ଗୋଟେ ମଣିଷ ଆଉ ଗୋଟେ ମଣିଷ ସହ
ସମ୍ପର୍କ ବାନ୍ଧେ
ଗୋଟେ ବିଶ୍ୱାସକୁ ନେଇ,
ଯେଉଁ ବିଶ୍ୱାସର ପୁନିଆଦିରେ
ସେ ବିଶ୍ୱାସର ଘର ତିଆରି କରିବାକୁ
ସାହସ ବାନ୍ଧେ,
ଆଗଭର ହୁଏ,
ତା ବିଶ୍ୱାସ ଯେତିକି ଯେତିକି
ଗଭୀର ହେଉଥାଏ,
ତା ସମ୍ପର୍କର ଘର ସେତିକି ସେତିକି
ମଜଭୁତ ହୋଇ ଚାଲିଥାଏ…..
ଯେତେବେଳେ ତାକୁ ମନେହୁଏ ଯେ
ତା ବିଶ୍ୱାସ ସାଗର ପରି
ଗଭୀର ହୋଇଯାଇଛି,
ସେତେବେଳେ ସେ ଅନୁଭବ କରେ
ତା ସମ୍ପର୍କର ଘର
ଏବେ ପାହାଡ଼ ପରି ଠିଆ ହୋଇଛି,
ଯାହା କେବେ ବି ଦିନେ
ଭାଙ୍ଗିଯିବନି ଅବିଶ୍ୱାସର
ଭୂମିକମ୍ପରେ…..
ସେଇ ଭରସାରେ
ତା ବିଶ୍ୱାସ ପଥର ପରି
ଶକ୍ତ ହୋଇ ଯାଏ,
ସେ ସବୁବେଳେ ଭାବିଚାଲେ ଯେ
ତା ସମ୍ପର୍କ ଦୁନିଆର
ନିଆରା ସମ୍ପର୍କ
ଯାହାକୁ ଛଳନାର ବାତ୍ୟା
ଦୋହଲାଇ ପାରିବନି କି
ଆବୁଝାମଣାର ବନ୍ୟା
ବୁଡାଇ ପାରିବନି…..
ହେଲେ ହଠାତ ଦିନେ
ସେ ଯେତେବେଳେ ଦେଖେ
ଯାହାକୁ ନେଇ ସେ ସୁନ୍ଦର ଭାବର
ସମ୍ପର୍କ ତିଆରି କରିଥିଲା,
ସେ ସମ୍ପର୍କର ସାଥି ହୋଇଥିବା
ମଣିଷଟା ତା ବିଶ୍ୱାସକୁ
ଅବିଶ୍ୱାସର ହାତୁଡ଼ିରେ ଭାଙ୍ଗି ଚୁନା
କରିଦେଉଛି,
ସେ ନିଥର ନିରବ
ହୋଇଯାଏ,
ବିଶ୍ୱାସ ଆଉ ସମ୍ପର୍କ
ଏ ଦୁଇଟି ଉପରୁ
ତା ଭରସା ତୁଟି ଯାଏ,
ସବୁଦିନ ପାଇଁ
ତା ନିଜ ଉପରେ ଭୀଷଣ
ଘୃଣା ଆସି ଯାଏ ……
