ଏକାକୀ ବଞ୍ଚିବାର ନିର୍ବାସନତା…

ତୁମେ ଯଦି ଚୁପଚାପ ରହିବ
ଲୋକେ କହିବେ
ଏ ମଣିଷଟା ସାମାଜିକ ନୁହେଁ ,
ଆଉ ତୁମେ ଯଦି
ମନ କଥା କହିବାକୁ
ଚେଷ୍ଟା କରିବ,
ତେବେ ଲୋକେ ତୁମ
ମନକଥା ବୁଝିବା ତ ଦୂରର କଥା,
ଓଲଟି ତୁମ ଭାବନାର
ଉପହାସ କରିବେ,
ଗୋଟେ ସରଳ ମଣିଷ
ସବୁବେଳେ ଚାହେଁ ,
ତା ପରି ଗୋଟେ ସରଳ ମଣିଷର
ବନ୍ଧୁତ୍ୱ, ଯେ ତାକୁ
ଭଲଭାବେ ବୁଝିପାରୁଥିବ,
ତା ଭାବନାକୁ ସମ୍ମାନ ଦେଉଥିବ,
ଅନ୍ତତଃ ପକ୍ଷେ ତାକୁ
କେବେ ଆଘାତ ଦେଉ ନଥିବ,
ତା ଭାବ ସହ ଛଳନା କରୁନଥିବ,
ତା ପାଇଁ ସମୟ ଦେଉଥିବ,
ତା ଭାବ ସହ
କେବେ ଖେଳୁ ନଥିବ,
ହେଲେ, ସେ ସରଳ ମଣିଷଟା
ଦିନେ ଯେତେବେଳେ ନିଜ
ହୃଦୟର କଇଁଛ ଖୋଳପା ଭିତରୁ ମୁଣ୍ଡ
ଟେକି ଚାହିଁବ,
ସେତେବେଳେ ସେ
ଅନୁଭବ କରିବ ଯେ
ତା ପରି ସରଳ ମଣିଷର
ଭାବ ସହ ଖେଳିବା ପାଇଁ
ଏଠି ସମସ୍ତେ ଆଗଭର,
ନିଜ ହୃଦୟର କଷ୍ଟ ପାଇଁ
ଯଦି ବନ୍ଧୁ ଭାବୁଥିବା ମଣିଷ
କାନ୍ଧରେ ଆଉଜି ପଡିବ,
ସଂଗେ ସଂଗେ ତା
ହୃଦୟରେ ଶକ୍ତ ଜାବୁଡାଟେ ପଡିବ,
ସେ ହତଚକିତ ହୋଇଯିବ ଯେ
ସେ ଖୋଜୁଥିବା ମଣିଷ ପରି
ମଣିଷଟେ ଏଠି କେବେ ପାଇବନି,
ସେ ଖୋଜୁଥିବା ଭାବ ପରି ଏଠି
ଭାବ ମିଳିବନି,
ଏଠି ସମ୍ପର୍କ ସବୁ କୃତ୍ରିମତାରେ
ପରିପୂର୍ଣ୍ଣ,
ସବୁ ଛଳନା, ସବୁ ପ୍ରବଞ୍ଚନା,
ସେଥିପାଇଁ ସେ ବାଛି ନିଏ
ଚୁପଚାପ ହୋଇ ଏକାକୀ
ବଞ୍ଚିବାର ନିର୍ବାସନତାକୁ ……

Leave a Reply

Your email address will not be published. Required fields are marked *