ଜୀବନର ବାସ୍ତବତା

ଯେ ପର୍ଯ୍ୟନ୍ତ
ଦେହରେ ଜୀବନ ଅଛି,
ଏ ମଣିଷର ସତ୍ତା ଅଛି,
ତା’ର ନିଜସ୍ୱ ଅବସ୍ଥିତି ଅଛି,
ସବୁ କିଛି ପଦ ପଦବୀର
ମର୍ଯ୍ୟାଦା ଅଛି,
ଦୁନିଆରେ
ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ବୋଲି
ତା’ର ପତିଆରା ଅଛି |
ଆଉ କାଲି
ଏ ଦେହରୁ ଜୀବନ ଚାଲିଗଲାପରେ,
ଜୀବରୁ ଶବ ପାଲଟିବ
ସେଇ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଟି,
ଜ୍ଞାତି, ବନ୍ଧୁ ପରିଜନ ଲାଗିପଡ଼ିଥିବେ
କୋକେଇ ସଜାଡିବାରେ,
କିଏ ଅତି ଆପଣାର କାନ୍ଦୁଥିବ
ସେ ମଣିଷଟି ପାଇଁ,
ଆଉ କିଏ ମନେ ପକାଉଥିବ
ଏକାଠି ବିତାଇଥିବା ମୁହୂର୍ତ୍ତକୁ ନେଇ,
ଶ୍ମଶାନରେ
ଜୁଇ ନିଆଁ ଲାଗିଗଲାପରେ,
ଜଣ ଜଣ ହୋଇ ବାହୁଡ଼ିବେ
ଆପଣ ଘରକୁ,
ଆଉ ଏମିତି ଏମିତି ଦଶ/ଏଗାର ଦିନ ପରେ,
ସେଇ ବ୍ୟକ୍ତିର
ଶୂନ୍ୟସ୍ଥାନ ପୁରା କରିବାକୁ
ଆଗେଇ ଆସିବେ
ବିଗତ ଦିନର ଅଭୁଲା
ଭାବଭରା ଅନୁଭୂତିସବୁ,
ଦିନସବୁ ଆଗକୁ ଆଗକୁ
ମାଡି ଚାଲୁଥିବ,
ସେ ବ୍ୟକ୍ତିଟି ଏବେ
ଖାଲି ସ୍ମୃତି ହୋଇ ରହିଯିବ
ମନରେ,
ଚିତ୍ରପଟରେ,
ପ୍ରତିମୂର୍ତ୍ତିରେ …
ଏହାହିଁ
ଜୀବନର ଧୃବ ସତ୍ୟ,
ସବୁ କ୍ଷଣିକ, ଆପେକ୍ଷିକ,
ମୁହୂର୍ତ୍ତରେ ସବୁ ଆରମ୍ଭ
ଆଉ ପଲଙ୍କରେ ସବୁ ଶେଷ,
ହେଲେ କେତେଜଣ
ବୁଝି ପାରନ୍ତି
ସଂସାରର ଏ ବାସ୍ତବତାଭରା
ଆଲେଖ୍ୟକୁ!!

Leave a Reply

Your email address will not be published. Required fields are marked *