ସମ୍ପର୍କର ଗଭୀରତାକୁ ମାପିବାକୁ ହେଲେ
ତାର ନିଵିଡତାକୁ ଅନୁଭବ କରିବା
ନିହାତି ଦରକାର,
ନିବିଡ଼ତା ଠିକ ମହୁଫେଣା ପରି
ଯାହା ଭିତରଟା ଖୁବ ମିଠା
ମହୁପରି,
ହେଲେ ମହୁଫେଣା ଭିତରେ ହିଁ
ମହୁ ଥାଏ,
ଯାହାକୁ ବାହାରୁ ଦେଖି
ଜାଣି ହୂଏନା,
ପରିଚୟରୁ ସମ୍ପର୍କ
ଆଉ ସମ୍ପର୍କରୁ ନିବିଡ଼ତା,
ସମ୍ପର୍କ ଗଢିବା ସହଜ,
ହେଲେ ସେ ସମ୍ପର୍କର ଗଭୀରତା
ନିବିଡତାର ମାପକାଠି ନହେଲେ
ଜାଣି ହୁଏନା,
ପରିଚୟ କରିବା ସହଜ
ହେଲେ ତାକୁ ସମ୍ପର୍କର ରଙ୍ଗ ଦେଇ
ବଜାୟ ରଖିବା ଏତେ
ସହଜ ନୁହେଁ….
ସମୟ ସୀମିତ,
ଆଉ ସେଇ ସମୟର ପରିଧି ଭିତରେ
ପରିଚୟରୁ ସୃଷ୍ଟି ହୋଇଥିବା
ସମ୍ପର୍କକୁ ନିବିଡ଼ତା ମୋହର
ଦେଇ ପାରିଲେ ହିଁ,
ସମ୍ପର୍କ ସ୍ଥାୟୀତ୍ୱ,
ନହେଲେ, ସମୟର ସାଗର ବେଳାରେ
ସାଗର ଢେଉରେ ଭାସି ଆସୁଥିବା
ଶହ ଶହ ଅପରିଚିତ ଶାମୁକାମାନଙ୍କ ପରି
ସମ୍ପର୍କ ସବୁ
ମୂଲ୍ୟହୀନ, ଅପାଙ୍କ୍ତେୟ
ଆଉ କ୍ଷଣିକ…
