କାଲି ଯେତେବେଳେ
କୁନି ଝିଅଟି ବାପା ବାପା କହି
ଧାଇଁ ଆସୁଥିଲା,
ବାପା ତାକୁ କାଖେଇନେଲେ
କୁନି ଝିଅଟା ଖୁସିରେ
ମୋ ବାପା ମୋ ବାପା
କହି ବାପାକୁ ଗେଲ କରୁଥିଲା,
ଆଉ ସେ ବାପା ବି କୁନି ଝିଅର ଗାଲରେ
ସ୍ନେହରେ ବୋକ ପରେ ବୋକ ଦେଉଥିଲା |
ସେଇ କୁନି ଝିଅଟି
ଆସ୍ତେ ଆସ୍ତେ ବଡ ହେଲାପରେ,
ବାପା ମନ କୁଣ୍ଢେମୋଟ
ହୋଇଯାଉଥିଲା ଯେ ତା କୁନି ଝିଅ
ଏବେ ଆହୁରି ବଡ ହୋଇଗଲାଣି,
ଆଉ କୁନି ଝିଅଟି ଏବେ ତା ବାପାକୁ
ଛୋଟବେଳଠାରୁ ଆହୁରି ଭଲ ପାଇଲାଣି |
ଏମିତି ଦିନ ସବୁ
ପାଣି ଧାରା ପରି
ବହିବାରେ ଲାଗିଥିଲା…
ଆଉ ସେ ବାପାଟି
ଅନେକ ଖୋଜା ଖୋଜି କଲାପରେ
ଦିନେ ତା ଝିଅପାଇଁ
ଗୋଟେ ରାଜକୁମାରକୁ ପାଇଲା,
ଆଉ ତା ଝିଅର ହାତ ସହ
ସେ ରାଜକୁମାରର ହାତ ଛନ୍ଦି ଦେଲା ,
ଝିଅକୁ ବିଦା କଲାବେଳେ
ବାପାର ଛାତି ଦୁଃଖରେ ଫାଟି ଯାଉଥିଲା,
ଯେଉଁ କୁନିଝିଅଟିକୁ
ଯତ୍ନରେ ଏତେ ବଡ କରିଥିଲା,
ଆଜି ତାକୁ ନିଜ ପାଖରୁ ପର କରିବାକୁ
ମନ ଜମାରୁ ଚାହୁଁ ନଥିଲା,
ଆଉ ସେ ଝିଅବି ତା ବାପାପାଇଁ
ଲୁହର ଶ୍ରାବଣ ଝରାଉଥିଲା…
ଆଜି ସେଇ ଝିଅର କୋଳରେ
ତା ନିଜର କୁନି ଝିଅଟିଏ ଖେଳୁଛି,
ଆଉ ଏବେ ସେଇ ଝିଅଟି
ତା ନିଜ ବାପାକୁ ଖୁବ
ମନେ ପକାଉଛି,
ତା ନିଜ ପିଲାଦିନକଥା ମନେ
ପକାଉଛି ଗୋଟି ଗୋଟି କରି,
ନିଜେ କୁନି ଝିଅର ମା ହେଲାପରେ ବି
ତା ବାପାର ସ୍ନେହକୁ ସେ ଝୁରୁଛି
ଏକା ଏକା ନିରୋଳାରେ….
ସମ୍ପର୍କ ଗୋଟେ ବାପା ଆଉ ଝିଅର…..
