ଦୁନିଆଁ କହିଲେ ପୁପୁ ବୁଝୁଥିଲା, ତା ମା’, ତା ବାପା ଆଉ ତାଙ୍କ ପୋଷା କୁକୁର ପୁଗୁ ସହ ସବୁଦିନ ଆରଂଭ ହେଉଥିବା ସକାଳକୁ ନେଇ| ଖୁବ ସାଧାରଣ ଜୀବନ ପୁପୁର | ପୁପୁର ଦିନଚର୍ଯ୍ୟା ନିଜ ମା’, ବାପା, ତାଙ୍କ ଆଦରର ପୋଷା କୁକୁର ପୁଗୁର ପରିଧି ଭିତରେ ସବୁଦିନ ଆରମ୍ଭ ହେଉଥିଲା ଆଉ ସରୁଥିଲା |
ଛୋଟ ଦୁନିଆଟିଏ ଥିଲା ତାଙ୍କର | ବାପା ସହର ଭିତରେ ଥିବା ଗୋଟେ ବେସରକାରୀ ଅନୁଷ୍ଠାନରେ କିରାଣୀ ଚାକିରୀ କରୁଥିଲେ | ଦରମା ବେଶୀ ନ ହେଲେ ବି ସୁରୁଖୁରୁରେ ଜୀବନ ତାଙ୍କର ଗଡି ଚାଲିଥିଲା | ପୁପୁ ସରକାରୀ ସ୍କୁଲରେ ପଢୁଥିଲା | ଆଗକୁ ଦଶମ ଶ୍ରେଣୀ ପରୀକ୍ଷା, ତେଣୁ ମନ ଲଗାଇ ପାଠ ପଢୁଥିଲା | ମା’ ତାର ଶ୍ୱାସ ରୋଗୀ | ତେଣୁ ମା ତାର କହୁଥିଲା, ପୁଅରେ, ତୋ ବାପା ତ ବେଶି ପାଠ ପଢି ନାହାନ୍ତି ବୋଲି ଭଲ ଚାକିରି କରି ପାରିଲେନି | ତୁ ମନ ଲଗାଇ ପାଠ ପଢ ଆଉ ତୁ ଡାକ୍ତର ହେଲେ ମୋ ରୋଗ ଭଲ କରିବୁ |
ପୁପୁ ମା’କୁ କହୁଥିଲା, ତୁ ବ୍ୟସ୍ତ ହଅନା ମା’, ଦେଖିବୁ ମୁଁ ଭଲ ପାଠ ପଢି ଡାକ୍ତର ହେବି, ତୋ ରୋଗ ଭଲ କରିଦେବି |
ମା’ ହସି ଦେଉଥିଲା ପୁପୁ କଥାରେ ଆଉ ପୁପୁର ମୁଣ୍ଡ ଆଉଁସି କହୁଥିଲା, ତୁ ଆଗ ଡାକ୍ତର ହୋଇଯା, ତାପରେ ମୋ ରୋଗ ଭଲ କରିବୁ |
ପୁପୁ କହୁଥିଲା ଦେଖିବୁ ମା’ ମୁ ଦିନେ ଡାକ୍ତର ହେବି ଆଉ ମୋ ମା’ ବାପାକୁ ଭଲରେ ରଖିବି |
ପୁପୁ କଥାରେ ମା’ ଆଖିରୁ ଲୁହ ଝରି ପଡୁଥିଲା | ମା’ ତା’ର ଠାକୁରଙ୍କୁ ଡାକୁଥିଲା ମୋ ପୁପୁକୁ ମଣିଷ କରି ଦିଅ , ତାକୁ ଭଲରେ ରଖ|
ଏମିତି ଦେଖିବାକୁ ଗଲେ ପୁପୁ ତା ମା’କୁ ଖୁବ ଭଲ ପାଉଥିଲା | ପୁପୁର ମା’ ହିଁ ତା ଜୀବନ | ମା’ ବିନା ପୁପୁକୁ ଦୁନିଆଟା ଅନ୍ଧାର ଯେମିତି ମନେହେଉଥିଲା | ସେଇଥିପାଇଁ ପୁପୁ ମା’କୁ ତା ବାପା କହୁଥିଲେ, ଦେଖ ତୁମ ପୁଅ ବାହା ହେଲାପରେ ତୁମକୁ ଏମିତି ଖୋଜୁଥିବ ନା ନାଇଁ | ହେଲେ ମା’ ଖାଲି ଏ କଥା ଶୁଣି ଚୁପଚାପ ହସୁଥିଲେ |
ପୁପୁର ବାପା ବେସରକାରୀ ଅନୁଷ୍ଠାନରେ ଏତେ କାର୍ଯ୍ୟବ୍ୟସ୍ତ ରହୁଥିଲେ ଯେ ମା’ ପୁଅଙ୍କ ସହ ଖୁସିରେ ସମୟ କାଟିବାକୁ ସୁଯୋଗ ପାଉ ନଥିଲେ ହେଲେ ରାତିରେ ଶୋଇଲାବେଳେ ପୁପୁ ମା’ କୁ କହୁଥିଲେ, ଆମ ପୁପୁ ମନ ଦେଇ ପାଠ ପଢୁଛି | ଲାଗୁଚି ପ୍ରଭୁ କୃଷ୍ଣ ଆମ ମନ କଥା ନିଶ୍ଚୟ ଶୁଣିବେ |
ଏମିତି ସେମାନେ ରହୁଥିବା ସହର ଭିତରେ ସବୁଦିନ ସୂର୍ଯ୍ୟ ଆସିଲେ ସକାଳ ହେଉଥିଲା ଆଉ ସୂର୍ଯ୍ୟ ଅସ୍ତ ହେଲାପରେ ରାତି ହେଉଥିଲା|
ହେଲେ ମଣିଷ ଯାହା ଭାବେ ତାହା ସବୁବେଳେ ହୁଏନି କି ସବୁ ସ୍ୱପ୍ନ ସତ ବି ପାଲଟେନି | ଏମିତି ହୁଏ ଯେ ଗୋଟେ ମଣିଷ ଯାହା ଭାବିଥାଏ , ତାକୁ ତାହା ସହଜରେ ମିଳି ଯାଏ ଆଉ ଗୋଟେ ମଣିଷ ଜୀବନରେ ତା ସ୍ବପ୍ନ ସବୁବେଳେ ସ୍ବପ୍ନ ହୋଇ ହିଁ ରହି ଯାଏ |
ସମୟ ସବୁଠୁ ବଳବାନ | ତା ଆଗରେ ସବୁ କିଛି ତୁଚ୍ଛ | ଗୋଟେ ମୁହୂର୍ତ୍ତ ଭିତରେ ସୁଖଶାନ୍ତିରେ ହସୁଥିବା ପରିବାରର ସବୁ ଖୁସି ନିମିଷକେ ଚୁନା ହୋଇ ଯାଏ….. ସବୁ କିଛି ଠିକ ଠାକ ଚାଲୁଥିଲା | ପୁପୁ ପରୀକ୍ଷା ପାଇଁ ମନ ଲଗାଇ ପାଠ ପଢୁଥିଲା | ପୁପୁର ବାପା ତାଙ୍କ ବେସରକାରୀ ଅନୁଷ୍ଠାନକୁ ଯାଉଥିଲେ ଆଉ ପୁପୁ ମା’ ନିଜ ଶ୍ୱାସରୋଗ ଭିତରେ ବି ପୁପୁ ପାଇଁ ଠାକୁରଙ୍କ ପାଖରେ ମାନସିକ କରୁଥିଲା |
ହଠାତ ଦିନେ ଖବର ଆସିଲା ଭାରତକୁ କୋଭିଡ ବେମାରୀ ଅନ୍ୟ ଦେଶରୁ ମାଡି ଆସୁଛି | କେରଳରେ କିଛି ଲୋକଙ୍କୁ କୋଭିଡ ହେଲାଣି | ଜଣେ ଦୁଇଜଣ ମରିଗଲେଣି | ଚାରିଆଡେ କୋଭିଡ ବେମାରୀର ଚର୍ଚ୍ଚା ଚାଲିଛି | ହେଲେ ପୁପୁ ପରିବାର ଉପରେ ଏ ଖବର ସେମିତି କିଛି ପ୍ରଭାବ ପକେଇନି | ପୁପୁ ତା ପରୀକ୍ଷା ପାଇଁ ଆହୁରି ଅଧିକ ପ୍ରସ୍ତୁତି ଚଳେଇଛି |
କିନ୍ତୁ ସମୟ ଭାରି ପ୍ରହେଳିକାମୟ | ଆଜି ପୁପୁ ରହୁଥିବା ସହର ଭାରି କୋଳାହଳମୟ ହୋଇ ପଡ଼ିଛି | ପୁପୁ ବାପା ଆଜି ହାଟ ଯାଇଥିଲେ | ସେଇଠି ଲୋକ କଥା ହେଉଥିଲେ ଆମ ଏ ସହରରେ ବି ପ୍ରଥମ କୋଭିଡ ରୋଗୀ ଚିହ୍ନଟ ହୋଇ ସାରିଛନ୍ତି | ଏ ବେମାରୀ ଭାରି ବିପଦପୂର୍ଣ୍ଣ | କୋଭିଡ ରୋଗୀ ସହ ଯିଏ ମିଶିବ ତାକୁ ବି କୋଭିଡ ହୋଇ ଯାଉଛି |
ପୁପୁ ବାପା ହାତରୁ ଆସି ନିଜ ଘରେ ଏ କଥା କହିଲେ | ପୁପୁକୁ ମନାକଲେ ଦରକାର ନଥିଲେ ବାହାରକୁ ଯିବୁନି |
ଏଵେ ଚାରିଆଡେ ଖାଲି କୋଭିଡର ଚର୍ଚ୍ଚା | ଲୋକମାନେ ମାସ୍କ କିଣୁଛନ୍ତି , ସରକାର କୋଭିଡ ବେମାରୀ ପାଇଁ ଜନସାଧାରଣଙ୍କୁ ନିୟମାବଳୀ ବି ଜାରି କଲେଣି |
ଆଜି ପୁପୁ ବାପା ଆସି ଘରେ କହିଲେ ସେ କାମ କରୁଥିବା ଜାଗାରେ ଜଣକୁ କୋଭିଡ ହୋଇଛି | କାଲିଠୁ ସେ ଆଉ କାମକୁ ଯିବେନି|
ତା ପରଦିନ ସକାଳେ ପୁପୁ ତା ମା’କୁ ଡାକ ଛାଡି କହିଲା, ମା’ ଦେଖିଲୁ ବାପା କଣ ଏତେବେଳ ହେଲା ଶୋଇଛନ୍ତି ! ମା’ ଆସି ଦେଖିଲାବେଳକୁ ପୁପୁ ବାପାଙ୍କ ଦେହରେ ଅସମ୍ଭାଳ ତାତି | ସବି ମା’ ତାଙ୍କର ଭାରି ଭଲ ପଡିଶା | ପୁପୁ ମା’ ପଡିଶାଘର ସବି ମା’କୁ କହିଲା ଏ କଥା | ସବି ବାପା ସରକାର ଜାରି କରିଥିବା ଟେଲିଫୋନ ନମ୍ବରରେ ଫୋନ କଲାରୁ କୋଭିଡ ହସ୍ପିଟାଲରୁ ଲୋକ ଆସି ଆମ୍ବୁଲାନ୍ସ ରେ ନେଇଗଲେ |
ଘରେ ରହିଗଲେ ମା’ ପୁଅ | କୋଭିଡ ହସ୍ପିଟାଲକୁ କାହାରିକୁ ଯିବା ମନା | ସରକାର ନିୟମ କରିଛନ୍ତି କୋଭିଡ ରୋଗୀଙ୍କ ସହ କେହି ଦେଖା କରି ପାରିବେନି | ମା’ ପୁଅ ଦୁହେଁ ଭାରି ବ୍ୟସ୍ତ ହେଲେ, ହେଲେ କିଛି କରିପାରିବାର ଉପାୟ ନଥିଲା | ବାପାଙ୍କ ପାଖକୁ ଯାଇ ନପାରି ମା ପୁଅ ଦୁହେଁ ଭାରି ବ୍ୟସ୍ତ ହେଉଥିଲେ |
ଏ ଭିତରେ ଚାରିଦିନ ବିତି ଗଲାଣି | ମା’ ପୁଅ ଦୁହେଁ ଭାରି ବ୍ୟସ୍ତ ହେଉଥାନ୍ତି| ପୁପୁ କେମିତି ବାପାଙ୍କ ଖବର ଜାଣିବ ଭାବି ପାରୁନଥିଲା | ପୁପୁ ଆଉ ତା ପାଠ ପଢ଼ାରେ ମନ ଦେଇ ପାରୁନି | ଏ କୋଭିଡ ବେମାରୀ ସବୁକିଛି ବିଗାଡି ଦେଲା |
ହେଲେ ବିପଦ ଯେତେବେଳେ ଆସେ, ଏକା ଆସେନି | ଆଜି ସନ୍ଧ୍ୟାରେ ପୁପୁ ମା’କୁ ଭୀଷଣ ଜ୍ୱର ହେଲା | ବାପାଙ୍କପରି ଆମ୍ବୁଲାନ୍ସ ଆସି ତା ମାକୁ ସେଇ କୋଭିଡ ହସ୍ପିଟାଲକୁ ନେଇ ଗଲେ ଯେଉଁଠି ତା ବାପା ଥିଲେ|
ପୁପୁର ଜୀବନ ଅନ୍ଧାରମୟ ହୋଇଗଲା | ବାପା ମା’ ଦୁଇ ଜଣ କୋବିଦ ହସ୍ପିଟାଲ ଚାଲିଗଲେ | ସେ ଏବେ କଣ କରିବ?
ତାକୁ କିଛି ବାଟ ଦିଶୁ ନଥିଲା | ପନ୍ଦର ବର୍ଷର ଛୁଆଟା ବୁଝି ପାରୁନଥିଲା ହତାଟ ତା ଜୀବନରେ ଏ ସବୁ କଣ ହୋଇଗଲା!
ତାକୁ ସବୁ ଅନ୍ଧାର ଅନ୍ଧାର ଦେଖା ଯାଉଥିଲା | କଣ କରିବ ସେ! ତାକୁ ଭୋକ ଶୋଷ କିଛି ଲାଗୁନଥିଲା | ମା ବାପାଙ୍କ ଚିନ୍ତା ତାକୁ ଭାରି ଘାରୁ ରୁ ଥିଲା |
ତିନି ଚାରିଦିନ ହେଲାଣି କିଛି ଖାଇନି ପୁପୁ | କେମିତି ଖାଇବ ଯେ!
ମା’ ବାପା ଦୁହେଁ କୋଭିଡ ହସପିଟାଲରେ , ତାଙ୍କ ଦେହ କେମିତି ଅଛି!
କେମିତି ଦେଖିବା ତା ମା’ ବାପାଙ୍କୁ?
କାହାକୁ କହିବ?
ଚିନ୍ତାରେ ଆଉଟୁ ପାଉଟୁ ହେଇଯାଉଥିଲା ପୁପୁ |
ଶେଷରେ ଠିକ କଲା ପଡିଶା ଘର ସବି ବାପାଙ୍କୁ କୋଭିଡ ହସ୍ପିଟାଲର ଠିକଣା ପଚାରିବା କାଲି ସକାଳେ |
ବଡ଼ି ଭୋରରୁ ପୁପୁ ସବି ବାପାଙ୍କୁ ପଚାରିଲା କେଉଁଠି ସେ କୋଭିଡ ହସ୍ପିଟାଲ ବୋଲି | ସବି ବାପାଙ୍କଠାରୁ ଠିକଣା ନେଇ ପୁପୁ ଏକା ନିଶ୍ୱାସରେ ଛୁଟି ଚାଲିଲା ସେ ହସପିଟାଲକୁ|
କିନ୍ତୁ କେମିତି ଜାଣିବ ତା ମା’ ବାପା କେଉଁଠି ଅଛନ୍ତି?
ବହୁତ କଷ୍ଟରେ ଜଣେ ହସ୍ପିଟାଲ ଦିଦିଙ୍କୁ କହିଲା ସବୁ କଥା | ଦିଦି କହିଲେ ତୁମେ ସେଠିକି ଯାଇ ପାରିବନି | ସରକାର ନିୟମ କରିଛନ୍ତି |
ପୁପୁ ନେହୁରା ହେଲା | ଦିଦି ଥରୁଟେ ମୋ ମା’ ବାପାଙ୍କୁ ଦେଖିବି | ମୋତେ ଛାଡି ଦିଅ | ଦିଦି କହିଲେ, ନାଇଁ ବାବୁ ଅବୁଝା ହୁଅନି |
ପୁପୁ କଣ କରିବ ଭାବି ପାରୁନଥିଲା | ପୁପୁ ଏଥର ଦିଦିଙ୍କୁ କହିଲା, ଦିଦି ! ସବୁ କୋଭିଡ ରୋଗୀ ମାନେ ଏ ହସ୍ପିଟାଲରେ କେଉଁଠି ଅଛନ୍ତି?
ଦିଦି କହିଲେ ତିନି ମହଲା ଉପରେ ସେଇ ଯେଉଁ ବଡ ହଲ ଘର ଲାଇଟ ଜଳୁଛି ସେଇଠି ରହୁଛନ୍ତି |
ଏଥର ପୁପୁ ଦିଦିଙ୍କ ଦୁଇ ପାଦକୁ ଜାବୁଡି ଧରି କହିଲା, ତୁମେ ଖାଲି ଥରେ ଯାଇ ଦେଖି ଆସ ମୋ ମା’ ଆଉ ବାପା କେମିତି ଅଛନ୍ତି |
ଦିଦି ପୁପୁ କଥା ଭାଙ୍ଗି ପାରିଲେନି | ପୁପୁଠାରୁ ତା ମା’ ଆଉ ବାପାଙ୍କ ନାମ ଆଉ ଠିକଣା ନେଇ ଚାଲିଗଲେ |
ଦିଦିଙ୍କ ବାଟକୁ ଚାତକପରି ଅପେକ୍ଷା କରି ବସିରହିଲା ପୁପୁ |
ଅନେକ ସମୟପରେ ଦିଦି ଆସି କହିଲେ, ତୁମ ମା’ ବାପା ଭଲ ଅଛନ୍ତି | ଦିଦିଙ୍କ ପାଦକୁ ପୁଣି ଥରେ ଜାବୁଡି ଧରିଲା ପୁପୁ | ଆଖିରୁ ଧାର ଧାର ଲୁହ ଛୁଟି ଚାଲିଚି ପୁପୁର |
ଦିଦି, ତୁମ ପାଖରେ ମୁଁ କୃତଜ୍ଞ, ମୋ ମା’ ବାପାଙ୍କ ଦେହ ଖବର ଜଣାଇବାରୁ | ଦିଦି ପୁପୁ ଆଖିରୁ ଲୁହ ପୋଛି ଦେଇ କହିଲେ, ବାବୁ ଏବେ ତୁମେ ଘରକୁ ଯାଅ |
ପୁପୁ ସେଠାରୁ ଚାଲି ଆସିଲା, ହେଲେ ରାସ୍ତାରେ ଭାବିଲା ଯେମିତି ହେଉ ମୁଁ ମୋ ମା’ ବାପାଙ୍କୁ ଦେଖିବି | ମୋ ମା ମୋତେ କେତେ ଖୋଜୁଥିବ | ବାପା ବି ଖୋଜୁଥିବେ |
ମନେ ମନେ କିଛି ଚିନ୍ତା କଲା | ଅଧା ରାତି ହେଲାଣି | ଦେଖିଲା ଦିଦି ଦେଖାଇଥିବା ହଲ ଘର ତଳ ପାଖ ଅନ୍ଧାର , ଲୋକ ଗହଳି ବି ନାଇଁ | ମୁଣ୍ଡକୁ ବୁଦ୍ଧି ଜୁଟିଲା | ସେ ଉପରକୁ ଚଢ଼ିବ | ହେଲେ କେମିତି ଚଢ଼ିବ ଯେ ! ମନରେ ସାହସ ଜୁଟାଇଲା | ତା ମା’ ବାପାଙ୍କ ପାଇଁ ଏତକ କଣ କରିପାରିବନି ? ହଁ ସେ ପାରିବ | ସେ ନିଶ୍ଚୟ ଚଢିବ | ଆସ୍ତେ ଆସ୍ତେ ସେ ବିଲଡିଂରେ ଲାଗିଥିବା ପାଇଖାନା ପାଇପକୁ ଧରି ଉପରକୁ ଚଢିବାରେ ଲାଗିଲା ଏକ ନିଶ୍ୱାସରେ |
ଜୀବନରେ କେବେବି ଏମିତି ଚଢି ନଥିବା ପୁପୁ ମା’ ବାପାଙ୍କୁ ଟିକେ ଦେହିଁବା ନିଶାରେ ପହଂଚିଗଲା ଦିଦି ବତାଇଥିବା ତିନିମହଲା ହଲ ଘର ପାଖରେ | ଦେଖିଲା ଝରକା ତଳେ ଟିକେ ବସିବା ପାଇଁ ଜାଗା ଅଛି | ଯୋଗକୁ ଝରକା ଟିକେ ଖୋଲା ଥିଲା | ପୁପୁ ଆସ୍ତେ କରି ବସିଲା ଝରକା ତଳେ | ହେଲେ କେମିତି ଦେଖିବ ତା ମା’ ବାପାଙ୍କୁ?
ହେଲେ ଈଶ୍ୱର ମହାନ | ସେଇ ଝରକା ପାଖ ବେଡ଼ ରେ ତା ମା ଅଛି ଆଉ ଆଖି ଖୋଲା ଅଛି | ସମ୍ଭାଳି ପାରିଲାନି ଆଉ ନିଜକୁ ପୁପୁ | ମା’ ବୋଲି ବାହାରିଗଲା ତା ପାଟିରୁ ଡାକ | ମା’ ଆଶ୍ଚର୍ଯ୍ୟ ହୋଇଗଲା ପୁପୁ ଡାକ ଶୁଣି | କେମିତି ପୁପୁ ଆସିଲା ତାକୁ ଦେଖିବାକୁ?ଦୁଇ ଜଣଙ୍କ ଆଖିରୁ ଲୁହ ବୋହିଗଲା | ହଠାତ ଜଣେ ଦିଦି ଦେଖି ପକାଇଲେ ପୁପୁକୁ | ଆରେ ଏ ସାନ ପିଲାଟା ଝରକା ପାଖରେ ବସିଛି କେମିତି!
ଡରିଗଲା ପୁପୁ | ତରତର ହୋଇ ତଳକୁ ଓଲ୍ହାଇବାରେ ଲାଗିଲା | ଏପଟେ ହଇଚଇ ହୋଇଗଲାଣି ସେ ବିଲଡିଂ ତଳେ | ଗୋଟେ ସାନ ପିଲା ରାତି ଅଧରେ କାହିଁକି ଚଢିଚି ଏ ବିଲଡିଂରେ !
ପୁପୁର ମୁଣ୍ଡ ବୁଲାଇଦେଲା ଭୟରେ ତଳେ ଏତେ ଲୋକଙ୍କୁ ଦେଖି | ହାତ ଛାଡି ହୋଇଗଲା ପାଇପ୍ରୁ |
ଖସି ପଡିଲା ପୁପୁ ଏତେ ଉପରୁ | ଲୋକମାନେ ଜମା ହୋଇଗଲେ ପୁପୁର କ୍ଷତାକ୍ତ ଶରୀର ପାଖରେ | କୁହାକୁହି ହେଉଥିଲେ ଏ ସାନ ପିଲାଟା କାହିଁକି ପାଇପ୍ ରେ ଚଢ଼ିଥିଲା |
ପହଁଚିଗଲେ ପୁପୁକୁ ସାହାର୍ଯ୍ୟ କରିଥିବା ସେଇ ଦିଦି ଜଣକ | ଆରେ, ଏ ପିଲାକୁ ମୁଁ ଘରକୁ ଯିବାକୁ କହିଥିଲି | ହେଲେ ମା’ ବାପାଙ୍କୁ ଟିକେ ଦେଖିବ ବୋଲି ଜୀବନକୁ ବାଜି ଲଗାଇଦେଲା | ଆଖିରୁ ଲୁହ ଝରି ପଡିଲା ଦିଦିଙ୍କର |
ହେଲେ ପୁପୁ ସବୁ ଦିନ ପାଇଁ ଶୋଇ ଯାଇଥିଲା | ତା ଆଖିରେ ଯେମିତି ମା’କୁ ଦେଖିବାର ପରମ ଶାନ୍ତିର ଝଲକ ଖେଳୁଥିଲା |
କିଛି ଦିନ ପରେ ପୁପୁର ମା’ ଆଉ ବାପା କୋଭିଡ ରୋଗରୁ ଭଲ ହୋଇ ଫେରିଲେ ସେତେବେଳେ ତାଙ୍କୁ ପୁପୁ କଥା ଜଣାଇ ଦିଆ ଗଲା |
ସେଇ ଦିନଠାରୁ ସବୁବେଳେ ଖୋଜୁଛନ୍ତି ପୁପୁର ମା’ ବାପା ତାଙ୍କ ଆଦରର ବିସିକେଶନ ପୁପୁକୁ |
ହେଲେ ପୁପୁ ତ ହଜି ଯାଇଛି ସବୁ ଦିନ ପାଇଁ କୋଭିଡ ଅନ୍ଧାରରେ……….