ଲୁହ ବରଫ ପାଲଟିଲା ପରେ

ମୁଁ ଏବେ
ଆଉ ଯେତେ ମୋତେ କଷ୍ଟ ହେଲେ ବି
ଜମାରୁ କାନ୍ଦି ପାରୁନି,
ଲୋକେ କହୁଛନ୍ତି
ଏ କେମିତିକା ମଣିଷଟା ହୋ,
ତାକୁ ଯେତେ କଷ୍ଟ ହେଲେ ବି
ତା ଆଖିରୁ ଟୋପେ ଲୁହ ଝରୁନି
କେମିତି!

ସେଥିପାଇଁ
ମୋତେ ସେମାନେ
କହୁଛନ୍ତି ମୁଁ କୁଆଡେ
ପଥର ମଣିଷଟା ବୋଲି….
ହେଲେ ସେମାନେ ମୋତେ
କେତେ ଜାଣିଛନ୍ତି ଯେ !

ମୁଁ ଗୋଟେ ଏମିତି
ଅଭିଶପ୍ତ ମଣିଷ
ଯେ ପ୍ରତି ମୁହୂର୍ତ୍ତରେ
ଯନ୍ତ୍ରଣାରେ ଅଗ୍ନିସ୍ନାନ କରୁଛି,
ମୁଁ ଗୋଟେ ଏମିତି
ଅଭିଶପ୍ତ ମଣିଷ ଯେ
ଜୀବନସାରା
ଖାଲି ଦୁଃଖ ଆଉ ଦୁଃଖ ହିଁ
ପାଇଚାଲିଛି,

ମୋ ଆଖିର ଲୁହ
ଚିରସ୍ରୋତା ନଦୀଟିଏ ପରି
ବହି ବହି
ଶେଷରେ ବରଫ ପାଲଟି ଯାଇଛି,
ତେଣୁ ବାହାରେ ଆଉ ମୁଁ
କାନ୍ଦି ପାରୁନି,
ହେଲେ ବରଫ ଭିତରେ
ଖାଲି ପାଣି ଆଉ ପାଣି ଅଛି,
ଏ କଥା
ମୋର ଆଉ ଦୁନିଆଁ କି ସମାଜ ଆଗରେ
କହିବା ଦରକାର ନାହିଁ କି
ପ୍ରତିପାଦିତ କରିବାର ନାହିଁ…..

ମୁଁ ଏବେ ବି
ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣାରେ
ଆଉଟୁ ପାଉଟୁ ହୋଇ ଚାଲିଛି ,
ମୁ ଏବେ ବି କାନ୍ଦୁଛି,
ହେଲେ ମୋ ଲୁହ
ଆଉ ବାହାରେ ଝରୁନି,
ତାହା ଭିତରେ ଝରୁଛି
ଯାହା ଖାଲି
ମୁଁ ହିଁ ଜାଣୁଛି,
କାହିଁକି ନା
କଷ୍ଟ ମୋତେ ହିଁ ହେଉଛି ……

Leave a Reply

Your email address will not be published. Required fields are marked *