବେଳେ ନିଜେ ହିଁ ତାକୁ ପାଣିକୁ ଠେଲି ଦେଇଥିଲା | ମାଧବକୁ ଆଉ ଥରେ ବାହା କରି ନାତି ନାତୁଣୀର ସ୍ବପ୍ନ ଦେଖିଥିଲା | ହେଲେ ସୁଇଁ ଝୁଅ ବାଂଝ ନଥିଲା | ସବୁ ଦୋଷ ତା ମାଧବର |
ହଠାତ ଘର ଭିତରୁ ଆଈର ହସ ଶୁଭିଲା | ଆଈ ଆଗରୁ କେବେ ଏମିତି ହସି ନଥିଲା | ମାଧବ ଆଉ ମାଧବୀ ଆଈ ପାଖକୁ ଧାଇଁ ଆସିଲେ | ଆଈ ସେମିତି ଜୋରରେ ହସିବାରେ ଲାଗିଥାଏ |
ମାଧବ ଆଈକି ହଲେଇଦେଲା ଆଉ କହିଲା , ଏ ଆଈ ଏମିତି ହସୁଛୁ କାହିଁକି ?
ହେଲେ ଆଈ ସେମିତି ହସୁଥାଏ | କିଛି ସମୟ ପରେ ଜୋରରେ କାନ୍ଦି ଉଠିଲା ଆଈ | ସୁଇଁ ଝୁଅ ଲୋ, ମୋତେ କ୍ଷମା କରିଦେ ଲୋ | ଆଈ ସେମିତି ଚିତ୍କାର କରି କାନ୍ଦୁଥିଲା | ମାଧବ କି ମାଧବୀ କେହି କିଛି ବୁଝି ପାରୁନଥିଲେ |
ମାଧବ ଆଈକୁ ବୁଝାଉଥିଲା ଅରୁ ତ ଆଉ ନାହିଁ | ତୁ କାଇଁ କାନ୍ଦୁଛୁ ତା ପାଇଁ !
ଆଈ କିନ୍ତୁ ସେମିତି କାନ୍ଦୁଥିଲା | କାନ୍ଦି କାନ୍ଦି ଶୋଇ ପଡିଲା ଆଈ |
ତା ଆରଦିନ ମାଧବ ଦେଖିଲା, ଆଈ ସବୁଦିନ ପାଇଁ ଶୋଇ ଯାଇଛି | ମନ କଷ୍ଟରେ ଆଈର ଶେଷ କର୍ମ କଲା ମାଧବ |
ଏ ଜୀବନଟା ଆଉ ଭଲ ଲାଗୁନଥିଲା ମାଧବକୁ | ତାକୁ ଖାଲି ଶୁଭୁଥିଲା, ଆଈର ସେ ଶେଷ କଥା, ସୁଇଁ ଝୁଅ ଲୋ , ମୋତେ କ୍ଷମା କରି ଦେ | ତାହାଲେ ସେ ଅରୁକୁ କାହିଁକି କ୍ଷମା ମାଗୁଥିଲା ?
ତାହାଲେ ସେଦିନ ବାରୁଣୀ ବୁଡରେ ଆଈ ଆଉ ଅରୁକୁ ଠେଲି ମାରି ଦେଇନି ତ !
ମାଧବର ହୃଦବୋଧ ହେଲା ଯେ ଅରୁକୁ ଆଈ ହିଁ ନିଜେ ପାଣି କି ଠେଲି ମାରିଦେଇଛି ତାକୁ ଆଉଥରେ ବାହାକରିବା ପାଇଁ | ନିଜ ବଂଶ ରକ୍ଷା ପାଇଁ ଅରୁ ଭଳି ଗୋଟେ ସରଳ ଝିଅର ଜୀବନ ନେବାକୁ ବି ପଛେଇଲାନି ତା ଆଈ!
ନିଜ ଉପରେ ଘୃଣା ଆସିଲା ମାଧବର | ଛି ଛି ! ସେ ହିଁ ଗୋଟେ ଅଫଳନ୍ତି ଗଛ | ସେ ସମସ୍ତଙ୍କ ପାଇଁ ଅଶୁଭ | ରାତିରେ ମାଧବ ଶୋଇପଡ଼ିଲା ମାଧବୀ ପାଖରେ |
ସକାଳ ହେଲାରୁ ଗାଁ ଲୋକଙ୍କ ପାଟିରେ ମାଧବୀର ନିଦ ଭାଙ୍ଗିଗଲା | ମାଳତୀ ଖୁଡୀ ମାଧବୀକୁ ଧରି ବାହୁନିବାରେ ଲାଗିଥିଲେ
ବାରିପଟ ଆମ୍ବଗଛରେ ମାଧବ ଗାମୁଛା ବାନ୍ଧି ଝୁଲି ପଡିଥିଲା | ମାଧବୀ କାନ୍ଦି ଉଠିଲା କଇଁ କଇଁ ହୋଇ ….
