ନୀଳକଂଠ

ଯେ ଦୁଃଖ ସହିପାରେ
ତାକୁ ଖାଲି ଦୁଃଖ ମିଳେ
ଯେ ମନ ଖୋଲି କାନ୍ଦି ପାରେ
ତାକୁ ଖାଲି ଲୁହ ମିଳେ
ଯେ ପଥର ପରି କିଛି କହି ପାରେନା
ତାକୁ ପଥର ପରି ପଡି ରହିବାକୁ ପଡେ
ଯେ ହଳାହଳ ପିଇପାରେ
ତାକୁ ଖାଲି ଯନ୍ତ୍ରଣାର ବିଷ ମିଳେ ।

ଏ ଦୁନିଆର ନୀତି ବି ଅଜବ!
ପାପ କରୁଥିବା ମଣିଷ ଏଠି ପାପୀ ହୁଏନା
ହତ୍ୟା କରୁଥିବା ମଣିଷ ଏଠି ହତ୍ୟାକାରୀ ହୁଏନା
ଅତ୍ୟାଚାର କରୁଥିବା ମଣିଷ ଏଠି ଅତ୍ୟାଚାରୀ ହୁଏନା
ଆଉ ଚୋରି କରୁଥିବା ମଣିଷ ଏଠି ଚୋର ବି ହୁଏନା ।

ଏଠି ନ୍ୟାୟରେ ଚାଲୁଥିବା ମଣିଷ ଉପରେ
ବେଶୀ ଅନ୍ୟାୟ ହିଁ ହେଉଥାଏ
ଏଠି ସମସ୍ତଙ୍କୁ ସ୍ନେହ ଦେଉଥିବା ମଣିଷକୁ
ଘୃଣା ହିଁ ମିଳୁଥାଏ
ଏଠି କାହାରିକୁ ଦୁଃଖ ଦେଉ ନଥିବା ମଣିଷକୁ
ବେଶୀ ଦୁଃଖ ହିଁ ମିଳୁଥାଏ
ଏଠି ଅନ୍ୟ ଆଖିରୁ ଲୁହ ପୋଛି ଦେଉଥିବା ମଣିଷକୁ
ଲୁହର ଶ୍ରାବଣରେ ଭିଜିବାକୁ ହୋଇଥାଏ ।

ତଥାପି ସରଳ ଆଉ ନିରୀହ ମଣିଷକୁ
ସମାଜରେ ମୁକ ହୋଇ ରହିବାକୁ ପଡିଥାଏ
ନା ସେ ମନ ଖୋଲି କିଛି କହି ପାରେ
ନା ତା ମନ କଥା କେହି ବୁଝି ପାରେ
ନିଜ ଲହୁ ନିଜେ ପିଇ
ଦୁନିଆ ଆଗରେ ସେ
ନୀଳକଂଠ ପାଲଟି ଯାଏ।

 

Leave a Reply

Your email address will not be published. Required fields are marked *