ମୁଁ ଦେଖୁଥିଲି ଆକାଶକୁ,
ଚାରିଆଡେ ତାରାମାନେ ମିଟି ମିଟି କରୁଛନ୍ତି,
ଭାବୁଥିଲି ସେମାନେ ହସୁଛନ୍ତି ନା କାନ୍ଦୁଛନ୍ତି
ମୋ ପରି ତାଙ୍କ ଭିତରେ ଦୁଃଖ ଅଛି ନା ନାହିଁ!
ହେଲେ ଜାଣିପାରୁନଥିଲି ଯେ
ସେମାନେ କାହିଁକି ମିଟି ମିଟି କରୁଛନ୍ତି!
ମୁଁ ଦେଖୁଥିଲି,
ଅନ୍ଧାରରେ ମାଳ ମାଳ ଉଡୁଥିବା ଜୁଳୁଜୁଳିଆମାନଙ୍କୁ,
ସେମାନେ ବି ମିଟି ମିଟି କରୁଛନ୍ତି,
ହେଲେ ଜାଣିପାରୁନଥିଲି ଯେ ସେମାନେ କାନ୍ଦୁଛନ୍ତି ନା ହସୁଛନ୍ତି,
ମୋ ପରି ତାଙ୍କ ଭିତରେ ଦୁଃଖ ଅଛି ନା ନାହିଁ!
ହେଲେ ଜାଣିପାରୁନଥିଲି ଯେ
ସେମାନେ କାହିଁକି ମିଟି ମିଟି କରୁଛନ୍ତି!
ଆଉ ମୁଁ ଦେଖୁଥିଲି,
ଥଣ୍ଡା କାକରରେ, ଗଛ ମୂଳରେ
ମା ପାଖରେ କୁଁ କୁଁ କରୁଥିବା ଛୋଟ କୁକୁର ଛୁଆମାନଙ୍କୁ,
ଭାବୁଥିଲି ଜାଙ୍ଗୁଲୁ ଜାଙ୍ଗୁଲୁ ଶୀତରାତିରେ,
ସେମାନେ କଷ୍ଟରେ କାନ୍ଦୁଛନ୍ତି ନା
ମା ପାଖରେ ଉଷୁମ ପାଉଥିବା ଖୁସିରେ କୁଁ କୁଁ କରୁଛନ୍ତି,
ହେଲେ ଜାଣିପାରୁନଥିଲି ଯେ,
ସେମାନେ କାହିଁକି କୁଁ କୁଁ କରୁଛନ୍ତି!