ଏତେ ଗହଳ ଚହଳରେ ଥାଇ ବି
ଗୋଟେ ମଣିଷ ଯଦି
ନିଜକୁ ଖୁବ ଏକୁଟିଆ ମନେ କରେ,
ତା’ଠୁ ଭଲ ଆଣ୍ଟ|ର୍ଟିକ| ରେ
ପେଙ୍ଗୁଇନର ଜୀବନ…..
ମଣିଷ ସବୁକିଛି ବୁଝିପାରେ
ବୋଲି ତ ଜଗତରେ ଶ୍ରେଷ୍ଠ ଜୀବର
ଆଖ୍ୟା ପାଇଛି,
ସବୁ ଅନୁଭବ କରିପାରେ
ବୋଲି ତ ଦରଦୀ ହେବାର
ସଂଜ୍ଞା ନେଇଛି!
ହେଲେ, ଯେଉଁଠି ଗୋଟେ ମଣିଷ
ଆଉ ଗୋଟେ ମଣିଷକୁ
ବୁଝିବାକୁ ପ୍ରସ୍ତୁତ ନୁହେଁ,
ହେଲେ, ଯେଉଁଠି ଗୋଟେ ମଣିଷ
ଆଉ ଜଣକର ଆବଶ୍ୟକତାକୁ
ଜାଣିବାକୁ ପ୍ରସ୍ତୁତ ନୁହେଁ,
ତେବେ ସେ ସମାଜରେ
ଜଣେ ସରଳ ମଣିଷ
ବଂଚିବା ଖୁବ କଷ୍ଟକର |
ତା ଅପେକ୍ଷ୍ୟା ସେ ଗୋଲାର୍ଦ୍ଧରେ
ଖାଲି ପୁଞ୍ଜା ପୁଞ୍ଜା ବରଫ ଭିତରେ,
ବିନା ମଣିଷମାନଙ୍କ କୋଳାହଳରେ ,
ମାଳ ମାଳ ପେଙ୍ଗୁଇନମାନଙ୍କ ପରି
ଏକାଠି ରହିବାର ମୂଲ୍ୟ
ଅନେକ କିଛି,
କାହିଁକି ନା, ସେଠି ଗୋଟେ ପେଙ୍ଗୁଇନ
ଆଉ ଗୋଟେ ପେଙ୍ଗୁଇନକୁ
ସାଥିତ୍ବ ତ ଦେଇପାରୁଛି !
ସେତିକି ଯଥେଷ୍ଟ,
ଅନ୍ତତଃପକ୍ଷେ ପେଙ୍ଗୁଇନମାନେ
କେବେ ଏକାକୀ ଜୀବନ ତ
ବିତାଉ ନାହାନ୍ତି,
ଆଉ ଏ ମଣିଷ ସମାଜରେ
କୋଟି କୋଟି ମଣିଷ ଥାଇ ବି
ଗୋଟେ ମଣିଷ ଯଦି ଏକାକୀ,
ତା ‘ଠୁ ଶହେଗୁଣ ଭଲ
ପେଙ୍ଗୁଇନର ଜୀବନ …..
