ଭୋର ସକାଳ ହୋଇଥିଲା |
ମା’ ମା’ ମୋ ପରୀକ୍ଷା ପାଖେଇ ଆସିଲାଣି | ଯେତେ ପଢିଲେ ବି ପାଠ ସରୁନି | ମୁଁ ଜାଣିପାରୁନି ପରୀକ୍ଷାରେ ଭଲ କରି ପାରିବି ନା ନାଇଁ | ଏକା ନିଶ୍ୱାସରେ କୃଷ୍ଣ କହୁଥିଲା ତା ମା’ ଦେବକୀକୁ |
ମା’ ତା’ର କହିଲା ତୁ କାଇଁ ଏତେ ବ୍ୟସ୍ତ ହେଉଛୁ ଯେ! ତୋ ପରୀକ୍ଷା ତ ଆଉ ଗୋଟେ ମାସ ଅଛି | ଦେଖିବୁ, ସେତେବେଳକୁ ତୋର ସବୁ ପାଠ ପଢା ସରି ଯାଇଥିବ |
କୃଷ୍ଣ କହିଲା, ନାଇଁ ମା’ ବହୁତ ପାଠ ଅଛି | ପରୀକ୍ଷାରେ ଭଲ ନକଲେ ମୁଁ ଡାକ୍ତରୀ ପାଠ ପଢି ପାରିବିନି | ତାହାଲେ ବାପା ଆଉ ତୁ ଯେଉଁ ମୋ ପାଇଁ ସ୍ବପ୍ନ ଦେଖୁଥିଲ ଯେ ତୁମ ପୁଅ ଡାକ୍ତର ହେବ, ମୁଁ ତୁମ ସ୍ବପ୍ନ କେବେ ପୁରା କରିପାରିବିନି |
ମା’ କୃଷ୍ଣକୁ ବୁଝାଉଥିଲା ତୁ ଜମାରୁ ବ୍ୟସ୍ତ ହୁଅନା , ଦେଖିବୁ ତୁ ପରୀକ୍ଷାରେ ଭଲ କରିବୁ ଆଉ ଦିନେ ଡାକ୍ତର ହେବୁ |
ମା’ କଥାରେ କୃଷ୍ଣକୁ ଟିକେ ଆଶ୍ବସ୍ତି ଲାଗିଲା |
ହେଉ ମା’ ମୁଁ ଯାଉଛି ପଢିବାକୁ ସେ ଘରକୁ | ଯାଉ ଯାଉ ପଛକୁ ଫେରିଲା କୃଷ୍ଣ | ମା’ ତୋ ମେଡ଼ିସିନ ଖାଇଛୁ ତ ଆଜି! ମା’ ଉତ୍ତର ଦେଲା ହଁ ରେ ଧନ ଖାଇଛି | ତୁ ଯା ପଢ଼ିବୁ | ମୁ ଯାଉଛି ରନ୍ଧାବଢ଼ା କରିବାକୁ |
ରୋଷେଇ ଘରେ ବସି ପଡିଲା ଦେବକୀ | ଭାବି ବସିଲା ତା ପଛ ଦିନର କଥା ସବୁକୁ |
ବାପାଙ୍କୁ ତାର ଜଣେ ପ୍ରସ୍ତାବ ଦେଇଥିଲା ପାଖ ଗାଁର ବସୁଦେବ ସହ ବାହାଘର ପାଇଁ | ପ୍ରସ୍ତାବ ଆଣିଥିବା ସୁରମାମୁଁ କହୁଥିଲେ, ବସୁଦେବ ଭଲ ପିଲାଟା | ଦଶମ ଯାଏଁ ପଢିଛି | ବାପାମା ଛେଉଣ୍ଡ ପିଲାଟା ଜେଜେମା ପାଖରେ ବଡ ହୋଇଛି | କିଛି ଖରାପ ଅଭ୍ୟାସ ନାଇଁ ପିଲାଟାର | ଯେତିକି ଜମି ଅଛି ନିଜେ ଚାଷବାସ କରୁଛି | ଦେଖିବ ତୁମ ଝିଅ ଦେବକୀ ସେଠି ଭଲରେ ରହିବ | ସୁରମାମୁଁଙ୍କ କଥାରେ ବସୁଦେବ ସହ ବାହାଘର ହୋଇଯାଇଥିଲା ତା’ର |
ଶାଶୁ ଘରେ ଦେବକୀକୁ କିଛି ଅସୁବିଧା ହୋଇନଥିଲା | ସୁରମାମୁଁ ଯାହା କହିଥିଲେ ସବୁ ସତ ଥିଲା |
ଜେଜେମା, ବସୁଦେବ ଆଉ ଦେବକୀ ଏ ତିନିଜଣଙ୍କୁ ନେଇ ଦେଵକୀର ନିଜ ସଂସାର ସୁରୁଖୁରୁରେ ଆଗକୁ ଗଡି ଚାଲିଥିଲା|
ହେଲେ ଦେଵକୀର ଗୋଟେ ଦୁଃଖ ଥିଲା ଯେ ତା କୋଳ ସେମିତି ଶୂନ୍ୟ ଥିଲା | ଜେଜେମା ଆଉ ସେ ଅନେକ ପୂଜା ଉପାସ କଲାପରେ,ବାହାଘରର ଆଠ ବର୍ଷପରେ ବସୁଦେବ ଆଉ ଦେବକୀକୋଳକୁ ଆସିଥିଲା ପୁଅଟିଏ | ଖୁସିରେ ଜେଜେମା, ବସୁଦେବ ଆଉ ଦେବକୀ ପୁଅ ନାମ ରଖିଥିଲେ କୃଷ୍ଣ, ଜେଜେମାଙ୍କ କଥାରେ | ଜେଜେମା ସବୁବେଳେ କହୁଥିଲେ ଠାକୁର କୃଷ୍ଣ ମୋ ଜୀବନ ଆଉ ଆମ କୃଷ୍ଣ ଆମ ସଭିଙ୍କ ଜୀବନ |
କୃଷ୍ନକୁ ଦୁଇବର୍ଷ ହୋଇଥିବାବେଳେ ଜେଜେମା ଆର ପାରିକୁ ଚାଲିଗଲେ | ଦେବକୀକୁ ବହୁତ କଷ୍ଟ ହୋଇଥିଲା ଜେଜେମା ପାଇଁ | ବାହା ହୋଇ ଆସିବା ପରେ ଜେଜେମା ତା’କୁ ଆଦର ଯତ୍ନରେ ରଖିଥିଲେ | ବାସୁଦେବ ବହୁତ ବୁଝାଇଥିଲା ଦେବକୀକୁ | ଆସ୍ତେ ଆସ୍ତେ କୃଷ୍ଣର ମୁହଁକୁ ଚାହିଁ ଦେବକୀ ତା ସଂସାରକୁ ଆଗକୁ ଚଳାଇ ନେଉଥିଲା |
ଆସ୍ତେ ଆସ୍ତେ କୃଷ୍ଣ ଗୁରୁଣ୍ଡିଲା, ଠିଆ ହେଲା, କଥା କହିଲା | ଗାଁ ସ୍କୁଲରେ ବସୁଦେବ ନାଁ ଲେଖାଇଲା କୃଷ୍ଣର | କୃଷ୍ଣ ପାଠ ପଢ଼ାରେ ଭଲ କରୁଥିଲା | ସମସ୍ତେ ଦେବକୀକୁ କହୁଥିଲେ ତୋ ପୁଅ କୃଷ୍ଣ ଭାରି ଭଲ ପିଲାଟା | ପାଠ ପଢ଼ାରେ ଭଲ | ବ୍ୟବହାରରେ ଭଲ | ସମସ୍ତଙ୍କୁ ଦେବକୀ କହୁଥିଲା, ସମସ୍ତେ ମୋ କୃଷ୍ଣକୁ ଆଶୀର୍ବାଦ କରୁଥାଅ |
ଦିନ କେମିତି ସରି ଯାଉଥିଲା ଜଣା ପଡୁନଥିଲା | କୃଷ୍ଣ ଗୋଟେ ଶ୍ରେଣୀ ପରେ ଆର ଶ୍ରେଣୀକୁ ସଫଳତାରସହ ଉତ୍ତୀର୍ଣ୍ଣ ହେବାରେ ଲାଗିଥିଲା |
ହେଲେ ସମୟ ସବୁବେଳେ ଠିକ ରହେନି | ଜମିରେ କାମ କରି କରି ବସୁଦେବର ଦେହ ଖରାପ ହେଲା | ଦେବକୀ ଡାକ୍ତର ଦେଖାଇଲା | ଡାକ୍ତର କହିଲେ ବସୁଦେବକୁ ଯକ୍ଷ୍ମା ହୋଇଛି | ମେଡ଼ିସିନ ଖାଇଲେ ଭଲ ହୋଇଯିବ | ବସୁଦେବକୁ ଚିନ୍ତା ଘାରିଲା | ଯଦି ତା’ର କିଛି ହୋଇଯାଏ ଦେବକୀ କଣ କରିବ ! ତା ପୁଅ କୃଷ୍ଣ କେମିତି ଆଗକୁ ପଢିବ !
କୃଷ୍ଣ ବାପାଙ୍କୁ କହୁଥିଲା ତୁମେ ଭଲ ହୋଇଯିବ | ମୁଁ ଡାକ୍ତର ହେବି | ତୁମକୁ ବିଦେଶ ନେବି | କୃଷ୍ଣ କଥାରେ ବସୁଦେବ ଆଖିରେ ଲୁହ ବହି ଯାଉଥିଲା | କୃଷ୍ଣକୁ କୁଣ୍ଢାଇଧରି ବୋକ ଦେଉଥିଲା | ହଁ ରେ ଆମ ଧନ, ତୁ ଡାକ୍ତର ହେବୁ | ଆମକୁ ବିଦେଶ ନେବୁ | ଠାକୁରେ ତୋତେ ସାହା ହୁଅନ୍ତୁ |ମଣିଷ ଯାହା ଭାବେ ତାହା ସମୟ କରାଇ ଦିଏନି | ଦିନକୁ ଦିନ ବସୁଦେବର ଦେହ ଆହୁରି ଖରାପ ହେବାରେ ଲାଗିଲା | ଦେବକୀ କେତେ ଡାକ୍ତରଙ୍କୁ ଦେଖାଇଲା | କୃଷ୍ଣ ଗାଁ କୃଷ୍ଣ ମନ୍ଦିରରେ ସକାଳୁ ବାପାପାଇଁ ଆକୁଳ ଗୁହାରି କରୁଥିଲା | ହେଲେ ହଟାତ ଦିନେ ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଗଲା ବସୁଦେବ | ଦେବକୀକୁ ଦୁନିଆଟା ଅନ୍ଧାର ଦେଖା ହେଲା | କେମିତି ଚଳିବ ସେ ! ତା ପୁଅ କୃଷ୍ଣ କେମିତି ଡାକ୍ତରୀ ପଢିବ! କିଛି ଭାବି ପାରୁନଥିଲା ଦେବକୀ | ତା ବାପା ଆସି ଠିଆ ହେଲେ ତା ପାଖରେ | ନିଜ ଘରକୁ ମା ପୁଅଙ୍କୁ ନେଇ ଯିବାକୁ ଚାହିଁଲେ | ହେଲେ ଦେବକୀ ରାଜି ହେଲାନି | ଏ ଘରେ ତା ଜେଜେମାର , ତା ସ୍ୱାମୀ ବସୁଦେବର ଆତ୍ମା ଅଛି | ଏ ଘର ଛାଡି ସେ ଯାଇ ପାରିବନି | ବାପା ଭାଗ ଚାଷୀ ଠିକଣା କରିଦେଲେ | ସେମାନେ ବି ବସୁଦେବକୁ ଭଲ ପାଉଥିଲେ | ତେଣୁ ଦେଵକୀର କିଛି ଅସୁବିଧା ହେଲାନି |
କୃଷ୍ଣ ଦଶମ ପାଶ କରି କଲେଜରେ ପଢିଲା | ଦେବକୀର କୃଷ୍ଣକୁ ଡାକ୍ତର କରିବାର ସ୍ବପ୍ନ ବଢ଼ିବାରେ ଲାଗିଥିଲା | ହେଲେ ଆଜିକାଲି ମଝିରେ ମଝିରେ ତା ଛାତିରେ କଷ୍ଟ ହେଉଛି | ଡାକ୍ତରକୁ ଦେଖାଇବାପରେ, ସେ କହିଥିଲେ ତୁମର ଛାତି ରୋଗ ବାହାରିଛି | ନିୟମିତ ମେଡ଼ିସିନ ଖାଇବ, ବେଶୀ କଥା ଚିନ୍ତା କରିବନି | ସେ ଦିନଠୁ କୃଷ୍ଣ ସବୁବେଳେ ତା’କୁ ପଚାରୁଥିବ ମା’ ଆଜି ମେଡ଼ିସିନ ଖାଇଛୁ ନା ନାଇଁ | ଆଉ ଯଦି ଖାଇ ନଥିବ, ତାକୁ କୁଣ୍ଢାଇ ଧରି କହିବ, ତୁ ମୋ ପାଇଁ ବଂଚିବୁ , ମୁଁ ଡାକ୍ତର ହେଲେ ତୋତେ ବିଦେଶ ନେଇ ଭଲ କରେଇବି | କୃଷ୍ଣ କଥାରେ ଦେବକୀ କାନ୍ଦି ପକାଏ | ମୁଁ ତୋ ପାଇଁ ବଞ୍ଚିବିରେ ଧନ | ପୁଅକୁ କୁଣ୍ଢାଇ ବୋକ ଦିଏ ଦେବକୀ | ତା ଦୁଃଖ ସେ କୃଷ୍ଣ ନିଶ୍ଚୟ ଶୁଣିବେ |
ମା’ ମା’ ତୁ ଖାଲିଟାରେ ଚୁଲି ପାଖରେ ବସିଛୁ କାହିଁକି !
ଦେବକୀ ଚମକି ପଡିଲା | ଆରେ ସେତିକିବେଳୁ ଚୁଲି ପାଖରେ ବସି ପଛ କଥା ଭାବୁଛି | ନାଇଁ ରେ ଧନ, ତୋ ବାପା, ଜେଜେମା ସମସ୍ତଙ୍କ କଥା ମନେ ପକାଉଥିଲି | ଅଜାଣତରେ ଦେବକୀ ଆଖିରୁ ଝରିପଡିଲା ଲୁହଧାରା |
କୃଷ୍ଣ ଦେଖିଲା ମା’ ଆଖିରୁ ଲୁହ ଝରୁଛି | ଦୁଇ ହାତ ପାପୁଲିରେ ପୋଛି ଦେଲା ମା’ର ଲୁହକୁ | ତୁ କାନ୍ଦନା ମା | ଦେଖିବୁ ମୁଁ ଡାକ୍ତର ହେବି | ଜେଜେମା ଆଉ ବାପାଙ୍କ ସ୍ବପ୍ନ ପୁରା କରିବି |
ଦେବକୀ କହିଲା ମୁ ସଂଗେ ସଂଗେ ରାନ୍ଧୁଚି | ତୁ ଟିକେ ଯା ବସିଥିବୁ | ରନ୍ଧାସାରି ମା’ ପୁଅ ଖାଇଲେ |
ଦିନ ସରୁଥିଲା, କୃଷ୍ଣର ପରୀକ୍ଷା ପାଖେଇ ଆସୁଥିଲା | କୃଷ୍ଣ ପରୀକ୍ଷାପାଇଁ ମନଦେଇ ପଢୁଥିଲା | ଯେମିତି ହେଲେ ସେ ପରୀକ୍ଷାରେ ଭଲ କରିବ | ଡାକ୍ତରୀ ପାଠ ପଢି ଡାକ୍ତର ହେବ | ତା ମା’ କୁ ଭଲ କରିବ |
କୃଷ୍ଣର କାଲି ପରୀକ୍ଷା | କୃଷ୍ଣ ମା’କୁ ଆଡମିଟ କାର୍ଡ ଦେଖାଇ କହିଲା, କାଲି ସକାଳେ କୃଷ୍ଣଙ୍କ ପାଦତଳେ ଆକୁ ରଖି ଆଶୀର୍ବାଦ ନେବି ଆଉ ତୁ ବି ମୋତେ ଆଶୀର୍ବାଦ ଦେବୁ | ମୋ ପରୀକ୍ଷା ଭଲ ହେବ |
ଦେବକୀ କହିଲା ହଁ ଧନ ତୁ ଶୀଘ୍ର ଖାଇ ଶୋଇପଡ | କାଲି ବଡ଼ି ଭୋରରୁ ଉଠି ପଢ଼ିବୁ | ପରୀକ୍ଷାପାଇଁ କୃଷ୍ଣକୁ ଦେବକୀ ପାଖ ଘରେ ପଢିବାକୁ କହିଥିଲା | ରାତିରେ ତାକୁ କାଶ ହେଉଛି | ପିଲାଟା ତା ପାଇଁ କାଇଁ ହଇରାଣ ହେବ |
ସେଦିନ ରାତିରେ ଦେବକୀ ଶୋଇ ପାରିଲାନି | ତା’ ଛାତି ଭିତରେ ଅସହ୍ୟ ଯନ୍ତ୍ରଣା | କାଶ ବି ହେଉଛି | ହେ ଭଗବାନ, ମୋ କୃଷ୍ଣର କାଲି ପରୀକ୍ଷା | ଭଗବାନ ମୋତେ ଏ ଯନ୍ତ୍ରଣାରୁ ଉଦ୍ଧାର କର | ମଝିରାତିରେ କୃଷ୍ଣ ଆସି ଦେଖିଲା, ମା’ ତା’ର ଯନ୍ତ୍ରଣାରେ ଆଉଟୁ ପାଉଟୁ ହୋଇ ଯାଉଛି |
ମା’ ତୁ ମୋତେ ଡ଼ାକୁନୁ କାହିଁକି ?
ଦେବକୀ କହିଲା ନାଇଁ ରେ ଧନ, ଆଜି ମେଡିସିନ ଖାଇନି ବୋଧେ, ତେଣୁ ଏ କଷ୍ଟ ହେଉଛି | କୃଷ୍ଣ ମା’ କୁ ମେଡ଼ିସିନ ଖୁଆଇଦେଲା ଆଉ ଦେହ ହାତ ଟିକେ ଆଉଁସି ଦେଲା | ଦେବକୀ କହିଲା, ଯା ଧନ, ଶୋଇ ପଡ଼ିବୁ ଟିକେ | କୃଷ୍ଣ କହିଲା, ନା ମା’ ମୁଁ ତୋ ପାଖରେ ଶୋଇବି | ମା’ କୁ ଜାବୁଡି ଧରି କହିଲା, ତୋର କିଛି ହେବନି | ଦେବକୀ କୁଣ୍ଢାଇ ଧରି ବୋକ ଦେଲା କୃଷ୍ଣକୁ | କାଲି ତୋର ପରୀକ୍ଷାରେ ଭଲ ହେବ | କେତେବେଳେ ତା ଆଖିକୁ ନିଦ ଆସିଛି ସେ ଜାଣେନି | ଶୋଇ ପଡିଲା କୃଷ୍ଣ |
ଭୋର ହୋଇଗଲାଣି | କୃଷ୍ଣ ଉଠିପଡ଼ିଲା | ସବୁଦିନ ତା’ ମା’ ଆଗେ ଉଠିପଡେ | ହେଲେ ଆଜି ଶୋଇଛି |
ନାଇଁ ରାତିରେ ତାକୁ ଏତେ କଷ୍ଟ ହେଉଥିଲା | ଶୋଇଥାଉ ଟିକେ |
ନିତ୍ୟକର୍ମ ପାଇଁ ବାହାରିଗଲା କୃଷ୍ଣ | ଗାଧୋଇସାରି କୃଷ୍ଣଙ୍କ ପାଦତଳେ ଆଡମିଟ କାର୍ଡ ଥୋଇ ଦେଇ ପ୍ରାଥନା କଲା, ହେ ଠାକୁରେ ମୋତେ ଆଶୀର୍ବାଦ କର | ମୁଁ ପରୀକ୍ଷାରେ ଯେମିତି ଭଲ କରେ ଆଉ ଡାକ୍ତର ହୋଇ ମୋ ମା’ କୁ ଛାତି ରୋଗରୁ ଭଲ କରିବି |
ଠାକୁରଙ୍କୁ ମୁଣ୍ଡିଆମାରି ଆସିଲା ମା’ ପାଖକୁ | ମା’ ମା’ ଉଠିପଡ଼, ମୁଁ ପରୀକ୍ଷାକୁ ବାହାରିବି | ହେଲେ ମା’ କିଛି କହୁନି କାହିଁକି ! ମା’ କୁ ହଲାଇ ଦେଲା | ମା’ କିଛି ଉଁ ଚୁଁ କରୁନି | କଣ ହୋଇଛି ତା ମା’ର ! ଦେହରେ ହାତ ଦେଲା କୃଷ୍ଣ | ମା’ ଦେହ ଏତେ ଥଣ୍ଡା ଲାଗୁଚି କାହିଁକି !
ନାକରେ ହାତ ଦେଲା | ନିଶ୍ୱାସ ଯାଉନି ମା’ର | ଦେହ ଲେଉଟାଇ ଦେଲା ମା’ର | ଲେଉଟି ପଡିଲା ତା’ ମା’ର ଦେହଟା | କାନ୍ଦି ଉଠିଲା କୃଷ୍ଣ ଭେଁ ଭେଁ ହୋଇ | ମା’ ଆଜି ମୋ ପରୀକ୍ଷା | ତୁ ଉଠ ମା’ |
ମୋତେ ପା ଆଶୀର୍ବାଦ କରିବୁ କହିଥିଲୁ | ତୁ ଉଠ ମା’ |
ତୋ କୃଷ୍ଣ ଡାକୁଛି ତୋତେ, ମା’ର ନିଥର ଦେହକୁ ଧରି କାନ୍ଦୁଥିଲା କୃଷ୍ଣ ବାହୁନି ବାହୁନି |
କୃଷ୍ଣର କାନ୍ଦ ଶୁଣି ପାଖ ପଡିଶା ଧାଇଁ ଆସିଲେ | ଆହାଃ ଆହାଃ , ବିଚରା ପିଲାଟା ମାଆକୁ ବି ହରାଇ ଦେଲା |
ସମସ୍ତେ ବୁଝାଇବାକୁ ଚେଷ୍ଟା କରୁଥିଲେ କୃଷ୍ଣକୁ | କୃଷ୍ଣ କିଛି ବୁଝୁ ନଥିଲା | ବାପା ଚାଲି ଯାଇଥିଲେ ତିନି ବର୍ଷ ତଳେ, ଆଜି ମା’
ଚାଲିଗଲା | ଆଉ ତା ଜୀବନରେ ରହିଲା କ’ଣ? ଆଖିରୁ ଲୁହ ଝରୁଥିଲା ଅବିରତଭାବେ କୃଷ୍ଣର |
ପଡିଶାଘର ଯଶୋଦା ମାଉସୀ କୁଣ୍ଢାଇ ଧରିଲେ କୃଷ୍ଣକୁ | ଧନରେ , ତୋ ମା କୁଆଡେ ଯାଇନି, ଏଇଠି ଅଛି | ସେ ଚାହୁଁଥିଲା, ତୁ ଡାକ୍ତର ହେବୁ | ତା’ ଇଛା ତୁ ପୂରଣ କରିବୁ କୃଷ୍ଣ | ତୁ ପରୀକ୍ଷା ଦେବାକୁ ଯିବୁ | ତୁ ପରୀକ୍ଷା ସାରି ଆସିଲେ, ମା’ର ଶେଷକର୍ମ କରିବୁ | ତୁ ପରୀକ୍ଷା ଦେବାକୁ ଯିବୁ ଧନ |
ସତ କହୁଛି ଯଶୋଦା ମାଉସୀ | ସେ ତା’ ମା ‘ର ସ୍ୱପ୍ନ ପୁରା କରିବ ନିଶ୍ଚେ | ଆଡମିଟ କାର୍ଡକୁ ମା’ ପାଦତଳେ ଥୋଇ କାନ୍ଦି କାନ୍ଦି କହିଲା, ମୋତେ ଆଶୀର୍ବାଦ କର ମା’ | ମୋ ପରୀକ୍ଷା ଭଲ ହେଉ |
ଆଖିରେ ଲୁହ ନେଇ ପରୀକ୍ଷା ଦେବାକୁ ଗଲା କୃଷ୍ଣ |
ସମସ୍ତେ ଅପେକ୍ଷା କରିଥିଲେ କୃଷ୍ଣର ଫେରିବା ବାଟକୁ |
ପରୀକ୍ଷା ଦେଇ ଘରକୁ ଫେରିଲାପରେ ତା’ ମା’ର ଶେଷ କର୍ମ ସାରିଲା କୃଷ୍ଣ | କଣ କରିବ ସେ ଏବେ ? ମୁଣ୍ଡଟା ଭାରାକ୍ରାନ୍ତ ହୋଇଯାଉଥିଲା | ନାଇଁ, ସେ ବଂଚିବ ନିଜ ପାଇଁ ନୁହେଁ, ତା’ ମା’ର ସ୍ବପ୍ନ ସାକାର କରିବା ପାଇଁ , ତା ବାପାଙ୍କ ସ୍ବପ୍ନ ସାକାର କରିବା ପାଇଁ | ତା’ ନାଁ କୃଷ୍ଣ , ସେ ସବୁ କଷ୍ଟ ସହିବ, ସେ ଡାକ୍ତର ହେବ, ତା ମା’ ଦେଵକୀର ସେ ସ୍ବପ୍ନକୁ ସତ କରିବ……..
Well written story but pathetic one. I am eager to read the rest part.
good one