ଗୋଟେ ମୁହୂର୍ତ୍ତରେ
ଏଇ ଦୁନିଆଁରେ ସବୁକିଛି
ଓଲଟି ଯାଇପାରେ
ଆଖି ପଲକ ପଡି଼ବାଠୁ
ଆହୁରି କମ ସମୟ ଭିତରେ,
ନିଜକୁ ବିଶ୍ୱାସ ବି କରି ହୁଏନା
ସତରେ କଣ
ସମୟ ଏମିତି ସବୁକିଛି
ଏପଟ ସେପଟ କରିପାରେ
ନିଜକୁ କିଛି ଭାବିବାର ସୁଯୋଗ ନ ଦେଇ ……
ଜୀବନର ପ୍ରତିଟି ମୁହୂର୍ତ୍ତ ଯାହାର
ଖୁବ ହସ ଖୁସିରେ ବିତୁଥାଏ,
ସେ କେବେ ବି ଭାବି ନଥାଏ ଯେ
ଅଚାନକ ଆର ମୁହୂର୍ତ୍ତରେ ତା ଜୀବନରେ
ଅନ୍ଧାରର କଳା ବାଦଲ
ଢାଙ୍କି ଯାଇପାରେ ବୋଲି,
ସବୁବେଳେ ଖୁସିର ବଗିଚାରେ ବୁଲୁଥିବା
ମଣିଷର ସେ ବଗିଚା
ଅଚାନକ ପର ମୁହୂର୍ତ୍ତରେ
ଉଜୁଡି ଯାଇପାରେ ଯନ୍ତ୍ରଣାର ଝଡ଼ ବତାସରେ ……
ଦେଖିବାକୁଗଲେ
ଏ ମଣିଷ ଜୀବନଟା,
ସବୁବେଳେ କଳ୍ପନାର ବାହାରେ….
କେହି ଏଠି ଗର୍ବକରି କହିପାରିବନି ଯେ
ତା ଜୀବନରେ କିଛି ଅଘଟଣ
ନଘଟିବ ବୋଲି,
କେହି ନିଜ ଛାତିରେ ହାତରଖି
କହିପାରିବନି ଯେ ତା ଜୀବନରେ
କେବେବି ଲୁହର ବନ୍ୟା ଆସିବନି ବୋଲି…..
ତଥାପି ଆଶ୍ଚର୍ଯ୍ୟ ଲାଗେ ଯେ
ମଣିଷମାନେ ସବୁଜାଣି ବି
କାହିଁକି ଏତେ ବୃଥା ଅହମିକାର
ଆସ୍ଫାଳନ କରିବସନ୍ତି!
କାହିଁକି ପ୍ରାଚୁର୍ଯ୍ୟର ମିଛ ମରୀଚିକାକୁ
ବାସ୍ତବତାରେ ଅବତାରଣା କରନ୍ତି!
ଜୀବନଟା ଏଠି ପାଣି ଫୋଟକା,
ଏଇନା ଅଛି, ଏଇନା ନାହିଁ,
ମଣିଷମାନେ ନିଜ ମଣିଷପଣିଆକୁ
ଧରି ରଖିପାରିଲେ,
ସମୟ ହିଁ ବାହାବା ଦେବ ଯେ
ଏ ମଣିଷଟା,
ଜୀବନକୁ ଭଲଭାବେ ବୁଝିପାରିଛି
ଏ ମଣିଷଟା
ଜୀବନକୁ ଭଲଭାବେ ପରଖି ନେଇଛି ….
