ଦିନ ଥିଲା, ତ୍ରିଦିବବାବୁଙ୍କ ଘର ଖୁବ କୋଳାହଳରେ ଫାଟି ପଡୁଥିଲା | ହେଲେ ଏଇ ଛଅ କି ସାତ ମାସ ହେଲା ସବୁକିଛି ଯେମିତି ବଦଳି ଯାଇଛି | ଆଉ ଆଗପରି ତାଙ୍କ ଘରେ ଗହଳ ଚହଳ ନାହିଁ |
ତ୍ରିଦିବବାବୁ ସରକାରୀ ଚାକିରୀରୁ ଏବେ ଅବସର ନେଇଛନ୍ତି | ଖୁବ ଉଚ୍ଚ ପଦବୀରେ ଅବସ୍ଥିତ ଥିଲେ ସେ | ତାଙ୍କର ସରଳ ସ୍ୱଭାବ ଆଉ ନିର୍ଭିକତା ପାଇଁ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ | ଖୁବ ଉଚ୍ଚ ପଦବୀରେ ଥାଇ ମଧ୍ୟ କେବେ ନିଜ ବଡିମାର ଅହଂ ଦେଖାଉ ନଥିଲେ | ସେଇଥିପାଇଁ ସମସ୍ତଙ୍କ ପାଖରେ ସେ ଅତି ପରିଚିତି ମଣିଷଟିଏ ହୋଇପାରିଥିଲେ |
ହେଲେ ଆଜି ସେଇ ତ୍ରିଦିବବାବୁଙ୍କୁ ନେଇ ଏତେ ଚର୍ଚ୍ଚା କାହିଁକି?
ସମସ୍ତେ କହୁଛନ୍ତି ତ୍ରିଦିବବାବୁ କୁଆଡେ ପାଗଳ ହୋଇ ଯାଇଛନ୍ତି | କାହାରିକୁ ଚିନ୍ହି ପାରୁନାହାନ୍ତି | ଯାହାକୁ ଦେଖୁଛନ୍ତି କହୁଛନ୍ତି, ମୋ ଟିପୁଲୁକୁ ଦେଖିଛକି? ସେ କାଇଁ ମୋ ପାଖକୁ ଆସୁନି ?
ଘର ଲୋକେ ଯେତେ ବୁଝାଇଲେ ବି ବୁଝୁ ନାହାନ୍ତି ତ୍ରିଦିବବାବୁ | ନାଇଁ, ତୁମେମାନେ ମୋ ଟିପୁଲୁକୁ ମୋ ପାଖକୁ ଆଣ | ତା ବିନା ମୁ ବଂଚି ପାରିବିନି | ଟିପୁଲୁ ଚିନ୍ତାରେ ଖାଇବା ପିଇବା ବି ଭୁଲି ଗଲେଣି ପୁରାପୁରି |
ତେବେ ଏ ଟିପୁଲୁ କିଏ ? ତା ସହ ତ୍ରିଦିବବାବୁଙ୍କ ସମ୍ପର୍କ କଣ ?
ତେବେ ଟିପୁଲୁ ହେଉଛି ତ୍ରିଦିବବାବୁଙ୍କ ଅତି ଆପଣାର ପୋଷା କୁକୁର | ଘରର ସେ ବି ଜଣେ ସଦସ୍ୟ ପରି, ଅତି ଆପଣାର | ହେଲେ ଛଅ/ସାତ ମାସ ତଳେ ଟିପୁଲୁ ଉପରେ କାର ଚଢ଼ି ଯାଇଥିଲା | ସେଇ ଦିନଠୁ ତ୍ରିଦିବବାବୁ ଟିପୁଲୁକୁ ଖୋଜୁଛନ୍ତି | ତାଙ୍କ ପାଇଁ ଟିପୁଲୁ ଏବେ ବି ବଞ୍ଚିଛି |
ହେଲେ ଟିପୁଲୁ ତ ସେଇ କାର ଦୁର୍ଘଟଣାରେ ମରି ଯାଇଛି | ସେ କେଉଁଠି ବଂଚିଛି ଯେ, ତାଙ୍କ ପାଖକୁ ଡାକିଲେ ଧାଇଁ ଆସିବ !
କିନ୍ତୁ ତ୍ରିଦିବବାବୁ ଟିପୁଲୁପାଇଁ ଏତେ ପାଗଳପରି ହେବାର କାରଣ ତ୍ରିଦିବବାବୁଙ୍କ ଛଡା କେହି ବୁଝି ପାରିବେନି |
ତ୍ରିଦିବବାବୁଙ୍କ ପରିବାର କହିଲେ ଚାରି ପୁଅ ଆଉ ଗୋଟେ ଝିଅ | ସମସ୍ତେ ବାହାସାହା ହୋଇ ଭଲରେ ଅଛନ୍ତି କେବଳ ମଝିଆଁ ପୁଅ ପିପୁନକୁ ଛାଡି | ପିପୁନ ବାହା ହେବନି ବୋଲି ଜିଦ କରିଥିଲା ଆଉ ସେ ବାହା ହୋଇନି | ଘର ସଂସାର ପ୍ରତି ତାର ମୋହ ନାହିଁ, ତେଣୁ କେହି ବି ତାକୁ ବାହା ହେବା ପାଇଁ ଆଉ ବାଧ୍ୟ କରିନାହାନ୍ତି | ସେ ସମାଜସେବାରେ ନିଜକୁ ସାମିଲ କରି ନେଇଛି |
ଅଗ୍ନିକୁ ସାକ୍ଷୀ ରଖି ଯାହାକୁ ବାହା ହୋଇଥିଲେ, ସେ ରେବତୀଦେବୀ ଛଅ ବର୍ଷ ହେଲା ସେ ପାରିକୁ ଚାଲି ଗଲେଣି |
ଘରେ ବଡ ପୁଅ ବୋହୁ ଆଉ ନାତି ଆୟୁଷ ରହୁଛନ୍ତି | ଆର ଦୁଇ ପୁଅ ବିଦେଶରେ ରହୁଛନ୍ତି | ପିପୁନ କିନ୍ତୁ ତ୍ରିଦିବବାବୁଙ୍କ ପାଖରେ ରହୁଛି ହେଲେ, ଏବେ ସେ କିଛି ମାସ ହେଲା ହରିଦ୍ୱାର ଯାଇଛି କାମରେ |
ଏ ଟିପୁଲୁକୁ ସେ ଆଣିଥିଲେ ଚନ୍ଦ୍ରଗିରିରୁ | ସରକାରୀ କାମରେ ଥରେ ଚନ୍ଦ୍ରଗିରି ଯାଇଥିଲେ ଆଉ ସେଇଠୁ ତିବ୍ବତିୟ ଶରଣାର୍ଥୀ ମାନଙ୍କଠାରୁ ଆଠ ଦିନର ଟିପୁଲୁକୁ କିଣି ଆଣିଥିଲେ ଝିଅ ଗାୟତ୍ରୀ କଥାରେ | ବହୁତ ଶୀଘ୍ର ଟିପୁଲୁ ସମସ୍ତଙ୍କର ନିଜର ହୋଇ ଯାଇଥିଲା | ସମସ୍ତଙ୍କସହ ତାଙ୍କ ବିଛଣାରେ ଶୋଉଥିଲା | ସେ ଆଉ ପଶୁ ଭିତରେ ଗଣା ହେଉନଥିଲା | ଟିପୁଲୁ ତାଙ୍କ ପରିବାରର ଜଣେ ସଦସ୍ୟ ହୋଇ ଯାଇଥିଲା |
ଟିପୁଲୁ ବି ସମସ୍ତଙ୍କୁ ଭଲ ପାଉଥିଲା | ସବୁକଥା ବୁଝି ପାରୁଥିଲା ଟିପୁଲୁ| ସମସ୍ତଙ୍କୁ ଆଗ ଦୁଇଗୋଡଯୋଡି ଅଭିବାଦନ ଜଣାଉଥିଲା | ତ୍ରିଦିବବାବୁଙ୍କ ଘରକୁ ଯିଏ ଆସୁଥିଲା, ଟିପୁଲୁ ସହ ଦ୍ୱିତୀୟ ସାକ୍ଷାତରେ ଆପଣାର ହୋଇଯାଉଥିଲା |
ସରକାରୀ କାମରେ ତ୍ରିଦିବବାବୁ ବାହାରକୁ ଗଲାବେଳେ ଝିଅପୁଅଙ୍କସହ ଟିପୁଲୁ ବି ଯାଉଥିଲା | ଘରେ ଟିପୁଲୁର ଜନ୍ମଦିନ ବି ପାଳନ କରାଯାଉଥିଲା | ଠାକୁରପୂଜା ସମୟରେ, ସମସ୍ତେ ଠାକୁରଙ୍କୁ ମୁଣ୍ଡିଆ ମାରିଲାବେଳେ, ଟିପୁଲୁ ବି ଚାରିଗୋଡ ଯୋଡି ଶୋଇ ଯାଉଥିଲା | ଟିପୁଲୁ ସିନା କୁକୁର ଜନ୍ମ ପାଇଥିଲା ହେଲେ ତା ବ୍ୟବହାର କୌଣସି ମଣିଷଠୁ ଊଣା ନଥିଲା | ଘର ବାହାର ସମସ୍ତଙ୍କ ପାଖେ ଟିପୁଲୁ ନିଜର ହୋଇଯାଉଥିଲା |
ତ୍ରିଦିବବାବୁଙ୍କ ଜୀବନରେ ଟିପୁଲୁ ବଡ ସାହାଯ୍ୟ କରିଥିଲା, ଯେତେବେଳେ ଦିନେ ବଡ ବିପଦରୁ ତାଙ୍କର ଅତି ଆପଣାର ମଣିଷକୁ ଉଦ୍ଧାର କରିଥିଲା | ଦିନେ ସରକାରୀ ବଙ୍ଗଳାର ବଗିଚାରେ ପତ୍ନୀ ରେବତୀ ବୁଲୁଥିବାବେଳେ,ହଠାତ ଗୋଟେ ବିଷଧର ସାପ, ରେବତୀଙ୍କୁ ଚୋଟ ମାରିବା ଆଗରୁ ଟିପୁଲୁ ଦେଖି ଦେଇଥିଲା ସାପଟିକୁ ନିଜ ମୁନିଆଁ ଦାନ୍ତରେ ମାରିଦେଇଥିଲା ସାପଟିକୁ ନିଜ ଜୀବନକୁ ବାଜି ଲଗେଇ | ସାପର ବିଷ ସଞ୍ଚରି ଯାଇଥିଲା ଟିପୁଲୁ ଦେହରେ | ବଂଚିବାର ଆଶା ନଥିଲା ଟିପୁଲୁର | ପ୍ରଭୁ କୃଷ୍ଣଙ୍କ ପାଖରେ ସେ ବିନତି କରିଥିଲେ | କିନ୍ତୁ ଈଶ୍ୱରଙ୍କ ଦୟା ଆଉ ଡାକ୍ତରୀ ଚିକିତ୍ସାରେ ଟିପୁଲୁ ଭଲ ହୋଇ ଯାଇଥିଲା | ଟିପୁଲୁର ସେ ସାହାଯ୍ୟକୁ ତ୍ରିଦିବବାବୁ କେବେବି ଭୁଲିପାରିବେନି |
କେହି ଯଦି ଟିପୁଲୁକୁ କୁକୁର ବୋଲି କହୁଥିଲା, ତ୍ରିଦିବବାବୁ ରାଗି ଯାଉଥିଲେ ଆଉ କହୁଥିଲେ, ସେ କୁକୁର ନୁହେଁ, ସେ ଆମ ଟିପୁଲୁ |
ଝିଅ ଗାୟତ୍ରୀକୁ ବି ଟିପୁଲୁ ଭାରି ଭଲ ପାଉଥିଲା | ଝିଅ ଗାୟତ୍ରୀର ବାହାଘରେ ଯେତେବେଳେ ଝିଅ ଜ୍ୱାଇଁ ସହ କାରରେ ବସିଲା ଶାଶୁ ଘରକୁ ଯିବା ପାଇଁ, ପରିବାରର ଅନ୍ୟ ସଦସ୍ୟମାନଙ୍କ ପରି ଟିପୁ ଆଖିରୁ ବି ଲୁହ ଝରି ଚାଲିଥିଲା | ଭାରି ବିକଳ ହୋଇ ସେ ଚାହିଁଥିଲା ଝିଅ ଗାୟତ୍ରୀକୁ | ଏମିତି କେତେଯେ କଥା ଟିପୁଲୁସହ ବିତିଛି, ତାହା ସେ କଣ ଭୁଲି ପାରିବେ କେବେ!
ପତ୍ନୀ ରେବତୀଙ୍କ ଅକସ୍ମାତ ମୃତ୍ୟୁରେ ସମସ୍ତେ କାନ୍ଦୁଥିବାବେଳେ ଟିପୁଲୁ ବି କିଛି କମ ଦୁଃଖ କରିନଥିଲା | ପଶୁଟିଏ ହେଲେବି ସେ ମା ରେବତୀଙ୍କ ସ୍ନେହକୁ ଭୁଲି ନଥିଲା | ରେବତୀଦେବୀଙ୍କ ଦେହକୁ ମଶାଣୀକୁ ନେଲାବେଳେ ଟିପୁଲୁ ବିକଳ ଚିତ୍କାର ବି କରିଥିଲା | ତେଣୁ ଟିପୁଲୁ ତ୍ରିଦିବବାବୁଙ୍କ ଜୀବନର ଏକ ଅଂଶ ପାଲଟି ଯାଇଥିଲା |
ତ୍ରିଦିବବାବୁ ଅନେକବେଳେ ଭାବୁଥିଲେ, ବୋଧହୁଏ ଟିପୁଲୁସହ ତାଙ୍କର ପୂର୍ବ ଜନ୍ମର ସମ୍ପର୍କ ଅଛି | ନହେଲେ, ତା ସହ ଏମିତି ବନ୍ଧନର ମାୟା ଲାଗି ନଥାନ୍ତା| ମଣିଷମାନେ ତ ସ୍ନେହର ସମ୍ପର୍କକୁ ବୁଝି ପାରୁନାହାନ୍ତି , ଅଥଚ ଟିପୁଲୁ ତାଙ୍କ ନିଜର ରକ୍ତ ସମ୍ପର୍କଠୁ ବି ଅଧିକା ହୋଇଯାଇଛି |
ସବୁଦିନ ସକାଳେ ଟିପୁଲୁକୁ ସାଙ୍ଗରେ ନେଇ ତ୍ରିଦିବବାବୁ ଯାଆନ୍ତି ପ୍ରାତଃଭ୍ରମଣରେ |
ଛଅ /ସାତ ମାସତଳେ ସେମିତି ଦିନେ ବଡ଼ିଭୋରରୁ ଟିପୁଲୁକୁ ନେଇ ପ୍ରାତଃଭ୍ରମଣରେ ବାହାରିଥିଲେ ତ୍ରିଦିବବାବୁ | ସେ ଜାଣିପାରି ନଥିଲେ, ହଠାତ ଟିପୁଲୁ ତାଙ୍କୁ ରାସ୍ତା କଡ଼କୁ କାହିଁକି ଠେଲି ଦେଇଥିଲା ଆଉ ପର ମୁହୂର୍ତ୍ତରେ ଗୋଟେ ଦ୍ରୁତ ଗତିରେ ଆସୁଥିବା କାର ଟିପୁଲୁ ଉପରେ ଚଢି ଯାଇଥିଲା | ଚିତ୍କାର କରିଥିଲା ଟିପୁଲୁ ତାଙ୍କର ବିକଳ ହୋଇ | ଦେହରୁ ତା’ର ବୋହି ଚାଲିଥିଲା ଅଜସ୍ର ରକ୍ତ ଧାରା | ଟିପୁଲୁକୁ ଧରି କାନ୍ଦୁଥିଲେ ତ୍ରିଦିବବାବୁ | ତାଙ୍କୁ ବଞ୍ଚାଇବାକୁ ଯାଇ ଶେଷରେ ଟିପୁଲୁ ନିଜ ଜୀବନ ଦେଇଦେଲା | ଟିପୁଲୁ ଶୋଇଯାଇଥିଲା ତ୍ରିଦିବବାବୁଙ୍କ ଛାତି ଦେହରେ ସବୁଦିନ ପାଇଁ | ସବୁଦିନ ପାଇଁ ଋଣୀ ହୋଇଗଲେ ତ୍ରିଦିବବାବୁ ଟିପୁଲୁ ପାଖରେ |
ସେଦିନଠାରୁ ତ୍ରିଦିବବାବୁ ପାଗଳପରି ହୋଇଗଲେ | ଯେଉଁଠି ମଣିଷମାନେ ତ୍ୟାଗ କରି ପାରୁନାହାନ୍ତି, ସେଇଠି ଟିପୁଲୁ ଗୋଟେ ପଶୁ ହୋଇ ତାଙ୍କ ପାଇଁ ନିଜ ଜୀବନ ଦେଇଦେଲା, ଏକଥାକୁ ସେ କେମିତି ଭୁଲିପାରିବେ ଯେ!
ସମସ୍ତେ ସିନା ତ୍ରିଦିବବାବୁଙ୍କୁ ପାଗଳର ଆଖ୍ୟା ଦେଉଥିଲେ, ହେଲେ ତ୍ରିଦିବବାବୁ ପାଗଳ ହୋଇନଥିଲେ | ଟିପୁଲୁର ତ୍ୟାଗ ତାଙ୍କୁ ମ୍ରିୟମାଣ କରିଦେଇଥିଲା | ଖାଇବା ପିଇବା ଛାଡିଦେଲେ ତ୍ରିଦିବବାବୁ |
ଦିନକୁ ଦିନ ତ୍ରିଦିବବାବୁଙ୍କ ଦେହ ଆହୁରି ଖରାପ ହେବାରେ ଲାଗିଲା |
ସେପଟେ ପୁଅ ପିପୁନକୁ ବଡ ଭାଇ ତ୍ରିଦିବବାବୁଙ୍କ ଦେହ କଥା ଜଣାଇ ଦେଇଥିଲେ | ପିପୁନ ବାପା ତ୍ରିଦିବବାବୁଙ୍କ ସବୁବେଳେ ବୁଝୁଥିଲା, ହେଲେ ହରିଦ୍ୱାରରେ ଜରୁରୀ କାମରେ ରହି ଯାଇଥିଲା | ବଡଭାଇଙ୍କଠାରୁ ଫୋନ ପାଇ ପିପୁନ ଚାଲି ଆସିଲା ହରିଦ୍ୱାରରୁ |
ତରତରରେ ଟ୍ରେନ୍ରୁ ଓଲ୍ହାଇ ଘରେ ପହଁଚିଗଲା ପିପୁନ | ତ୍ରିଦିବବାବୁଙ୍କ ଶରୀର କ୍ଷୀଣ ହୋଇଯାଇଛି ନଖାଇ ନପିଇ | ଶୋଇଛନ୍ତି ବାପା ତାର ନିସ୍ତେଜ ହୋଇ | ଭାରି କଷ୍ଟ ହେଲା ପିପୁନକୁ | ଆହାଃ, ଟିପୁଲୁର ତ୍ୟାଗ ପାଇଁ ଆଜି ତା ବାପାଙ୍କ ଏ ଦଶା |
ଆସିଲାବେଳେ ପିପୁନ ଆଣିଥିଲା କୁକୁରଟିଏ |
ବାପା ବାପା, ଆସ୍ତେ ଆସ୍ତେ ଡାକିଲା ପିପୁନ ତ୍ରିଦିବବାବୁଙ୍କୁ | କିଛି ସମୟପରେ ଟିକେ ଆଖି ଖୋଲିଲେ ତ୍ରିଦିବବାବୁ |
ପିପୁନ ହାତରେ ଥିବା କୁକୁରଟିକୁ ଦେଖି ବିଛଣାରେ ବସିଗଲେ ତ୍ରିଦିବବାବୁ | ଆରେ ଏ ତ ମୋ ଟିପୁଲୁ ! ପିପୁନ, ତୁ ମୋ ଟିପୁଲୁକୁ କେଉଁଠୁ ପାଇଲୁ!
ପିପୁନ ହାତରୁ ନେଇଗଲେ କୁକୁରଟିକୁ ତ୍ରିଦିବବାବୁ | ଅବିକଳ ଟିପୁଲପରି ଦେଖିବାକୁ | ଆଉ ନୂଆ କୁକୁରଟି ବି ତ୍ରିଦିବବାବୁଙ୍କ ପାଖକୁ ଚାଲିଗଲା| ବହୁତ ଗେଲକଲେ ତ୍ରିଦିବବାବୁ ନୂଆ ଟିପୁଲକୁ |
ପିପୁନ ତୁ ମୋର ଭାରି ଭଲପୁଅ | କେହି ମୋତେ ବୁଝୁ ନଥିଲେ | ସମସ୍ତେ କହୁଥିଲେ, ମୋ ଟିପୁଲୁ ମରି ଯାଇଛି | ହେଲେ ମୁ ଜାଣିଥିଲି ସେ ଅଛି, ଆଉ ଦିନେ ମୋ ପାଖକୁ ପୁଣି ଚାଲି ଆସିବ|
ପିପୁନ ଆଖିରୁ ଲୁହ ଝରୁଥିଲା ଆନନ୍ଦରେ, ଯାହା ହେଉ ବାପା ତାର ଏବେ ଭଲ ହୋଇଯିବେ | ସେଇଠି ପାଇଁ ତ ହରିଦ୍ୱାରରୁ ଜଣେ ବ୍ୟକ୍ତିଙ୍କ ପାଖରୁ କିଣି ଆଣିଥିଲା ଏ ନୂଆ ଟିପୁଲୁକୁ | କାରଣ ସେ କୁକୁରଟି ଅବିକଳ ଟିପୁଲୁ ପରି ଦେଖା ଯାଉଥିଲା | ସେ ବ୍ୟକ୍ତି ଜଣଙ୍କ ରାଜି ନଥିଲେ ତାଙ୍କ କୁକୁରକୁ ଦେବା ପାଇଁ | ନିଜ ବାପାଙ୍କ ଦେହ କଥା କହି ବହୁତ କଷ୍ଟରେ ରାଜି କରାଇଥିଲା ତାଙ୍କୁ |
ଯାହା ହେଉ, ତା ବାପା ଏବେ ଆଉ କଷ୍ଟ ପାଇବେନି | କେହି ଆଉ ତାଙ୍କୁ ପାଗଳ ବୋଲି କହିବେନି |
ଏତେ କଥା ଭାବୁ ଭାବୁ ପ୍ରକୂସ୍ଥିତ ହେଲା ପିପୁନ | ବାପା ନୂଆ ଟିପୁଲୁକୁ ଛାତିରେ ଧରି ପରମ ଶାନ୍ତିରେ ଶୋଇ ପଡିଛନ୍ତି ଆଉ ନୂଆ ଟିପୁଲୁ ବି ଚୁପ ଚାପ ବାପାଙ୍କ ଛାତିରେ ଆଉଜି ପଡିଛି |
ପିପୁନ ପୁଣି ପ୍ରକୂସ୍ଥିତ ହେଲା | ଆରେ ବାପା ଖାଇବା ପିଇବା ଛାଡି ଦେଇଛନ୍ତି ବୋଲି ବଡ ଭାଇ ଫୋନରେ କହୁଥିଲେ | ଏବେ ତ ସେ ନୂଆ ଟିପୁଲୁକୁ ଆପଣେଇ ନେଇଛନ୍ତି | ବାପାଙ୍କୁ କିଛି ଖୁଆଇବା ଦରକାର |
ବାପା ବାପା ଉଠ, ତୁମେ ଖାଇବ ଆଉ ତୁମ ଟିପୁଲୁ ବି ଖାଇବା |
ଟିପୁଲୁକୁ ଭୋକ କରିବଣି | ଦୁହେଁ ଖାଇବ |
ହେଲେ ବାପା ସେମିତି ଶୋଇଛନ୍ତି |
ବାପାଙ୍କୁ ଜୋରରେ ହଲାଇ ଦେଲା ପିପୁନ |
ହଠାତ ଚମକି ପଡିଲା ପିପୁନ | ଏ କଣ! ବାପାଙ୍କ ଦେହ ଏତେ ଥଣ୍ଡା କାହିଁକି ଲାଗୁଚି?
ପୁଣି ଥରେ ହଲେଇଦେଲା ପିପୁନ ବାପାଙ୍କୁ | ଗୋଟେ କଡ଼କୁ ଢଳିପଡିଲେ ବାପା | ପିପୁନ ହାତମାରି ଦେଖିଲା ବାପାଙ୍କ ନିଶ୍ୱାସ ବନ୍ଦ ହୋଇ ଯାଇଛି |
ନୂଆ ଟିପୁଲୁ ବି ଶୋଇଯାଇଛି କେମିତି ? ହାତ ମାରି ଦେଖିଲା ନୂଆ ଟିପୁଲ ଦେହରେ ବି ଜୀବନ ନାଇଁ |
ଭେଁ ଭେଁ ହୋଇ କାନ୍ଦି ଉଠିଲା ପିପୁନ | ଭାଇ ଭାଇ , ଆମ ବାପା ଆଉ ଉଠିବେନି କେବେ | ଟିପୁଲୁକୁ ସାଙ୍ଗରେ ନେଇ ସେ ଚାଲିଯାଇଛନ୍ତି ସବୁଦିନ ପାଇଁ |
ଘର ଭିତରୁ ବାପାଙ୍କ ପାଖକୁ ଧାଇଁ ଆସିଲେ ବଡ ଭାଇ ଆଉ ଭାଉଜ | ପିପୁନ କାନ୍ଦୁଥିଲା ବାପାଙ୍କୁ ଧରି ଅଧୀର ହୋଇ | ଭାଇ ଭାଉଜ ବୁଝାଇବାକୁ ଚେଷ୍ଟା କରୁଥିଲେ ପିପୁନକୁ |
ଏ ପଟେ ତ୍ରିଦିବବାବୁ ନୂଆ ଟିପୁଲୁକୁ ଧରି ପରମ ଶାନ୍ତିରେ ଶୋଇ ଯାଇଥିଲେ ସବୁଦିନ ପାଇଁ ବିଛଣା ଉପରେ ………