ଅନୁତାପ

ସେଦିନ ମୁଁ ତୁମକୁ ମୋଠାରୁ
ଦୁରେଇ ଯିବାକୁ କହିଥିଲି,
ତୁମକୁ ଅପମାନ ଦେଇଥିଲି
ତୁମକୁ ଗାଳି କରିଥିଲି
ତୁମ ମୁହଁ ଆଉ ମୋତେ
ଦେଖାଇବନି ବୋଲି
ତାଗିଦା କରିଥିଲି,
ମୁଁ ଭୁଲିଯାଇଥିଲି ମୋ
ହିତାହିତ୍ୟ ଜ୍ଞାନ,
କ୍ରୋଧ ନିଆଁରେ ମୁଁ
ଜଳୁଥିଲି ହୁତୁହୁତୁ ହୋଇ,
ମୁଁ ଜାଣିଥିଲି,
ତୁମେ ସମ୍ପୂର୍ଣ୍ଣ ଭାବେ ନିର୍ଦୋଷ,
ତୁମର କୌଣସି ଦୋଷ ନଥାଇ
ମୁଁ ତୁମକୁ ଅପରାଧୀ ସଜାଇଦେଲି,
ଆଉ ସବୁଦିନ ପାଇଁ
କଳାପାଣି ନିର୍ବାସନ କଲି,
ତୁମେ ମୋତେ
ଅନେକ ବୁଝାଇବାକୁ ଚେଷ୍ଟା କରିଥିଲ,
କାକୁତିମିନତି କରିଥିଲ,
ତୁମଠୁ ଦୁରେଇ ନଯିବାକୁ
ଆକୁଳ ଅନୁରୋଧ କରିଥିଲ,
ହେଲେ ମୁଁ କ୍ଷଣିକ କ୍ରୋଧରେ
ଅନ୍ଧ ହୋଇଯାଇଥିଲି,
ତୁମର କୌଣସି କଥା
ଶୁଣିନଥିଲି,
ଭୁଲିଯାଇଥିଲି ଯେ ତୁମ ସହ
ଜୀବନସାରା ବନ୍ଧୁ ହୋଇ
ରହିବାକୁ ମୁଁ ହିଁ ପ୍ରତିଶୃତି ଦେଇଥିଲି,
ତୁମେ ଭାଙ୍ଗିପଡିଥିଲ
ମୋତେ ହରେଇବାର ଦୁଃଖରେ,
ତୁମ ହୃଦୟ ଯନ୍ତ୍ରଣାରେ
ଖୀନଭିନ ହେଲାବେଳେ
ମୁଁ କିନ୍ତୁ ପାଷାଣ ହୋଇଯାଇଥିଲି,
ତୁମେ ମୋତେ
ଦେଖା ନକରିପାରିବ ବୋଲି,
ମୁଁ ଆଉ ଗୋଟେ ସହରକୁ
ଚାଲିଯାଇଥିଲି…….
ଅନେକଦିନ ପରେ ମୁଁ
ଆଜି ବୁଝିପାରିଛି ମୋ ଭୁଲସବୁକୁ,
ହୃଦୟଙ୍ଗମ କରିପାରୁଛି
ସେଦିନ ତୁମେ ପାଇଥିବା
ଯନ୍ତ୍ରଣାସବୁକୁ,
ସତରେ ସବୁ ଭୁଲ ମୋର ଥିଲା,
ତୁମେ ସରଳ ମଣିଷର ଭାବ ହିଁ
ମୋତେ ଦେଇଥିଲ,
ଯାହା ମୁଁ ହଜାଇଦେଇଥିଲି
ସମୟର ଇଲାକାରେ,
ଆଜି ଅନୁତପ୍ତ ମୁଁ ,
ମୁଁ ହିଁ ଅପରାଧୀ,
ତୁମ ପରି ବନ୍ଧୁକୁ ମୁଁ ହିଁ
ନିଜେ ହଜାଇଦେଇଛି,
ତୁମକୁ ଖୋଜୁଛି
ମୁଁ ଆଜି ସହରେ ସହରେ,
କାଳେ ତୁମ ସହ ଏ ଜନ୍ମରେ
ପୁଣି ଥରେ ଦେଖା ହୋଇଯିବ,
ମୁଁ ମୋ ଦୋଷ ମାନି ସାରିଛି,
ତୁମେ ଥିଲ ସଚ୍ଚା ବନ୍ଧୁ ମୋର,
ଥିଲ ମୋର ଅତି ଆପଣାର,
ଫେରିଆସ ବନ୍ଧୁ ମୋର ,
ମୋତେ ତୁମେ ଶାସ୍ତି ଦିଅ
ଭୀଷଣ ଅନୁତପ୍ତ ମୁଁ ,
ଫେରିଆସ ଦରଦୀ ବନ୍ଧୁ ମୋର…….

Leave a Reply

Your email address will not be published. Required fields are marked *