ମୁଠାଏ ସ୍ବପ୍ନ : ଶିମିଳିପାଳର

ଚାଳିଶି ବର୍ଷ ପରେ ମିତା ଶିମିଳିପାଳ ବୁଲିବାକୁ ଆସିଥିଲା | ତାକୁ ଯେମିତି ମନେହେଲା ବାରିପଦାରେ ଥିଲାବେଳେ କେତେଥର ସେ ଯେଉଁ ଶିମିଳିପାଳ ଯାଇଥିଲା, ଏବେବି ତାହା ସେମିତି ଅଛି | ବରେଇପାଣି ଜଳପ୍ରପାତ, ଚହଲା, ମେଘାସନୀ ସେମାନେ ସେଇମିତି ଅଛନ୍ତି | ମିତା ନିଜକୁ ନିଜେ କହୁଥିଲା, ମୁଁ କେଡେ ବୋକୀଟା, ଆରେ ଶିମିଳିପାଳର ବଣ ଜଙ୍ଗଲ, ପ୍ରପାତ, ଝରଣା ସେମାନେ କଣ କେବେ ବଦଳିପାରିବେ! ସେମାନେ ଯେମିତି ଅଛନ୍ତି ସେମିତି ରହିବେ |
ତାକୁ ଛୋଟବେଳୁ ପାହାଡ଼, ଜଙ୍ଗଲ, ଝରଣା, ପ୍ରପାତ ଦେଖିବାକୁ ଭଲ ଲାଗେ | ବାପା ତା’ର ବାରିପଦାରେ ବିଡିଓ ଥିଲେ | ତେଣୁ ଯେତେବେଳେ କଲେଜ ଛୁଟି ହେଉଥିଲା, ବାପାଙ୍କ ସାଙ୍ଗରେ ଶିମିଳିପାଳ, ଦେବକୁଣ୍ଡ ଜଳପ୍ରପାତ, ପଞ୍ଚ ଲିଙ୍ଗେଶ୍ୱର କୁ ବୁଲିବାକୁ ଯାଉଥିଲା | ହେଲେ ତା ‘ର ମନ ପସନ୍ଦର ବୁଲିବା ଜାଗା ହିଁ ଶିମିଳିପାଳ ଥିଲା | ପ୍ରକୃତିର ସୌନ୍ଦର୍ଯ୍ୟକୁ ଖୁବ ନିବିଡ ଭାବେ ଅନୁଧ୍ୟାନ କରୁଥିଲା ମିତା | ଏଇ ପ୍ରକୃତି ସହ ଅନ୍ତରଙ୍ଗତା ତ’କୁ ଜଣେ ଲେଖିକା ହେବାକୁ ପ୍ରେରଣା ଯୋଗାଉଥିଲା | ଘରେ ସେ ବଡ ଝିଅ ଥିଲା, ତେଣୁ ତା ତଳେ ଥିବା ଦୁଇ ସାନ ଭାଇଙ୍କ ଠାରୁ ତା’ର ଟିକେ ବେଶି ଖାତିର ରହୁଥିଲା | ସେଇଥିପାଇଁ ତା ଦୁଇ ଭାଇ ପ୍ରଜ୍ଞାନ ଆଉ ସୁଜ୍ଞାନ ମା’ଙ୍କ ପାଖରେ ଫେରାଦ ହେଉଥିଲେ | କହୁଥିଲେ, ଅପା ବଡ ବୋଲି ତାକୁ କେହି କିଛି କହୁ ନାହାନ୍ତି ଆଉ ଆମେ ସାନ ବୋଲି ଆମ ଉପରେ ସମସ୍ତେ ତୋଡ ଦେଖାଉଛନ୍ତି | ମା’ ଦୁଇ ପୁଅଙ୍କୁ ବୁଝାଉଥିଲେ ଆଉ କହୁଥିଲେ, ତୁମ ଅପା ତ ଦିନେ ବାହା ହୋଇ ପରଘରକୁ ଚାଲିଯିବ | ତେଣୁ ସେ ଟିକେ ଏଠି ହାକିମାତି କରୁ | ମା’ଙ୍କ କଥା ଶୁଣି ଦୁଇ ଭାଇ ତାକୁ ଚିଡଉଥିଲେ, ଅପା ତୁ ତ ଏ ଘରେ କୁଣିଆଁ, ଦିନେ ବାହା ହୋଇ ଚାଲିଯିବୁ | ତା ପରେ ଆମେ ଏ ଘରେ ରାଜା ହେବୁ |
ଦୁଇ ଭାଇଙ୍କ କଥା ଶୁଣି ମିତା ହସୁଥିଲା ସାନ ଦୁଇ ଭାଇଙ୍କ ପିଲାଳିଆମୀ କଥାରେ | ମିତା ହସି ହସି ଦୁଇ ଭାଇଙ୍କୁ କହୁଥିଲା, ହଉ ମୋ ପାଇଁ ବର ଖୋଜି ଦିଅ, ମୁଁ ଏ ଘରୁ ଚାଲିଯିବି |
ଆଉ ତା କଥା ଶୁଣି ଦୁଇ ଭାଇ ମନଦୁଃଖ କରୁଥିଲେ | ନାଇଁ ଅପା, ତୁ ଆମକୁ ଛାଡି ଯିବୁନି ଏ ଘରୁ କେବେ | ଦୁଇଭାଇଙ୍କୁ ଜାବୁଡି ଧରି ମିତା କହୁଥିଲା, ନାଇଁ ରେ ମୁଁ ମୋ ଭାଇମାନଙ୍କୁ ଛାଡି କୁଆଡେ ଯିବି ଯେ ! ଆମେ ତିନି ଜଣ ଏ ଘରେ ସବୁବେଳେ ରହିବା | ଝିଅ ପୁଅଙ୍କ କଥା ଶୁଣି ମା’ ହସୁଥିଲେ ଖାଲି |
ଆଜି ଦୁଇ ଭାଇ ବିଦେଶରେ ଅଛନ୍ତି | ପ୍ରଜ୍ଞାନ ଆମେରିକାରେ ଆଉ ସୁଜ୍ଞାନ ଜାପାନରେ ଅଛି | ସେଠିକା ଝିଅଙ୍କୁ ବାହା ହୋଇ ଆଉ ଭାରତ ଆସିନାହାନ୍ତି | ଶେଷଥର ପାଇଁ ମା’ବାପାଙ୍କ ଶେଷ କାମରେ ଆସିଥିଲେ ଯାହା |
ମିତାର ମନେ ପଡିଲା, ଥରେ ବାପାଙ୍କ ସହ ଜଙ୍ଗଲ ରାସ୍ତାରେ ଶିମିଳିପାଳ ଆସିଲାବେଳେ କେମିତି ଗୋଟେ ହାତୀ ତାଙ୍କ ଜିପକୁ ଗୋଡ଼ାଇଥିଲା ଆଉ ତାଙ୍କ ଡ୍ରାଇଭର ନିଜ ଉପସ୍ଥିତ ବୁଦ୍ଧି ଖଟାଇ କେମିତି ସେ ବିପଦରୁ ରକ୍ଷା କରିଥିଲା | ତେଣୁ ମା’ ପାଟି କରିଥିଲେ, ଆଉ ଏତେ ଶିମିଳିପାଳ ଯିବା ଦରକାର ନାଇଁ |
ହେଲେ ବାପା ତା କଥା କେବେ ଭାଙ୍ଗି ପାରୁନଥିଲେ | ସେଇଥିପାଇଁ ଥରେ ବାପା ତାକୁ କହିଥିଲେ ମୋତେ ଲାଗୁଚି ଆଗ ଜନ୍ମରେ ତୁ ବୋଧେ ଜଙ୍ଗଲୀ ପଶୁ ଥିଲୁ ତେଣୁ ଏ ମଣିଷ ଜନ୍ମରେ ଜଙ୍ଗଲ ମୋହ ଛାଡି ପାରୁନୁ | ବାପାଙ୍କ କଥା ଶୁଣି ମିତା ହସିଦେଉଥିଲା |
ଆଜି ଚାଳିଶ ବର୍ଷପରେ ସେ ପୁଣି ଆସିଛି ଶିମିଳିପାଳ | କିଛି ବଦଳିନି ସେଇ ଶିମିଳିପାଳ | ହେଲେ ଏବେ ତା ଜୀବନ ଅନେକ ବଦଳି ଯାଇଛି | ପିଲାବେଳେ ଖୁବ ଚଳ ଚଂଚଳ ଥିବା ମିତା ଆଜି ପୁରା ଚୁପଚାପ |
ମନେପକାଇଲା ମିତା ତା ଜୀବନ ଅତୀତକୁ |
ସେ ଥିଲା ରସାୟନ ବିଜ୍ଞାନର ଜଣେ ଭଲ ଛାତ୍ରୀ | ଖୁବ ଭଲ ପାଠ ପଢୁଥିଲା | ବାରିପଦା ଏମପିସି କଲେଜରେ ରସାୟନ ବିଜ୍ଞାନରେ ସ୍ନାତକ ପଢୁଥିବାବେଳେ ତା ସହ ପଢୁଥିଲା ତ୍ରିଦେବ ରାୟ | ଭାରି ଭଦ୍ର ଆଉ ସୁଧାର ପିଲାଟିଏ | ତାର ଆଉ ତ୍ରିଦେବ ଭିତରେ ପ୍ରତିଯୋଗିତା ଚାଲିଥିଲା କେମିତି ପରୀକ୍ଷାରେ କିଏ ପ୍ରଥମ ହେବ | ହେଲେ ତାଙ୍କ ଭିତରେ ଏକ ସୁସ୍ଥ ପ୍ରତିଯୋଗିତା ଚାଲିଥିଲା |
ଥରେ କଲେଜରେ ତାଙ୍କ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସମସ୍ତେ ଯାଇଥିଲେ ଶିମିଳିପାଳ ବୁଲିବା ପାଇଁ | ସେଇଠି ଚହଲାରେ ଗୋଟେ ପଥର ଉପରୁ ତଳକୁ ଖସି ପଡିଥିଲା ମିତା | ସେତିକିବେଳେ ତ୍ରିଦେବ ନିଜ ଜୀବନକୁ ବାଜି ଲଗେଇ ତାକୁ ବଂଚାଇଥିଲା |
ତେଣୁ ତ୍ରିଦେବ ପ୍ରତି ଗୋଟେ ଆକର୍ଷଣ ସୃଷ୍ଟି ହୋଇଯାଇଥିଲା ତା ମନରେ | ଆସ୍ତେ ଆସ୍ତେ ତ୍ରିଦେବ ମନରେ ବି ତା ପ୍ରତି ଅନୁରାଗ ସୃଷ୍ଟି ହେଲା | ଧୀରେ ଧୀରେ ତାହା ଅନୁରାଗରେ ପରିଣତ ହୋଇଗଲା | ଆଉ ତ୍ରିଦେବ ତାକୁ ପାରମିତାରୁ ମିତା ବୋଲି ଡାକିବା ଆରଂଭ କରିଥିଲା | ସେବେଠୁ ପାରମିତାରୁ ସେ ମିତା ହୋଇଯାଇଥିଲା |
ବାରିପଦାରେ ପଢା ସରିବାପରେ ଦୁହେଁ ବାଣୀବିହାରରେ ସ୍ନାତକୋତ୍ତର ପଢା ପାଇଁ ଭୁବନେଶ୍ୱର ଗଲେ | ବାଣୀବିହାରରେ ଦୁଇ ବର୍ଷର ପଢା ମିତା ଆଉ ତ୍ରିଦେବ ଦୁଇଜଣଙ୍କୁ ଆହୁରି ନିବିଡ଼ କରିଦେଲା | ଦୁହେଁ ଦୁହିଁଙ୍କୁ ଆହୁରି ଭଲଭାବେ ଜାଣିବାକୁ ଲାଗିଲେ | ମିତା ନିଜ ଘରେ ତ୍ରିଦେବକୁ ନିଜର ଜଣେ ଭଲ ବନ୍ଧୁ ବୋଲି ପରିଚୟ କରାଇ ଦେଇଥିଲା |
ଚାହୁଁ ଚାହୁଁ ଦୁଇବର୍ଷ ବିତି ଗଲା | ମିତା ଆଉ ତ୍ରିଦେବ ଦୁହେଁ ରସାୟନ ବିଜ୍ଞାନରେ ଯୁଗଳ ଭାବେ ସ୍ଵର୍ଣ ପଦକ ପାଇବାକୁ ୟୋଗ୍ୟ ବିବେଚିତ ହେଲେ |
ଦୁଇଜଣ ନିଜର କୃତିତ୍ୱ ଯୋଗୁ ସେଇ ବାଣୀବିହାରରେ ଅଧ୍ୟାପକ ଆଉ ଅଧ୍ୟାପିକାଭାବେ ଚାକିରୀ ଜୀବନ ଆରମ୍ଭ କଲେ |
ତ୍ରିଦେବ ଦିନେ ମିତାକୁ ବାହାଘର ପାଇଁ ପ୍ରସ୍ତାବ ଦେଲା | କାହିଁକି ନା ଘରର ବଡ ପୁଅ ଥିଲା ତ୍ରିଦେବ | ମିତା କହିଲା, ମୁଁ ଘରେ କହିବି ଆଉ ତାପରେ ତୁମେ ଯାହା କରିବ | ଖରାଛୁଟିରେ ମିତା ଘରକୁ ଗଲା | ପ୍ରଥମେ ମାଙ୍କୁ ତ୍ରିଦେବ ତାକୁ ଦେଇଥିବା ପ୍ରସ୍ତାବ ବିଷୟରେ କହିଲା | ମା କହିଲେ ହଁ, ତ୍ରିଦେବ ଭଲ ପିଲା | ହେଲେ ତୋ ବାପା ଏଥିରେ ରାଜି ହେବେନି | ଆମର ବ୍ର|ହ୍ମଣ ଘର ଆଉ ତ୍ରିଦେବର କ୍ଷତ୍ରିୟ ଘର |
ମିତା କହିଲା ମା ଯୁଗ ଯାଇଁ କେଉଁଠି ପହଂଚିଲାଣି , ଆମେ ସେଇ ପୁରୁଣା କଥାକୁ ନେଇ ଧରିବସିଲେ କେମିତି ହେବ | ତୁ ଟିକେ ବାପାଙ୍କୁ ବୁଝାଇ କହ | ମା କହିଥିଲେ, ମୁଁ ତୋ ବାପାଙ୍କୁ ଭଲକରି ଜାଣେ | ତଥାପି ମୁ ଚେଷ୍ଟା କରିବି |
ଏପଟେ ତ୍ରିଦେବ ଯେତେବେଳେ ତା ମାଙ୍କୁ କହିଲା ମିତାକୁ ବୋହୁ କରି ଆଣିବା ପାଇଁ, ରୋକଠୋକ ମନା କରିଦେଇଥିଲେ ତା ମା |
ତୁ କଣ ପାଗଳ ହୋଇଗଲୁ ! ସେ ବ୍ରାହ୍ମଣ ଘର ଝିଅ | ତା ହାତରୁ ଆମେ ପାଣି କେମିତି ଖାଇବା | ସେ ଆମଠୁ ଉଚ୍ଚ ବଂଶଜ | ଏ ବାହାଘର ଆମ ପାଇଁ ଅମଙ୍ଗଳ ହେବ |
ତ୍ରିଦେବ ତା ମାଙ୍କୁ ବୁଝାଇ ଥିଲା | ଯୁଗ ଯାଇଁ କେଉଁଠି ପହଂଚିଲାଣି | ହେଲେ ମା ତାର ଜମାରୁ ରାଜି ହେଇନଥିଲେ |
ଏପଟେ ମିତା ମା ଦିନେ ରାତିରେ ଖାଇସାରିଲା ପରେ ତା ବାପାଙ୍କୁ କହିଲେ, ତୁମେ ମିତାର ବନ୍ଧୁ ତ୍ରିଦେବ ରାୟକୁ ଦେଖିଛ, ଭଲ ପିଲାଟେ, ମିତା ବି ତାକୁ ପସନ୍ଦ କରିଛି | ତେଣୁ ଆମେ ତା ସହ ମିତାର ବାହାଘର କଲେ ଭଲ ହୁଅନ୍ତା ବୋଲି ମୁଁ ଭାବୁଛି |
ମିତାର ବାପା ଚିହିଁକି ଉଠିଲେ, କଣ ଭଲ ହୁଅନ୍ତା ? ମୁଁ ବ୍ରାହ୍ମଣ ଘର ହୋଇ କ୍ଷତ୍ରିୟ ପୁଅ ସଂଗେ କେବେ ବାହାଘର କରିପାରିବିନି | ମୋ ଝିଅ ପାଇଁ ପୁଅ ଅଭାବ ହେବେନି | ତୁମେ ମିତାକୁ ଏ କଥା ଜଣାଇ ଦିଅ |
ମିତା ମା’ଙ୍କଠୁ ଏକଥା ଶୁଣିସାରିଲା ପରେ ଥରେ ଯେମିତି ହେଲେ ବାପାଙ୍କୁ କହିବ ବୋଲି ଠିକ କଲା |
ବେଳ ଦେଖି ମିତା ବାପାଙ୍କୁ କହିଲା, ବାପା ତ୍ରିଦେବ ଭଲ ପିଲା | ତୁମେ ବି ତା ସହ ମିଶିଛ | ସେ ବି ସେମିତି କିଛି ତଳ ଜାତିର ନୁହେଁ |
ବାପା ତାକୁ ରାଗରେ ଅନାଇ କହିଥିଲେ, ପାଠ ପଢି ଚାକିରୀ କରିଦେଲେ ତୁ କଣ ମୋଠୁ ଉପରକୁ ହୋଇଗଲୁ | ତୁ ଯେତେହେଲେ ଝିଅ | ବାପା ମାଙ୍କ କଥା ତୁ ମାନିବାକୁ ବାଧ୍ୟ |
ମିତା ତଥାପି ବାପାଙ୍କୁ ବୁଝାଇଥିଲା | ହେଲେ ବାପା ଉତ୍ତର ଦେଇଥିଲେ ତୁ ଯଦି ତ୍ରିଦେବକୁ ବାହାହେବୁ ମୋତେ ଆଉ ଏ ଦୁନିଆରେ କେବେ ଦେଖିବାକୁ ପାଇବୁନି |
ମିତା ଭାଙ୍ଗିପଡିଥିଲା ବାପାଙ୍କ କଥା ଶୁଣି | ତ୍ରିଦେବକୁ ସବୁ କଥା କହିଥିଲା |
ତ୍ରିଦେବ ବୁଝିବାର ପିଲାଥିଲା | ସେ କେବେ ବି ମିତା ପରିବାରରେ ଝଡ ଉଠୁ ବୋଲି ଚାହୁଁ ନଥିଲା |
ତ୍ରିଦେବ କହିଥିଲା, ମିତା ଆମେ ସିନା ସାଥି ହେବା ପାଇଁ ସ୍ବପ୍ନ ଦେଖିଥିଲେ | ହେଲେ ହୁଏତ ଆମେ ଦୁହେଁ ବାହାହେବା ଈଶ୍ୱର ଚାହାଁନ୍ତିନି | ତୁମେ ତୁମ ବାପାଙ୍କ କଥା ମାନ | ମୁଁ ତୁମକୁ କେବେ ଭୂଲ ବୁଝିବିନି | ଆମେ ବାହା ନ ହୋଇପାରିଲେ କଣ ହେଲା, ଭଲ ବନ୍ଧୁ ହୋଇ ରହିତ ପାରିବା | ତେଣୁ ତୁମେ ଝିଅ ହିସାବରେ ବାପାଙ୍କ କଥା ମାନ |
ମିତା ଅନାଇ ଥିଲା ତ୍ରିଦେବକୁ | ତା ଆଖିରୁ ଲୁହ ଝରୁଥିଲା | କେତେ ମହାନ ଏ ତ୍ରିଦେବ ରାୟ !
ଏ ଘଟଣାର ଚାରିମାସ ପରେ ମିତାର ବାପା ତା ବାହାଘର ଠିକ କରିଥିଲେ ଜଣେ ଆଇଏଏସ ଅଫିସରଙ୍କ ସହ | ତ୍ରିଦେବ ଆସିଥିଲା ମିତାର ବାହାଘରକୁ ଶୁଭକାମନା ଜଣାଇବାପାଇଁ |
ମିତା ବାହା ହୋଇ ଦିଲ୍ଲୀ ଚାଲିଯାଇଥିଲା ସ୍ୱାମୀଙ୍କ ସହ ସଂସାର ଗଢିବା ପାଇଁ | ଆଉ ଏପଟେ ତ୍ରିଦେବ ଚାକିରିରୁ ଇସ୍ତଫା ଦେଇ ଭୁବନେଶ୍ୱରରୁ କେଉଁ ଅଜଣା ସହରକୁ ଚାଲିଯାଇଥିଲା ତାହା କାହାରିକୁ ଜଣା ନଥିଲା |
ନିଜ ଦୁନିଆକୁ ଫେରି ଆସିଲା ମିତା | ନିଜ ଜୀବନ କଥା ଭାବୁ ଭାବୁ କେତେବେଳେ ଯେ ସନ୍ଧ୍ୟା ହୋଇଯାଇଛି ତାକୁ ଜଣା ନାଇଁ | ଚହଲା ରେଷ୍ଟ ହାଉସରେ ଦୁଇଦିନ ରହିବ ବୋଲି ଆଗରୁ ଅନୁମତି ନେଇସାରିଛି ମିତା |
ନିଜ କୋଠରୀ ଆଡକୁ ପାଦ ପକାଇଲା ମିତା |
ହେଲେ ହଠାତ ଯାହା ଦେଖିଲା ସେ ଆଖିକୁ ବିଶ୍ୱାସ କରିପାରିଲାନି |
ଆଗରେ ଜଣେ ଭଦ୍ରବ୍ୟକ୍ତି ବସିଛନ୍ତି | ତାଙ୍କୁ ଦେଖି ଲାଗୁଚି ସେ ଯେମିତି ତାର କେହି ପରିଚିତି ବ୍ୟକ୍ତି |
ସମ୍ଭାଳି ପାରିଲାନି ନିଜକୁ | ସେ ବ୍ୟକ୍ତିଙ୍କ ପାଖରେ ପହଂଚିଗଲା ମିତା | ସେ କିଛି କହିବା ଆଗରୁ ବ୍ୟକ୍ତି ଜଣଙ୍କ କହି ଉଠିଲେ, କେମିତି ଅଛ ମିତା ?
ଚମକି ପଡିଲା ମିତା | ନିଜ ଆଖିକୁ ବିଶ୍ୱାସ କରି ପାରୁନଥିଲା ମିତା | ଏ ତ ତା ବନ୍ଧୁ ତ୍ରିଦେବ ରାୟ |
ବସିବା ଜାଗାରୁ ଠିଆ ହୋଇପଡିଲେ ତ୍ରିଦେବ | ତୁମେ ମୋତେ ଦେଖି ନିହାତି ଆଶ୍ଚର୍ଯ୍ୟ ହୋଇଯାଇଥିବ |
କି ଅପୂର୍ବ ସଂଯୋଗ କହିଲ ଦେଖି | ଆମେ ପୁଣି ଥରେ ଏଇ ଶିମିଳିପାଳରେ ଏତେବର୍ଷ ପରେ ପରସ୍ପରକୁ ଭେଟୁଛେ |
ତୁମେ କେମିତି ଅଛ ମିତା? ତ୍ରିଦେବ ପଚାରିଲେ ମିତାକୁ | ତୁମ ପରିବାର ସଦସ୍ୟମାନେ କାହାନ୍ତି ?
ମିତା କଣ ଉତ୍ତର ଦେବ ଭାବି ପାରୁନଥିଲା |
ତ୍ରିଦେବ କହିଲେ ତୁମେ କିଛି ଉତ୍ତର ଦେଉନ ଯେ!
ମିତା ଆଖି ଛଳ ଛଳ ହୋଇ ଯାଇଥିଲା | କଣ କହିବ ତ୍ରିଦେବଙ୍କୁ | ତା ଭଙ୍ଗା ଜୀବନର ଯନ୍ତ୍ରଣା କଥା କହି ତ୍ରିଦେବଙ୍କୁ କାହିଁକି ଦୁଃଖ ଦେବ ଯେ!
ମିତା, ତୁମେ କିଛି କହୁନ କାହିଁକି ?
ହଁ ତ୍ରିଦେବ ମୁଁ ବଂଚିଛି | ତୁମକୁ ସେଦିନ ଏକୁଟିଆ କରି ଚାଲି ଆସିଥିଲି ଆଉ ଆଜି ମୁଁ ଏକୁଟିଆ ହୋଇଯାଇଛି |
ତ୍ରିଦେବ କିଛି ବୁଝି ପାରୁନଥିଲେ | ମିତା ତ ଏତେ ବଡ ଅଫିସରକୁ ବାହା ହୋଇଥିଲା | ତେବେ ସେ ଏକୁଟିଆ କଣ ପାଇଁ |
ମିତା ତୁମେ ମୋତେ ସବୁ କଥା ଖୋଲି କୁହ | ମୁଁ ତୁମ ବନ୍ଧୁ ସେଇ ତ୍ରିଦେବ |
ମିତା କହିଲା, ତ୍ରିଦେବ ବାପା ସିନା ନିଜ ଜିଦି ରଖିବାକୁ ଏତେ ବଡ ଅଫିସର ସହ ବାହାଘର କରିଦେଇଥିଲେ ହେଲେ ଜୀବନର ସାଥି ହେବାପାଇଁ ସେ ଉପଯୁକ୍ତ ନଥିଲେ | ପ୍ରତିଷ୍ଠା, ପ୍ରତିପତ୍ତି, ସୁରା ସାକୀ ସେ ଭିତରେ ବୁଡି ରହୁଥିଲେ ସ୍ୱାମୀ ତାଙ୍କର | ସ୍ତ୍ରୀ ହିସାବରେ ସେ ଯେମିତି ଏକ କଣ୍ଢେଇ ଥିଲା |
ମୁଁ ସେଠି ଅଣନିଶ୍ୱାସୀ ହୋଇପଡିଲି | ମୁଁ ଅନୁଭବ କଲି ତାଙ୍କ ପାଇଁ ସ୍ତ୍ରୀର ଆବଶ୍ୟକତା ହିଁ ନାହିଁ କିଛି | ମୋ ସ୍ୱାଧୀନଚେତା ମନଟା ବିଦ୍ରୋହ କଲା | ଶେଷରେ ବାହାଘରର ପାଞ୍ଚବର୍ଷ ପରେ ମୁ ତାଙ୍କଠୁ ଦୂରେଇଗଲି ସବୁଦିନ ପାଇଁ | ବାପା ମୋ ଜୀବନର ଏ ଦୁଃଖ ଦେଖି ଭାଙ୍ଗିପଡିଲେ | ସେଇ ଚିନ୍ତାରେ ତାଙ୍କର ହୃଦଘାତରେ ଜୀବନ ଚାଲିଗଲା | ହେଲେ ମୋତେ କହିଥିଲେ, ମିତା ମୁ ତୋ ଜୀବନକୁ ନଷ୍ଟ କରିଦେଲି | ମୁ ଯଦି ସେଦିନ ତ୍ରିଦେବ ସହ ତୋ ବାହାଘର କରିଦେଇଥାନ୍ତି, ତୁ ଆଜି ସୁଖରେ ରହିଥାନ୍ତୁ | ବାପା ଚାଲିଯିବାର ଦୁଇମାସ ପରେ ମା ବି ଚାଲିଗଲେ | ଦୁଇ ଭାଇ ତ ବିଦେଶ ଚାଲି ଯାଇଥିଲେ | ମୁଁ ସେମିତି ଏକା ମା ବାପାଙ୍କ ଘରେ ରହୁଛି |
ମୁଁ ଭୁବନେଶ୍ୱର ଫେରିବା ପରେ ତୁମକୁ ବହୁତ ଖୋଜିଥିଲି | ହେଲେ ତୁମ ଠିକଣା ମୁଁ କେଉଁଠୁ ପାଇଁ ନଥିଲି |
ଛାଡ, ମୋ ଜୀବନ ତ ସରି ଯାଇଛି | ତୁମେ କୁହ ତୁମେ କେମିତି ଅଛ ?
ତ୍ରିଦେବ ଙ୍କ ଆଖିରୁ ଲୁହ ଝରୁଥିଲା | ସେ ତ ଭାବିଥିଲେ ମିତାର ଜୀବନ ବହୁତ ସୁଖମୟ ହୋଇଥିବ | ହେଲେ ଏ କଣ ! ମିତା ତ ଖୁବ ଏକାକୀ ହୋଇ ଯାଇଛି |
ମିତା କହିଲା, ତ୍ରିଦେବ ତୁମେ ନିଜ କଥା କହୁନ କାହିଁକି ?
ତ୍ରିଦେବ କହିଲା, ତୁମ ବାହାଘର ପରେ ମୁଁ ଭୁବନେଶ୍ୱର ଛାଡି ଚାଲି ଆସିଲି | ମୋତେ ଜୀବନଟା ବିଷମୟ ବୋଧହେଲା | ଭାବୁଥିଲି ଜୀବନ ହାରିଦେବି | ହେଲେ ସାହସ ଯୁଟାଇ ପାରିଲିନି | ଶେଷରେ ଋଷିକେଶ ଚାଲି ଆସିଲି | ଅନେକ ଆଶ୍ରମ ବୁଲିଲି ହେଲେ ମନ କେଉଁଠି ଲାଗିଲାନି |
ହଠାତ ଦିନେ ଜଣେ ଭଦ୍ରବ୍ୟକ୍ତି ଦେଖାହେଲେ | ସେ ଗୋଟେ ସଂସ୍ଥା ଚଳାଉଥିଲେ ଯାହା ନିରାଶ୍ରୟ ବୃଦ୍ଧ ବ୍ୟକ୍ତିମାନଙ୍କ ପାଇଁ ସବୁ ସୁବିଧା ଯୋଗାଇବା ଦିଗରେ କାମ କରୁଥିଲା | ମୋତେ ତାଙ୍କ ସହ ସାମିଲ ହେବାକୁ କହିଲେ ଆଉ ମୁ ସେଥିରେ ସାମିଲ ହୋଇଗଲି |
ମିତା ପଚାରିଲା, ଆଉ ତୁମ ଘର ସଂସାର କଥା କଣ ?
ତ୍ରିଦେବ କହିଲା, ତୁମ ଛଡା ମୁଁ ଆଉ କାହାକୁ ବାହା କେବେ ହୋଇ ପାରିନଥାନ୍ତି | ମୋ ଜୀବନରେ ତୁମ ଛଡା କେହି ନାହାନ୍ତି | ତେଣୁ ସାରା ଜୀବନ ତୁମ ସହ ବିତାଇଥିବା ମୁହୂର୍ତ୍ତକୁ ନେଇ ମୁଁ ବଂଚି ଚାଲିଛି |
ମିତା ଆଖିରୁ ଧାର ଧାର ଲୁହ ଝରିବାରେ ଲାଗିଥିଲା | କେତେ ମହାନ ତ୍ରିଦେବ | ତା ପାଇଁ ସାରା ଜୀବନ ଏକା ରହିଗଲେ |
କଣ କହିବ ଭାବି ପାରୁ ନଥିଲା ମିତା |
ଆରେ ମିତା, ତୁମେ କାନ୍ଦୁଛ କଣ ପାଇଁ | ଏ ଜୀବନଟା ଅଜବ | ମୁଁ ତ ଭାବିଥିଲି ତୁମ ସୁଖର ସଂସାର ବହୁତ ଭଲରେ ଚାଲିଥିବ | ହେଲେ ତୁମେ ବି ଜୀବନ ସାରା କଷ୍ଟ ପାଇଲ |
ମିତା କହିଲା, ତୁମେ ହଠାତ ଶିମିଳିପାଳ କେମିତି ଆସିଲ ତ୍ରିଦେବ?
ତ୍ରିଦେବ କହିଲା, ଅନେକ ଦିନରୁ ଭାବୁଥିଲି ଥରେ ଯେମିତିହେଲେ ଶିମିଳିପାଳ ଯିବି | ଆଉ ମନ କହୁଥିଲା, ହୁଏତ ପୁଣି ଥରେ ତୁମ ସହ ଦେଖା ହୋଇଯିବ | ଆଉ କି ଅପୂର୍ବ ସଂଯୋଗ ଦେଖ, ସତକୁ ସତ ତୁମ ସହ ଦେଖା ହୋଇଗଲା |
ଦୁହିଁଙ୍କ ଆଖିରୁ ଲୁହ ଝରୁଥିଲା କେମିତି ଏକ ଅନ୍ୟ ଆବେଗରେ |
ତ୍ରିଦେବ କହିଲା, ମୁଁ ତୁମକୁ ଗୋଟେ ଅନୁରୋଧ କରିବି, କଥା ରଖିବ ମୋର !
ମିତା କହିଲା, ମୁ ତୁମର ସବୁ ଅନୁରୋଧ ରଖିବି, କୁହ |
ତୁମେ ମୋ ସହ ଋଷିକେଶ ଯିବ ? ମୋ ସହ କାମ କରିବ ସେ ସଂସ୍ଥାରେ ? ଆମେ ସିନା ବାହା ହୋଇ ପାରିଲେନି, ହେଲେ ଶେଷ ଜୀବନରେ ଏକା ସାଥେ ଭଲ କାମ ତ କରିପାରିବା |
ମିତା ଏକନିଶ୍ବାସରେ କହିଉଠିଲା, ମୁଁ ତୁମ ସହ ଯିବି | ଆଉ ଭୁଲ କରିବିନି | ତୁମ ସଂସ୍ଥାରେ ବୃଦ୍ଧ ବ୍ୟକ୍ତିମାନଙ୍କ ପାଇଁ ମୁ ନିଜକୁ ନିୟୋଜିତ କରିବି |
ମିତା ଜାବୁଡି ଧରିଲା ତା ତ୍ରିଦେବକୁ | ତ୍ରିଦେବ ବି ମିତାକୁ ଜାବୁଡି ଧରିଲେ ପରମ ଆବେଗରେ |
ତା’ପରେ ମିତା ତ୍ରିଦେବ ସହ ଋଷିକେଷରେ ସେ ସଂସ୍ଥା ପାଇଁ ନିଜକୁ ସାମିଲ କରିଦେଲା |

Leave a Reply

Your email address will not be published. Required fields are marked *