ଶୀତ ଆସିଲେ
ସତେ ଯେମିତି ବଦଳି ଯାଏ.
ଶାବର ଶ୍ରୀକ୍ଷେତ୍ର କୋରାପୁଟର ସ୍ୱରୂପ…..
ଅଙ୍କାବଙ୍କା ପାହାଡୀ ରାସ୍ତାର
ଦୁଇ କଡରେ ଅଳସ ଭାଙ୍ଗୁ ଥାଏ
ଅଳସି ଫୂଲର ସମ୍ଭାର,
ବନବାସୀ ଲଳନାର ପାଉଁଜିର
ଛମଛମ ସ୍ୱରରେ ପାହାଡି ଝରଣା ବି
କୁଳୁ କୁଳୁ କରି ବହି ଚାଲି ଥାଏ
ପାହାଡ ଦେହରୁ ଜଙ୍ଗଲ ଦେହରେ….
ସୂର୍ଯ୍ୟ ଉଇଁଲେ,
ଦିନ ହୁଏ
ଆଉ ସଞ୍ଜ ନଇଁଲେ
ରାତି ଆସେ,
ସେଇ ଆଲୁଅ ଆଉ ଅନ୍ଧାର ଭିତରେ,
ସରଳ ବନବାସୀ ମଣିଷମାନେ
ଜୀବନକୁ ଖୁବ ସହଜ ଭାବେ
ନେଇ ତାଙ୍କ ସୁଖ ଦୁଃଖର
ଜୀବନକୁ ବାହି ଚାଲନ୍ତି
ସମୟର ନୌକା ଦେହରେ…..
ତାଙ୍କ ମନରେ ନଥାଏ,
ଘୃଣା କି ହିଂସା
ନଥାଏ ଅସରନ୍ତି ପ୍ରାଚୁର୍ୟର ମୋହ,
ତାଙ୍କ ମନରେ ଥାଏ
ଅସରନ୍ତି ଭଲ ପାଇବା
ଆଉ ଆପଣେଇବାର ଆବେଗ,
ଶୀତ ସିନା ହାଡଭଙ୍ଗା
ହେଲେ ତାଙ୍କ ସରଳ ମନକୁ
କେବେବି ଭାଙ୍ଗିପାରେନି
ପ୍ରକୃତିର ଶୀତ,
ସେଇଥିପାଇଁ ତ,
ସେମାନଙ୍କ ଜୀବନ ଆନନ୍ଦମୟ…..