ଫଗୁଣ ଆସିଲେ
ସବୁ ଯେମିତି ବଦଳି ଯାଏ,
ଆମ୍ବ ଗଛରେ ବଉଳ ହୁଏ,
ଆଉ କୋଇଲିର କୁହୁ କୁହୁ
ତାନରେ ମନରେ ଶିହରଣ ଖେଳି ଯାଏ,
ବର୍ଷ ସାରା ନିର୍ବାକ ଥିବା
କୃଷ୍ଣଚୂଡ଼ା, ରଙ୍ଗର ପସରାରେ
ପ୍ରକୁତିକୁ ମନ୍ତ୍ରମୁଗ୍ଧ କରି ଦିଏ,
ସତରେ କେତେ ବିଚିତ୍ର ଏ ପୃଥିବୀ!
କେତେବେଳେ ରୁକ୍ଷ ଦିଶୁଥିବା
ଆଖି ଆଗର ସୃଷ୍ଟି,
ସବୁଜିମାର ମନୋରମ ଆଲେଖ୍ୟ ସୃଷ୍ଟି କରେ ତ,
କେତେବେଳେ ବର୍ଷ ସାରା ନିର୍ବାକ
ହୋଇ ଠିଆ ହୋଇ ରହିଥିବା
କୃଷ୍ଣଚୂଡ଼ା ମନମତାଣିଆ ରଙ୍ଗର
ଫୁଲରେ ରଙ୍ଗୀନ ଚିତ୍ରପଟ ତୋଳି ଦିଏ,
ସତେ ଯେମିତି ମଣିଷମାନେ
ନିଜ ହାତରେ ଆଙ୍କିଛନ୍ତି
ଅପୂର୍ବ ଚିତ୍ର ସବୁ………
ଏ ପଥିବୀ,
ଏତେ ଆଶ୍ଚର୍ଯ୍ୟମୟ ଯେ,
ଅନେକ ସୃଷ୍ଟିକୁ ଆମେ
ଚାହିଁଲେ ବି ତିଆରି କରି ପାରିବାନି,
ଆମେ ଚାହିଁଲେ,
ଆକାଶରେ ଇନ୍ଦ୍ରଧନୁ ତୋଳି ପାରିବାନି
କି ଆମେ ଚାହିଁଲେ,
ଜାମୁ ଗଛରେ ବର୍ଷସାରା
ଜାମୁ ଫଳାଇ ପାରିବାନି,
କି ଆମେ ଚାହିଁଲେ,
ତାଳ ଗଛରେ ବର୍ଷସାରା
ତାଳ ଫଳାଇ ପାରିବାନି….
ଏକ ଅଦୃଶ୍ୟ ଶକ୍ତି ଅଛି,
ଯାହା ସବୁ କିଛିକୁ ନିୟନ୍ତ୍ରଣ କରେ,
ତାହାର ଆଦେଶରେ
ଆମ୍ବ ଗଛରେ ବଉଳ ହୁଏ,
କୃଷ୍ଣଚୂଡ଼ା ଫୁଲ ଫୁଟେ,
ଏହା ହିଁ
ଧୃବ ସତ୍ୟ,
ଏହା ହିଁ
ପ୍ରହେଳିକାମୟ……..