ପ୍ରତିଛବି କଥା କୁହେ

ମନର ଅତି ଆପଣା ମଣିଷର
ପ୍ରତିଛବି,କିଛି ନ କହି ବି
ଅନେକ କଥା କହି ଦିଏ,
ତା ଆଖିର ନିଷ୍ପାପ ଚାହାଣି
ତା ଓଠର ଚେନାଏ ମଧୁର ହସ,
ତା’ ଭାବର ଗଭୀର ଆବେଗ
ସତେ ଯେମିତି ଲେଖି ଦିଏ ,
ସମ୍ପର୍କର ଆକାଶ ଦେହରେ
କେବେ ଲିଭି ନ ଯାଉଥିବା
ବନ୍ଧୁତ୍ଵର ବର୍ଣ୍ଣମାଳାସବୁକୁ …….

ଦୁନିଆର ସବୁଠୁ ଶ୍ରେଷ୍ଠ ସମ୍ପର୍କର
ଅନ୍ୟ ନାମ ବନ୍ଧୁତ୍ୱ,
ଯାହା ସଦା ଦେଦୀପ୍ୟମାନ
ଅମଳିନ,
ଚିର ଭାସ୍ୱର, ଏ ସମାଜର
ସମ୍ପର୍କର ଅଗଣାରେ…..

ବନ୍ଧୁତ୍ୱର ସମ୍ପର୍କ ବାନ୍ଧିଲାବେଳେ
କେହି କେବେ ଭାବେନି,
ଏଥିରେ ଲାଭ କେତେ
ଅବା କ୍ଷତି କେତେ ,
କେହି କେବେ ପରଖେନି
ତା ରୂପ କଣ
ତା ରଙ୍ଗ କଣ ,
ମଣିଷ ଖାଲି ଖୋଜି ଥାଏ
ତା ମନର ଭାବ ଆଉ ଆବେଗକୁ
ଆର ମଣିଷଟି
ଭଲଭାବେ ବୁଝିପାରୁଛି ନା ନାହିଁ,
ତାକୁ ଆପଣାର କରି ପାରୁଛି ନା ନାଇଁ…
ଏମିତିକି ପଶୁଟିଏ,
କଥା କହି ନପାରିଲେ ବି
ତା ଆଖିରେ କହୁଥାଏ ,
ମୁଁ ତୁମର ଅତି ନିଜର
ମୁ ତୁମର ଅତି ଆପଣାର,
ମୋତେ ତୁମେ ବିଶ୍ୱାସ କର ,
ମୋ ଉପରେ ଭରଷା ରଖ,
ସାରା ଜୀବନ ମୁଁ ତୁମ
ପାଖେ ପାଖେ ଥିବି
ତୁମ ସାଥି ହୋଇ ରହିଥିବି,
ମୋ ଆଖି ବୁଜିବା ଯାଏଁ ….

ପ୍ରତିଛବି କେବେ ମିଛ କୁହେ ନାଇଁ
ପ୍ରତିଛବି କେବେ ଛଳନା କରେ ନାଇଁ
ପ୍ରତିଛବି କେବେ ଅଭିନୟ କରେ ନାଇଁ,
ତା ସରଳ ମୁହଁରେ
ସେ ପ୍ରତିଫଳିତ କରାଉଥାଏ ,
ସଚ୍ଚା ବନ୍ଧୁତ୍ୱକୁ
କୃଷ୍ଣ ଭାବ ପରି,
ଯାହାକୁ ଯେତେ ନିରେଖିଲେ ବି
ବୁଝି ହୁଏନା କି
କଳି ହୁଏନା,
ଏତିକି ଖାଲି କହୁଥାଏ ଯେ
ଗୋଟେ ଗଭୀର ସମ୍ପର୍କ
ଦିନେ ନୁହେଁ,
ବର୍ଷେ ନୁହେଁ,
ଗୋଟେ ଜନ୍ମର ନୁହେଁ,
ସେ ସମ୍ପର୍କ ଜନ୍ମ ଜନ୍ମାନ୍ତରର………..

Leave a Reply

Your email address will not be published. Required fields are marked *