ବୃଥା ଅହମିକା

ଦୁଇ ଦିନର ଏ ମଣିଷ ଜୀବନ,
ପାଣି ଫୋଟକା ପରି କେତେବେଳେ ମିଳେଇଯିବ
କିଏ କହିପାରିବ !
କାଲି ତ ଦୂରର କଥା
ଏବେ ଅଛି, ଆର ମୁହୁର୍ତ୍ତରେ ଏ ଜୀବନ
ରହିବ ନା ନାହିଁ ତାର କୌଣସି ସଠିକତା ନାହିଁ,
ତେବେ ବି,
ମଣିଷ ମନରେ କାହିଁକି ଏତେ ହିଂସା !
କାହିଁକି ତା ମନରେ ଏତେ ଅହଂକାର !
କାହିଁକି ତା ମନରେ ଏତେ ଗର୍ବ ଆଉ ବର୍ବରତା !
ଆଖି ବୁଜିଦେଲେ ସବୁ ନିସ୍ତବ୍ଧ,
ସବୁ ଏଠି ମିଛ
ସବୁ ଏଠି ଶୂନ୍ୟ,
ନିଜ ଆତ୍ମୀୟସ୍ଵଜନଙ୍କ ପାଖରେ ବି
ମଲା ମଣିଷଟା ଅପାଙ୍କ୍ତେୟ…….
ଦୁଇ ପଦ ମିଠା କଥା
ଆଉ ଚେନାଏ ମାତ୍ର ହସର ମଧୁରିମା,
ଏ ସବୁକୁ କାହାକୁ ଅଜାଡି ଦେଲେ
ସେ ଯେଉଁ ସ୍ବର୍ଗୀୟ ଆନନ୍ଦ
ତା ତୁଳନାରେ,
ଏ ଧନ, ଏ ଅଭିମାନ, ଏ ଆସ୍ପର୍ଦ୍ଧା,
ସବୁ ତୁଚ୍ଛ, ସବୁ ପ୍ରହେଳିକା,
ସବୁ ପ୍ରତାରଣା,
ଯେଉଁ ମଣିଷ ଜୀବନର ମୂଲ୍ୟକୁ
ଭଲଭାବେ ବୁଝି ପାରିଛି
ଭଲଭାବେ ଜାଣିପାରିଛି,
ତା ପାଖରେ ଯେଉଁ ଶାନ୍ତି ଅଛି
ତା ପାଖରେ ଯେଉଁ ଆନନ୍ଦ ଅଛି,
ସେ ଶାନ୍ତି ସେ ଆନନ୍ଦ
ପ୍ରାଚୁର୍ଯ୍ୟର ରାଜସିଂହାସନ ପାଖରେ ନାହିଁ
କ୍ଷମତାର ଅହଂକାରରେ ନାହିଁ……

 

 

 

Leave a Reply

Your email address will not be published. Required fields are marked *