ଖୁସିର ସଂଜ୍ଞା କଣ ?
ନିଜ ମନକୁ ଆନନ୍ଦର
ପରିଧି ଭିତରେ ସାମିଲ କରି
ଉତ୍ଫୁଲ୍ଲିତ ହେବାର
ଅନ୍ୟ ନାଁ ବୋଧ ହୁଏ
ଖୁସି!
କିଏ ସମ୍ପତ୍ତିର ପ୍ରାବଲ୍ୟତାକୁ ନେଇ
ଖୁସି ହୁଏ ତ,
କିଏ ପ୍ରାଚୁର୍ଯ୍ୟର ସମ୍ଭାରକୁ ନେଇ
ଖୁସି ହୁଏ…..
କିଏ ନିଜର ଉତ୍ତରୋତ୍ତର ଉନ୍ନତିକୁ ନେଇ
ଖୁସି ହୁଏ ତ
କିଏ ପ୍ରତିପତ୍ତିର ଆସ୍ପର୍ଦ୍ଧାକୁ ନେଇ
ଖୁସି ହୁଏ…..
କିଏ ସାମୟିକ ମହୋତ୍ସବକୁ ନେଇ
ଖୁସି ହୁଏ ତ
କିଏ ମହାର୍ଘ୍ୟ ଭୁରି ଭୋଜନରେ
ଖୁସି ହୁଏ….
କିଏ ବାହା ହୋଇଗଲେ
ଖୁବ ଖୁସି ହୁଏ ତ
କିଏ ନିଜର ପୁଅଟିଏ ଜନ୍ମ ହେଲେ
ଖୁସି ହୁଏ….
ଖୁସିର ମାନେ ସମସ୍ତଙ୍କ ପାଇଁ
ଅଲଗା ଅଲଗା,
ହେଲେ ଏ ଖୁସି କେବେ ଯେ
ଚିରସ୍ଥାୟୀ ନୁହେଁ ତାହା
କେତେଜଣ ହୃଦୟଙ୍ଗମ
କରନ୍ତି ଯେ!
ହେଲେ ପ୍ରକୃତ ଖୁସିତ ଭଗବତ
ସାଧନାରେ,
ପ୍ରକୃତ ଖୁସିତ ନିସ୍ଵାର୍ଥପର ଭାବେ
ଅନ୍ୟକୁ ସାହାର୍ଯ୍ୟ କରିବାରେ,
ପ୍ରକୃତ ଖୁସିତ ଅନ୍ୟର
ହୃଦୟକୁ ବୁଝିପାରିବାରେ,
ପ୍ରକୃତ ଖୁସିତ ଅନ୍ୟ ମୁହଁରେ
ହସ ଫୁଟାଇବାରେ,
ଏ ଖୁସି ଜଣଙ୍କର ନୁହେଁ
ଏ ଖୁସି ଅନେକଙ୍କର…
ଏ ଖୁସିରେ ଶାଶ୍ବସ୍ତତା ଅଛି
ଆତ୍ମୀୟତା ଅଛି,
ଏ ଖୁସି ରେ ବ୍ୟବସାୟିକତା ନାହିଁ,
ଏଥିରେ ଅଛି
ଅନ୍ୟପ୍ରତି ସମର୍ପଣତା,
ଭାବ ଆଉ ଆବେଗର
ପରିପୂର୍ଣ୍ଣତା…….
