ଜଳନ୍ତା ଆଗ୍ନେୟଗିରି

ସବୁ ସହିବାର ସୀମା ପାର ହୋଇଗଲେ
ଗୋଟେ ସରଳ ମଣିଷ ଯେ କୌଣସି ମୁହୂର୍ତ୍ତରେ
ପାଲଟି ଯାଇପାରେ ଗୋଟେ ଜଳନ୍ତା ଆଗ୍ନେୟଗିରି,
ଆଉ ତା
ଛାତି ଭିତରେ ଜମି ରହିଥିବା ତତଲା ଯନ୍ତ୍ରଣାକୁ
ବୁହାଇ ଦେଇପାରେ ଲାଲ ତକ ତକ ଉତପ୍ତ ଲାଭାରେ……
ଗୋଟେ ଶାନ୍ତ ନିରୀହ ସାରା ମଣିଷ କେବେ ବି
ଚାହେଁନା କୌଣସି ପରିସ୍ଥିତିରେ
ବାତାବରଣକୁ ଅଶାନ୍ତ କରିବାକୁ
ସେ କେବେ ବି ଚାହେଁନା
ପରିସ୍ତିତିକୁ ଅସ୍ୱାଭାବିକ କରିବାକୁ,
ସେ ତ ସବୁବେଳେ ଚାହୁଁଥାଏ
ସମସ୍ତଙ୍କ ସହ ମଧୁର ସରଳତା,
ସେ ମନାସୁ ଥାଏ
ସବୁ ମୁହୂର୍ତ୍ତରେ ସମସ୍ତଙ୍କ ପାଇଁ
ଶୁଭ କାମନା……
ହେଲେ, କିଛି ମଣିଷ ଯଦି
ତା ସରଳତାକୁ ତା ଦୁର୍ବଳତା ଭାବି
ତା ଉପରେ ପଶୁ ପଣିଆ ଜାହିର କରନ୍ତି
ସେ କିନ୍ତୁ ସହି ଯାଏ ସବୁ କିଛି,
ସେ ଭାବେ ଭୁଲ କରୁଥିବା ମଣିଷମାନେ
ଦିନେ ନିଶ୍ଚେ ନିଜର ଭୁଲକୁ ବୁଝି ପାରିବେ
ହେଲେ,
ସେ କ୍ରମାଗତ ଅତ୍ୟାଚାରର
ତାଡ଼ନାରେ ଯେତେବେଳେ ସବୁକିଛି ସହିବାର
ସୀମାକୁ ଅତିକ୍ରମ କରି ଯାଏ
ସେ ଅଶାନ୍ତ ହୋଇ ଯାଏ,
ତା ଭିତରେ ଯନ୍ତ୍ରଣାର ନିଆଁ ଏତେ ମାତ୍ରାରେ
ଜଳୁଥାଏ ଯେ
ସେ ଆଗ୍ନେୟଗିରି ପାଲଟିବାକୁ ବାଧ୍ୟ ହୁଏ
ଆଉ ତାକୁ ଯଦି ଅପରାଧୀ ବୋଲି ସାବ୍ୟସ୍ତ
କରା ଯାଏ ତେବେ ତା ପ୍ରତି
ତାହା କଣ ଅବିଚାର ନୁହେଁ !
ତାହା କଣ ଅନ୍ୟାୟ ନୁହେଁ !

 

Leave a Reply

Your email address will not be published. Required fields are marked *