ଯେଉଁଠି ସଚ୍ଚା ଭଲ ପାଇବା ଥାଏ,
ସେଠି କେବେ କୃତ୍ତିମତା ନଥାଏ,
ନଥାଏ ସେଠି ସ୍ୱାର୍ଥପରତା,
ନଥାଏ ସେଠି ଆବିଳତା,
ସେଠି ଖାଲି ଥାଏ ଅନାବିଳ
ସ୍ନେହର ସମର୍ପଣତା |
ଭଲପାଇବା ସ୍ବର୍ଗୀୟ,
ସେଠି ନଥାଏ
ନାରୀ/ପୁରୁଷର ଭେଦଭାବ,
ନଥାଏ ନିର୍ଦିଷ୍ଟ ସମ୍ପର୍କର ସୀମାରେଖା,
ନଥାଏ ସେଠି ପୁଞ୍ଜିଭୂତ ଅହଂକାର,
ନଥାଏ ସେଠି ପ୍ରାଚୁଯ୍ୟର ସମ୍ଭାର |
ଭଲପାଇବାକୁ ଆମେ କେବେ
ବାନ୍ଧିପାରିବାନି ସଂକୀର୍ଣ୍ଣତାର
ଅନ୍ଧ ଅର୍ଗଳୀରେ,
ଭଲପାଇବାକୁ ଆମେ କେବେ
ଦର୍ଶାଇପାରିବାନି ବଡିମାର
ଉଚ୍ଚ ପ୍ରାଚୀରରେ,
ଭଲପାଇବାକୁ ଆମେ କେବେ
ଆକ୍ଷେପ କରିପାରିବାନି
ସଂକୀର୍ଣ୍ଣତାର ବର୍ଣ୍ଣଛିଟାରେ |
ସବୁ ମଣିଷମାନେ
ଜାଣିପାରନ୍ତିନି ଯେ
ନିଚ୍ଛକ ଭଲପାଇବାଟା
ଏତେ ସହଜ, ଏତେ ହାଲକା,
ଭଲପାଇବାର ସଂଜ୍ଞା
ଅନେକ ଗଭୀର,
ଯାହାକୁ ବୁଝିବାକୁ ହେଲେ
ଭାବର ବର୍ଣ୍ଣବୋଧସବୁକୁ
ଗୋଟି ଗୋଟି କରି
ବୁଝିବାକୁ ହୁଏ,
ସମ୍ପର୍କର କାନଭାସ ଉପରେ
ଆଙ୍କିବାକୁ ପଡେ,
ଅନୁରାଗର ଚିତ୍ରପଟଟିକୁ
ଖୁବ ଆବେଗର ସହ,
ଖୁବ ସନ୍ତର୍ପଣର ସହ,
ଖୁବ ନିଷ୍ଠାର ସହ,
ଖୁବ ଯତ୍ନର ସହ,
ପରିଶେଷରେ ସେ
ପ୍ରକାଶିତ ହୁଏ,
ଏକ ଅନନ୍ୟ ଭଲ ପାଇବାରେ……