ସଂଧ୍ୟାବେଳେ ନିଜ ଘର ବଗିଚାରେ ବସିଥିଲା ଆକାଶ | ସପ୍ତାହସାରା କାମର ଭିଡରେ କେବେ ବି ସମୟ ପାଏନି ଆକାଶ ନିରୋଳାରେ ଟିକେ ଭାବିବା ପାଇଁ |
ତାକୁ କୋଳାହଳ ଜମାରୁ ଭଲ ଲାଗେନା ପିଲାଟିବେଳୁ | ସେଇଥି ପାଇଁ ଯେତେବେଳେ ସ୍କୁଲ/କଲେଜରେ ସାଙ୍ଗମାନଙ୍କ କଥା ଭାଙ୍ଗି ନପାରି ବଣଭୋଜି କରିବାକୁ କେଉଁ ଜାଗାକୁ ଯାଉଥିଲା, ସମସ୍ତେ ହସ ଖୁସି ଗୀତ ନାଚରେ ମଜି ଗଲାବେଳେ, ଆକାଶ ଗୋଟେ ନିରୋଳା ଜାଗାରେ ଏକା ଏକା ବସି ପ୍ରକୃତିର ସୌନ୍ଦର୍ଯ୍ୟକୁ ନିରୀକ୍ଷଣ କରୁଥିଲା | ରନ୍ଧା ସରିବାପରେ ସାଙ୍ଗମାନେ ତାକୁ ଖୋଜି ଖୋଜି ପାଉଥିଲେ ଏକାଟିଆ ଜାଗାରେ| ସମସ୍ତେ କହୁଥିଲେ, ତୁ ବଣଭୋଜି କରିବାକୁ ଆସିଛୁ ନା ଦାର୍ଶନିକ ହେବାକୁ ଆସିଛୁ! କାହାକୁ କିଛି ଉତ୍ତର ନଦେଇ ଟିକେ ହସି ଦେଇ ସାଙ୍ଗମାନଙ୍କସହ ଖାଇବାରେ ବସିଯାଉଥିଲା ଆକାଶ |
ଆଉ ଏଵେ ବାହାସାହା ହୋଇ ଦଶ ବର୍ଷର ଝିଅ ବାପା ହେଲାପରେ ବି ଆକାଶ ସେମିତି ରହିଛି କିଛି ବଦଳିନି | ପ୍ରକୃତରେ ତାକୁ ଗହଳି ଚହଳି ଜମାରୁ ଭଲ ଲାଗେନା | ସେଇଥିପାଇଁ ସେ ବାହାହେବାକୁ ଜମାରୁ ରାଜି ନଥିଲା | ଖାଲି ନିଜ ମା’ର ଶେଷ ଇଛା ରଖିବାକୁ ଯାଇ ବାଧ୍ୟ ବାଧ୍ୟକତାରେ ବାହା ହୋଇଥିଲା ଆକାଶ |
ମା’ ତାର ଜରାୟୁ କର୍କଟ ରୋଗୀ ଥିଲା | ନିଜ ମୃତ୍ୟୁର ଦିନ ଗଣୁଥିବାବେଳେ ବାଧ୍ୟକରିଥିଲା ଆକାଶକୁ ବାହା ହେବା ପାଇଁ | ମା’ ତାକୁ ଆକୁଳ ମିନତୀ କରିଥିଲା ବୋହୁଟିଏ ଆଣିବା ପାଇଁ ଯେ ତା’ ବାପାଙ୍କୁ ଟିକେ ଦେଖାଶୁଣା କରିବା ବୋଲି | ମା’ ମୁହଁରେ ଟିକେ ଶେଷ ହସ ଦେଖିବ ବୋଲି ସାଦାସିଦା ଝିଅ ଶେଫାଳିକୁ ବାହା ହୋଇଥିଲା | ବାହା ହେବାର ମାସକ ପରେ ମା’ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲି ଯାଇଥିଲା |
ଯେଉଁ ବାପାଙ୍କ ଦେଖାଶୁଣା ପାଇଁ ଆକାଶ ବାହା ହୋଇଥିଲା, ସେ ବାପା ବି ମା’କୁ ଝୁରି ଝୁରି ଆରପାରିକୁ ଚାଲି ଯାଇଥିଲେ ଛଅ ମାସ ପରେ | ମା ପରେ ବାପାଙ୍କ ଶୂନ୍ୟତାରେ ଆକାଶ ଭାଙ୍ଗି ପଡିଥିଲା ଭୀଷଣଭାବେ | ଶେଫାଳି ସମ୍ଭାଳିଥିଲା ଆକାଶକୁ | ହେଲେ ପିଲା ଛୁଆଙ୍କ ଜଂଜାଳରେ ପଶିବନି ବୋଲି ସେ ଆଡକୁ ଇଛା କରି ନଥିଲା ଆକାଶ କେବେ | ଖାଲି ନିଜ ଶାଶୁଙ୍କ ଅନୁରୋଧରେ ଅନେକ ଦିନପରେ ଝିଅ ମିତୁ ଆସିଥିଲା ଆକାଶ ଜୀବନରେ | ଆଉ ମିତୁ ଆସିବାପରେ ଆକାଶ ଜୀବନ ବଦଳି ଯାଇଥିଲା | ମିତୁ ଭିତରେ ସେ ଯେମିତି ଖୋଜିବାକୁ ଚେଷ୍ଟା କରୁଥିଲା ନିଜ ମା’କୁ ପାଇବାକୁ | ସେଇଥିପାଇଁ ମିତୁକୁ ନିଜ ଜୀବନଠୁ ବି ବେଶୀ ଭଲ ପାଉଥିଲା ଆକାଶ |
ବାପା ବାପା! ମୁ ତୁମକୁ କେତେ ଖୋଜିଲିଣି, ଆଉ ତୁମେ ବଗିଚାରେ ଏକୁଟିଆ ବସିଛ | ଏ ଥର ଖରାଛୁଟିରେ ଆମେ କାଶ୍ମୀର ବୁଲିବାକୁ ଯିବା | ମୋ ସାଙ୍ଗମାନେ କୁଆଡେ କୁଆଡେ ଯିବେ | ତେଣୁ ତୁମେ ମୋତେ କାଶ୍ମୀର ବୁଲାଇବାକୁ ନେବ |
ସେ ଅନ୍ୟମନସ୍କ ଥିଲା | ଝିଅ ମିତୁ କଥାରେ ଚମକି ପଡିଲା ଆକାଶ |
ନାଇଁରେ ମା ମିତୁ, ମୋତେ ଆକାଶକୁ ଏକା ଦେଖିବାକୁ ଭଲ ଲାଗେ, କେତେ ଗ୍ରହ, କେତେ ତାରା, କେତେ ନକ୍ଷତ୍ର, କେତେ ଗ୍ରହାଣୁପୁଞ୍ଜ | କେତେ ବୈଚିତ୍ରମୟ ଏ ସୃଷ୍ଟି | ଈଶ୍ୱରଙ୍କ ଅନବଦ୍ୟ ସୃଷ୍ଟି କଥା ଭାବିଲେ ବଡ ଆଶ୍ଚର୍ଯ୍ୟ ଲାଗେ |
ମିତୁ କହିଲା, ହଁ ବାପା, ସେ ଆକାଶ କେତେ ବିଶାଳ, ଆମ ବହିରେ ସୌରମଣ୍ଡଳ କଥା ପଢା ହେଉଛି | ହେଲେ ତୁମ ନାଁ ବି ଆକାଶ ଆଉ ତୁମେ ବି ବହୁତ ବିଶାଳ | ତୁମେ ମୋର ଦୁନିଆର ସବୁଠୁ ଶ୍ରେଷ୍ଠ ବାପା |
ନାଇଁ ରେ ମା’ ମୁଁ ଶ୍ରେଷ୍ଠ ନୁହେଁ | ଆଖିରୁ ଲୁହ ଦୁଇ ଧାରା ବୋହିଗଲା ଆକାଶର |
ମିତୁ, କହିଲା ଏ କଣ ବାପା! ତୁମେ କାନ୍ଦୁଛ କାହିଁକି? ମୁଁ କଣ କିଛି ଭୁଲ କହିଲି ବାପା !
ଆକାଶ କହିଲା, ନାଁରେ ମା, ତୋତେ ଦେଖିଲେ ମୋତେ ଲାଗେ ଯେ ମୋ ମା’ ତୋ ଭିତରେ ଅଛି | ସେଇଥିପାଇଁ ଆଖିରୁ ଲୁହ ଝରିଗଲା | ତୋତେ କାଶ୍ମୀର ନିଶ୍ଚୟ ନେଇଯିବି ଏ ଖରା ଛୁଟିରେ |
ମିତୁ ଆକାଶ ଆଖିରୁ ଲୁହ ପୋଛି ଦେଇ କହିଲା, ବାପା ମୁଁ ତ ମୋ ଜେଜେମାକୁ ଦେଖିନି, ହେଲେ ମୋତେ ଲାଗେ ଯେମିତି ଜେଜେମା ଏବେ ବି ତୁମ ସାଙ୍ଗରେ ଅଛନ୍ତି | ତୁମେ ମନ ଦୁଃଖ କରନା | ତୁମେ ତ ଆକାଶ, ତୁମ ମା’ ତୁମ ଭିତରେ ସବୁବେଳେ ଅଛନ୍ତି |
ଆବେଗରେ ଆକାଶ ବୋକା ଦେଲା ମିତୁକୁ | ତୁ ତ ମୋ ମା | ମୋ ଜୀବନ |
ଘର ଭିତରୁ ଶେଫାଳି ଡାକି ଡାକି ଆସିଲା | ତୁମେ ବାପା ଝିଅ ଦୁଇ ଜଣ ଏଇଠି ଅଛ ଆଉ ମୁଁ ତୁମ ଦୁହିଁଙ୍କୁ ଘର ଭିତରେ ଖୋଜୁଛି | ବାହାରେ ଥଣ୍ଡା ପଡୁଛି | ଆସ ସମସ୍ତେ ଘର ଭିତରକୁ | ମିତୁ ଆକାଶର ହାତ ଧରି ଘର ଭିତରକୁ ନେଇଗଲା |
ଖାଇସାରିବାପରେ ବିଛଣାରେ ଶୋଇ ଆକାଶ ଭାବୁଥିଲା ମିତୁ କଥା | ଶେଫାଳିର ଶ୍ୱାସରୋଗ ବାହାରିଛି | କାଶ୍ମୀରଗଲେ ତା ଦେହ ଭଲ ରହିବ ତା ! ଖରା ଛୁଟିରେ ତା ଯିବା | ତେଣୁ କିଛି ଅସୁବିଧା ହେବନି |
ଛୁଆଟା କାଶ୍ମୀର ଦେଖିବାକୁ ମନ କରୁଛି | ଯେମିତି ହେଲେ ତାକୁ ଏଇ ଖରା ଛୁଟିରେ କାଶ୍ମୀର ବୁଲେଇବାକୁ ନେଇଯିବି | ଈଶ୍ୱରଙ୍କ କୃପାରୁ ବେସରକାରୀ ହେଲେବି ଦରମା ଯେତିକି ମିଳୁଛି, ଭଲରେ ଚଳି ଯାଉଛି | ମୋ ସାଙ୍ଗ ପରେଶକୁ କିଛି ଧାର ମାଗିବି | ଦରମାଟଙ୍କାରୁ ଶୁଝିଦେବି ପରେ |
ଶେଫାଳି କହିଲା, କାଶ୍ମୀରଗଲେ କେତେ ଟଙ୍କା ଖର୍ଚ୍ଚ ହେବ | ମୁଁ ତାକୁ ବୁଝାଇ ଦେବି | ସେ ବୁଝି ଯିବ |
ଆକାଶ କହିଲା ନାଇଁ ନାଇଁ , ଝିଅଟା ମନ କରିଛି, ତାକୁ ମୁ କାଶ୍ମୀର ବୁଲେଇବାକୁ ନେଇଯିବି |
ଆକାଶ ଶୋଇଗଲା ମିତୁ କଥା ଭାବି ଭାବି |
ତା ଆର ଦିନ କାଶ୍ମୀର ପାଇଁ ଜୁନ ମାସରେ ଦିଲ୍ଲୀ ପର୍ଯ୍ୟନ୍ତ ବାପା ମା ଝିଅ ତିନି ଜଣଙ୍କର ଟ୍ରେନ ଟିକଟ କାଟି ଦେଲା ଆକାଶ |
ମିତୁ ତା ସାଙ୍ଗମାନଙ୍କୁ କହିଦେଲା ଯେ ସେ ବାପା ମାଙ୍କ ସହ ଏଥର ଖରାଛୁଟିରେ କାଶ୍ମୀର ଯିବ ବୁଲିବା ପାଇଁ |
ଚାହୁଁ ଚାହୁଁ ମିତୁର ପରୀକ୍ଷାସରି ସ୍କୁଲ ଛୁଟି ହୋଇଗଲା |
ନିର୍ଧାରିତଦିନ ଆକାଶ ମିତୁ ଆଉ ଶେଫାଳିକୁ ନେଇ ଦିଲ୍ଲୀ ଅଭିମୁଖେ ଯାଉଥିବା ଟ୍ରେନରେ ବସିଲା |
ମିତୁ ଆକାଶକୁ ଟ୍ରେନ ଯାଉଥିବା ଜାଗା ବିଷୟରେ ପଚାରୁଥିଲା ଆଉ ଆକାଶ ମିତୁକୁ ଭିନ୍ନ ଭିନ୍ନ ଜାଗା ଉପରେ ସୂଚନା ଦେଉଥିଲା | ମିତୁର ଖୁସି ଦେଖି ଆହୁରି ଖୁସି ହେଉଥିଲା ଆକାଶ |
ଦିଲ୍ଲୀରେ ଗୋଟେ ଦିନ ପରେ ପହଂଚିବାପରେ, ନିତ୍ୟକର୍ମ ସାରି ସନ୍ଧ୍ୟାରେ କାଶ୍ମୀର ଯାଉଥିବା ବସରେ ବସିଲେ ତିନି ଜଣ | କାଶ୍ମୀରରେ କେଉଁ କେଉଁ ଜାଗା ବୁଲିବେ ସେ ଉପରେ ମିତୁ ଆଗରୁ ଗୋଟେ ଲମ୍ବା ଚିଠା କରି ଦେଇଥିଲା | ଭାରତର ସ୍ୱର୍ଗ କାଶ୍ମୀରକୁ ଦେଖିବାପାଇଁ ମିତୁ ସ୍ବପ୍ନ ସଜାଉଥିଲା |
ବସ ରାତିର ଅଂଧାରକୁ ଚିରି ଆଗକୁ ଆଗକୁ ଧାଉଁଥିଲା | ପାଖା ପାଖି ଏକୋଇଶି ଘଣ୍ଟାର ବାଟ ଦିଲ୍ଲୀରୁ ଶ୍ରୀନଗର | ଆକାଶ ଅନାଇଲା ଘଣ୍ଟାକୁ | ରାତି ଦୁଇଟା ହେଲାଣି | ମିତୁ ଆଉ ଶେଫାଳି ଶୋଇ ପଡିଲେଣି |
ମନେ ପକାଇଲା ଆକାଶ ନିଜ ପିଲାଦିନ କଥା | ମିତୁ ପରି ସେ ବି ଦିନେ ବାପାଙ୍କୁ କହିଥିଲା କାଶ୍ମୀର ବୁଲି ଯିବା ପାଇଁ | ହେଲେ ତାଙ୍କ ଅବସ୍ଥା ଭଲ ନଥିବାରୁ କାଶ୍ମୀର ଯିବା କଥା ସବୁଦିନ ପାଇଁ ଭୁଲି ଯାଇଥିଲା ସେ | ଆଉ ଆଜି ସେ କାଶ୍ମୀର ଯାଉଛି ମିତୁ ଆଉ ଶେଫାଳିକୁ ନେଇ | ମା ବାପା ଥିଲେ ସେମାନେ ବି ଯାଇଥାନ୍ତେ ତାଙ୍କ ସହ | ଉଦାସ ହୋଇପଡିଲା ଆକାଶ ମା ବାପାଙ୍କ କଥା ଭାବି | କେତେବେଳେ ତାକୁ ନିଦ ଲାଗି ଯାଇଛି ଜଣା ନାଇଁ |
ମିତୁର ସ୍ବପ୍ନ ସହ ସ୍ବପ୍ନ ଦେଖିଲା ଆକାଶ ନିଦ ରାଇଜରେ |
ପାହାନ୍ତି ପହର ହେବ ବୋଧେ | ଲୋକଙ୍କ ଚିତ୍କାରରେ ନିଦ ଭାଙ୍ଗିଗଲା ଆକାଶର | ଏ କଣ ? ବସ ଏତେ ଜୋରରେ ଦୋହଲୁଛି କଣ ପାଇଁ ?
ସେ କିଛି ଭାବିବା ଆଗରୁ ବସଟି ଖସି ପଡିଲା ପାହାଡିଆ ରାସ୍ତା ତଳକୁ | ଚେତା ହଜିଗଲା ଆକାଶର |
ଆଉ ଚାରିଦିନ ପରେ ଚେତା ଫେରିଲା ଆକାଶର | ମୁଣ୍ଡରେ ପଟି ବନ୍ଧା ଯାଇଛି | ଦେହ ହାତ ଖଣ୍ଡିଆ ଖାବରା | ସେ ଏବେ କେଉଁଠି ? ଯନ୍ତ୍ରଣାରେ ମୁଣ୍ଡ ଫାଟି ଯାଉଥିଲା |
ଚାରି ଆଡକୁ ଅନାଇଲା ଆକାଶ | ସେ ତାହେଲେ ଗୋଟେ ଡାକ୍ତରଖାନାରେ ଅଛି | ମିତୁ ଆଉ ଶେଫାଳି ଗଲେ କୁଆଡେ ?
କାହାକୁ ପଚାରିବ ସେ ତା ମିତୁ ଆଉ ଶେଫାଳି କଥା?
ଦେଖିଲା ସେପଟେରେ ଗୋଟେ ବେଡ଼ ପାଖରେ ନର୍ସ ଯାଏ ଠିଆ ହୋଇଛନ୍ତି | ହାତ ଠାରି ଡାକିଲା ତାଙ୍କୁ ଆକାଶ |
ସିଷ୍ଟର ସିଷ୍ଟର ! ମୋ ପାଖକୁ ଟିକେ ଆସିବେ |ଆକାଶ ପାଖକୁ ଆସିଲେ ସିଷ୍ଟର |
ସିଷ୍ଟର, ମୋତେ କୁହନ୍ତୁ ମୋତେ ଏଠିକି କିଏ ଆଣିଲା | ମୋ ଝିଅ ମିତୁ ଆଉ ମୋ ସ୍ତ୍ରୀ ଶେଫାଳି କେଉଁଠି | ଯନ୍ତ୍ରଣାରେ ଶିହରି ଯାଉଥିଲା ଆକାଶ |
ସିଷ୍ଟର କହିଲେ, ଆପଣଙ୍କ ବସ ପାହାଡ ତଳ ରାସ୍ତାକୁ ଖସି ପଡିଥିଲା | ଚାଳିଶି ଜଣ ମରିଯାଇଛନ୍ତି | ଈଶ୍ୱରଙ୍କ ଦୟାରୁ ଆପଣ ଜୀବନ ଫେରି ପାଇଛନ୍ତି |
ଆକାଶ କହିଲା ସିଷ୍ଟର ମୋ ମିତୁ କାଇଁ? ମୋ ଶେଫାଳି କାଇଁ?
ସିଷ୍ଟର କହିଲେ ଟିକେ ଅପେକ୍ଷା କରନ୍ତୁ ଆପଣ | ଆକାଶ କିନ୍ତୁ ଦୃଢ଼ଥିଲା ତା ମିତୁ ଆଉ ଶେଫାଳି ନିଶ୍ଚେ ବଂଚିଥିବେ | ତାଙ୍କର କିଛି ହୋଇ ନଥିବ |
ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କର ଫୋଟୋସବୁକୁ ନେଇ ଆସିଲେ ସିଷ୍ଟର | ଗୋଟି ଗୋଟି କରି ଦେଖି ଚାଲିଥିଲା ଆକାଶ | ମନ କହୁଥିଲା ମିତୁ ଆଉ ଶେଫାଳି ନିଶ୍ଚୟ ବଂଚିଥିବେ |
ଗୋଟି ଗୋଟି କରି ଛତିଶିଟି ଫୋଟୋ ଦେଖି ସାରିବା ପରେ ଆକାଶ ଯାହା ଦେଖିଲା ବିଶ୍ୱାସ କରି ପାରିଲାନି | ନା ନା , ମୋ ମିତୁ ଆଉ ଶେଫାଳି କେବେ ମରିବେନି , କେବେ ମରିବେନି |
ଆକାଶ ଜୋରରେ ଚିତ୍କାର କରି ଅଚେତ ହୋଇ ଗଲା | ସିଷ୍ଟର ଆକାଶକୁ ଶୁଆଇ ଦେଲେ ଆଉ ଗୋଟେ ଇଞ୍ଜେକ୍ସନ ଦେଲେ|
ମାସେ କାଳ ଡାକ୍ତରଖାନାରେ ରହି ଟିକେ ଭଲ ହେଲାପରେ ସିଷ୍ଟର କହିଲେ, ଆକାଶବାବୁ ଆପଣ ଏବେ ଆପଣଙ୍କ ଘରକୁ ଯାଇପାରିବେ | ଆଉ ସରକାର ଆପଣଙ୍କ ଝିଅ ଆଉ ସ୍ତ୍ରୀ ପାଇଁ ଦୁର୍ଘଟଣା କ୍ଷତିପୁରଣ ଦେଇଛନ୍ତି କୋଡିଏ ଲକ୍ଷ ଟଙ୍କାର ଚେକ ରାଶି | ଏଇ ନିଅନ୍ତୁ ଆପଣ |
ଆକାଶ ଭେଁ ଭେଁ ହୋଇ କାନ୍ଦି ଉଠିଲା | ସିଷ୍ଟର, ଏ ଟଙ୍କା ମୋତେ କଣ ଫେରାଇ ଦେଇପାରିବ ମୋ ମିତୁ ଆଉ ଶେଫାଳିକୁ ?
ମୋ ଝିଅ ମିତୁ କାଶ୍ମୀର ଦେଖିବ ବୋଲି ମୁଁ ତାକୁ ଆଣିଥିଲି | ହେଲେ ସେ ତ ଚାଲିଗଲା | ଶେଫାଳି ବି ଚାଲି ଗଲା | ମୋ ଜୀବନ ପାଉଁଶ ପାଲଟି ଯାଇଛି |ନେଇ ଯାଆନ୍ତୁ ଏ କ୍ଷତିପୁରଣ ରାଶି | ମୋ ଜୀବନର ଯେଉଁ କ୍ଷତି ହୋଇଗଲା ତାକୁ ଏ କ୍ଷତିପୁରଣ କେବେ ବି ଭରଣା କରିପାରିବନି | କେବେ ବି ଭରଣା କରିପାରିବନି |
ଆକାଶ ସବୁଦିନ ପାଇଁ ପାଗଳ ହୋଇଗଲା | ଲୋକେ ଦେଖୁଥିଲେ ଜଣେ ପାଗଳ ସମସ୍ତଙ୍କୁ ହାତ ଧରି କହୁଛି, ମୋ ମିତୁ କାଶ୍ମୀର ଦେଖିବ | ତାକୁ ମୁଁ କାଶ୍ମୀରର ସବୁ ଜାଗା ଦେଖେଇବି | ହେଲେ ସେ କାଇଁ? ମୋତେ ଟିକେ ଖୋଜିଦେବ ତାକୁ? ମୋ ଶେଫାଳି କାଇଁ ? ତା ପରେ କଇଁ କଇଁ ହୋଇ କାନ୍ଦୁଥିଲା ପାଗଳ ଲୋକଟି |
ଆଉ ଦିନେ ବସ ଧକ୍କାରେ ପାଗଳ ହୋଇ ଯାଇଥିବା ଆକାଶ ସବୁଦିନ ପାଇଁ ଶୋଇ ଯାଇଥିଲା ରାସ୍ତା ଉପରେ | ଆଉ ଲୋକେ ଖାଲି ଆହା ଆହା କରୁଥିଲେ…..
