ପ୍ରତିଦାନ

ଚାକିରିରୁ ଅବସର ନେଲାପରେ ଅନେକ ସମୟରେ ବିଜୟବାବୁ ପୁରୀକୁ ବୁଲିବାକୁ ଚାଲିଆସନ୍ତି |
ପୁରୀ ସମୁଦ୍ରକୂଳରେ ଥିବା ପାରିଜାତ ହୋଟେଲରେ ଦୁଇ ଚାରିଦିନ ରହି ପୁଣି ଭୁବନେଶ୍ୱର ଫେରି ଆସନ୍ତି | ହେଲେ ପୁରୀରେ ଯେତେଦିନ ରୁହନ୍ତି, ସମୁଦ୍ରକୂଳରେ ଅଧିକାଂଶ ସମୟ ଅତିବାହିତ କରନ୍ତି |
ବେଳାଭୂମିର ଆକର୍ଷଣ ତାଙ୍କ ପାଇଁ ଅନେକ କିଛି | ସୂର୍ଯ୍ୟ ଟିକେ ନଇଁ ଆସିଲେ, ହୋଟେଲ ଭିତରୁ ବାହାରି ଆସନ୍ତି ବିଜୟବାବୁ |ତାଙ୍କୁ ଗହଳି ଚହଳି ଏତେ ଭଲ ଲାଗେନି | ତେଣୁ ଗହଳି କମ ଥିବା ଜାଗାରେ ଗୋଟେ ଦରି ପକାଇ ବସିଯାଆନ୍ତି | ସମୁଦ୍ରରେ ଆସୁଥିବା ବିଶାଳ ଲହରୀମାଳାକୁ ନିରୀକ୍ଷଣ କରନ୍ତି |
ମନେ ପଡିଯାଏ ତାଙ୍କ ନିଜ ପିଲାଦିନର କଥାସବୁ | ସ୍କୁଲ ପରୀକ୍ଷା ସରିବାପରେ ମାଆବାପାଙ୍କ ସହ ପୁରୀ ବୁଲିବାକୁ ଚାଲି ଆସୁଥିଲେ | ବାପାମା ଯେତେ ଆକଟ କଲେ ବି ଢେଉ ଭାଙ୍ଗିବାକୁ ପାଣି ଭିତରେ ପଶି ଯାଉଥିଲେ | ଆଉ ବେଳେବେଳେ ସେଥିପାଇଁ ମା’ଙ୍କଠୁ ଅନେକ ଗାଳିବି ଶୁଣୁଥିଲେ କାଳେ କିଛି ଅଘଟଣ ଘଟିଯିବ ବୋଲି | ତଥାପି ଢେଉ ଭାଙ୍ଗିବା ନିଶାକୁ ଛାଡି ପାରୁନଥିଲେ |
ଆଉ ଏବେ ପରିଣତ ବୟସରେ ପୁରୀ ଆସୁଛନ୍ତି, ସମୁଦ୍ରକୂଳରେ ବସୁଛନ୍ତି ହେଲେ ଢେଉ ଭାଙ୍ଗିବା ନିଶା କେବେଠୁ ଭାଙ୍ଗି ଯାଇଛି ତାଙ୍କର | ମା’ ବାପା ବି ସେପାରିକୁ କେବେଠୁ ଚାଲିଗଲେଣି | ଏକାକୀ ନୀରବରେ ବାଲି ଉପରେ ବସି, ସମୁଦ୍ର, ତା ନୀଳ ଜଳରାଶି, ବିସ୍ତୀର୍ଣ୍ଣ ନୀଳ ଆକାଶ ଆଉ ଅତୀତ ସମୟ,ଏସବୁରେ ସେ ସମୟ ହିଁ କାଟୁଛନ୍ତି ଯାହା |
ବିଜୟବାବୁ ଉଚ୍ଚ ସରକାରୀ ପଦଵୀରେ ଅବସ୍ଥାପିତ ହୋଇଥିଲେ | ଭାରତର ବିଭିନ୍ନ ପ୍ରଦେଶରେ ଉଚ୍ଚ ପଦ ପଦବୀରେ କାମ କରିଛନ୍ତି | ସେଇଥିପାଇଁ ସେ ସମାଜର ସବୁ ବର୍ଗର ଲୋକମାନଙ୍କ ସହ ସହଜରେ ମିଶି ପାରୁଥିଲେ | ସମସ୍ତେ ବି ବିଜୟବାବୁଙ୍କୁ ଭଲ ପାଉଥିଲେ | ଖୁବ ଛୋଟ ସଂସାରଟିଏ ତାଙ୍କର ଥିଲା | ପତ୍ନୀ ବି ଉଚ୍ଚ ସରକାରୀ ପଦବୀରେ କାମ କରୁଥିଲେ | ଗୋଟିଏ ବୋଲି ପୁଅ ଅମରେଶ | ଖୁବ ଭଲ ଛାତ୍ର ଥିଲା  | ତେଣୁ ଆମେରିକାରେ ଭଲ ଚାକିରୀ କରୁଛି ଆଉ ଏବେ ଆମେରିକାରେ ନିଜ ସ୍ତ୍ରୀ ପିଲସହ ରହୁଛି | ପତ୍ନୀ ଜୟା ହୃଦରୋଗରେ ସାତବର୍ଷ ହେଲା ସେ ପାରିରେ | ପୁଅ କେତେଥର ତା ପାଖରେ ଆମେରିକାରେ ରହିବାପାଇଁ ଅନୁରୋଧ କରିଥିଲା | ହେଲେ ନିଜ ଜନ୍ମମାଟିର ମୋହ ତାଙ୍କୁ ବାନ୍ଧି ରଖିଥିଲା | ଭୁବନେଶ୍ୱରରେ ଗୋଟେ ବଡ ଆପାର୍ଟମେଣ୍ଟରେ ଏକାକୀ ରହୁଛନ୍ତି |
ପିଲାଟି ଦିନରୁ ନିଜ କାମ ନିଜେ କରନ୍ତି ଆଉ ଏ ପର୍ଯ୍ୟନ୍ତ ତାହା ବଜାୟ ରଖିଛନ୍ତି | ନିଜେ ସବୁ ପ୍ରକାର ରୋଷେଇ ଜାଣିଛନ୍ତି | ତେଣୁ ରନ୍ଧାବଢ଼ା ନିଜେ କରନ୍ତି | ଖାଲି ଘରକାମ ପାଇଁ ଜଣେ ସ୍ତ୍ରୀଲୋକ ସକାଳେ ସନ୍ଧ୍ୟାରେ ଆସେ ଯାହା | ବହି ପଢିବା ଲେଖାଲେଖି କରିବାରେ ତାଙ୍କ ସମୟ ବିତି ଯାଏ | ନିଜକୁ ନେଇ ଯାହା ତାଙ୍କର ନିଜ ଜୀବନ |
ଏଥର ଖରାଦିନେ ଭୀଷଣ ଖରା ହେଉଥିଲା ଭୁବନେଶ୍ୱରରେ | ତେଣୁ ବିଜୟବାବୁ ଠିକ କରିଥିଲେ ଯେ ପୁରୀରେ ମାସେ ଯାଏଁ ରହିଯିବେ | ସେଇଥିପାଇଁ ଗୋଟେ ଘର ଭଡାରେ ନେଇଛନ୍ତି | ପୁରୀରେ ସମୁଦ୍ରକୂଳ ପାଇଁ ଗରମ ଏତେ ଜଣାପଡ଼ୁନି | ବେଳେବେଳେ ତାଙ୍କ ମନ କହୁଛି ପୁରୀରେ ଗୋଟେ ଘର କିଣି ସବୁଦିନ ପାଇଁ ରହିଯିବାକୁ |
ଯଦିଚ ଭୁବନେଶ୍ୱରର ଖରା ପରି ପୁରୀରେ ଗରମ ହେଉନଥିଲା ତଥାପି କିଛିଟା ଗରମ ହେଉଥିଲା ଏଥର ପୁରୀରେ | ଆଜିକାଲି ଜଳବାୟୁ ବି ଅନେକ ବଦଳିଯାଇଛି | କିଛି ଦିନର ପ୍ରଚଣ୍ଡ ଗୁଳୁଗୁଳି ଆଉ ଖରା ପରେ ଆଜି ପାଗଟା ଟିକେ ନରମ ଥିଲା |
ବିଜୟବାବୁ ଦିନ ତିନିଟା ବେଳକୁ ସମୁଦ୍ରକୂଳକୁ ବାହାରିଗଲେ | ଆଜି ସମୁଦ୍ରକୂଳ ବହୁତ ଗହଳି ଥିଲା | ପାଗ ଭଲଥିବାରୁ ଅନେକ ଲୋକ ସମୁଦ୍ରକୂଳକୁ ଆସୁଥିଲେ | ବିଜୟବାବୁ ଏକାକୀ ସମୁଦ୍ର ଢେଉ ଆଉ ନୀଳ ଆକାଶ ଭିତରେ ହଜିଯାଇଥିଲେ |
ହଠାତ ସେ ଲକ୍ଷ କଲେ କିଛି ଦୂରରେ ଲୋକମାନେ ପାଟି କରୁଛନ୍ତି | ଧାଁ ଧପଡ଼ କରୁଛନ୍ତି | ନିଜ ବସିବା ଜାଗାରୁ ଉଠିପଡ଼ି ସେ ବି ଜୋର ଜୋରରେ ପାଦ ପକାଇ ଚାଲିଲେ ସେଇ ଜାଗାକୁ | ପହଂଚି ଦେଖିଲେ, ଲୋକେ କହୁଛନ୍ତି ଜଣେ ଲୋକ ସମୁଦ୍ର ପାଣିରେ ଗାଧୋଉ ଗାଧୋଉ ଭାସି ଯାଇଛନ୍ତି | ହେଲେ କେହି ପାଣି ଭିତରକୁ ପଶୁ ନାହାନ୍ତି | ବିଜୟବାବୁ କିଛି ଚିନ୍ତା ନକରି ପାଣି ଭିତରେ ପଶି କଷ୍ଟରେ ଉଦ୍ଧର କଲେ ସେ ଲୋକ ଜଣକୁ | ବିଚରା ଲୋକଟି ପାଣି ପିଇ ଯାଇଥିଲା | ତେଣୁ ବିଜୟବାବୁ କିଛି ଲୋକଙ୍କ ସାହାଯ୍ୟରେ ସେ ଲୋକଜଣଙ୍କୁ ପାଖରେ ଥିବା ଡାକ୍ତରଖାନାକୁ ନେଇଗଲେ|
ଡାକ୍ତର ଆସି ଚିକିତ୍ସା କରିବାରେ ଲାଗିଲେ | ବାହାରେ ଅପେକ୍ଷ୍ୟା କରିଥିଲେ ବିଜୟବାବୁ |
କିଛି ସମୟପରେ ଡାକ୍ତରବାବୁ ବିଜୟବାବୁଙ୍କୁ ଡାକିଲେ ଆଉ କହିଲେ, ଲୋକ ଜଣକ ଭଲ ହୋଇଯିବେ | ମୁଁ ସେ ପିଇ ଯାଇଥିବା ଲୁଣିପାଣି ସବୁକୁ ବାହାର କରି ଦେଇଛି | ଆପଣ ଠିକଣା ସମୟରେ ନେଇଆସିଛନ୍ତି, ନହେଲେ ତାଙ୍କର ବଂଚିବାର ଆଶା ନଥିଲା |
ଡାକ୍ତରଙ୍କୁ ଧନ୍ୟବାଦ ଦେଲେ ବିଜୟବାବୁ | ଯାହାହେଉ ଲୋକଟି ଆସନ୍ନ ମୃତ୍ୟୁ ମୁଖରୁ ବଂଚିଗଲା |
ଡାକ୍ତର କହିଲେ, ତାଙ୍କୁ ଦୁଇ ତିନି ଦିନ ରଖିବାକୁ ପଡିବ | ସମ୍ପୂର୍ଣ୍ଣ ସୁସ୍ଥ ହେଲାପରେ ଘରକୁ ଯାଇପାରିବେ | ଆପଣ  ବର୍ତ୍ତମାନ ତାଙ୍କ ପାଖକୁ ଯାଇପାରିବେ |
ବିଜୟବାବୁ ଲୋକଟି ପାଖକୁ ଗଲେ | ଯଦିଚ ଚେତା ଫେରିନି, ଲୋକଟି ଯେମିତି ଶାନ୍ତିରେ ଶୋଇ ପଡିଛି | ଯାହାହେଉ ଭଗବାନ ବଞ୍ଚାଇ ଦେଲେ ଲୋକଟିକୁ | ତେବେ ଏ ଲୋକଟି କିଏ ? ତା ସାଙ୍ଗରେ ତା ପରିବାର ଲୋକ ବି କେହି ନାହାନ୍ତି |ଭଲକି ଅନେଇଲେ ଲୋକଟିକୁ | ତାଙ୍କୁ ଯେମିତି ମନେ ହେଲା ଏ ତାଙ୍କର ପରିଚିତି ବ୍ୟକ୍ତି | ଯେମିତି ସେ ଚିନହୀଛନ୍ତି ଲୋକଟିକୁ ଆଗରୁ | ଅନେକ ମନେ ପକେଇବାକୁ ଚେଷ୍ଟା କଲେ ହେଲେ, ଜାଣିପାରୁନଥିଲେ କିଏ ଏହି ବ୍ୟକ୍ତି ଜଣଙ୍କ | କିନ୍ତୁ କିଛି ମନେ ପଡୁନଥିଲା ତାଙ୍କର | ହେଲେ ତାଙ୍କ ମନ କିନ୍ତୁ କହୁଥିଲା, ସେ ବ୍ୟକ୍ତିକୁ ଆଗରୁ ଜାଣିଛନ୍ତି ଯେମିତି |
କେମିତି ଜାଣିବେ ସେ କିଏ ? ଲୋକଟିର ତ ଚେତା ନାହିଁ | ହେଉ,ଚେତା ଫେରିଲେ ସବୁ ଜଣା ପଡିବ |
ବିଜୟବାବୁ ସେଇ ଡାକ୍ତରଖାନାରେ ବ୍ୟକ୍ତିଟି ପାଖରେ ରହିଲେ | ଦୁଇ ଦିନ ପରେ ଆଖି ଖୋଲିଲା ଲୋକଟି | ଡାକ୍ତରବାବୁ ପାଖରେ ଥିଲେ, କହିଲେ, ଦେଖନ୍ତୁ ଆପଣଙ୍କୁ ଏ ବିଜୟବାବୁ ବଂଚାଇଛନ୍ତି | ସେ ଆପଣଙ୍କୁ ଉଦ୍ଧାର ନକରିଥିଲେ, ଆପଣ ଆଉ ବଂଚି ନଥାନ୍ତେ |
ବିଜୟବାବୁଙ୍କ ହାତକୁ ଧରି ପକାଇଲେ ବ୍ୟକ୍ତି ଜଣଙ୍କ | ଆଖିରୁ ଧାର ଧାର ହୋଇ ଲୁହ ବୋହିଗଲା ତାଙ୍କର | ବିଜୟବାବୁ ଦୁଇ ହାତରେ ଲୁହ ପୋଛି କହିଲେ, ଭଗବାନ ଆପଣଙ୍କୁ ବଂଚାଇଛନ୍ତି | ମୁଁ ଖାଲି ମାଧ୍ୟମ ମାତ୍ର |
ବିଜୟବାବୁ ପଚାରିଲେ ଆପଣଙ୍କ ନାଁ କଣ ?
ବ୍ୟକ୍ତି ଜଣଙ୍କ ଉତ୍ତର ଦେଲେ, ମୁଁ ସୁଜୟ ରାୟ | ଦିଲ୍ଲୀରେ ବ୍ୟବସାୟ କରେ |
ବିଜୟବାବୁଙ୍କୁ ଯେମିତି ମନେହେଲା, ଏ ନାଁ ସେ ଆଗରୁ ଜାଣିଛନ୍ତି |
ଆପଣଙ୍କ ପ୍ରକୃତ ଘର କେଉଁଠି? ବିଜୟବାବୁ ପଚାରିଲେ ସୁଜୟଙ୍କୁ |
ମୋ ଘର ଭଦ୍ରକ | ଭଦ୍ରକ କଲେଜରୁ ପାଠ ପଢା ସରିଲା ପରେ ମୁଁ ଦିଲ୍ଲୀ ଚାଲିଯାଇଥିଲି ବ୍ୟବସାୟ କରିବାକୁ |
ବିଜୟବାବୁ ସଂଗେ ସଂଗେ କହି ଉଠିଲେ, ଆରେ ତୁ ମୋ ସାଙ୍ଗ ସୁଜୟ | ଆମେ ଏକା ସାଙ୍ଗରେ ଭଦ୍ରକ କଲେଜ ରେ ପଢୁଥିଲେ | ଏ ଭିତରେ ତୁ ପୁରା ବଦଳି ଯାଇଛୁ | ମୋର ବି ଅନେକ ଶାରୀରିକ ପରିବର୍ତ୍ତନ ହୋଇଯାଇଛି  |
ସୁଜୟବାବୁ ବିଛଣାରୁ ଉଠି ବସି ପଡିଲେ | ଆରେ ବିଜୟ, ଏତେଦିନ ପରେ ତୋର ମୋର ଦେଖା ହେଲା | ନାଁ ମୁଁ ତୋତେ ଚିନ୍ହି  ପାରୁଛି ନା ତୁ ମୋତେ ଚିନ୍ହି  ପାରୁଛୁ  | ଦୁଇ ବନ୍ଧୁ ପରମ ଆବେଗରେ ପରସ୍ପରକୁ କୁଣ୍ଢାଇ ପକାଇଲେ |
ବିଜୟବାବୁ କହିଲେ, ତୋତେ ଦେଖି ମୋତେ ଲାଗୁଥିଲା ଯେ ମୁଁ ତୋତେ ଆଗରୁ ଜାଣିଛି ବୋଲି | ମୋତେ କ୍ଷମା କରିଦେବୁ ସୁଜୟ | ମୁଁ ତୋତେ ଯାହା ଜାଣିପାରିଲିନି |
ସୁଜୟବାବୁ କହିଲେ, ମୁଁ ବି କଉ ତତେ ଜାଣିପାରିଲି ଯେ! ତୁ ମୋର ଏତେ ବଡ ଉପକାର କଲୁ | ମୋ ଜୀବନ ବଂଚାଇଲୁ | ଭଗବାନ ତୋର ମଙ୍ଗଳ କରିବେ |
ବିଜୟବାବୁ କହିଲେ, ନାଇଁ ମୁଁ କିଛି କରିନି, ତୁ ହିଁ ଦିନେ ମୋତେ ସମୁଦ୍ର ପାଣିରୁ ବଞ୍ଚାଇଥିଲୁ ଏମିତି ଚନ୍ଦ୍ରଭାଗା ସମୁଦ୍ରକୂଳରେ | ତୋର ସେ କଥା ମାନେ ଅଛି କି ନାଇଁ ମୁଁ ଜାଣିନି | ଆମେ କଲେଜ ପଢିଲାବେଳେ ଥରେ ଖରାଛୁଟିରେ ଦୁଇଜଣ ଯାଇଥିଲେ ଚନ୍ଦ୍ରଭାଗା ବୁଲିବାକୁ | ସେଠି ସମୁଦ୍ରରେ ଗାଧୋଇଲାବେଳେ ମୁ ବୁଡି ଯାଉଥିଲି | ସମୁଦ୍ର ଢେଉ ମାଡ଼ରେ ମୁଁ ବୁଡିବାରେ ଲାଗିଥିଲି | ତୁ କଣ କରିବୁ ଭାବି ପାରୁନଥିଲୁ | ତୁ ପହଁରା ଜାଣିନଥିଲୁ ବୋଲି ସବୁ ଲୋକଙ୍କୁ ନେହୁରା ହେଉଥିଲୁ ମୋତେ ଉଦ୍ଧାର କରିବା ପାଇଁ | ହେଲେ କେହି ସାହସ ଯୁଟାଇ ପାରୁନଥିଲେ | ଶେଷରେ ତୁ ତୋ ଜୀବନକୁ ବାଜି ଲଗେଇ ମୋତେ ପାଣିରୁ ଉଦ୍ଧାର କରିଥିଲୁ |
ମୋର ଏବେ ବି ମନେ ଅଛି | ମୋର ଦୁଇଦିନ ଧରି ଚେତା ନଥିଲା | ତୁ କିଛି ନଖାଇ ନପିଇ ସେମିତି ଡାକ୍ତରଖାନାରେ ମୋ ପାଖେ ପାଖେ ଥିଲୁ | ଆଉ ଯେତେବେଳେ ମୋ ଚେତା ଫେରିଲା ତୁ ଖୁସିରେ କାନ୍ଦି ପକେଇଥିଲୁ | ଫେରିଲା ବାଟରେ ଆମେ ପୁରୀ ଯାଇ ଜଗନ୍ନାଥଙ୍କୁ କୃତଜ୍ଞତା ଜଣାଇଥିଲେ | ସେଦିନ ତୁ ମୋତେ ବଞ୍ଚାଇ ନଥିଲେ ମୁଁ ଆଜି କଣ ତୋତେ ବଞ୍ଚାଇ ପାରିଥାନ୍ତି ! ତେଣୁ ମୁଁ ତୋ ପାଖରେ ଚିରଋଣୀ |
 କଲେଜ ପଢ଼ାପରେ ତୁ ଦିଲ୍ଲୀ ଚାଲି ଯାଇଥିଲୁ ଆଉ ମୁଁ  ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ କଲିକତା ଚାଲିଗଲି | ତାପରେ ଆମେ କେହି କାହାରି ଖୋଜ ଖବର ରଖିନଥିଲେ | ଆଉ ପରିଣତ ବୟସରେ ଭଗବାନ ଆମ ଦୁହିଁଙ୍କୁ  ଏମିତି ମିଳାଇଲେ | ଦୁଇବନ୍ଧୁଙ୍କ ଆଖିରୁ ଆନନ୍ଦର ଲୁହ ଧାର ଧାର ହୋଇ ଝରୁଥିଲା |
ସୁଜୟବାବୁ କହିଲେ ମୋର ସବୁ ମନେ ଅଛି ବିଜୟ | ମୁଁ  କିଛି ଭୁଲିନି | ସେଦିନ ମୁ ତୋତେ କେମିତି ପାଣିରୁ ଉଦ୍ଧାର କଲି ମୁ ଜାଣେନି | ବୋଧହୁଏ ଜଗନ୍ନାଥ ହିଁ ଆମକୁ ସାହା ହୋଇଥିଲେ |
ପାଠପଢା ସରିଲାପରେ, ଆମେ ଦୁହେଁ କେବେବି ଆଉ ପରସ୍ପରର ଖବର ରଖିନେ | ସମୟ ଆମ ଦୁହିଁଙ୍କୁ ଅନେକ ଦୁରକୁ ନେଇଗଲା | ଆଉ ଆଜି ପୁଣି ସେଇ ସମୟ ଆମକୁ ଏକାଠି କରିଦେଲା | ଦୁଇ ବନ୍ଧୁଙ୍କ ଆଖିରୁ ସେମିତି ଲୁହ ଝରି ଚାଲିଥିଲା |
ଡାକ୍ତରବାବୁ ଆସି ପ୍ରକୃସ୍ଥିତ କରାଇଲେ ଦୁଇ ବନ୍ଧୁଙ୍କୁ | କହିଲେ ଏ ହିଁ ପ୍ରକୃତ ବନ୍ଧୁତା | ବିଜୟବାବୁ, ଆଜି ଆପଣ ପ୍ରତିଦାନରେ ସୁଜୟବାବୁଙ୍କ ଜୀବନ ବଂଚାଇଛନ୍ତି | ଆପଣ ଦୁଇ ଜଣ ସଚ୍ଚା ବନ୍ଧୁ | ଦୁନିଆରେ ଏମିତି ବନ୍ଧୁ ସମସ୍ତଙ୍କୁ ମିଳୁଥାନ୍ତୁ | ଆପଣମାନେ ଆଉ ବ୍ୟସ୍ତ ହୁଅନ୍ତୁନି |ମୁଁ ଆଜି ସୂଜୟବାବୁଙ୍କୁ ଡିସଚାର୍ଜ କରିଦେଉଛି | ଆପଣମାନେ ଘରକୁ ଯାଇ ବିଶ୍ରାମ ନେବେ | ଅନେକ ଦିନ ପରେ ଦୁଇ ବନ୍ଧୁ ସୁଖଦୁଃଖ ବାଣ୍ଟିବେ |
ବିଜୟବାବୁ ଆଉ ସୂଜୟବାବୁ ଏକସଙ୍ଗେ କହିଲେ ଡାକ୍ତରବାବୁ,  ଆମେ ଦୁହେଁ ଆପଣଙ୍କ ପାଖରେ କୃତଜ୍ଞ |
ଡାକ୍ତରବାବୁ ଚାଲିଗଲେ ସୂଜୟବାବୁଙ୍କ ଡିସଚାର୍ଜ କାଗଜ ପ୍ରସ୍ତୁତ କରିବା ପାଇଁ |
ଦୁଇ ବନ୍ଧୁ ପରସ୍ପରକୁ ଚାହିଁଥିଲେ ଏକ ଅବ୍ୟକ୍ତ ଆନନ୍ଦରେ ଅଧୀର ହୋଇ ଆଉ ସେପଟେ ଶୁଭୁଥିଲା ଜଗନ୍ନାଥ ମନ୍ଦିରର ଘଣ୍ଟଧ୍ୱନି ଯାହା ପ୍ରତିଧ୍ବନିତ ହୋଇଚାଲିଥିଲା ସମଗ୍ର ସହର ଭିତରେ |

Leave a Reply

Your email address will not be published. Required fields are marked *