ମୁଁ ଏକ ଥୁଣ୍ଟା ବରଗଛ….

ଦିନ ଥିଲା ,
ମୁଁ ଥିଲି ଏକ ବିରାଟ ବରଗଛ,
ମୋ ଶାଖା ପ୍ରଶାଖାରେ
ଭରିରହୁଥିଲା ଅନନ୍ତ ସବୁଜିମା,
ମୋ ଦେହରେ ସବୁବେଳେ 
ଶୁଭୁଥିଲା ବିହଙ୍ଗମାନଙ୍କର କଲ୍ଲୋଳ,
ମୋ ଓହଳରେ ଝୁଲୁଥିଲେ 
ଛୋଟ ବଡ ସଭିଏଁ ଆନନ୍ଦରେ,
ଆଉ ପ୍ରବଳ ଗ୍ରୀଷ୍ମ ଖରା ହେଉ
କି ଶ୍ରାବଣର ଦୁମ ଦୁମ ବାରିପାତ ହେଉ,
ବାଟୋଇମାନେ ଆଶ୍ରୟ ନେଉଥିଲେ 
ମୋ ଶାଖା ପ୍ରଶାଖା ତଳେ,
ଆଉ ମୋର ବାହାବାହା କରୁଥିଲେ ଯେ 
ଏ ବରଗଛ ଆମ ପାଇଁ ବନ୍ଧୁଟିଏ ପରି,
ଯା ଆଶ୍ରୟ ଆମ ପାଇଁ ବଡ ଦରକାରୀ |

ହେଲେ, ପ୍ରକୃତିର କରାଘାତରେ,
ମୁଁ ଆଜି ପତ୍ରଶୁନ୍ୟ,
ମୋ ଦେହରେ ନାହିଁ ଆଜି 
ସବୁଜିମାର ଆସର ,
ମୋ ଶାଖା ପ୍ରଶାଖାରେ ନାହିଁ
ଆଉ ଜୀବନର ସମ୍ଭାବନା,
ସମସ୍ତେ କହୁଛନ୍ତି,
ମୁଁ ଏକ ଥୁଣ୍ଟା ବରଗଛ,
ମୁଁ ଆଜି ମୃତପ୍ରାୟ,
ମୋ ଦେହରେ ଆଉ କେବେ 
ଆସିବନି ନବ ପଲ୍ଲଵନର ସମ୍ଭାର ,
ସେଥିପାଇଁ ମୋ ଶାଖାରେ ଆଉ
ବସୁନାହିଁ ବିହଙ୍ଗ ଦରବାର ,
କିଚିରିମିଚିରି ଶବ୍ଦରେ ଆଉ ଗୁଂଜି 
ଉଠୁନି ମୋ ତନୁ ପ୍ରାଣ,
ବାଟୋଇମାନେ ବି ଆଉ 
ମୋ ପାଖରେ ଥକା ମେଣ୍ଟାଉ ନାହାନ୍ତି,
ଖରା କି ବରଷାରେ,

ମୁଁ ଆଜି ଅଖୋଜା  ଅଲୋଡ଼ା 
ସଭିଙ୍କର ପାଇଁ ,
ହେଲେ, ମୁଁ ଜାଣିପାରୁନି 
ଏଥିରେ ମୋର ଦୋଷ କଣ ?
ଯେତେବେଳେ ମୋତେ ବଞ୍ଚାଇ ରଖିଥିବା 
ମେଞ୍ଚା ମେଞ୍ଚା ମାଟିମାନେ ବି 
ମୋ ଦେହରେ ଆଉ 
ଜୀବନ ଦେବାପାଇଁ 
ମନା କରିସାରିଲେଣି,
ମୋର ଆଉ କିଛି
କରିପାରିବାର ନାହିଁ 
କି କିଛି କହିବାର ନାହିଁ ,
ମୁଁ ନିର୍ବାକ ପାଲଟିଯାଇଛି,
ଅପେକ୍ଷା କରିଛି କେଉଁଦିନ 
ମୋତେ ଖଣ୍ଡଖଣ୍ଡ କରି କାଟିନେବେ 
ଆଉ ସବୁଦିନ ପାଇଁ 
ମୋ ଅସ୍ତିତ୍ବକୁ ନିଶ୍ଚିହ୍ନ
କରିଦେବେ ସମୟର 
ପ୍ରହାରରେ……. 

Leave a Reply

Your email address will not be published. Required fields are marked *