ଫଗୁଣ ଓ ନିଦାଘ

ଫଗୁଣ ଆସିଲେ
ମନରେ ଆନନ୍ଦର ଫୁଆର
ସୃଷ୍ଟି ହୁଏ,
ଚାରିଆଡେ କେମିତି ଏକ
ଅପୂର୍ବ ଉନ୍ମାଦନା
ଦେଖା ଦିଏ ନୂତନତ୍ୱର |
ଆନନ୍ଦର କଲ୍ଲୋଳ
ସୃଷ୍ଟି ହୁଏ
ମନ ଆଉ ପ୍ରାଣତନ୍ତ୍ରିରେ,
ଯାହାକୁ ନେଇ
ଆବେଗର ରଙ୍ଗ ମାଖେ
ସମ୍ପର୍କର କାନଭାସ ଦେହରେ |
ପେନ୍ଥା ପେନ୍ଥା
ଆମ୍ବକଷି ଝୁଲୁ ଥାଏ
ଆମ୍ରବୃକ୍ଷର ସବୁଜିମା ଦେହରେ
ଆଉ କୋଇଲିର କୁହୁତାନ
ତା ସାଥୀକୁ ଆକର୍ଷଣ
କରୁଥାଏ ନିବିଡ ଭାବରେ |
ହେଲେ ଫଗୁଣ ଚାଲିଗଲାପରେ
ଯେତେବେଳେ ପ୍ରଚଣ୍ଡ ରୌଦ୍ରତାପ
ଉଙ୍କି ମାରେ
ପ୍ରକୃତି ବକ୍ଷରେ,
ଧୁ ଧୁ ନିଦାଘରେ
ସବୁ କିଛି ଉଦାସମୟ
ହୋଇଯାଏ
ମନ ଆଉ ପ୍ରାଣତନ୍ତ୍ରିରେ |
ତେଣୁ ଋତୁଚକ୍ରର
ପରିବର୍ତ୍ତନର ପ୍ରଭାବ ପରି,
ମଣିଷ ଜୀବନରେ
ବି କେତେବେଳେ ଖୁସିର
ଫଗୁଣ ଉଙ୍କିମାରେ ତ
କେତେବେଳେ ଯନ୍ତ୍ରଣାର
ପ୍ରଚଣ୍ଡ ରୌଦ୍ରତାପରେ
ମଣିଷ ହତାଶ ହୋଇଯାଏ |
ତେଣୁ ଖୁସି କି ଯନ୍ତ୍ରଣା
ଯେତେବେଳେ ଯାହା ଆସୁ,
ତାକୁ ସାମନା କରିପାରୁଥିବାର
ସାମର୍ଥ ରଖିପାରୁଥିବା
ମଣିଷ ହିଁ ସବୁକିଛି
ପରିସ୍ତିତିକୁ ନିୟନ୍ତ୍ରଣ
କରିପାରେ |

Leave a Reply

Your email address will not be published. Required fields are marked *