କିଛି ମଣିଷମାନଙ୍କୁ
ଆଘାତ ଦେବାକୁ ବୋଧହୁଏ
ଭଲ ଲାଗେ…
କାହିଁକିନା,
ନିଜ ଭିତରେ କୁହୁଳୁଥିବା
ଅନିୟନ୍ତ୍ରିତ କ୍ରୋଧକୁ
ଅନ୍ୟ ଉପରେ ଶାନ୍ତ କରିବାକୁ
ସେମାନେ ଆଘାତକୁ ହିଁ
ଆୟୁଧ କରିଥାନ୍ତି….
ଆଘାତ ଦେବା ତ ସହଜ!
ହେଲେ ଆଘାତ ପାଉଥିବା
ମଣିଷର ଅନ୍ତର୍ଦ୍ୱନ୍ଦ ଆଉ ଯନ୍ତ୍ରଣାକୁ
ଥରୁଟିଏ ପାଇଁ ବି ସେମାନେ
ଅନୁଭବ କରିବାକୁ
ଚେଷ୍ଟା କରିନଥାନ୍ତି …..
ଭୁଲ କରିଥିବା
ମଣିଷର ଶାସ୍ତି ହୁଏତ
ଆଘାତ ହୋଇପାରେ,
ହେଲେ ନିରପରାଧ ମଣିଷଟିଏ
ଯେ କୌଣସି ଦୋଷ କରିନି
ତା ପାଇଁ ଆଘାତର ସଜା
ମର୍ମଦାହି ହୋଇଥାଏ,
ଏଇ ଯେମିତି,
ଅଚାନକ ବିଜୁଳିମାଡ଼ରେ
ସଳଖି ହୋଇ ଠିଆ ହୋଇଥିବା
ଦୀର୍ଘକାୟ ନାରିକେଳ ବୃକ୍ଷଟି
ଉପରୁ ଜଳିଯାଏ,
ଆଉ ଏଥିରେ ବିଚରା
ବୃକ୍ଷଟିର ଅପରାଧ କଣ ?
ଠିକ ସେମିତି,
କିଛି ମଣିଷ
ଆଗପଛ ନବିଚାରି
ନିଜ ମନର କ୍ରୋଧକୁ
ଶାନ୍ତ କରନ୍ତି
ସହି ନହେଉଥିବା ଆଘାତଦ୍ୱାରା …
ଆଘାତ ଦେଉଥିବା ମଣିଷକୁ
ସିନା ଜଣାପଡେନି
ଆଘାତର କଷ୍ଟ କେତେ!
ହେଲେ ଆଘାତକୁ ଚୁପଚାପ
ସହିଯାଉଥିବା ନିରପରାଧ ମଣିଷ ହିଁ
କେବଳ ବୁଝିପାରେ,
ଆଘାତର ମାତ୍ରା କେତେ!
ଆଘାତର ଯନ୍ତ୍ରଣା କେତେ!
ଆଘାତର ବେଦନା କେତେ!
ଆଉ ଆଘାତରେ ହୃଦୟରୁ
ଝରୁଥିବା ଲହୁର କଷ୍ଟ କେତେ!
