ଦୁଃଖ ଯନ୍ତ୍ରଣା ଓ ମଣିଷପଣିଆ

ଦୁଃଖ ସବୁବେଳେ ଅଵ୍ୟକ୍ତ,
ନା କହି ହୁଏ,
ନା ବୁଝାଇ ହୁଏ,
ମରମ ଭିତର ବେଦନାକୁ
ଅନ୍ତର ଭିତରେ ଚାପିବାକୁ ହୁଏ
ଏକାକି ଭାବେ……

ଦୁନିଆରେ ଖୁସିର ମୁହୂର୍ତ୍ତସବୁକୁ
ସମସ୍ତଙ୍କ ସହ ବାଣ୍ଟି ହୋଇ ଯାଏ,
କାହିଁକି ନା ଖୁସିର ମୁହୂର୍ତ୍ତରେ
ସମସ୍ତେ ବିନା ସର୍ତ୍ତରେ
ସାମିଲ ହେବାରେ ହେଳା କରନ୍ତିନି,
କାହାରିକୁ ଅନ୍ତର ଭିତର ରାଇଜକୁ
ଯିବା ଦରକାର ପଡ଼େନି….

ହେଲେ,
ଯନ୍ତ୍ରଣାରେ ଆର୍ତ୍ତନାଦ କରୁଥିବା
ମଣିଷଟି ଯେତେ ବିକଳ ହେଲେ ବି
ତା କଷ୍ଟରେ ସାମିଲ ହେବାତ
ଦୂରର କଥା, ମଣିଷମାନେ ଟିକେ ବି
ବୁଝିବାକୁ ଚେଷ୍ଟା କରନ୍ତିନି ଯେ
ବିଚରା ମଣିଷଟି,
ଏତେ କରୁଣ ଆର୍ତ୍ତନାଦ କରୁଛି କାହିଁକି!
ସେଇଥି ପାଇଁ ତ କୁହାଯାଏ,
ଦୁଃଖ ଏକାକି ,
ଆଉ ସୁଖ ସମୂହ…..

ଚାରିଟା ହାତ ପାଦ ଥିଲେ ଯେ
ସେ ମଣିଷ ଏ କଥା ଠିକ ନୁହେଁ,
ମୁହଁରେ କଥା କହୁଥିଲେ ଯେ
ସେ ମଣିଷ ଏ କଥା ଠିକ ନୁହେଁ,
କାହିଁକି ନା,
କୁକୁରଟିଏ ମଣିଷପରି
ହାତ ପାଦ ନଥିଲେ ମଧ୍ୟ,
ନିରୀହ ପଶୁ ଜୀବ ହୋଇଥିଲେ ବି,
କିଛି କଥା ନ କହିପାରିଲେ ବି,
ତା ମାଲିକର ମନକଥା କିନ୍ତୁ
ବୁଝିବାରେ କେବେ ଅକ୍ଷମ
ହୋଇପାରେନା,
ସେଇଥିପାଇଁ ତ ସେ ଖୁବ
ବିଶ୍ୱସ୍ତ ଆଉ ଆପଣାର…

ତେବେ ମଣିଷବୋଲି
ଶ୍ରେଷ୍ଠ ଜୀବଭାବେ ନିଜକୁ
ଡିଣ୍ଡିମ ପିଟୁଥିବା ମଣିଷମାନେ,
ଅନ୍ୟ ମଣିଷମାନଙ୍କ
ଦୁଃଖ ଯନ୍ତ୍ରଣାକୁ
ହୃଦୟଙ୍ଗମ କରି ନପାରିବାଟା,
ମଣିଷର ନିର୍ବୋଧତା ଆଉ
ଅମଣିଷ ପଣିଆ
ନୁହେଁ ତ ଆଉ କଣ ହୋଇପାରେ !

Leave a Reply

Your email address will not be published. Required fields are marked *